ଆଜିଠାରୁ ଭୁବନେଶ୍ବରରେ ବିଶ୍ବ ମହାସମର- ‘ଫିଫା ବିଶ୍ବକପ୍’, କଳିଙ୍ଗ ଷ୍ଟାଡିୟମ ଚକାଚକ୍

Published: Oct 11, 2022, 11:23 am IST

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ବିଶ୍ବ ମହାସମର ଫିଫା ବିଶ୍ବକପ। ଖେଳାଯିବ ୧୭ ବର୍ଷରୁ କମ ବର୍ଗର ଫୁଟବଲ ବିଶ୍ବକପ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମକୁ ପୁରା ସଜେଇ ଦିଆଯାଇଛି। ସମ୍ବଲପୁରୀ ଶାଢୀ ଢାଞ୍ଚାରେ ଷ୍ଟାଣ୍ଡିୟମ ପରିସର କରାଯାଇଛି ଚକାଚକ।

ଏହି ଷ୍ଟାଡିୟମରେ ଆଜି ଅପରାହ୍ନ ୪ଟା ୩୦ରେ ମରୋକ୍କୋକୁ ଭେଟିବ ବ୍ରାଜିଲ। ସେହିପରି ରାତି ୮ଟାରେ ଭାରତ ସହିତ ଆମେରିକାର ମୁକାବିଲା ହେବ। ସେଥିପାଇଁ ବହୁ ପୂର୍ବରୁ କଳିଙ୍ଗ ଷ୍ଟାଡିୟମକୁ ପୁରା ପ୍ରସ୍ତୁତ କରି ରଖାଯାଇଛି। କଳିଙ୍ଗ ଷ୍ଟାଡିୟମରେ ୬ଟି ମ୍ୟାଚ ଖେଳାଯିବ। ଏଥିରେ ଗ୍ରୁପ ଏ ର ୫ଟି ମ୍ୟାଚ ଥିବା ବେଳେ ଗ୍ରୁପ ବି ରହିଛି ଗୋଟିଏ ମ୍ୟାଚ। ଭାରତୀୟ ଦଳର ସମସ୍ତ ୩ଟି ମ୍ୟାଚ ଏହି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଆଜି ମରୋକ୍କୋ, ବ୍ରାଜିଲ ଏବଂ ୨ୟ ମ୍ୟାଚରେ ଭାରତ ଆମେରିକା ପରେ ଆସନ୍ତା ୧୪ ତାରିଖରେ ବ୍ରାଜିଲ ଆମେରିକା ଏବଂ ୨ୟ ମ୍ୟାଚ ଭାରତ ମରୋକ୍କୋକୁ ଭେଟିବ। ସେହିପରି ଅକ୍ଟୋବର ୧୭ ତାରିଖରେ ଭାରତ ବ୍ରାଜିଲ ଏବଂ ଚିଲି ନାଇଜେରିଆ ମୁକାବିଲା ହେବ। ଏହିପରି ମୋଟି ୬ଟି ଦେଶର ୬ଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ସହିତ ଗୋଆର ପଣ୍ଡିତ ଜବାହାରଲାଲ ନେହୁର ଷ୍ଟାଡିୟମରେ ମଧ୍ୟ ଏହି ମ୍ୟାଚ ଅନୁଷ୍ଠିତ ହେବ। ଆସନ୍ତାକାଲି ନଭି ମୁମ୍ବାଇ ଷ୍ଟାଡିୟମରେ ଏହି ବିଶ୍ବ ପ୍ରତିଯୋଗୀତା କରାଯିବ। ସେହିପରି କ୍ବାଟର ଫାଇନାଲ ଅକ୍ଟୋବର ୨୧ ଏବଂ ୨୨ ତାରିଖରେ ଗୋଆ ଓ ନାଭି ମୁମ୍ବାଇରେ ଅନୁଷ୍ଠିତ ହେବ।

କଳିଙ୍ଗ ଷ୍ଟାଡିୟମରେ ଏହି ବିଶ୍ବ କପ ହେବାକୁ ଥିବାରୁ ପୂର୍ବରୁ ପ୍ରସ୍ତୁତି କରାଯାଇଛି। ନୂଆ ରୂପରେ ଷ୍ଟାଡିୟମକୁ ସଜାଇ ଦିଆଯାଇଛି। ନୂଆ ପିଚ୍ ନୂଆ ସିଟ ସ୍ଥାପନ କରାଯାଇ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ କରାଯାଇଛି। କେବଳ ଷ୍ଟାଡିୟମ ନୁହେଁ, ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଚକାଚକ କରାଯାଇଛି। ଖେଳାଳୀମାନେ ଯେପରି ବିଦେଶୀ ଚାକଚକ୍ୟ ହାସଲ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ପ୍ରାୟ ଦୁଇ ବର୍ଷ କରୋନା ପରେ ଏହି ବିଶ୍ବକପ ଭୁବନେଶ୍ବରରେ ଆୟୋଜିତ ହେଉଛି। ପୂର୍ବରୁ ଓଡିଶା ହକି, ଫୁଟବଲ ପରି ବିଶ୍ବକପ କରି ବେଶ୍ ପ୍ରଶଂସା ହାସଲ କରିଛି। ଏଥର ମଧ୍ୟ ଏହି ଜୁନିୟର ବିଶ୍ବ ଫୁଟବଲ ପ୍ରତିଯୋଗୀତା ଆୟୋଜନ କରି ସଫଳତା ହାସଲ କରିବ ବୋଲି ଆଶା କରାଯାଇଛି।

Related posts