Categories
ଆଜିର ଖବର ଖେଳ ଜାତୀୟ ଖବର

କୋହଲିଙ୍କୁ ସମାଲୋଚନା କଲେ ଗମ୍ଭୀର୍‌

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର । ଆରସିବି ଅଧିନାୟକ ପଦରୁ କୋହଲି ଓହରିଯିବା ଉଚିତ ବୋଲି ଗମ୍ଭୀର ମତ ଦେଇଛନ୍ତି । ଦୀର୍ଘ 8ଟି ସିଜିନ ଧରି କୋହଲି ଆରସିବିର ଅଧିନାୟକ ରହିଥିଲେ ମଧ୍ୟ ଦଳ ଥରୁଟିଏ ଟ୍ରଫି ହାସଲ କରିପାରି ନାହିଁ । ଚଳିତ ସିଜିନରେ ଆରସିବି ପ୍ଲେଅଫ ଯାଏଁ ଯାଇଥିଲେ ମଧ୍ୟ ନେଟ ରନରେଟ ଭିତ୍ତିରେ ରହି ଯାଇଥିଲା । ପ୍ରଥମାର୍ଦ୍ଧରେ ଦଳର ପ୍ରଦର୍ଶନ ଦଳକୁ ବଞ୍ଚାଇ ଦେଇଥିଲା । ଶୁକ୍ରବାର ଦିନ ସନରାଇଜ୍ସ ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର୍‌ ଲଢେଇ ହାରିବା ପରେ କୋହଲିଙ୍କ ଟ୍ରଫି ଜିତିବା ସ୍ବପ୍ନ ଭାଙ୍ଗି ଯାଇଛି।

2013 ମସିହାରୁ ବିରାଟ କୋହଲି ଆରସିବିର ଅଧିନାୟକ ଭାବରେ ରହିଛନ୍ତି । କେବଳ 2016ରେ ଏହି ଦଳ ଫାଇନାଲ୍‌ରେ ପହଞ୍ଚିଥିଲା । ତେଣୁ ଆରସିବିକୁ ଅଧିନାୟକ ଭାବରେ ଅନ୍ୟ ବିକଳ୍ପ ଖୋଜିବା ଆବଶ୍ୟକ ଅଥବା ଉତ୍ତରଦାୟିତ୍ୱ ଦୃଷ୍ଟିରୁ କୋହଲି ନିଜେ ଅଧିନାୟିତ୍ୱ ଛାଡିବା ଉଚିତ ବୋଲି କହିଛନ୍ତି ଗମ୍ଭୀର । ଦଳର ବିଜୟ ପାଇଁ ଅଧିନାୟକଙ୍କୁ ଶ୍ରେୟ ପ୍ରଦାନ କରାଯାଉଥିବା ବେଳେ ପରାଜୟ ପାଇଁ ମଧ୍ୟ ଅଧିନାୟକ ସମାନ ଭାବରେ ଦାୟୀ ରହିବା ଉଚିତ । ବିରାଟ କୋହଲିଙ୍କ ସମସାମୟିକ ଖେଳାଳି ରୋହିତ ଏବଂ ଧୋନୀ ଯଥାକ୍ରମେ 4 ଏବଂ 3ଟି ଆଇପିଏଲ ଟ୍ରଫି ହାସଲ କରି ସାରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, କେକେକଆର୍‌କୁ ଦୁଇ ଦୁଇ ଥର ଚାମ୍ପିଅନ୍‌ କରିଥିବା କେକେଆରର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର କେକେଆର ଛାଡି ଦିଲ୍ଲୀ ଆସିଥିବା ବେଳେ ଖରାପ ଫର୍ମ କାରଣରୁ ମାତ୍ର 5ଟି ମ୍ୟାଚ ଖେଳି ଶ୍ରେୟସ ଆୟାରଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିଥିଲେ । ଏପରିକି ଉକ୍ତ ସିଜିନରେ ଗମ୍ଭୀର ଦିଲ୍ଲୀ ମ୍ୟାନେଜମେଣ୍ଟ ନିକଟରୁ ଏକ ଟଙ୍କା ମଧ୍ୟ ଗ୍ରହଣ କରିନଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ : ଯିଏ ଉସୁକେଇଥିବ ତା’ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ – ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର ବୟାନ ଦେଇ ହିଂସାକାଣ୍ଡ ପାଇଁ ଯିଏ ଦାୟୀ ତା’ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଗୌତମ ଗମ୍ଭୀର କହିଛନ୍ତି ଯେ, ଯିଏ ବି ଉତ୍ତେଜିତ ଭାଷଣ ଦେବ, ତା’ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ । କିଏ ଦେଇଛି, କେଉଁ ଦଳ ସହିତ ତା’ର ସମ୍ପର୍କ ରହିଛି ଏନେଇ କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଗୌତମ ଗମ୍ଭୀର ।

ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ଆଜି ମୌଜପୁର ହିଂସାକାଣ୍ଡରେ ଆହତ ହୋଇଥିବା ଡିସିପି ଅମିତ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି । ପଟପଡଗଞ୍ଜ ମ୍ୟାକ୍ସ ହସ୍ପିଟାଲ୍‌ରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିଥିଲେ । ଦୁଇଦିନ ଧରି ଦିଲ୍ଲୀରେ ଚାଲିଥିବା ହିଂସାକୁ ନେଇ ବିଜେପି ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ, ଉତ୍ତର ପୂର୍ବ ଦିଲ୍ଲୀରେ ହେଉଥିବା ହିଂସାକାଣ୍ଡରେ ଯେଉଁମାନେ ସାମିଲ୍‌ ରହିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ଯେକୌଣସି ଦଳର ହୋଇଥାନ୍ତୁ ନା କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଏହି କାଣ୍ଡରେ କପିଲ୍‌ ମିଶ୍ରାଙ୍କ ହାତ ରହିଥିବ, ତେବେ ତାଙ୍କ ବିରୋଧରେ ମଧ୍ୟ ମାମଲା ଦାଏର କରାଯିବ ।

ସୂଚନାଯୋଗ୍ୟ, ଜାନୁଆରୀ 22 ତାରିଖରେ ଶାହିନବାଗ୍‌ ପରେ ଜାଫରବାଦ ଓ ଚାନ୍ଦ ବାଗ୍‌ରେ ରାସ୍ତା ବନ୍ଦକୁ ନେଇ କପିଲ ମିଶ୍ରା ଧମକ ଦେଇ କହିଥିଲେ ଯେ, ଦିଲ୍ଲୀ ପୁଲିସ୍‌ ତିନି ଦିନ ଭିତରେ ରାସ୍ତାକୁ ଖାଲି କରାନ୍ତୁ । ଯଦି ତିନି ଦିନ ଭିତରେ ରାସ୍ତା ଖାଲି ନ ହେବ, ତେବେ ଆମେ ରାସ୍ତାକୁ ଓହ୍ଲାଇବୁ ଓ ପୁଲିସ୍‌ର କଥା ମଧ୍ୟ ଶୁଣିବୁ ନାହିଁ ବୋଲି କହିଥିଲେ । କପିଲ ମିଶ୍ରାଙ୍କ ଏହି ବୟାନ ପରେ ହିଂସା ଆରମ୍ଭ ହୋଇଥିଲା ।

Categories
ଆଜିର ଖବର

ବିଜେପିରେ ସାମିଲ ହେଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, କାହିଁକି ସେ ବିଜେପିରେ ଯୋଗଦେଲେ କେଉଁଠି ପ୍ରାର୍ଥୀ ହେବେ

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଆଜି ବିଧବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତା ଅରୁଣ ଜେଟଲୀ, ରବିଶଙ୍କର ପ୍ରସାଦ ପ୍ରମୁଖଙ୍କ ଉପସ୍ଥିତରେ ସେ ଦଳରେ ଯୋଗଦେଇଛନ୍ତି। ପୂର୍ବରୁ ଗମ୍ଭୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ସହିତ ସାକ୍ଷାତ କରି କିଛି ସମୟ ପାଇଁ ଆଲୋଚନା କରିଥିଲେ। ଏହାପରେ ରାଷ୍ଟ୍ରୀୟ କାର୍ଯ୍ୟାଳୟର ମିଟିଂ ହଲରେ ସେ ବିଜେପି ଟୋପି ଏବଂ ଉତ୍ତରୀୟ ପିନ୍ଧି ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ। ଗୌତମ ଭାରତୀୟ କ୍ରିକେଟ ଜଗତରେ ଜଣେ ପରିଚିତ ନାମ। ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ସେ 58ଟି ଟେଷ୍ଟମ୍ୟାଚ ଖେଳିଛନ୍ତି। ତାଙ୍କୁ ଭାରତର ଲୋକେ ବେଶ୍ ପସନ୍ଦ କରନ୍ତି। ତାଙ୍କର ଯୋଗଦାନ ବିଜେପି ପାଇଁ ବେଶ୍ ସହାୟକ ହେବ ବୋଲି ସେଠାରେ ବରିଷ୍ଠ ନେତା ଅରୁଣ ଜେଟଲୀ ଏବଂ ରବି ଶଙ୍କର ପ୍ରସାଦ କହିଥିଲେ। ତେବେ ସେ କେଉଁଠାରୁ ପ୍ରାର୍ଥୀ ହେବେ ସେ ନେଇ କୌଣସି ନିଷ୍ପତି ହୋଇନାହିଁ।