Categories
ଆଞ୍ଚଳିକ ସଂସ୍କୃତି

ଗଣେଶ ପୂଜା ପାଇଁ ଏକାମ୍ର ରାଜା ଗଣେଶ ପୂଜା କମିଟି ତରଫରୁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦକ୍ରମେ “ଏକାମ୍ର ରାଜା ଗଣେଶ ପୂଜା କମିଟି” ଆନୂକୁଲ୍ୟରେ ବହୁ ପୁରାତନ ଶ୍ରୀ ଗଣେଶ ପୂଜା ବଢ଼େଇବାଙ୍କ ଛକ ସ୍ଥିତ ଦେବୀ ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଛି। ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଟାଉନ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା।

ଏକାମ୍ର କ୍ଷେତ୍ରର ସର୍ବପୁରାତନ ପୂଜାର ମାନ୍ୟତା ପାଇଥିବାରୁ ଏକାମ୍ର ରାଜାଙ୍କ ନାମରେ ପରିଚିତ ଓ ଏହା ପୁରୁଣା ଭୁବନେଶ୍ୱରର ସର୍ବୋଚ୍ଚ ଗଣେଶ ବିଗ୍ରହ। ଶ୍ରୀଲିଙ୍ଗରାଜଙ୍କ ଅଙ୍ଗଲାଗି ସେବକ ‘ବଡ଼ୁ ସେବକ’ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ବିଧି ମୁତାବକ କାର୍ଯ୍ୟ ସମ୍ପାଦନ କରିବା ସହ ପ୍ରସାଦ ବଂଟନ କରାଯାଏ।

ଚଳିତ ବର୍ଷ ଏକାମ୍ର ରାଜା ମହୋତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମଂଟୁ ଛୁରିଆ, ସତ୍ୟଜିତ୍ ପ୍ରଧାନ ସମେତ ବହୁ ନାମି କଳାକାରଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବ। ସେହିପରି ଚଳିତ ବର୍ଷ ଗଣେଶ ଭଷାଣରେ ପାରମ୍ପାରିକ ବାଦ୍ୟ ଯଥା ବଲାଙ୍ଗିରର କଲାରା ପାର୍ଟି, ଜୁନାଗଡ଼ର ମେଲୋଡ଼ି, ସମ୍ବଲପୁରର ଘଂଟବାଦ୍ୟ, କୋଲକତାର ଛଉ ନୃତ୍ୟ, ପୁରୀର ନାଗା, କେରଳର କଥକଲି, କଳାହାଣ୍ଡିର ବାହୁବଳୀ ନୃତ୍ୟ, ବ୍ରହ୍ମପୁରର ବ୍ରାସବ୍ୟାଣ୍ଡ ପାର୍ଟି, ବାଳକାଟିର ଘୋଡ଼ାନାଚ ସମେତ ବିଭିନ୍ନ ପ୍ରକାର ବାଦ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସଭାପତି ଅମୀୟ ଦାଶ ଓ ସମ୍ପାଦକ ତଥା କର୍ପୋରେଟର ଶିବ ପ୍ରସାଦ ବେହେରା ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଏକାମ୍ର ରାଜା ଗଣେଶ ପୂଜା ପୁସ୍ତିକା ଲୋକାର୍ପଣ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ମକଦ୍ଦମ, ରଞ୍ଜିତ ମକଦ୍ଦମ, ରାକେଶ ବଟୁ, କାର୍ତିକ ବଟୁ, ରାକେଶ ମକଦ୍ଦମ, ଅନିକେତ ବଟୁ, ଲିଙ୍ଗରାଜ ମହାପାତ୍ର, ସୁମନ୍ତ ବଟୁ, ସାଗର ବଟୁ, ସନ୍ତୋଷ ମହାପାତ୍ର ସମେତ ଶତାଧିକ ସଭ୍ୟ ସାମିଲ ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଣପତି ବାବାଙ୍କ ଦର୍ଶନ ପାଇଁ ମୁମ୍ବାଇରେ ଜାରୀ ହେଲା ଡ୍ରେସ କୋଡ, ଓଡିଶାରେ ମଧ୍ୟ ଲାଗୁ ହେଉ

ମୁମ୍ବାଇ: ପ୍ରତି ବର୍ଷ ଏହି ସମୟରେ ମୁମ୍ବାଇ ସହର ଅତ୍ୟନ୍ତ ଚଳଚଞ୍ଚଳ ହୋଇପଡିଛି। କାରଣ ସାରା ଭାରତରେ ଯେତେ ଗଣେଷ ପୂଜା ହୁଏ ମୁମ୍ବାଇରେ ତାହା ଭିନ୍ନ। ବହୁ ପ୍ରାଚୀନ ସମୟରୁ ମୁମ୍ବାଇ ନଗରୀ, ଗଣେଷ ପୂଜା ପାଇଁ ପ୍ରସିଦ୍ଧ ଅର୍ଜନ କରିଛି। ସେଥିପାଇଁ ଚଳିତ ବର୍ଷ ମୁମ୍ବାଇ ନଗରୀ ବେଶ ଧୂମଧାମରେ ଗଣେଷ ପୂଜାର ଆୟୋଜନ କରିଛି।

ଗତ ଦୁଇବର୍ଷ ଧରି କରୋନା ପାଇଁ ଗଣେଷ ପୂଜା ଠିକରେ ହୋଇପାରି ନ ଥିଲା। ସେଥିପାଇଁ ଚଳିତ ବର୍ଷ ଫୁଲ ଦମରେ ଏବଂ ଭକ୍ତିପୂତ ଭାବରେ ଏହି ପୂଜା କରିବା ପାଇଁ ମୁମ୍ବାଇର ସମସ୍ତ ପୂଜା ପେଣ୍ଡାଲ ତତ୍ପର ହୋଇ ଉଠିଛନ୍ତି। ଭଳିକ ଭଳିକି ତୋରଣ ଓ ମେଢର ଆକର୍ଷଣରେ ମୁମ୍ବାଇର ଚେହେରା ପୁରା ବଦଳି ଯାଇଛି।

ତେବେ ଏହି ଭିତରେ ଏକ ନୂଆ ଖବର ଆସିଛି। ତାହା ହେଲା ମୁମ୍ବାଇର ଅନ୍ଧେରୀଚା ରାଜା ଗଣେଷ ପେଣ୍ଡାଲ ଭକ୍ତମାନଙ୍କ ପାଇଁ ଡ୍ରେସ କୋଡ ଜାରୀ କରିଛି। ଜାରୀ ହୋଇଥିବା ନିଷ୍ପତି ଅନୁସାରେ ଏହି ପୂଜା ମଣ୍ଡପକୁ କୌଣସି ଭକ୍ତ ହାପ ପ୍ୟାଣ୍ଟ ବା ସର୍ଟସ ପିନ୍ଧି ପ୍ରବେଶ କରିପାରିବେ ନାହିଁ। ସେଥିପାଇଁ ପୂଜା ମଣ୍ଡପ ତରଫରୁ ପୂଜା ପୂର୍ବରୁ ଘୋଷଣା କରି ଭକ୍ତମାନଙ୍କୁ ଜଣାଇ ଦିଆଯାଇଛି।

କେବଳ ପାରଂପାରିକ ପୋଷାକ ପିନ୍ଧି ଦର୍ଶନ କରିବାକୁ କୁହାଯାଇଛି। ଭକ୍ତଙ୍କ ଅବଗତି ପାଇଁ ପୂଜା ସମିତି ବାହାରେ ଏକ ବୋର୍ଡ ମାରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କେଉଁ ଡ୍ରେସ ପିନ୍ଧି ଦର୍ଶନ କରିବେ କେଉଁ ଡ୍ରେସକୁ ଅନୁମତି ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ତେବେ ଯେଉଁମାନେ ହ୍ୟାପ ଡ୍ରେସ ପିନ୍ଧି ଆସିବେ ସେମାନଙ୍କୁ ଦର୍ଶନରୁ ବଞ୍ଚିତ ନ କରିବା ପାଇଁ ମଣ୍ଡପ କର୍ତ୍ତୁପକ୍ଷ ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ମଣ୍ଡପ ନିକଟରେ ନୂଆ ଇଲାଷ୍ଟିକ ଟ୍ରାକ ପ୍ୟାଣ୍ଟ ରଖାଯାଇଛି। ସେଥିପାଇଁ ଏକ ଡ୍ରେସ ରୁମ ମଧ୍ୟ କରାଯାଇଛି। ଭକ୍ତମାନେ ସେଠାକୁ ଯାଇ ତାଙ୍କ ପ୍ୟାଣ୍ଟ ଉପରେ ତାହାକୁ ପିନ୍ଧି ପାରିବେ।

ତେବେ ଏହି ପୂଜା ମଣ୍ଡପ ନୁହେଁ ପୂର୍ବରୁ ମୁମ୍ବାଇର ଅନେକ ପୂଜା ମଣ୍ଡପ ଭକ୍ତଙ୍କୁ ପାରଂପାରିକ ପୋଷାକରେ ଦର୍ଶନ କରିବା ପାଇଁ ନିବେଦନ କରାଯାଇଛି। କେତେକ ମଣ୍ଡପରେ ପୁରୁଷମାନେ ଧୋତି ଏବଂ ମହିଳାମାନେ ଶାଢୀ ପିନ୍ଧି ଆସିବାକୁ କୁହାଯାଇଛି। ସେ ସବୁ ସଫଳ ହେବା ପରେ ବର୍ତ୍ତମାନ ମୁମ୍ବାଇର ବିଭିନ୍ନ ପୂଜା ମଣ୍ଡପ ଡ୍ରେସ କୋଡ ବ୍ୟବସ୍ଥା କରୁଛନ୍ତି।

ଓଡିଶାର ବିଭିନ୍ନ ପୂଜା ମଣ୍ଡପ ଏହା ଉପରେ ବିଚାର କରି ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଆବଶ୍ୟକ।