Categories
ଆଜିର ଖବର ଖେଳ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଦ୍ବିତୀୟ ସ୍ବର୍ଣ୍ଣ ସତ୍ତ୍ବେ ମଉଳିଲା ଦୂତୀଙ୍କ ଅଲମ୍ପିକ୍ସ ଆଶା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ନିଜର ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଉଭୟ 100 ଏବଂ 200 ମିଟର ବର୍ଗରେ ଦୂତୀ ନିଜର ପୂର୍ବ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ଠାରୁ ପଛରେ ପଡିଯାଇଛନ୍ତି । ରବିବାର ଦୂତୀ 200 ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । କିଟ୍‌ ପକ୍ଷରୁ ଖେଳୁଥିବା ଦୂତୀ 23.66 ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମୁମ୍ବାଇ ବିଶ୍ବବିଦ୍ୟାଳୟର କୀର୍ତ୍ତି ବିଜୟ ଭୋଇତେ 24.98 ସେକେଣ୍ଡ ସହିତ ଦ୍ବିତୀୟ ଏବଂ ଉତ୍ତରାଖଣ୍ଡ ବିଶ୍ବବିଦ୍ୟାଳୟର ଦୀପାଳି ମହାପାତ୍ର 25.19 ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । 200 ମିଟର ବର୍ଗରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 22.80 ସେକେଣ୍ଡର ଟାଇମିଂ ରହିଥିଲା । ଅନ୍ୟପକ୍ଷରେ ଦୂତୀ ଗତକାଲି 100 ମିଟର ବର୍ଗରେ 11.49 ସେକେଣ୍ଡ ଟାଇମିଂ ସହିତ ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 11.15 ସେକେଣ୍ଡର ଟାଇମିଂ ଆବଶ୍ୟକ ଥିଲା ।

Categories
ଆଜିର ଖବର ଖେଳ

ଅଲମ୍ପିକ କୋଟା ଲକ୍ଷ୍ୟରେ ଓଡିଶା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆସନ୍ତା 27 ତାରିଖରୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଦୂତୀ ଅଭ୍ୟାସ କରୁଥିବା ସମୟରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସରେ ଅଂଶଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି । ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 100 ମିଟରରେ 11.15 ସେକେଣ୍ଡ ଟାଇମିଂ ରହିଥିବା ବେଳେ ଦୂତୀଙ୍କ ସର୍ବଶ୍ରେଷ୍ଠ ଟାଇମିଂ 11.22 ସେକେଣ୍ଡ ରହିଛି । 27ରୁ 29 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ 159ଟି ବିଶ୍ବ ବିଦ୍ୟାଳୟର 3400 ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । 17ଟି କ୍ରୀଡା ବର୍ଗକୁ ଏହି ବିଶ୍ବବିଦ୍ୟାଳୟ ଗେମ୍‌ରେ ସାମିଲ୍‌ କରାଯାଇଛି । ପ୍ରଥମ ଥର ପାଇଁ ରଗ୍‌ବୀକୁ ମଧ୍ୟ ସାମିଲ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, 100 ମିଟରରେ ଦୂତୀ 54 ତମ ସ୍ଥାନରେ ରହିଥିବା ବେଳେ 200 ମିଟରରେ 43 ତମ ସ୍ଥାନରେ ରହିଛନ୍ତି ।

Categories
ବିଶେଷ ଖବର

ଭାରତର ସବୁଠୁ ଦ୍ରୁତ ଧାବିକା ଦୁତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆମର ଏତେ ମୁଣ୍ଡ ବିନ୍ଧୁଛି କାହିଁକି ?

କେଦାର ମିଶ୍ର

ଦୁତୀ ଚାନ୍ଦଙ୍କ ସହିତ ଆମର ପରିଚୟ କଣ? ଜଣେ ନିହାତି ସାଧାରଣ ପରିବାରର ଝିଅ ଯେତେବେଳେ ପୃଥିବୀର ବହୁ ଆଥଲେଟିକ୍ସ ମିଟରେ ଭାରତ ଲାଗି ପଦକ ଜିତିଛନ୍ତି, ସେଥିରେ ଆମେ ଗର୍ବିତ ହୋଇଛୁ। ତାଙ୍କର ପ୍ରତିଭା ଆମକୁ ଗୌରବ ଆଣି ଦେଇଛି। ବିଭିନ୍ନ ପ୍ରକାର ସଂଘର୍ଷ ଦେଇ ଦୁତୀଙ୍କ ଜୀବନ ଗତିଶୀଳ ହୋଇଛି। କ୍ରୀଡା ଜଗତର ବହୁ ଉଦ୍ଭଟ ରାଜନୀତିର ଶିକାର ହେବାପରେ ମଧ୍ୟ ଦୁତୀ ନିଜର ସାଧନା ଜାରି ରଖିଛନ୍ତି। ୨୦୧୩ ରୁ ୧୯ ମାତ୍ର ୬ ବର୍ଷର ଆଥଲେଟିକ ଜୀବନରେ ବହୁ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ଦୁତୀ ଦେଶ ଲାଗି ପଦକ ଜିଣିଛନ୍ତି। ତେଣୁ ତାଙ୍କ ସହିତ ଜେନ ସାଧାରଣ ଓଡିଆ ଭାବରେ ଆମର ସମ୍ପର୍କ ହେଉଛି ଗୌରବବୋଧର। ଦୁତୀଙ୍କ ବ୍ୟକ୍ତିଗତ ଜୀବନ ଅପେକ୍ଷା ତାଙ୍କର ପ୍ରତିଭା କୁ ଆମେ ବେଶୀ ଜାଣିଛୁ। ବାସ୍ତବରେ ଆମ ଲାଗି ତାହା ହିଁ ଗୁରୁତ୍ୱପୂର୍ଣ୍ଣ।

ତେବେ କ୍ରୀଡା ଜଗତରେ ତାଙ୍କର ସଫଳତା ସହିତ କିଛି ବିବାଦ ଓ ବିସମ୍ବାଦ ମଧ୍ୟ ଚର୍ଚ୍ଚାରେ ରହିଛି। ହାଇପର ଆଣ୍ଡ୍ରୋଜେନିଜମ ବା ଲିଙ୍ଗଗତ ପ୍ରଶ୍ନକୁ ନେଇ ଏକଦା ରାଜ୍ୟ ଗୋଷ୍ଠୀ କ୍ରୀଡାରୁ ଦୁତୀଙ୍କୁ ବାଦ ଦିଆ ଯାଇଥିଲା। ଏ କ୍ଷେତ୍ରରେ ଦୁତୀଙ୍କର ସଂଘର୍ଷ ଓ କ୍ରୀଡାବିତ ଭାବରେ ବିଜର ଅଧିକାର ଫେରି ପାଇବା ଲାଗି ତାଙ୍କର ଲଢେଇ ଏକ ଉଦାହରଣ ପାଲଟିଥିଲା। ବିଭିନ୍ନ କ୍ଷେତ୍ରରେ ସଙ୍ଗର୍ଷ କରି ଦୁତୀ ପୁଣିଥରେ ଟ୍ରାକ କୁ ଫେରିଥିଲେ ଓ ଅଲିମ୍ପିକ ଖେଳିବାର ସୁଯୋଗ ପାଇଥିଲେ। ନିଜର ଗତ ୬ ବର୍ଷର ସଙ୍ଘର୍ଷପୂର୍ଣ୍ଣ ଜୀବନରେ ଦୁତୀ ଜାକର୍ତ୍ତା ରେ ଅନୁଷ୍ଠିତ ୨୦୧୮ ଏସିଆଡ ଗେମ୍ସ ରେ ଦୁଇଟି ରୌପ୍ୟ ପଦକ, ଏସିଆନ ଚମ୍ପିୟାନସିପ, ଭୁବନେଶ୍ୱର, ୨୦୧୭ରେ ଦୁଇଟି କାଂସ୍ୟ ପଦକ,  ଏସିଆନ ଚମ୍ପିୟାନସିପ, ଦୋହା, ୨୦୧୯ରେ କାଂସ୍ୟ ପଦକ, ଏସିଆନ ଜୁନିଅର ଆଠଲେଟିକସ ଚମ୍ପିୟାନସିପ, ତାଇପେଇରେ ଦୁଇଟି ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଦୁତୀଙ୍କ ପରିଚୟ ଲାଗି ଏହା ହିଁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ।

ତେବେ ଗତ କିଛିଦିନ ହେଲା ଦୁତୀ ଚାନ୍ଦଙ୍କୁ ନେଇ ଆମର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଗୋଟେ ଅବାଞ୍ଛିତ ଚର୍ଚ୍ଚା ବଢି ଚାଲିଛି। ଇଣ୍ଡିଆନ ଏକ୍ସପ୍ରେସ ଖବର କାଗଜକୁ ଏକ ସାକ୍ଷତକାର ଦେଇ ଦୁତୀ କହିଥିଲେ ଯେ ସେ ସମଲିଙ୍ଗି ବିବାହ କରିବାକୁ ଚାହୁଁଛନ୍ତି। ସେପ୍ଟେମ୍ବର ୨୦୧୮ରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଭାରତୀୟ ପିଙ୍ଗଳ କୋଡର ଦଫା ୩୭୭ କୁ ଅସାମ୍ବିଧାନିକ ଘୋଷଣା କଲାପରେ ଜଣେ ଭାରତୀୟ ନାଗରିକ ଭାବରେ ଦୁତୀ ନିଜର ନିଷ୍ପତ୍ତି ନେବା ଲାଗି ସ୍ଵାଧୀନ। ସେ କାହାକୁ ବିବାହ କରିବେ ବା କାହା ସଙ୍ଗେ ରହିବେ ସେଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ସେଥିରେ ଆମର, ଗଣମାଧ୍ୟମ ବା ତଥାକଥିତ ସମାଜର କିଛି କହିବାର ନାହିଁ। ଏ ସମ୍ପର୍କିତ ରାୟ ଲେଖିଲା ବେଳେ ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଜଷ୍ଟିସ ଖାଂବାଲିକର ବିଶିଷ୍ଟ ଜର୍ମାନ ଦାର୍ଶନିକ ଓ କବି ଗେଟେଙ୍କ ଉକ୍ତି ଉଦ୍ଧାର କରି ଲେଖିଥିଲେ- “I am what I am, so take me as I am” । ନାଗରିକକୁ ନିଜର ଯୌନ ଜୀବନ ବାଛିବାର ସ୍ଵାଧୀନତା ମିଳିଛି। ତେଣୁ ଦୁତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଯେଉଁ ପ୍ରକାର ଅପଚର୍ଚ୍ଚା ବର୍ତ୍ତମାନ ଗଣମାଧ୍ୟମରେ ଚାଲିଛି, ଏହା କେବଳ ଅରୁଚିକର ନୁହେଁ, ମାନବ ଅଧିକାରର ବିରୋଧୀ ମଧ୍ୟ।

ସମଲିଙ୍ଗି ବିବାହକୁ ହୁଏତ ଦୁତୀଙ୍କ ରକ୍ଷଣଶୀଳ ପରିବାର ଗ୍ରହଣ କରୁନଥିବେ। ପରିବାର ଭିତରେ ଏମିତି ନୈତିକ ପ୍ରସଙ୍ଗକୁ ନେଇ ବହୁ ବାଦ ବିବାଦ ହୋଇଥାଏ। ଏଥିରେ ଦୁତୀଙ୍କ ମା ଓ ଭଉଣୀ ହୁଏତ ଆହତ ହୋଇଛନ୍ତି। ତେବେ ଏହା ଦୁତୀଙ୍କ ପାରିବାରିକ ସମସ୍ୟା ଓ ସମୟକ୍ରମେ ଏହାର ସମାଧାନ ପରିବାର ଭିତରେ ହିଁ ହେବ। ସେଥିରେ ଆମର ମୁଣ୍ଡ ବିନ୍ଧୁଛି କାହିଁକି? ଦୁତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏତେ ଖବର ଓ ସ୍ଵତନ୍ତ୍ର ପ୍ୟାକେଜର ମାନେ କଣ? ପାରିବାରିକ କଳହକୁ ଗୋଟେ ପ୍ରକାର ନାଟକ ଭଳି ପରିବେଷଣ କରି ଆମେ ଦୁତୀଙ୍କ ମର୍ଯାଦାର ସହିତ ବଞ୍ଚିବାର ଅଧିକାରକୁ କ୍ଷୁଣ୍ଣ କରୁନାହୁଁ କି? ଗୋଟେ ପକ୍ଷରେ ଦୁତୀଙ୍କ ପାରିବାରିକ ଜୀବନକୁ ନେଇ ରୋଚକ ଖବର ମୁଖ୍ୟଧାରାର ଗଣମାଧ୍ୟମରେ ଚାଲିଥିବା ବେଳେ ସୋସିଆଲ ମିଡିଆରେ ଦୁତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଦିଆ ଚାଲିଛି।

ବ୍ୟକ୍ତଗତ ଜୀବନର ସ୍ଵାଧୀନତା ଲାଗି ଯେଉଁ ସମାଜ ସମ୍ମାନଜନକ ପରିବେଶ ସୃଷ୍ଟି କରିପାରେ ନାହିଁ, ସେ ସମାଜ କେବେହେଲେ ମାନବୀୟ ହୋଇ ପାରିବ ନାହିଁ। ଯେଉଁ ମହାପୁରୁଷମାନେ ଦୁତୀଙ୍କୁ ମନ ଇଚ୍ଛା ସୋସିଆଲ ମିଡିଆରେ ଗାଳି କରୁଛନ୍ତି, ସେମାନେ ଆଜି  ବି ବୋଧହୁଏ  ମଧ୍ୟଯୁଗରେ ବସବାସ କରୁଛନ୍ତି। କେହି କେହି ତ ଦୁତୀଙ୍କୁ ସରକାର ଦେଇଥିବା ପୁରଷ୍କାର ରାଶି ଫେରାଇ ଆଣିବାକୁ ଦାବି କଲେଣି। ଦୁତୀଙ୍କୁ ତାଙ୍କ ପ୍ରତିଭା ଲାଗି ପୁରଷ୍କାର ମିଳିଛି। ତାଙ୍କ ବ୍ୟକ୍ତିଗତ ଜୀବନ ଦେଖି ଯଦି କାହାର ମୁଣ୍ଡ ବିନ୍ଧୁଛି, ସେ ଆରମରେ ଔଷଧ ଖାଇ ଘରେ ରୁହନ୍ତୁ। ଅଯଥା ବ୍ୟକ୍ତିଗତ ଚର୍ଚ୍ଚାରୁ ଓ ଜଣେ ପ୍ରତିଭାମୟୀ କ୍ରୀଡାବିତଙ୍କ ବ୍ୟକ୍ତିଗତ ସ୍ଵାଧୀନତା ଅପହରଣ କରିବାର ଷଡଯନ୍ତ୍ରରୁ ବିରତ ରହିବା ଗଣମାଧ୍ୟମର କର୍ତ୍ତବ୍ୟ ହେବା ଉଚିତ।

Categories
ଆଜିର ଖବର

ପ୍ରଥମ ଭାରତୀୟ ଆଥଲେଟ ଭାବରେ ନିଜକୁ ସମଲିଙ୍ଗୀ ଘୋଷଣା କଲେ ଦୂତୀ ଚାନ୍ଦ

ଓଡିଶାର ମଧ୍ୟମ ଦୂରଗାମୀ ଧାବିକା ତଥା ଜାତୀୟ ସ୍ବର୍ଣ୍ଣ ପଦକ ବିଜୟିନୀ ଦୂତୀ ଚାନ୍ଦ ନିଜକୁ ସମଲିଙ୍ଗୀ ବୋଲି ସ୍ବୀକାର କରିଛନ୍ତି। ୨୦୧୮ ଏସିଆନ ଗେମ୍ସରେ ୧୦୦ ମି ବର୍ଗରେ ଦୁଇଟି ରୌପ୍ୟ ପଦକ ବିଜୟୀ ଆଥଲେଟ ପ୍ରଥମ ଭାରତୀୟ କ୍ରୀଡା ବ୍ୟକ୍ତିତ୍ବ ଭାବରେ ନିଜକୁ ସମଲିଙ୍ଗୀ ଘୋଷଣା କରିଛନ୍ତି। ସମଲିଙ୍ଗୀ ବୋଲି ଘୋଷଣା କରିଥିଲେ ମଧ୍ୟ ନିଜ ସାଥୀଙ୍କ ବିଷୟରେ କୌଣସି ସୂଚନା ଦେଇନାହାନ୍ତି ଦୂତୀ। ସେହିପରି ବିବାହ ସମ୍ପର୍କରେ ଉତ୍ତର ଦେଇ ଦୂତୀ କହିଥିଲେ ବର୍ତ୍ତମାନ ମୋର ସମସ୍ତ ଧ୍ୟାନ ବିଶ୍ବ ଚାମ୍ପିୟନ୍‌ସିପ୍‌ ଏବଂ ଟୋକିଓ ଅଲମ୍ପିକ୍ସକୁ ଯୋଗ୍ୟତା ହାସଲ ଉପରେ କେନ୍ଦ୍ରିତ ରହିଛି। ୨୦୨୦ଟୋକିଓ ଅଲମ୍ପିକ୍ସ ପରେ ବିବାହର ସମ୍ଭାବନା ରହିଥିବା ସ୍ବୀକାର କରିଥିଲେ ଦୂତୀ। ସେହିପରି ସେ ୧୮ ବର୍ଷରୁ ଉର୍ଦ୍ଧ୍ବ ଏବଂ ନିଜ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ରହିଛି ବୋଲି ପ୍ରକାଶ କରିଛନ୍ତି ଦୂତୀ। ବିଗତ ୧୦ ବର୍ଷ ଧରି ଟ୍ରାକ୍‌ରେ ଦୌଡୁଛି ଏବଂ ଆହୁରି ୫-୭ ବର୍ଷ ଟ୍ରାକ୍‌ରେ ରହିବାର ଲକ୍ଷ୍ୟ ରଖିଛି। କ୍ରୀଡାବିତ୍‌ ଭାବରେ ତାଙ୍କୁ ମାନସିକ ଭାବରେ ସମର୍ଥନ କରୁଥିବା ଜଣକୁ ନିଜର ସାଥୀ ଭାବରେ ବାଛି  ବହୁତ ଖୁସି ଅଛନ୍ତି ବୋଲି ଦୂତୀ ସ୍ବୀକାର କରିଛନ୍ତି। ପ୍ରଥମ କ୍ରୀଡାବିତ ଭାବରେ ଦୂତୀ ନିଜକୁ ସମଲିଙ୍ଗୀ ଘୋଷଣା କରି ନାହାନ୍ତି ପୂର୍ବରୁ ଦକ୍ଷିଣ ଆଫ୍ରିକାର ମାରିଜାନେ କେପ୍‌ ଏବଂ ଡିନ୍‌ ଭାନ୍‌ ନିକର୍କ ନିଜକୁ ସମଲିଙ୍ଗୀ ଭାବରେ ଘୋଷଣା କରିଥିଲେ।

Categories
ଆଜିର ଖବର

୨୩ତମ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନଶିପ୍‌ରେ ଦୂତୀ ଚାନ୍ଦଙ୍କ ନୂଆ ରେକର୍ଡ

ରବିବାରଠାରୁ ଦୋହାରେ ଆରମ୍ଭ ହୋଇଥିବା ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ନୂଆ ନ୍ୟାଶନାଲ୍ ରେକର୍ଡ ସ୍ଥାପନ କରିବା ସହ ମହିଳା ୧୦୦ ମିଟର୍ ସେମିଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ହିଟ୍-୪ରେ ଦୌଡ଼ୁଥିବା ଦୂତୀ ନିର୍ଦ୍ଧାରିତ ଦୂରତାକୁ ମାତ୍ର ୧୧.୨୮ ସେକେଣ୍ଡରେ ଅତିକ୍ରମ କରି ନିଜ ରେକର୍ଡକୁ ହିଁ ଭାଙ୍ଗି ଦେଇଛନ୍ତି। ଏହା ପୂର୍ବରୁ ଗତବର୍ଷ ଗୁଆହାଟୀରେ ସେ ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଥିଲେ। ଭାରତର ଅନ୍ୟତମ ମହିଳା ସ୍ପ୍ରିଣ୍ଟର ହିମା ଦାସ ଆହତ କାରଣରୁ ମହିଳା ୪୦୦ ମିଟର ଅଧାରୁ ଓହରି ଯାଇଛନ୍ତି। ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସରେ ୪୦୦ ମିଟରକୁ ୫୦.୭୯ ମିନିଟରେ ଅତିକ୍ରମ କରି ରେକର୍ଡ ସ୍ଥାନ କରିଥିଲେ।