Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ ପଞ୍ଚମ ଥର ପାଇଁ ଜିତିଲା ଚାମ୍ପିଅନ୍ସ ଟ୍ରଫି: ଫାଇନାଲରେ ଚୀନ୍‌କୁ ପରାସ୍ତ କରି ରଚିଲା ଇତିହାସ

ନୂଆଦିଲ୍ଲୀ: ଫାଇନାଲରେ ଚାଇନାକୁ ୧-୦ ରେ ପରାସ୍ତ କରି ଭାରତ ୨୦୨୪ ଏସୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ହାସଲ କରିଛି। ପ୍ରଥମ ତିନୋଟି କ୍ୱାର୍ଟର ଗୋଲହୀନ ରହିବା ପରେ, ଟିମ୍ ଇଣ୍ଡିଆ ଶେଷ କ୍ୱାର୍ଟରରେ ଏକ ଚମତ୍କାର ଗୋଲ ସ୍କୋର କରି ୧-୦ ଅଗ୍ରଣୀ ହାସଲ କଲା, ଯାହା ଶେଷ ପର୍ଯ୍ୟନ୍ତ ଚାଲିଥିଲା। ଭାରତ ପାଇଁ ଯୁଗରାଜ ମ୍ୟାଚର ଏକମାତ୍ର ଗୋଲ ସ୍କୋର କରିଥିଲେ। ଇତିହାସରେ ଏହା ହେଉଛି ପଞ୍ଚମ ଥର, ଯେଉଁଥିରେ ଭାରତ ଏସୀୟ ଚାମ୍ପିଅନ୍ସ ଟ୍ରଫି ଜିତିଛି।

ମ୍ୟାଚ୍ ଆରମ୍ଭରେ ଚୀନ୍ ଏକ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରି ଭାରତୀୟ ପ୍ରତିରକ୍ଷାକୁ ବ୍ୟାକଫୁଟରେ ରଖିଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ଉଭୟ ଥର ଚାଇନାର ଗୋଲକିପର ତାଙ୍କ ଗୋଲ ପୋଷ୍ଟକୁ ସୁରକ୍ଷିତ ରଖିଥିଲେ। ଦ୍ୱିତୀୟ ଏବଂ ତୃତୀୟ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଗୋଲ୍ ସ୍କୋର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ମ୍ୟାଚର ଏକମାତ୍ର ଗୋଲ ୫୧ ତମ ମିନିଟରେ ଆସିଥିଲା, ଯେଉଁଠାରେ ଭାରତୀୟ ଅଧିନାୟକ ହରମାନପ୍ରୀତ ସିଂ ଯୁଗରାଜଙ୍କୁ ପାସ୍ କରିଥିଲେ ଏବଂ ସେ ବଲକୁ ଗୋଲ୍ ପୋଷ୍ଟକୁ ଠେଲି ଏକ ଚମତ୍କାର ଗୋଲ୍ ସ୍କୋର କରିଥିଲେ।

ଏହି ବିଜୟ ସହିତ ଭାରତ ସ୍ୱର୍ଣ୍ଣ ପଦକ ଏବଂ ଚୀନ୍ ରୌପ୍ୟ ପଦକ ଜିତିଛି। ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌ରେ ପାକିସ୍ତାନ ଦକ୍ଷିଣ କୋରିଆକୁ ୫-୨ରେ ପରାସ୍ତ କରିଥିଲା। ଶେଷ ମୁହୂର୍ତ୍ତରେ ଚୀନ୍‌ର ଖେଳାଳିମାନେ ବଲ୍‌କୁ ଦୀର୍ଘ ସମୟ ଧରି ରଖିଥିଲେ, କିନ୍ତୁ ଭାରତର ପ୍ରତିରକ୍ଷା ମଧ୍ୟ ଉତ୍କୃଷ୍ଟ ଥିଲା। ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଏବଂ ଚୀନ୍ ମୁହାଁମୁହିଁ ହୋଇଥିଲେ, ଯେଉଁଠାରେ ଟିମ୍ ଇଣ୍ଡିଆ ଏକ ସହଜ ୩-୦ ବିଜୟ ପଞ୍ଜିକରଣ କରିଥିଲା।

ଭାରତ କେବେ ଟାଇଟଲ ଜିତିଲା?:

୨୦୧୧ ମସିହାରେ ଏସୀୟ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୋଇଥିଲା ଯେଉଁଠାରେ ଫାଇନାଲରେ ପେନାଲ୍ଟି ସୁଟଆଉଟରେ ପାକିସ୍ତାନକୁ ୪-୨ ରେ ପରାସ୍ତ କରି ଭାରତ ଟାଇଟଲ ଜିତିଥିଲା। ଏହା ପରେ ୨୦୧୬ ରେ ଭାରତ ପୁଣି ଥରେ ପାକିସ୍ତାନକୁ ୩-୨ ରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ୨୦୧୮ ରେ ଭାରତ ଏବଂ ପାକିସ୍ତାନକୁ ମିଳିତ ବିଜେତା ଘୋଷିତ କରାଯାଇଥିଲା। ୨୦୨୩ ରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଚତୁର୍ଥ ଥର ପାଇଁ ମାଲେସିଆକୁ ୪-୩ ରେ ପରାସ୍ତ କରି ଏହି ଟ୍ରଫି ଜିତିଥିଲା।