Categories
ଆଜିର ଖବର ବ୍ୟବସାୟ

ହୋଟେଲ ଶିଳ୍ପ ଉପରେ କରୋନା ମାଡ଼, ମୁମ୍ବାଇ ମହାନଗରୀରେ ବନ୍ଦ ହୋଇଯିବ 50 ପ୍ରତିଶତ ହୋଟେଲ !

ମୁମ୍ବାଇ, ସବୁ କ୍ଷେତ୍ର ପରି ହୋଟେଲ ଶିଳ୍ପ ମଧ୍ୟ କରୋନା ମାଡ଼ରେ ବିଶେଷ ପ୍ରଭାବିତ ହୋଇଛି। ପ୍ରାୟ ଚାରି ମାସ ହେଲା ଦେଶର ବାଣିଜ୍ୟିକ ନଗରୀ ମୁମ୍ବାଇରେ ହୋଟେଲ ଶିଳ୍ପ ପୂରାପୁରି ଠପ୍ ହୋଇଯାଇଛି। ଯଦିଓ କେନ୍ଦ୍ର ସରକାର ହୋଟେଲ ଗୁଡିକୁ ଖୋଲିବା ଲାଗି ଜୁଲାଇ 8 ତାରିଖ ଧାର୍ଯ୍ୟ କରିଥିଲେ, କିନ୍ତୁ ଏଯାବତ୍ କୋଣସି ପ୍ରକାର ନୂଆ ସୂଚନା ସରକାର ଜାରି କରି ନାହାଁନ୍ତି। ଫଳରେ ମୁମ୍ବାଇ ମହାନଗରୀରେ ଥିବା ହୋଟେଲର ପ୍ରାୟ ପଚାଶ ପ୍ରତିଶତ ସେମାନଙ୍କ ବ୍ୟବସାୟ ସୂପୂର୍ଣ୍ଣ ବନ୍ଦ କରିଦେବାକୁ ବସିଲେଣି।

ଦିନକୁ ଦିନ ସ୍ଥିତି ଅଧିକ ବିଗିଡି ବାକୁ ବସିଲାଣି। ଜୁନ୍ 30 ସୁଦ୍ଧା ହୋଟେଲ ଶିଳ୍ପରେ ପାଖାପାଖି 1ଲକ୍ଷ 25 ହଜାର କୋଟି ଟଙ୍କା କ୍ଷତି ହେଲାଣି। ଅନେକ ବଡ ବଡ ହୋଟେଲ ମାଲିକଙ୍କ କହିବା କଥା, ସ୍ଥିତି ଏପରି ଅଧିକ ଦିନ ଜାରି ରହିଲେ ହୋଟେଲ ଚଳାଇବା ମୁସ୍କିଲ ହୋଇ ପଡିବ।

ଇଣ୍ଡିଆନ ହୋଟେଲ ଆଣ୍ଡ ରୋସ୍ତୋରାଁ ଆସୋସିଏସନ ସଭାପତି ଶିବାନନ୍ଦ ଡି.ସେଟ୍ଟିଙ୍କ କହିବା କଥା, ଯଦି ସରକାର ହୋଟେଲ ଖୋଲିବାକୁ ଅନୁମତି ଦେବାରେ ବିଳମ୍ବ କରନ୍ତି, ତେବେ ଡିସେମ୍ବର ସୁଦ୍ଧା ଅଧାରୁ ଅଧିକ ହୋଟେଲରେ ତାଲା ଝୁଲିବ।

ଜିଡିପି ବା ମୋଟ ଘରୋଇ ଉପ୍ତାଦରେ ହୋଟେଲ ଶିଳ୍ପର 10 ପ୍ରତିଶତ ଅନୁଦାନ ଥାଏ ଏବଂ ମୋଟ ନିଯୁକ୍ତିର ସାଢେ 12 ପ୍ରତିଶତ ଏହି କ୍ଷେତ୍ରରୁ ମିଳିଥାଏ। ଦେଶରେ ଲାଇସେନସ ପ୍ରାପ୍ତ ହୋଟେଲ ସଂଖ୍ୟା 53 ହଜାର। ଛୋଟ ବଡ଼ ହୋଟେଲ ଓ ରେସ୍ତୋରାଁ ସଂଖ୍ୟା ହିସାବକୁ ନେଲେ ଏହା 5 ଲକ୍ଷ ହେବ।

ଜୁନ୍ 8ରେ ଦେଶର ଅନ୍ୟତ୍ର ହୋଟେଲ, ରେସ୍ତୋରାଁ ଖୋଲିଥିଲେ ସୁଦ୍ଧା ମହାରାଷ୍ଟ୍ରରେ କରୋନା ସ୍ଥିତି ସଂଗୀନ ଥିବାରୁ ରାଜ୍ୟ ସରକାର ଖୋଲିବାକୁ ଅନୁମତି ଦେଇ ନାହାଁନ୍ତି।ଏ ନେଇ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। (ଏଜେନସି)