Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଦୁଇ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ୍‌‌, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ :2020 ମସିହା ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ କମିଟି ପକ୍ଷରୁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ବିଜୟୀଙ୍କ ନାମ ଘୋଷଣା କରାଯାଇଛି । ଦୁଇ ଅର୍ଥନୀତିଜ୍ଞ ପଲ ଅର ମିଲଗ୍ରମ ଏବଂ ରବର୍ଟ ବି ୱିଲସନଙ୍କ ନାମ ସୋମବାର ଦିନ ଘୋଷଣା କରାଯାଇଛି । ନିଲାମୀକୁ ନେଇ ରହିଥିବା ନିୟମରେ ପରିବର୍ତ୍ତନ ଏବଂ ନୂତନ ନିଲାମୀ ପ୍ରକ୍ରିୟା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଟ୍ୱିଟ୍ଟର ଜରିଆରେ ଦୁଇ ଅର୍ଥନୀତିଜ୍ଞଙ୍କ ନାମ ଘୋଷଣା କରାଯାଇଛି । ସେରିଜସ ରିକ୍ସବ୍ୟାଙ୍କ ପକ୍ଷରୁ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର 1969 ଠାରୁ ପ୍ରଦାନ କରାଯାଉଛି । 1969ରୁ 2019 ମଧ୍ୟରେ 51 ଥର ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ 84 ଜଣ ଅର୍ଥନୀତିଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । 2019ରେ ଅଭିଜିତ ବାନାର୍ଜୀ ଏବଂ ଏସ୍ଥର ଡଫଲୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ, ନୋବେଲ୍‌ ଫାଉଣ୍ଡେସନ୍‌ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍‌ର ବୈଜ୍ଞାନିକ ଆଲଫ୍ରଡ୍‌ ବର୍ଣ୍ଣାଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍‌ ନୋବେଲ୍‌ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । 1901 ମସିହାରେ ପ୍ରଥମେ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ପଦାର୍ଥ ବିଜ୍ଞାନ, ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୌଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।