Categories
ଆଜିର ଖବର ରାଜ୍ୟ ଖବର

କରୋନା ଟେଷ୍ଟ ନ କରିବାରୁ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କଲେ ସ୍ତ୍ରୀ : ପୋଲିସ୍‌ କଲା ଗିରଫ

ହରିୟାଣା : ହରିୟାଣାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ କରୋନା ଟେଷ୍ଟ ନ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ସ୍ତ୍ରୀ ତାଙ୍କୁ ଏନେଇ ଜେଲ୍‌ ପଠେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପଞ୍ଜାବରୁ ହରିୟାଣା ଫେରିଥିବା ଜଣେ ଯୁବକ କରୋନା ଟେଷ୍ଟ ନ କରିଥିବାରୁ ତାଙ୍କ ସ୍ତ୍ରୀ ପୋଲିସ୍‌ରେ ଅଭିଯୋଗ କରି ତାଙ୍କ ସ୍ବାମୀଙ୍କୁ ଗିରଫ କରାଇଛନ୍ତି । ହରିୟାଣାର ହିସାରରେ ଏହି ଘଟଣା ଘଟିଛି ।  ଯୁବକ ଜଣକ ପଞ୍ଜାବରୁ ହରିୟାଣାର ହିସାରକୁ ଫେରିଥିଲେ । କିନ୍ତୁ କରୋନା ଟେଷ୍ଟ କରାଇନଥିଲେ । କରୋନା ଟେଷ୍ଟ ନ କରିବା ଅଭିଯୋଗ ସହିତ ଲକ୍‌ ଡାଉନ୍‌ ଉଲ୍ଲଂଘନ କରିବା ଅଭିଯୋଗ କରି ସ୍ତ୍ରୀ ଜଣକ ସ୍ବାମୀଙ୍କୁ ପୋଲିସ୍‌ରେ ଧରାଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ସ୍ତ୍ରୀ ଜଣକ କହିଛନ୍ତି, ସେ ତାଙ୍କ ସ୍ବାମୀଙ୍କୁ ହସ୍ପିଟାଲ୍‌ ଯାଇ କରୋନା ଟେଷ୍ଟ କରିବାକୁ କହିଥିଲେ । କିନ୍ତୁ ତାଙ୍କ ସ୍ବାମୀ ଏକଥା ନ ଶୁଣି ତାଙ୍କୁ ଧମକ ଚମକ ଦେଖାଇ ମାରପିଟ୍‌ କରିଥିଲେ ।  ଏହାକୁ ନେଇ ମହିଳା ଜଣକ ପୋଲିସ୍‌ରେ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।  ଘଟଣାର ତଦନ୍ତ କରି ପୋଲିସ୍‌ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଧାରା 188, 505, 506,323, 506  ଓ ଡିଜାଷ୍ଟର ମ୍ୟାନେଜମେଣ୍ଟର ଧାରା ଅନୁସାରେ ମୋକଦ୍ଦମା ରୁଜୁ କରାଯାଇଛି ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଘରୋଇ କଳିରୁ ମହିଳାଙ୍କ ଆତ୍ମହତ୍ୟା, ସ୍ବାମୀଙ୍କୁ କୋର୍ଟଚାଲାଣ କଲା ପୋଲିସ୍‌

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ପୁଷ୍ପାଞ୍ଜଳି ବେହେରା ବୋଲି ଜଣାପଡିଛି। ମହିଳା ଜଣଙ୍କ ବିଷ ପିଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ବେହେରା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବାଣପୁର ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୦୧/୨୦ଦାୟର କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଗମ୍ଭରିମୁଣ୍ଡା ଫାଣ୍ଡି ଅଧିକାରୀ ମୁରଲୀଧର ବଳିୟାରସିଂହ ଏହି ମାମଲାର ତଦନ୍ତ କରୁଛନ୍ତି। ପରବର୍ତ୍ତୀ ସମୟରେ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବାରୁ ପୋଲିସ୍‌ ଦେବେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଗମ୍ଭାରିମୁଣ୍ଡା ପଞ୍ଚାୟତର ମହାନ୍ତି ଗାଁର ପୁଷ୍ପାଞ୍ଜଳି ପନ୍ଦର ବର୍ଷ ତଳେ ତୋରସିଂ ନିବାସୀ ଦେବେନ୍ଦ୍ର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ବଡ ଝିଅର ବୟସ ୧୫ ବର୍ଷ, ଦ୍ଵିତୀୟ ଝିଅର ବୟସ ୯ ବର୍ଷ ଏବଂ ଏକମାତ୍ର ପୁଅର ବୟସ ୫ ବର୍ଷ ବୋଲି ଜଣାପଡିଛି। ଉଭୟଙ୍କ ମଧ୍ୟରେ କଳହ କାରଣରୁ ପୁଷ୍ପାଞ୍ଜଳି ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି।