Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏକ୍ସିଟ୍‌ ପୋଲ୍‌ରେ ଆପ୍‌କୁ ବହୁମତ

ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମାପ୍ତ ହୋଇଛି। ଭୋଟଗ୍ରହଣ ଶେଷ ହେବା ସହିତ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ସମୁଦାୟ ୧ କୋଟି ୪୭ ଲକ୍ଷ ୮୬ ହଜାର ୩ଶହ ୮୨ ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୧୧ ଫେବୃୟାରୀରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ତେବେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ ପକ୍ଷରୁ ଭୋଟ ଗ୍ରହଣ ପରେ ଏକ୍ସିଟ୍‌ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ସର୍ବେକ୍ଷଣରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ବହୁମତ ମିଳିଛି।

ଏବିପି ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୪୯ରୁ ୬୩ଟି ଆସନ ମିଳିବ। ବିଜେପିକୁ ୫-୧୯ଟି ଆସନ ଏବଂ କଂଗ୍ରେସକୁ ୦-୫ଟି ଆସନ ମିଳିବା ନେଇ ପୂର୍ବାନୂମାନ କରାଯାଇଛି। ଆଜତକ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୯ରୁ ୬୮ଟି ଆସନ, ବିଜେପିକୁ ୨ରୁ ୧୧ଟି  ଆସନ ଅନୁମାନ କରାଯାଇଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ। ଇଣ୍ଡିଆ ଟିଭି ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୬ଟି, ବିଜେପିକୁ ୧୨ଟି ଆସନ ମିଳିବ ଏବଂ କଂଗ୍ରେସକୁ ୨ଟି ଆସନ ସର୍ବେକ୍ଷଣ କରିବ। ଇଣ୍ଡିଆ ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୩-୫୭ଟି ଆସନ ମିଳିବ। ବିଜେପିକୁ ୧୧-୧୭ଟି ଆସନ ଏବଂ କଂଗ୍ରେସକୁ ୦-୨ଟି ଆସନ ମିଳିବ। ସେହିପରି ନ୍ୟୁଜ୍‌ ନେସନ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୪ଟି, ବିଜେପିକୁ ୧୫ଟି ଏବଂ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିବ।

ଏହି ଏକ୍ସିଟ୍‌ ପୋଲ୍‌କୁ ନଜରରେ ରଖିଲେ ଆପାତତଃ ଅରବିନ୍ଦ କେଜ୍ରିଓ୍ବାଲ ହ୍ୟାଟ୍ରିକ୍‌ କରିବାକୁ ଯାଉଛନ୍ତି। ଆପ୍‌ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ବିଜେପିର ଭୋଟିଂ ପ୍ରତିଶତ ବଢିଛି। (ଏଜେନ୍ସୀ)

Categories
ଆଜିର ଖବର

ଏପ୍ରିଲ୍‌ ୧୧ ରୁ ମେ ୧୯ ମଧ୍ୟରେ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ପ୍ରକାଶ ନକରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଚଳିତ ଥର ନିର୍ବାଚନ କମିଶନ ସ୍ବଚ୍ଛ ନିର୍ବାଚନ ପାଇଁ ବିଶେଷ ପ୍ରକାରର ପଦକ୍ଷେପ ନେଇଛନ୍ତି । ଏଥିନିମେନ୍ତ ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିବା ସହିତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ମଧ୍ୟ ନେଉଛନ୍ତି । ଏକ୍‌ଜିଟ୍‌ ପୋଲ୍‌ର ପ୍ରାସାରଣ ଉପରେ ମଧ୍ୟ  ରୋକ୍‌ ଲଗାଇଛନ୍ତି ନିର୍ବାଚନ କମିଶନ। ଏପ୍ରିଲ୍‌ ୧୧ରୁ ମେ ୧୯ ମଧ୍ୟରେ କୌଣସିବି ଏକ୍‌ଜିଟ ପୋଲ୍‌ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏପ୍ରିଲ୍‌ ୧୧ ସକାଳ ୭ଟା ପରଠାରୁ ମେ ୧୯ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ କୌଣସି ଏକ୍‌ଜିଟ୍‌ ପୋଲ୍ ଅନୁଷ୍ଠିତ ହୋଇ ପାରିବ ନାହିଁ। କୌଣସି ବୈଦ୍ୟୁତିକ ତଥା ମୁଦ୍ରିତ ଗଣମାଧ୍ୟମ ଯଦି ଏହି ନିୟମ ଉଲଂଘନ କରନ୍ତି ତେବେ ଉକ୍ତ ଚ୍ୟାନେଲକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବାସନ୍ଦ କରାଯିବ। ୭ଟି ପର୍ଯ୍ୟାୟରେ ଚଳିତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ୍‌ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମେ ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମେ ୨୩ ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )