କରୋନା ଟେଷ୍ଟ ନ କରିବାରୁ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କଲେ ସ୍ତ୍ରୀ : ପୋଲିସ୍‌ କଲା ଗିରଫ

Published: May 16, 2020, 8:52 pm IST

ହରିୟାଣା : ହରିୟାଣାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ କରୋନା ଟେଷ୍ଟ ନ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ସ୍ତ୍ରୀ ତାଙ୍କୁ ଏନେଇ ଜେଲ୍‌ ପଠେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପଞ୍ଜାବରୁ ହରିୟାଣା ଫେରିଥିବା ଜଣେ ଯୁବକ କରୋନା ଟେଷ୍ଟ ନ କରିଥିବାରୁ ତାଙ୍କ ସ୍ତ୍ରୀ ପୋଲିସ୍‌ରେ ଅଭିଯୋଗ କରି ତାଙ୍କ ସ୍ବାମୀଙ୍କୁ ଗିରଫ କରାଇଛନ୍ତି । ହରିୟାଣାର ହିସାରରେ ଏହି ଘଟଣା ଘଟିଛି ।  ଯୁବକ ଜଣକ ପଞ୍ଜାବରୁ ହରିୟାଣାର ହିସାରକୁ ଫେରିଥିଲେ । କିନ୍ତୁ କରୋନା ଟେଷ୍ଟ କରାଇନଥିଲେ । କରୋନା ଟେଷ୍ଟ ନ କରିବା ଅଭିଯୋଗ ସହିତ ଲକ୍‌ ଡାଉନ୍‌ ଉଲ୍ଲଂଘନ କରିବା ଅଭିଯୋଗ କରି ସ୍ତ୍ରୀ ଜଣକ ସ୍ବାମୀଙ୍କୁ ପୋଲିସ୍‌ରେ ଧରାଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ସ୍ତ୍ରୀ ଜଣକ କହିଛନ୍ତି, ସେ ତାଙ୍କ ସ୍ବାମୀଙ୍କୁ ହସ୍ପିଟାଲ୍‌ ଯାଇ କରୋନା ଟେଷ୍ଟ କରିବାକୁ କହିଥିଲେ । କିନ୍ତୁ ତାଙ୍କ ସ୍ବାମୀ ଏକଥା ନ ଶୁଣି ତାଙ୍କୁ ଧମକ ଚମକ ଦେଖାଇ ମାରପିଟ୍‌ କରିଥିଲେ ।  ଏହାକୁ ନେଇ ମହିଳା ଜଣକ ପୋଲିସ୍‌ରେ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।  ଘଟଣାର ତଦନ୍ତ କରି ପୋଲିସ୍‌ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଧାରା 188, 505, 506,323, 506  ଓ ଡିଜାଷ୍ଟର ମ୍ୟାନେଜମେଣ୍ଟର ଧାରା ଅନୁସାରେ ମୋକଦ୍ଦମା ରୁଜୁ କରାଯାଇଛି ।

Related posts