Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାଜନୈତିକ ବିରୋଧୀଙ୍କୁ ଷଡଯନ୍ତ୍ର!: ହନିଟ୍ରାପ କରି ବିଜେପି ବିଧାୟକଙ୍କୁ HIV ସଂକ୍ରମିତ କରିବା ଅଭିଯୋଗ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ପୋଲିସ ଇନ୍ସପେକ୍ଟର ଗିରଫ ହେବା ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ଏହି ସମଗ୍ର ବିଷୟ ହନିଟ୍ରାପ ଏବଂ ରାଜନୈତିକ ବିରୋଧୀଙ୍କୁ ଏଚ୍.ଆଇ.ଭି ସଂକ୍ରମିତ କରିବାର ଷଡଯନ୍ତ୍ର ସହିତ ଜଡିତ। ଗିରଫ ପୋଲିସ ଇନ୍ସପେକ୍ଟର ବିଜେପି ବିଧାୟକ ମୁନିରାତ୍ନା ନାଇଡୁଙ୍କ ସହ ମିଶି ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଜେପି ବିଧାୟକ ମୁନିରାତ୍ନା ନାଇଡୁ ଜଣେ ମହିଳାଙ୍କୁ ଉତ୍ପୀଡନ କରିବା ସହ ତାଙ୍କୁ ରାଜନୈତିକ ବିରୋଧୀଙ୍କୁ ହନିଟ୍ରାପରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକ ପୋଲିସର ଏସଆଇଟି ଟିମ୍ ଏହି ସମଗ୍ର ମାମଲା ସହ ଜଡିତ ଦୁଇଟି ମାମଲାର ତଦନ୍ତ କରୁଛି। ଏସଆଇଟି ଅଭିଯୋଗ କରିଛି ଯେ, ରାଜରାଜଶ୍ଵରୀ ନଗର ବିଧାୟକ ନାଇଡୁ ଏବଂ ତାଙ୍କ ସହଯୋଗୀମାନଙ୍କୁ ହେବାଗୋଡି ଷ୍ଟେସନରେ ଥାନାର ଇନ୍ସପେକ୍ଟର ଅୟନା ରେଡ୍ଡୀ ହନିଟ୍ରାପରେ ସାହାଯ୍ୟ କରିଛନ୍ତି।

ମୁନିରତ୍ନା ନାଇଡୁଙ୍କ ଅୟନା ରେଡ୍ଡୀ ବିଶ୍ଵସ୍ତ ବୋଲି କୁହାଯାଉଛି। ଏସଆଇଟି ତାଙ୍କୁ ଗିରଫ କରିଥିଲା, ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଅନ୍ୟପକ୍ଷରେ ବିଜେପି ବିଧାୟକ ମୁନିରାତ୍ନା ନାଇଡୁଙ୍କୁ ଏହି ମାମଲାରେ ଜାମିନ ମିଳିଛି। ଜଣେ ୪୦ ବର୍ଷ ବୟସ୍କା ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ଯେ, ବିଜେପି ବିଧାୟକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ହନିଟ୍ରାପରେ ବ୍ୟବହାର କରିଥିଲେ।

କର୍ଣ୍ଣାଟକ ବିଧାନସଭାରେ ବିଜେପି ନେତା ତଥା ବିରୋଧୀଦଳର ନେତା ଆର ଅଶୋକଙ୍କୁ ମଧ୍ୟ ଏସଆଇଟି ଡକାଇ ଥିବାରୁ ନାଇଡୁ ତାଙ୍କୁ ହନିଟ୍ରାପ କରିବା ସହ ତାଙ୍କୁ ଏଚ୍‌ଆଇଭି ସଂକ୍ରମିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ନିକଟରେ ଆର ଅଶୋକଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ​​ଯେଉଁଥିରେ ସେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଭି ସୋମନ୍ନାଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ସେ ଦାବି କରିଛନ୍ତି ଯେ, ଏହି ମାମଲାରେ ଜଣେ ଅଭିଯୁକ୍ତ ତାଙ୍କୁ ଏଚଆଇଭି ସଂକ୍ରମିତ କରିବାର ଷଡଯନ୍ତ୍ର କରିଛନ୍ତି। ଆର ଅଶୋକ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏହି ସୂଚନା ସାମ୍ନାକୁ ଆସିବା ପରେ ତାଙ୍କ ପରିବାର ତାଙ୍କୁ ଦେଶ ଛାଡିବାକୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏଡସ୍‌ଠାରୁ ଅଧିକ ମାରାତ୍ମକ ସିଫିଲିସ୍‌, ଜାଣନ୍ତୁ ଏହାର କାରଣ ଓ ନିରାକରଣ

ଭୁବନେଶ୍ଵର: ଏଡସ୍‌ ପରି ମାରାତ୍ମକ ରୋଗ ପରେ ଦୁନିଆରେ ତୀବ୍ର ଗତିରେ ବଢି ଚାଲିଛି ଏହି ରୋଗ। ୨୦୧୬ରେ ସାରା ଦୁନିଆରେ ନବଜାତଙ୍କ ମୃତ୍ୟୁର ପ୍ରମୁଖ କାରଣ ଏହି ରୋଗ ହିଁ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଭୟାବହ ରୋଗ ସମ୍ପର୍କରେ। ଏଡସ୍‌ ଏପରି ଏକ ଦୁରାରୋଗ୍ୟ, ଯାହାର ଚିକିତ୍ସା ଆଜି ବି ଅସମ୍ଭବ। ତେବେ ଏଡସ୍‌ଠାରୁ ଆହୁରି ମାରାତ୍ମକ ରୋଗ ଆମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଡସ୍‌ ପରି ମଧ୍ୟ ଏହି ରୋଗର ପ୍ରମୁଖ କାରଣ ଅସୁରକ୍ଷିତ ଯୌନ ସମ୍ବନ୍ଧ। ଏହି ରୋଗର ନାମ ହେଉଛି ସିଫିଲିସ୍‌। କୁହାଯାଉଛି ଯେ, ଗତ ଦଶକ ମଧ୍ୟରେ ଏହି ରୋଗର ପ୍ରକୋପ ଅଧିକ ବଢିଯାଇଛି। ଖାସ୍‌ କରି ଏହି ରୋଗ ୟୁରୋପରେ ଅଧିକ ପରିମାଣରେ ଦେଖାଯାଉଛି। ୨୦୦୦ ମସିହା ପରେ କିଛି ଦେଶରେ ଏଚ୍‌ଆଇଭି ତୁଳନାରେ ଏହି ରୋଗ ଅଧିକ ବଢିଛି।

ୟୁରୋପର ରୋଗ ନିବାରଣ ଓ ନିୟନ୍ତ୍ରଣ କେନ୍ଦ୍ରର ରିପୋର୍ଟ ଅନୁସାରେ ଏହି ରୋଗର ନିୟନ୍ତ୍ରଣ ପାଇଁ ସୁରକ୍ଷିତ ଯୌନ ସମ୍ବନ୍ଧ ଅତ୍ୟନ୍ତ ଆବଶ୍ୟକୀୟ। ସମଲିଙ୍ଗୀ ପୁରୁଷଙ୍କ ମଧ୍ୟରେ ବି ଅସୁରକ୍ଷିତ ଯୌନ ସମ୍ବନ୍ଧ କାରଣରୁ ଏହି ରୋଗ ବ୍ୟାପକ ହୋଇଥାଏ। ୨୦୧୦ ମସିହା ପରେ ଅସୁରକ୍ଷିତ ଯୌନ ସମନ୍ଧ କାରଣରୁ ଏହି ରୋଗ ୭୦ ପ୍ରତିଶତ ବୃଦ୍ଧି ପାଇଥିଲା।

ୟୁରୋପିଆନ୍‌ ସେଣ୍ଟର ଫର୍‌ ଡିଜିଜ୍‌ ପ୍ରୋଭିସନ୍‌ ଏଣ୍ଡ କଣ୍ଟ୍ରୋଲ୍‌ (ଇସିଡିସି)ରେ ଯୌନ ସଂକ୍ରମଣ ସମ୍ବନ୍ଧୀୟ  ବିଶେଷଜ୍ଞ ଏଣ୍ଡ୍ୟୁ  ଅମାତୋ ଗୋଚି  କହିଥିଲେ ଯେ, ୟୁରୋପ ସହିତ ଦୁନିଆର ଅନ୍ୟ ଦେଶରେ ଏହି ବେମାରୀ ବଢିବାର କାରଣ ହେଉଛି – ଅସୁରକ୍ଷିତ ଯୌନ ସମ୍ପର୍କ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ ଏଚ୍‌ ଓ) ତରଫରୁ କୁହାଯାଇଛି ଯେ, ପ୍ରତିଦିନ ପାଖାପାଖି ଏକ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ ଯୌନ ସମ୍ପର୍କ କାରଣରୁ ଏହି ବେମାରୀରେ ପଡୁଛନ୍ତି।

ତେବେ ଆସନ୍ତୁ ଜାଣିବା ଏହି ରୋଗଟି କ’ଣ ?

ସିଫିଲିସ୍ ଏକ ଯୌନସଞ୍ଚାରିତ ସଂକ୍ରମଣ ରୋଗ ଯାହା ଟ୍ରେପୋନେମା ପାଲିଡମ୍ (ପାଲିଡମ୍ ଉପସ୍ପେସି) ନାମକ ଜୀବାଣୁ ଦ୍ୱାରା ହୁଏ। ସଞ୍ଚାରଣର ପ୍ରାଥମିକ ପଥ ହେଲା ଯୌନ ସ୍ପର୍ଶ; ଏହା ଗର୍ଭାବସ୍ଥାରେ ମାଆଠାରୁ ଫିଟସ୍ ବା ଗର୍ଭସ୍ଥ ଶିଶୁକୁ ସଞ୍ଚାରିତ ହୋଇ ଜନ୍ମଗତ ସିଫିଲିସ୍ ହୁଏ। ସମ୍ପର୍କୀୟ ଟ୍ରେପୋନେମା ପାଲିଡମ୍ ଯୋଗୁ ୟଜ୍ ରୋଗ (ପର୍ଟେନ୍ୟୁ ଉପବିଭାଗ) ଓ ବେଜେଲ ରୋଗ (ଏଣ୍ଡେମିକମ୍) ମଧ୍ୟ ହୁଏ। ଏହି ରୋଗର ଚିହ୍ନ ଓ ଲକ୍ଷଣ ସମୂହ ରୋଗର ଚାରୋଟି ପାବଚ୍ଛ ବା ସ୍ଟେଜ୍ (ପ୍ରାଇମେରି, ସେକଣ୍ଡାରି, ଲେଟେଣ୍ଟ ଓ ଟର୍ସିଆରି) ଉପରେ ଥିବା ଅବସ୍ଥା ଉପରେ ନିର୍ଭର କର। ପ୍ରଥମ ସ୍ଟେଜରେ ଗୋଟିଏ ସାଙ୍କର ଦେଖାଯାଏ ଯେଉଁଥିରେ ଗୋଟିଏ ଟାଣ, ଯନ୍ତ୍ରଣାବିହୀନ ଓ ଗଲୁ ନ ହେଉଥିବା ଚର୍ମ ଘାଆ ଦେଖାଯାଏ, କିନ୍ତୁ ଅନେକ ଗୁଡ଼ିଏ ଘାଆ ମଧ୍ୟ ଦେଖାଯାଏ। ଏହା ପୁରୁଷ ଯୌନାଙ୍ଗରେ, ମହିଳାଙ୍କ ପ୍ରଜନନ ପଥରେ, ପାଟିରେ ଓ ମଳଦ୍ୱାରରେ ହୁଏ। ପ୍ରଥମ ଜୀବାଣୁ ସଂସ୍ପର୍ଶରେ ଆସିବାର ୨୧ ଦିନ ପରେ ଏହି ରୋଗ ଆରମ୍ଭ ହୁଏ ଓ ଚିକିତ୍ସା ବିହୁନେ ୪ରୁ ୮ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ। ଦ୍ୱିତୀୟକ ବା ସେକେଣ୍ଡାରି ସିଫିଲିସ୍‌ରେ ରାସ୍ ହୁଏ ଓ ଏହା ପାପୁଲି ଓ ପାଦରେ ହୁଏ। ପାଟି ଓ ଯୋନୀ ମଧ୍ୟରେ ଦେଖାଯାଏ। ଲୁକ୍କାୟିତ (ଲେଟେଣ୍ଟ) ସିଫିଲିସ୍‌ରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ଓ ଏହା ବର୍ଷ ବର୍ଷ ଧରି ରହିଥାଏ। ତୃତୀୟକ ବା ଟର୍ସିଆରି ସିଫିଲିସ୍‌ରେ ଗମାସମୂହ (ନରମ ଅଣ-କର୍କଟ ବୃଦ୍ଧି),ସ୍ନାୟୁ ରୋଗ କିମ୍ବା ହୃଦ୍ ରୋଗ ହୁଏ। ଏହି ରୋଗ ବିରାଟ ଅନୁକରଣୀୟ ରୋଗ ନାମରେ ମଧ୍ୟ ପରିଚିତ କାରଣ ଏହା ଅନିୟମିତ ଓ ଅନ୍ୟ ରୋଗମାନଙ୍କର ବିବିଧ ଲକ୍ଷଣ ଦେଖାଏ।

ସିଫିଲିସ୍ ରୋଗ ଯୌନ କ୍ରିୟା ସମୟରେ ସଞ୍ଚାରିତ ହୁଏ। ଗର୍ଭାବସ୍ଥାରେ ବା ପ୍ରସବ ସମୟରେ ମାତାଠାରୁ ଶିଶୁକୁ ରୋଗ ସଞ୍ଚାରିତ ହୋଇ ଜନ୍ମଜ ସିଫିଲିସ୍ ରୋଗ ହୁଏ। ଏହି ରୋଗ ସାଧାରଣତଃ ରକ୍ତ ପରୀକ୍ଷା ଓ ଡାର୍କ ଫିଲ୍ଡ ମାଇକ୍ରୋସ୍କୋପିଦ୍ୱାରା ଜୀବାଣୁ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରାଯାଏ।

ଯୌନ ସମ୍ପର୍କ ନ ରଖିବା ବା ଯଦି ରଖାଯାଏ ତା’ହେଲେ ଲେଟେକ୍ସ କଣ୍ଡୋମ ବ୍ୟବ‌ହାର କରିବାଦ୍ୱାରା ଏହି ସଂକ୍ରମଣ କମ କରିହୁଏ। ସିଫିଲିସ୍ ରୋଗ ଆଣ୍ଟିବାୟୋଟିକ ଚିକିତ୍ସାରେ ଭଲ ହୋଇଯାଏ।

ସନ ୨୦୧୩ରେ ୩୧୫,୦୦୦ ଲୋକଙ୍କୁ ସିଫିଲିସ ସଂକ୍ରମଣ ହୋଇଥିଲା। ସନ ୧୯୯୦ରେ ଏହି ରୋଗ ଯୋଗୁ ୨୦୨,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୦ରେ ଏହା କମିଯାଇ ୧୧୩,୦୦୦ ମୃତ୍ୟୁ ହୋଇଥିଲା। ୨୦୦୦  ମସିହା ପରେ ଏଚ.ଆଇ.ଭି ଯୋଗୁ ଏହାର ସଂଖ୍ୟା ପୁନଶ୍ଚ ବୃଦ୍ଧି ହେଉଛି। କିଛି ଅଂଶରେ ଏହାର କାରଣ ରୂପେ ଏକାଧିକ ଯୌନସାଥୀ, ବେଶ୍ୟାବୃତ୍ତି, କମ କଣ୍ଡୋମ ବ୍ୟବ‌ହାର ଓ ସମଲିଙ୍ଗି ପୁରୁଷ ସଙ୍ଗମକୁ ଦାୟୀ କରାଯାଉଛି। ବିଶେଷଙ୍କ ଅନୁସାରେ ସିଫିଲିସ୍‌ ବେମାରୀ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଏକପ୍ରକାରର ଗମ୍ଭୀର ସମସ୍ୟା ରୂପେ ଉଭା ହୋଇଥାଏ।

ଇସିଡିସିଙ୍କ ରିପୋର୍ଟ ଅନୁସାରେ ଏହି ରୋଗ ୫ଟି ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି। ସେହି ଦେଶ ମଧ୍ୟରେ ରହିଛି – ବ୍ରିଟେନ୍‌, ଜର୍ମାନୀ, ଆୟାର୍ଲାଣ୍ଡ, ଆଇସ୍‌ଲାଣ୍ଡ ଓ ମାଲ୍ଟା। ଏହି ଦେଶରେ ସିଫିଲିସ ସମସ୍ୟା ବିଶ୍ବ ସ୍ତରରେ ଦୁଇଗୁଣ ସ୍ତରରେ ବଢୁଥିବାର ଲକ୍ଷ୍ୟ କରାଯାଉଛି। କେବଳ ଏଷ୍ଟୋନିଆ ଓ ରୋମାନିଆ ପରି ଦୁଇଟି ଦେଶରେ, ଏହି ରୋଗର ରୋଗୀ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ କମୁଥିବାର ରେକର୍ଡ କରାଯାଇଛି। ୨୦୦୭ରୁ ୨୦୧୭ ମସିହାରେ ମଧ୍ୟରେ ଆସିଥିବା ସିଫିଲିସ୍‌ର ମୋଟ ମାମଲା ମଧ୍ୟରେ ଏହି ରୋଗ ଦୁଇ ତୃତୀୟାଂଶ ସମଲିଙ୍ଗୀ ପୁରୁଷ, ୨୩ ପ୍ରତିଶତ ମହିଳାଙ୍କ ସହ ଯୌନ ସମ୍ପର୍କ ରଖୁଥିବା ପୁରୁଷ ଓ ୧୫ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଦେଖଯାଇଥିଲା। ଏହି ସମସ୍ତ କାରଣ କେବଳ ଅସୁରକ୍ଷିତ ଯୌନ ସମ୍ବନ୍ଧ ରହିଥିଲା।

ଦୁନିଆରେ ସବୁଠୁ ଅଧିକ ଏଡସ୍‌ ରୋଗୀ ଆଫ୍ରିକାରେ ଦେଖାଯାନ୍ତି। ଏଠାରେ ପ୍ରତ୍ୟେକ ୧୦ ଜଣେ ଜଣେ ବ୍ୟକ୍ତି ଏଚ୍‌ଆଇଭି ସଂକ୍ରମିତ ହୋଇଥାନ୍ତି। ଏଠାରେ ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ମାଗଣା କଣ୍ଡୋମ ବଣ୍ଟନ କରନ୍ତି।  ସେହିପରି ସୁରକ୍ଷିତ ଯୌନ ସମ୍ବନ୍ଧ ଉପରେ ଖୋଲାଖୋଲି କଥାବାର୍ତ୍ତା ହୁଏ ନାହିଁ। ପଶ୍ଚିମ ଦେଶ ଗୁଡ଼ିକରେ ଏହି ମାମଲରେ ବହୁତ ପଛରେ ରହିଥା’ନ୍ତି। ଏହି ରୋଗରୁ କେବଳ ସଚେତନତା ତଥା ସୁରକ୍ଷିତ ଯୌନ ସମ୍ପର୍କ ଦ୍ବାରା ଏହି ରୋଗରୁ କେତେକାଂଶରେ ମୁକ୍ତି ପାଇହେବ।