Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କୁଏତ ବିପକ୍ଷ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଭାରତ ଏବଂ କୁଏତ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ଯୋଗ୍ୟତା ମ୍ୟାଚ୍ ଜୁନ ୬ ତାରିଖରେ ଖେଳାଯିବ। ଏହା ଭାରତୀୟ କିମ୍ବଦନ୍ତୀଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ।

ସୁନୀଲ ଛେତ୍ରୀଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବହୁତ ଭଲ ରହିଛି। ଏହି ୩୯ ବର୍ଷୀୟ ବରିଷ୍ଠ ଖେଳାଳି ଭାରତ ପାଇଁ ୧୪୫ ମ୍ୟାଚ୍ ଖେଳିଛନ୍ତି। ସେ ତାଙ୍କର ୨୦ ବର୍ଷର କ୍ୟାରିୟରରେ ୯୩ ଗୋଲ୍ ସ୍କୋର କରିଛନ୍ତି।

କିନ୍ତୁ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ମାଧ୍ୟମରେ ଅବସର ଘୋଷଣା କରାଯାଇଛି। ଭାରତୀୟ ଅଧିନାୟକ ସୋସିଆଲ ମିଡିଆରେ ପ୍ରାୟ ୯ ମିନିଟର ଲମ୍ବା ଭିଡିଓ ପୋଷ୍ଟ କରିଛନ୍ତି।

ସୁନୀଲ ଛେତ୍ରୀ ବହୁତ ଭାବପ୍ରବଣ ଦେଖାଯାଉଥିଲେ:

ଏହି ଭିଡିଓରେ ସୁନୀଲ ଛେତ୍ରୀ ବହୁତ ଭାବପ୍ରବଣ ଦେଖାଯାଉଛନ୍ତି। ତାଙ୍କର ଡେବ୍ୟୁ ମ୍ୟାଚ୍ ମଧ୍ୟ ମନେ ପଡିଛି। ଏହା ବ୍ୟତୀତ ସେ ସୁଖୀ ସାର୍ ବିଷୟରେ କହୁଛନ୍ତି। ବାସ୍ତବରେ ସୁଖୀ ସାର୍ ସୁନୀଲ ଛେତ୍ରୀଙ୍କ ପ୍ରଥମ ମ୍ୟାଚ୍ ରେ କୋଚ୍ ଥିଲେ। ସୁନୀଲ ଛେତ୍ରୀ କହିଛନ୍ତି ଯେ, ସେ ତାଙ୍କର ଡେବ୍ୟୁ ମ୍ୟାଚର ଭାବନାକୁ ବର୍ଣ୍ଣନା କରିପାରିବେ ନାହିଁ। ମୁଁ ସେହି ମ୍ୟାଚରେ ମୋର ପ୍ରଥମ ଗୋଲ୍ ସ୍କୋର କରିଥିଲି। ବିଶେଷକରି, ଯେତେବେଳେ ମୁଁ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଥିଲି, ଏହା ଏକ ଭିନ୍ନ ଅନୁଭବ ଥିଲା, ମୁଁ ସେଦିନକୁ କେବେବି ଭୁଲି ପାରିବି ନାହିଁ।

‘ଗତ ୧୯ ବର୍ଷରୁ ମୁଁ ଯାହା ମନେ ରଖିଛି …’:

ଏହି ଭିଡିଓରେ ସୁନୀଲ ଛେତ୍ରୀ କହିଛନ୍ତି ଯେ ଗତ 19 ବର୍ଷ ମଧ୍ୟରେ ମୁଁ ଯାହା ମନେ ରଖିଛି ତାହା ହେଉଛି କର୍ତ୍ତବ୍ୟ, ଚାପ ଏବଂ ଅପାର ସୁଖର ସନ୍ତୁଳନ। ବ୍ୟକ୍ତିଗତ ଭାବରେ, ମୁଁ କଦାପି ଭାବି ନ ଥିଲି ଯେ ଏହା ହେଉଛି ସେହି ଖେଳ ଯାହା ମୁଁ ଦେଶ ପାଇଁ ଖେଳିଥିଲି, ଯେତେବେଳେ ବି ମୁଁ ଜାତୀୟ ଦଳ ସହିତ ଟ୍ରେନିଂ କରେ, ମୁଁ ଏହାକୁ ଉପଭୋଗ କରେ। ତେବେ ସୋସିଆଲ ମିଡିଆରେ ସୁନୀଲ ଛେତ୍ରୀଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ରଖୁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜିଠାରୁ ଭୁବନେଶ୍ବରରେ ବିଶ୍ବ ମହାସମର- ‘ଫିଫା ବିଶ୍ବକପ୍’, କଳିଙ୍ଗ ଷ୍ଟାଡିୟମ ଚକାଚକ୍

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ବିଶ୍ବ ମହାସମର ଫିଫା ବିଶ୍ବକପ। ଖେଳାଯିବ ୧୭ ବର୍ଷରୁ କମ ବର୍ଗର ଫୁଟବଲ ବିଶ୍ବକପ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମକୁ ପୁରା ସଜେଇ ଦିଆଯାଇଛି। ସମ୍ବଲପୁରୀ ଶାଢୀ ଢାଞ୍ଚାରେ ଷ୍ଟାଣ୍ଡିୟମ ପରିସର କରାଯାଇଛି ଚକାଚକ।

ଏହି ଷ୍ଟାଡିୟମରେ ଆଜି ଅପରାହ୍ନ ୪ଟା ୩୦ରେ ମରୋକ୍କୋକୁ ଭେଟିବ ବ୍ରାଜିଲ। ସେହିପରି ରାତି ୮ଟାରେ ଭାରତ ସହିତ ଆମେରିକାର ମୁକାବିଲା ହେବ। ସେଥିପାଇଁ ବହୁ ପୂର୍ବରୁ କଳିଙ୍ଗ ଷ୍ଟାଡିୟମକୁ ପୁରା ପ୍ରସ୍ତୁତ କରି ରଖାଯାଇଛି। କଳିଙ୍ଗ ଷ୍ଟାଡିୟମରେ ୬ଟି ମ୍ୟାଚ ଖେଳାଯିବ। ଏଥିରେ ଗ୍ରୁପ ଏ ର ୫ଟି ମ୍ୟାଚ ଥିବା ବେଳେ ଗ୍ରୁପ ବି ରହିଛି ଗୋଟିଏ ମ୍ୟାଚ। ଭାରତୀୟ ଦଳର ସମସ୍ତ ୩ଟି ମ୍ୟାଚ ଏହି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଆଜି ମରୋକ୍କୋ, ବ୍ରାଜିଲ ଏବଂ ୨ୟ ମ୍ୟାଚରେ ଭାରତ ଆମେରିକା ପରେ ଆସନ୍ତା ୧୪ ତାରିଖରେ ବ୍ରାଜିଲ ଆମେରିକା ଏବଂ ୨ୟ ମ୍ୟାଚ ଭାରତ ମରୋକ୍କୋକୁ ଭେଟିବ। ସେହିପରି ଅକ୍ଟୋବର ୧୭ ତାରିଖରେ ଭାରତ ବ୍ରାଜିଲ ଏବଂ ଚିଲି ନାଇଜେରିଆ ମୁକାବିଲା ହେବ। ଏହିପରି ମୋଟି ୬ଟି ଦେଶର ୬ଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ସହିତ ଗୋଆର ପଣ୍ଡିତ ଜବାହାରଲାଲ ନେହୁର ଷ୍ଟାଡିୟମରେ ମଧ୍ୟ ଏହି ମ୍ୟାଚ ଅନୁଷ୍ଠିତ ହେବ। ଆସନ୍ତାକାଲି ନଭି ମୁମ୍ବାଇ ଷ୍ଟାଡିୟମରେ ଏହି ବିଶ୍ବ ପ୍ରତିଯୋଗୀତା କରାଯିବ। ସେହିପରି କ୍ବାଟର ଫାଇନାଲ ଅକ୍ଟୋବର ୨୧ ଏବଂ ୨୨ ତାରିଖରେ ଗୋଆ ଓ ନାଭି ମୁମ୍ବାଇରେ ଅନୁଷ୍ଠିତ ହେବ।

କଳିଙ୍ଗ ଷ୍ଟାଡିୟମରେ ଏହି ବିଶ୍ବ କପ ହେବାକୁ ଥିବାରୁ ପୂର୍ବରୁ ପ୍ରସ୍ତୁତି କରାଯାଇଛି। ନୂଆ ରୂପରେ ଷ୍ଟାଡିୟମକୁ ସଜାଇ ଦିଆଯାଇଛି। ନୂଆ ପିଚ୍ ନୂଆ ସିଟ ସ୍ଥାପନ କରାଯାଇ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ କରାଯାଇଛି। କେବଳ ଷ୍ଟାଡିୟମ ନୁହେଁ, ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଚକାଚକ କରାଯାଇଛି। ଖେଳାଳୀମାନେ ଯେପରି ବିଦେଶୀ ଚାକଚକ୍ୟ ହାସଲ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ପ୍ରାୟ ଦୁଇ ବର୍ଷ କରୋନା ପରେ ଏହି ବିଶ୍ବକପ ଭୁବନେଶ୍ବରରେ ଆୟୋଜିତ ହେଉଛି। ପୂର୍ବରୁ ଓଡିଶା ହକି, ଫୁଟବଲ ପରି ବିଶ୍ବକପ କରି ବେଶ୍ ପ୍ରଶଂସା ହାସଲ କରିଛି। ଏଥର ମଧ୍ୟ ଏହି ଜୁନିୟର ବିଶ୍ବ ଫୁଟବଲ ପ୍ରତିଯୋଗୀତା ଆୟୋଜନ କରି ସଫଳତା ହାସଲ କରିବ ବୋଲି ଆଶା କରାଯାଇଛି।

Categories
ଆଜିର ଖବର

ରେକର୍ଡ ଷଷ୍ଠ ଥର ପାଇଁ ମେସିଙ୍କୁ ବାଲନ୍‌ ଡି ଓର୍‌

ନୂଆଦିଲ୍ଲୀ, ୩/୧୨: ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ଷ୍ଟାର ଲିଓନେଲ ମେସି ରେକର୍ଡ ଷଷ୍ଠ ଥର ପାଇଁ ବାଲନ୍‌ ଡି ଓର୍‌ ପୁରସ୍କାର ହାସଲ କରିଛନ୍ତି। ଶେଷ ଥର ପାଇଁ ୨୦୧୫ରେ ଏହି ପୁରସ୍କାର ହାସଲ କରିଥିବା ମେସି ସୋମବାର ରାତିରେ ଏହି ପୁରସ୍କାର ହାସଲ କରିଛନ୍ତି। ସୋମବାର ଡୁ ଚାଟେଲେଟ୍‌ ଥିଏଟରରେ ମେସିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ବିଗତ ୧୨ ବର୍ଷ ମଧ୍ୟରେ ମେସି ଏବଂ ରୋନାଲ୍ଡୋ ଏହି ପୁରସ୍କାର ୧୧ ଥର ପରସ୍ପର ମଧ୍ୟରେ ବାଣ୍ଟି ନେଇଛନ୍ତି। ଲିଭରପୁଲକୁ ଚାମ୍ପିୟନ୍ସ ଲିଗ୍‌ ବିଜୟୀ କରାଇଥିବା ଭିର୍ଗିଲ୍‌ ଭାନ୍‌ ଡିକ୍‌ଙ୍କୁ ଦ୍ବିତୀୟ ସର୍ବାଧିକ ଭୋଟ୍‌ ମିଳିଥିଲା। ସେପ୍ଟେମ୍ବରରେ ମେସିଙ୍କୁ ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ଭାବରେ ଘୋଷଣା କରାଯାଇଥିଲା।

ସେହିପରି ମହିଳା ବିଭାଗରେ ଆମେରିକୀୟ ଅଧିନାୟିକା ମେଗାନ୍‌ ରାପିଓନେଙ୍କୁ ବାଲନ୍‌ ଡି ଓର୍‌ ପ୍ରଦାନ କରାଯାଇଛି। ଇଂଲଣ୍ଡର ଲୁସି ବ୍ରୋଞ୍ଜଙ୍କୁ ପଛରେ ପକାଇ ବିଶ୍ବକପ୍‌ ବିଜୟିନୀ ରାପିଓନେ ଏହି ପୁରସ୍କାର ହାସଲ କରିଛନ୍ତି। ରାପିଓନେଙ୍କୁ ମହିଳା ବିଶ୍ବକପ୍‌ରେ ଗୋଲ୍ଡେନ୍‌ ବୁଟ୍‌ ଏବଂ ଗୋଲ୍ଡେନ୍‌ ବଲ୍‌ ପୁରସ୍କାର ହାସଲ କରିଥିଲେ। (ଏଜେନ୍ସୀ)

Categories
ଆଜିର ଖବର

ଫିଫା ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା : କର ବା ମର ମୁକାବିଲାରେ ଭାରତ

ଫିଫା 2022 ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପାଇଁ ଆଜି ଭାରତ ଓମାନର ସମ୍ମୁଖୀନ ହେବ । ଯୋଗ୍ୟତା ପର୍ଯ୍ୟାୟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ । ପୂର୍ବରୁ ବାଂଲାଦେଶ ଏବଂ ଆଫଗାନିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ କରିଥିବା ଭାରତ ପାଇଁ ଏହି ମ୍ୟାଚ୍‌ରେ ବିଜୟ ହାସଲ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଗ୍ରୁପ୍‌ ଇରେ କାତାର ପରେ ଓମାନ୍‌ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଭାରତର ଆଶା ବଳବତ୍ତର ରହିବ । ସୁନୀଲ ଛେତ୍ରୀ ଏବଂ ଜେଜେଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଫରଓ୍ବାର୍ଡ ବିଭାଗ ମଜବୁତ ହୋଇଛି । ଅପରପକ୍ଷରେ ଆଇଗର ଷ୍ଟୋମାକଙ୍କ ଦଳ ଗୌହାଟୀରେ ଅନୁଷ୍ଠିତ ମ୍ୟାଚ୍‌ରେ 2-1ରେ ଭାରତକୁ ପରାସ୍ତ କରିଥିବାରୁ ମାନସିକ ଭାବରେ ଦୃଢ ସ୍ଥିତିରେ ରହିଛି । । ଓମାନର ଅଲ୍‌ ସଇବ୍‌ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା 8.30 ମିନିଟ୍‌ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ।