କୋହଲିଙ୍କୁ ସମାଲୋଚନା କଲେ ଗମ୍ଭୀର୍‌

Published: Nov 7, 2020, 4:20 pm IST

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର । ଆରସିବି ଅଧିନାୟକ ପଦରୁ କୋହଲି ଓହରିଯିବା ଉଚିତ ବୋଲି ଗମ୍ଭୀର ମତ ଦେଇଛନ୍ତି । ଦୀର୍ଘ 8ଟି ସିଜିନ ଧରି କୋହଲି ଆରସିବିର ଅଧିନାୟକ ରହିଥିଲେ ମଧ୍ୟ ଦଳ ଥରୁଟିଏ ଟ୍ରଫି ହାସଲ କରିପାରି ନାହିଁ । ଚଳିତ ସିଜିନରେ ଆରସିବି ପ୍ଲେଅଫ ଯାଏଁ ଯାଇଥିଲେ ମଧ୍ୟ ନେଟ ରନରେଟ ଭିତ୍ତିରେ ରହି ଯାଇଥିଲା । ପ୍ରଥମାର୍ଦ୍ଧରେ ଦଳର ପ୍ରଦର୍ଶନ ଦଳକୁ ବଞ୍ଚାଇ ଦେଇଥିଲା । ଶୁକ୍ରବାର ଦିନ ସନରାଇଜ୍ସ ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର୍‌ ଲଢେଇ ହାରିବା ପରେ କୋହଲିଙ୍କ ଟ୍ରଫି ଜିତିବା ସ୍ବପ୍ନ ଭାଙ୍ଗି ଯାଇଛି।

2013 ମସିହାରୁ ବିରାଟ କୋହଲି ଆରସିବିର ଅଧିନାୟକ ଭାବରେ ରହିଛନ୍ତି । କେବଳ 2016ରେ ଏହି ଦଳ ଫାଇନାଲ୍‌ରେ ପହଞ୍ଚିଥିଲା । ତେଣୁ ଆରସିବିକୁ ଅଧିନାୟକ ଭାବରେ ଅନ୍ୟ ବିକଳ୍ପ ଖୋଜିବା ଆବଶ୍ୟକ ଅଥବା ଉତ୍ତରଦାୟିତ୍ୱ ଦୃଷ୍ଟିରୁ କୋହଲି ନିଜେ ଅଧିନାୟିତ୍ୱ ଛାଡିବା ଉଚିତ ବୋଲି କହିଛନ୍ତି ଗମ୍ଭୀର । ଦଳର ବିଜୟ ପାଇଁ ଅଧିନାୟକଙ୍କୁ ଶ୍ରେୟ ପ୍ରଦାନ କରାଯାଉଥିବା ବେଳେ ପରାଜୟ ପାଇଁ ମଧ୍ୟ ଅଧିନାୟକ ସମାନ ଭାବରେ ଦାୟୀ ରହିବା ଉଚିତ । ବିରାଟ କୋହଲିଙ୍କ ସମସାମୟିକ ଖେଳାଳି ରୋହିତ ଏବଂ ଧୋନୀ ଯଥାକ୍ରମେ 4 ଏବଂ 3ଟି ଆଇପିଏଲ ଟ୍ରଫି ହାସଲ କରି ସାରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, କେକେକଆର୍‌କୁ ଦୁଇ ଦୁଇ ଥର ଚାମ୍ପିଅନ୍‌ କରିଥିବା କେକେଆରର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର କେକେଆର ଛାଡି ଦିଲ୍ଲୀ ଆସିଥିବା ବେଳେ ଖରାପ ଫର୍ମ କାରଣରୁ ମାତ୍ର 5ଟି ମ୍ୟାଚ ଖେଳି ଶ୍ରେୟସ ଆୟାରଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିଥିଲେ । ଏପରିକି ଉକ୍ତ ସିଜିନରେ ଗମ୍ଭୀର ଦିଲ୍ଲୀ ମ୍ୟାନେଜମେଣ୍ଟ ନିକଟରୁ ଏକ ଟଙ୍କା ମଧ୍ୟ ଗ୍ରହଣ କରିନଥିଲେ । (ଏଜେନ୍ସି)

Related posts