Categories
ଆଜିର ଖବର ଜାତୀୟ ଖବର

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ କୃତ୍ରିମ ବନ୍ୟା ପରିସ୍ଥିତି: ଜଣକର ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଳୀ ସମେତ ଏନ୍‌ସିଆରରେ ରବିବାର ସକାଳେ ଖୁବ୍‌ ଜୋର୍‌ରେ ବର୍ଷା ହେବାରୁ କିଛି ଅଞ୍ଚଳରେ ଜଳାର୍ଣ୍ଣବ ହୋଇଥିବାବେଳେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି ।  ଲଗାତାର ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଳୀ ମିଣ୍ଟୋ ରୋଡ୍‌ ଅଞ୍ଚଳ ଜଳବନ୍ଦୀ ହୋଇଛି । ଫଳରେ ଜଣକର ମୃତ୍ୟୁ ଘଟିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ରବିବାର ମିଣ୍ଟୋ ରୋଡ୍‌ସ୍ଥିତ ପୋଲ ତଳେ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ, ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ଏକ ଡିଟିସ ବସ୍‌ ଏବଂ ଏକ ଅଟୋ ରିକ୍ସା ପାଣିରେ ଫସି ରହିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବସ୍‌ ଭିତରେ ଫଶି ରହିଥିବା ଡ୍ରାଇଭର, କଣ୍ଡକ୍ଟର ଓ ଅଟୋ ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

ତେବେ ସେଠାରେ ଏକ ମୃତଦେହ ପାଣିରେ ଭାସୁଥିବାର ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଜଣକ କୁନ୍ଦନ ସିଂ ବୋଲି ସୂଚନା ରହିଥିବାବେଳେ ସେ ଜଣେ ଅଟୋ ଡ୍ରାଇଭର ଥିଲେ ବୋଲି ଜଣାପଡିଛି । ସେ ଦିଲ୍ଲୀରୁ କନାସ ପ୍ଲେସରୁ ଆସୁଥିଲେ ଆଉ ମିଣ୍ଟୋ ରୋଡ୍‌ ବ୍ରିଜ୍‌ ତଳେ ପାଣିରେ ଫସି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି ।

Categories
ଆଜିର ଖବର

ଆଫଗାନିସ୍ଥାନରେ ଅଚାନକ ବନ୍ୟାରେ  ୨୦ ମୃତ

ଆଫଗାନିସ୍ଥାନର ଦକ୍ଷିଣ ଭାଗରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଏଥିରେ ଅତି କମ୍‌ରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ପ୍ରାକୃତିକ ବିପତ୍ତିରେ ୧୦ଜଣ ଲୋକ ନିଖୋଜ ହୋଇଥିବାର ସୂଚନା ରହିଛି । ଶୁକ୍ରବାର ଦିନ ଦକ୍ଷିଣ ପ୍ରାନ୍ କନ୍ଧାରରେ ପ୍ରବଳ ବର୍ଷା ହେବା କାରଣରୁ ଗତ ୩୦ ଘଣ୍ଟା ଭିତରେ ଏହି କ୍ଷେତ୍ରରେ ପାଖାପାଖି ୯୭ ମିଲିଲିଟିର ବର୍ଷା ହୋଇଥିଲା ।  ମୃତକଙ୍କ ମଧ୍ୟରେ ଶିଶୁମାନେ ମଧ୍ୟ ରହିଛନ୍ତି । ଏହି ଆକସ୍ମିକ ବନ୍ୟାରେ ପୂରା ଦକ୍ଷିଣ କ୍ଷେତ୍ରର ୨୦୦୦ରୁ ଉର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ କନ୍ଧାର ସହରର ୬୦୦ଟି ଘର ନଷ୍ଟ ହୋଇଛି । ତଥାପି କିଛି କ୍ଷେତ୍ରରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ପ୍ରଶାସନ ତରଫରୁ ଜରୁରୀକାଳୀନ ସେବା ଜାରି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।