Categories
ଆଜିର ଖବର

ହେମନ୍ତ କାର୍କାରେଙ୍କ ବିପକ୍ଷରେ ବୟାନ ଦେଲା ସାଧ୍ବୀ ପ୍ରଜ୍ଞା

ବିଜେପିରେ ନୂତନ ଭାବରେ ଯୋଗ ଦେଇଥିବା ସାଧ୍ବୀ ପ୍ରଜ୍ଞା ପୂର୍ବତନ ଏଟିଏସ୍‌ ମୁଖ୍ୟ ହେମନ୍ତ କାର୍କାରେଙ୍କ ବିରୋଧରେ ବୟାନ ଦେଇଛନ୍ତି। ସାଧ୍ବୀ କହିଛନ୍ତି ମୋ ଅଭିଶାପରେ ଏହି ପୂର୍ବତନ ଏଟିଏସ୍‌ ମୁଖ୍ୟଙ୍କ ମୃତ୍ୟୁ ଘଟିଛି। ୨୬/୧୧ ଆକ୍ରମଣର ହିରୋ କାର୍କାରେ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ତଦନ୍ତକାରୀ ଅଫିସର ରହିଥିଲେ। ସାଧ୍ବୀ କହିଛନ୍ତି, ମୁଁ ତାଙ୍କୁ ଅଭିଶାପ ଦେଇଥିଲି କି ତୁମେ ଶେଷ ହୋଇଯିବ ଏବଂ ଦୁଇ ମାସ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସାଧ୍ବୀ କହିଥିଲେ, କୌଣସି ପ୍ରମାଣ ନଥିବା ସତ୍ତ୍ବେ କାର୍କାରେ ବ୍ୟକ୍ତିଗତ ଆକ୍ରୋଶ ରଖି ମୋ ବିରୋଧରେ କାର୍ଯ୍ୟ କରୁଥିଲେ। ପ୍ରଜ୍ଞା ନିଜ ଭାଷଣରେ ଏହି ୨୬/୧୧ ହିରୋଙ୍କୁ ଦେଶ ଦ୍ରୋହୀ ଏବଂ ଧର୍ମ ବିରୋଧୀ ବୋଲି ମଧ୍ୟ କହିଥିଲେ, ଯାହା ଉପରେ ଉପସ୍ଥିତ କର୍ମୀ ମାନେ ତାଳି ମାରୁଥିବାର ନଜର ଆସିଥିଲେ। ମାଲେଗାଓଁ ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଏବଂ ୧୦୧ ଆହତ ହୋଇଥିବା ବେଳେ ସାଧ୍ବୀ ପ୍ରଜ୍ଞା ଏବଂ ଲେଫ୍ଟନାଣ୍ଟ କଲୋନେଲ୍‌ ଶ୍ରୀକାନ୍ତ ପୁରୋହିତଙ୍କ ଗିରଫ କରିଥିଲେ ତତ୍କାଳୀନ ଏଟିଏସ୍‌ ମୁଖ୍ୟ ହେମନ୍ତ କାର୍କାରେ। ୨୦୧୫ରେ ଜାତୀୟ ତଦନ୍ତକାରୀ ସଂସ୍ଥାନ ପ୍ରଜ୍ଞାଙ୍କୁ ଏହି ମାମଲାରୁ କ୍ଲିନ୍‌ ଚିଟ୍‌ ଦେଇଥିବା ବେଳେ କୋର୍ଟ ମୋକୋଆ ଆଇନ ଅନୁଯାୟୀ ପ୍ରଜ୍ଞାଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ। ୨୦୧୭ରେ ବମ୍ବେ ହାଇକୋର୍ଟ ପ୍ରଜ୍ଞାଙ୍କୁ ଜାମିନ ପ୍ରଦାନ କରିବା ପରେ ଚଳିତ ସପ୍ତାହରେ ବିଜେପି ଟିକଟ ପାଇ ପ୍ରଜ୍ଞା ଭୋପାଳ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି।