Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ଭାଷାସାହିତ୍ୟର ଉନ୍ନତି, ଓଡ଼ିଆ ସାମାଜିକ ଜୀବନର ବିକାଶ ତଥା ଓଡ଼ିଆର ନିଜସ୍ୱ ପରିଚୟ ସୃଷ୍ଟି ପାଇଁ ଆଜୀବନ ସଂଗ୍ରାମ କରିଥିଲେ । ଏକାଧାରେ ସେ ଥିଲେ ଜଣେ କୃତୀ ଶିକ୍ଷକ, ପାଠ୍ୟପୁସ୍ତକ ରଚୟିତା, ପତି୍ରକା ସଂପାଦକ ଏବଂ ସାହିତ୍ୟସ୍ରଷ୍ଟା । ସମସ୍ତ ଜୀବନକାଳ ସେ ଓଡ଼ିଆ ଭାଷା, ଓଡ଼ିଆ ଜାତୀୟ ଜୀବନର ବିକାଶ ପାଇଁ ଉତ୍ସର୍ଗ କରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ ଯେ ଫକୀରମୋହନ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ । ମୌଳିକ ଚିନ୍ତା, ମୌଳିକ ସୃଷ୍ଟି, ଓଡ଼ିଆ ଜନଜୀବନର ବାସ୍ତବ ଚିତ୍ର, ଚରିତ୍ର ଓ ଭାଷାକୁ ଏକାଠି କରି ସେ ଯେଉଁ ଅନବଦ୍ୟ ସାହିତ୍ୟକୃତି ସୃଷ୍ଟି କରିଯାଇଛନ୍ତି ସେଥିପାଇଁ ସେ ଏ ଜାତିର ଚିରନମସ୍ୟ ହୋଇ ରହିବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବ୍ୟାସକବି ଫକୀରମୋହନ କେବଳ ଓଡ଼ିଆ ସାହିତ୍ୟ ନୁହେଁ, ଭାରତୀୟ ସାହିତ୍ୟରେ ଏକ ବିରଳ ଦୃଷ୍ଟାନ୍ତ ଥିଲେ । ତାଙ୍କର ସାହିତ୍ୟସୃଷ୍ଟି ଆଜି ଭାରତର ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ଓ ସାହିତି୍ୟକ ସଂଘମିତ୍ରା ମିଶ୍ର ବ୍ୟାସକବି ଫକୀରମୋହନଙ୍କ ଜୀବନୀ ଓ ସାହିତ୍ୟକୃତିଗୁଡ଼ିକ ବାବଦରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।

ଫକୀରମୋହନଙ୍କ ଅଭିନବ ଗଦ୍ୟଶୈଳୀ, କଥାସାହିତ୍ୟ ଓ କାଳ୍ପନିକ ଚରିତ୍ରଗୁଡ଼ିକ ଥିଲା ଅନନ୍ୟ । ଭାଷା ଆନ୍ଦୋଳନ, ସମ୍ବାଦପତ୍ର ପ୍ରକାଶ, ସଂଗଠନ, ଛାପାଖାନା ପ୍ରତିଷ୍ଠା, ଅନୁବାଦ ଏବଂ ସାମ୍ବାଦିକତା ଆଦି କ୍ଷେତ୍ରରେ ସେ ନିଜର ଅବଦାନ ରଖିଯାଇଛନ୍ତି ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ ।

ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସାଧାରଣ ସଂପାଦକ ଡ. ବିରାଜ ମୋହନ ଦାସ ପ୍ରାରମ୍ଭିକ ବକ୍ତବ୍ୟେରେ କହିଥିଲେ ଯେ ଓଡ଼ିଆ ଭାଷାର ସଂକଟ ସମୟରେ ଫକୀରମୋହନ ଭାଷା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ଭାବେ ଉଭା ହୋଇଥିଲେ । ତାଙ୍କର ସାରସ୍ୱତ ସୃଷ୍ଟି ଚିରଦିନ ପାଇଁ ଓଡ଼ିଆ ସାହିତ୍ୟଜଗତକୁ ଆଲୋକିତ କରୁଥିବ ବୋଲି ସେ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଅତିଥିମାନଙ୍କ ସ୍ୱାଗତ ଭାଷଣ ଅବସରରେ ଫକୀରମୋହନଙ୍କୁ ଓଡ଼ିଆ ଭାଷାସାହିତ୍ୟର ଜନକ, କଥାସମ୍ରାଟ, ବ୍ୟାସକବି ଭାବେ ସମ୍ମାନ ଦିଆଯାଇଛି ବୋଲି ଉଲ୍ଲେଖ କରିଥିଲେ। ସରଳ, ସୁଖପାଠ୍ୟ ଓ ଆକର୍ଷକ ଭାଷାରେ ବ୍ୟାସକବି ଫକୀରମୋହନ ନିଜର ଭାବକୁ ପ୍ରକାଶ କରୁଥିଲେ ବୋଲି ସେ କହିଥିଲେ। ପ୍ରାରମ୍ଭରେ ଅତିଥିମାନେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସଭାପତି ଶ୍ରୀ ଜୀବନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ତନୁଜା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଆବାହକତ୍ୱରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସୃଷ୍ଟି ଓ ସାଧନାକୁ ନେଇ ଅନୁଷ୍ଠିତ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଶ୍ରୀ ଯୋଗେନ୍ଦ୍ର କୁମାର ନାୟକ, ସନ୍ଧ୍ୟାରାଣୀ ପରିଜା, ସୌଦାମିନୀ ସାମନ୍ତରାୟ ଓ ଗୀତାଞ୍ଜଳି ମହାନ୍ତି ସଂଯୋଜନା କରିଥିବାବେଳେ ଶତାଧିକ କବି ଶ୍ରୁତିମଧୁର କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଇଟିକିଲି ମିଟିକିଲି ଅନୁଷ୍ଠାନ ତରଫରୁ ଶିଶୁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦର ସଦସ୍ୟ ରଜତ କୁମାର ପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମକର ସଂକ୍ରାନ୍ତିରେ ମନେ ପଡନ୍ତି ଫକୀରମୋହନ ସେନାପତି ଏବଂ ତାଙ୍କ ସାହିତ୍ୟ କୃତି

ଭୁବନେଶ୍ବର: ଆଧୁନିକ ଓଡିଆ ଗଳ୍ପର ଜନକ ତଥା ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଏବଂ ସମାଜ ସଂସ୍କାରକ ଭାବେ ସୁପରିଚିତ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କର କାଳଜୟୀ ଲେଖା ପାଇଁ ଓଡିଶାର ଘରେ ଘରେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।

୧୮୪୩ ମସିହା ମକର ସଂକ୍ରାନ୍ତିରେ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରରେ ଜନ୍ମଗ୍ରହଣ କରି ଫକୀରମୋହନ, ପରବର୍ତ୍ତୀ ସମୟରେ ଓଡିଆ ଭାଷାର ସୁରକ୍ଷା, ଓଡିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ସେ ସଂପର୍କରେ ଏକ ଅବତାରଣା

ଉପନ୍ୟାସ

ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ। ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ।

ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋ‍ଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା। ଏହାର ନାମ ଥିଲା ‘ଆତ୍ମ ଜୀବନ ଚରିତ’।

ଗଳ୍ପ

ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ। ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି। ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ‘ଲଛମନିଆ’, ତାଙ୍କରିଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋ‍ଇଥିଲା।

ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନୀରେ ଏହା ବିଷୟରେ ସାମନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ସ୍ରୋତ ସମ୍ବନ୍ଧରେ ଅନ୍ୟ କୌଣସି ଖିଅ ମିଳେନାହିଁ, ନଚେତ୍ ସମଗ୍ର ଭାରତବର୍ଷରେ ଏହି ସାହିତ୍ୟିକ ବିଭାଗର ସ୍ରଷ୍ଟା ରୂପେ ସେ ବିବେଚିତ ହୋ‍ଇଥା’ନ୍ତେ। ୧୮୯୮ରେ ତାଙ୍କ ରଚିତ ‘ରେବତୀ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ।

’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି। ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି। ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡିକ ହେଲା..

  • ରେବତୀ (୧୮୯୮)
  • ବାଲେଶ୍ୱର ପଙ୍ଗାଲୁଣ (୧୯୦୭)
  • ବାଲେଶ୍ୱର ରାହାଜାନୀ (୧୯୦୭)
  • ମୌନାମୌନୀ (୧୯୦୭)
  • ପୁନର୍ମୂଷିକଭବ (୧୯୦୯)
  • ଡାକମୁନିସୀ (୧୯୧୨)
  • କାଳିକାପ୍ରସାଦ ଗୋରାପ (୧୯୧୩)
  • କମଳାପ୍ରସାଦ ଗୋରାପ (୧୯୧୩)
  • ଧୂଳିଆ ବାବା (୧୯୧୩)
  • ପେଟେଣ୍ଟ ମେଡିସିନ (୧୯୧୩)
  • ସୁନାବୋହୂ (୧୯୧୩)
  • ବିରେଇ ବିଶାଳ (୧୯୧୩)
  • ରାଣ୍ଡିପୁଅ ଅନନ୍ତା (୧୯୧୩)
  • ବଗଲାବଗୁଲୀ (୧୯୧୪)
  • ସଭ୍ୟ ଜମିଦାର (୧୯୧୪)
  • ଅଜାନାତି କଥା (୧୯୧୫)
  • ମାଧମହାନ୍ତିଙ୍କ କନ୍ୟାସୁନା (୧୯୧୫)
  • ଅଧର୍ମ ବିତ୍ତ (୧୯୧୫)
  • ପାଠୋଈ ବୋହୂ (୧୯୧୫)
  • ଗାରୁଡିମନ୍ତ୍ର (୧୯୧୬)

କବିତା

ଫକୀରମୋହନଙ୍କ ପ୍ରଥମ କବିତା ସଙ୍କଳନ ‘ଉତ୍କଳ ଭ୍ରମଣ’ ୧୮୯୨ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ‘ପୁଷ୍ପମାଳା’, ‘ଉପହାର’, ‘ପୂଜା ଫୁଲ’, ‘ପ୍ରାର୍ଥନା’, ‘ଅବସର ବାସରେ’ ଓ ‘ଧୂଳି’ ପ୍ରଧାନ। ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ‘ମହାଭାରତ’ ଓ ‘ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ।

ଏ ଦୁଇଟିଯାକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ। ତାଙ୍କର ପ୍ରଥମ ସ୍ତ୍ରୀ ରୋଗଶଯ୍ୟାରେ ଥିବାବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଶୁଣିବାକୁ ଇଚ୍ଛା କରିବାରୁ ସେ ଏହି ଅନୁବାଦ ଦ୍ୱୟ କରିଥିଲେ। ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କର ଏହି ମହତ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯା‍ଇଛି। ତତ୍କାଳୀନ ବାମଣ୍ଡାର ରାଜାଙ୍କଦ୍ୱାରା ସେ ମଧ୍ୟ ‘ସରସ୍ୱତୀ’ ଉପାଧିରେ ପୁରସ୍କୃତ ହୋ‍ଇଥିଲେ।