ଗଣେଶ ପୂଜା ପାଇଁ ଏକାମ୍ର ରାଜା ଗଣେଶ ପୂଜା କମିଟି ତରଫରୁ ପ୍ରସ୍ତୁତି ବୈଠକ

Published: Aug 25, 2023, 4:41 pm IST
Ganesh

ଭୁବନେଶ୍ୱର: ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦକ୍ରମେ “ଏକାମ୍ର ରାଜା ଗଣେଶ ପୂଜା କମିଟି” ଆନୂକୁଲ୍ୟରେ ବହୁ ପୁରାତନ ଶ୍ରୀ ଗଣେଶ ପୂଜା ବଢ଼େଇବାଙ୍କ ଛକ ସ୍ଥିତ ଦେବୀ ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଛି। ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଟାଉନ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା।

ଏକାମ୍ର କ୍ଷେତ୍ରର ସର୍ବପୁରାତନ ପୂଜାର ମାନ୍ୟତା ପାଇଥିବାରୁ ଏକାମ୍ର ରାଜାଙ୍କ ନାମରେ ପରିଚିତ ଓ ଏହା ପୁରୁଣା ଭୁବନେଶ୍ୱରର ସର୍ବୋଚ୍ଚ ଗଣେଶ ବିଗ୍ରହ। ଶ୍ରୀଲିଙ୍ଗରାଜଙ୍କ ଅଙ୍ଗଲାଗି ସେବକ ‘ବଡ଼ୁ ସେବକ’ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ବିଧି ମୁତାବକ କାର୍ଯ୍ୟ ସମ୍ପାଦନ କରିବା ସହ ପ୍ରସାଦ ବଂଟନ କରାଯାଏ।

ଚଳିତ ବର୍ଷ ଏକାମ୍ର ରାଜା ମହୋତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମଂଟୁ ଛୁରିଆ, ସତ୍ୟଜିତ୍ ପ୍ରଧାନ ସମେତ ବହୁ ନାମି କଳାକାରଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବ। ସେହିପରି ଚଳିତ ବର୍ଷ ଗଣେଶ ଭଷାଣରେ ପାରମ୍ପାରିକ ବାଦ୍ୟ ଯଥା ବଲାଙ୍ଗିରର କଲାରା ପାର୍ଟି, ଜୁନାଗଡ଼ର ମେଲୋଡ଼ି, ସମ୍ବଲପୁରର ଘଂଟବାଦ୍ୟ, କୋଲକତାର ଛଉ ନୃତ୍ୟ, ପୁରୀର ନାଗା, କେରଳର କଥକଲି, କଳାହାଣ୍ଡିର ବାହୁବଳୀ ନୃତ୍ୟ, ବ୍ରହ୍ମପୁରର ବ୍ରାସବ୍ୟାଣ୍ଡ ପାର୍ଟି, ବାଳକାଟିର ଘୋଡ଼ାନାଚ ସମେତ ବିଭିନ୍ନ ପ୍ରକାର ବାଦ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସଭାପତି ଅମୀୟ ଦାଶ ଓ ସମ୍ପାଦକ ତଥା କର୍ପୋରେଟର ଶିବ ପ୍ରସାଦ ବେହେରା ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଏକାମ୍ର ରାଜା ଗଣେଶ ପୂଜା ପୁସ୍ତିକା ଲୋକାର୍ପଣ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ମକଦ୍ଦମ, ରଞ୍ଜିତ ମକଦ୍ଦମ, ରାକେଶ ବଟୁ, କାର୍ତିକ ବଟୁ, ରାକେଶ ମକଦ୍ଦମ, ଅନିକେତ ବଟୁ, ଲିଙ୍ଗରାଜ ମହାପାତ୍ର, ସୁମନ୍ତ ବଟୁ, ସାଗର ବଟୁ, ସନ୍ତୋଷ ମହାପାତ୍ର ସମେତ ଶତାଧିକ ସଭ୍ୟ ସାମିଲ ହୋଇଥିଲେ।

Related posts