Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅଗଷ୍ଟ ମାସରେ ମୋଟ 86 ହଜାର 449 କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି

ନୂଆଦିଲ୍ଲୀ, 2020 ଅଗଷ୍ଟ ମାସରେ ଦେଶରେ ମୋଟ 86,449 କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ସଂଗୃହୀତ ହୋଇଛି। ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ 15906 କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍‌ଟି ପରିମାଣ 21064 କୋଟି ଟଙ୍କା। ସେହିଭଳି ଏହି ମାସରେ ସମନ୍ୱିତ ଜିଏସ୍‌ଟି ବାବଦରେ 42246 କୋଟି ଟଙ୍କା ଆଦାୟ ହୋଇଛି ଏବଂ ସେଥିରେ ଆମଦାନୀ ସାମଗ୍ରୀ ଉପରେ ସଂଗୃହୀତ ରାଜସ୍ୱ ପରିମାଣ 19179 କୋଟି ଟଙ୍କା। ଏହାଛଡା ସେସ୍‌ ବା ଉପକର ବାବଦରେ ଏହି ମାସରେ ମୋଟ 7215 କୋଟି ଟଙ୍କା ସଂଗୃହୀତ ହୋଇଛି। ଏଥିରେ ଆମଦାନୀ ହେଉଥିବା ସାମଗ୍ରୀ ଉପରୁ ମିଳିଥିବା ଟିକସ ପରିମାଣ 673 କୋଟି ଟଙ୍କା ଅନ୍ତର୍ଭୁକ୍ତ।

ନିୟମିତ ପରିଶୋଧ ଅନୁସାରେ କେନ୍ଦ୍ର ସରକାର ସିଜିଏସ୍‌ଟି ବାବଦରେ 18216 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଛଡା ସମନ୍ୱିତ ଜିଏସ୍‌ଟିରୁ ରାଜ୍ୟ ଜିଏସ୍‌ଟି ବାବଦକୁ 14650 କୋଟି ଟଙ୍କା ଦିଆଯାଇଛି। ନିୟମିତ ପରିଶୋଧ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକର ଅଗଷ୍ଟ ମାସର ଆୟ ଯଥାକ୍ରମେ 34122 କୋଟି ଟଙ୍କା (ସିଜିଏସ୍‌ଟି) ଏବଂ 35714 କୋଟି ଟଙ୍କା (ଏସ୍‌ଜିଏସ୍‌ଟି)।

2019 ଅଗଷ୍ଟ ମାସରେ ଜିଏସ୍‌ଟି ବାବଦରେ ସରକାର ଯେତେ ରାଜସ୍ୱ ଆଦାୟ କରିଥିଲେ ଚଳିତବର୍ଷ ସେହି ମାସରେ ଏ ବାବଦ ଆୟ 88 ଶତାଂଶ ରହିଛି । ଏହି ମାସରେ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ରାଜସ୍ୱ ଆଦାୟ 77 ଶତାଂଶ  (ଘରୋଇ ମାଲ ପରିବହନ କ୍ଷେତ୍ରରୁ ସଂଗୃହୀତ ରାଜସ୍ୱ ସହ) ହୋଇଥିବାବେଳେ ଗତବର୍ଷ ଏହି ସମୟରେ ଏହା ଥିଲା 92 ଶତାଂଶ । ଏଠାରେ ସୂଚନାଯୋଗ୍ୟ ଯେ ବାର୍ଷିକ 5 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଟିକସଦାତାଙ୍କୁ ଚଳିତମାସ ଯାଏଁ ରିଟର୍ଣ୍ଣ ଫାଇଲ କରିବାକୁ କୋହଳ ସମୟ ଦିଆଯାଇଛି।