Categories
ଆଜିର ଖବର ଜାତୀୟ ଖବର

ଫେସବୁକ ଓ ଇନଷ୍ଟାଗ୍ରାମ ସମେତ 89ଟି ଆପ୍‍ ଡିଲିଟ୍‍ କରିବାକୁ ଯବାନଙ୍କୁ ନିର୍ଦେଶ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ : ତଥ୍ୟ ଚୋରି ସନ୍ଦେହରେ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ 89ଟି ଆପ୍‍ ଡିଲିଟ୍‍ କରିବାକୁ ନିର୍ଦ୍ଦେଶ ଦେଇଛି। କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଚୋରି ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି 89ଟି ଆପକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ 15 ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍‌ କରିବେ, ସେନେଇ ସେନା ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ଆପ୍‌ଗୁଡ଼ିକ ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେନା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦିଆଯାଇଛି। ଏହି ଆପ୍‍ଗୁଡ଼ିକ ମଧ୍ୟରେ ଟିକ୍‍ଟକ୍‍, ଟ୍ରୁକଲର ଓ ଇନ୍‍ଷ୍ଟାଗ୍ରାମ ଆଦିର ସମେତ 89ଟି ଆପ ନାଁ ମଧ୍ୟ ସାମିଲ ଅଛି। ଏନେଇ ନିକଟରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଯବାନମାନଙ୍କୁ ଟିଣ୍ଡର ଭଳି ଡେଟିଂ ଆପ୍‍ ଓ ଡେଲୀହଣ୍ଟ ଭଳି ସମାଚାର ଆପ୍‍ ମଧ୍ୟ ଡିଲିଟ୍‍ କରିବାକୁ କୁହାଯାଇଛି।ଅନ୍ୟାନ୍ୟ ଆପ୍‍ଗୁଡ଼ିକ ମଧ୍ୟରେ ଫେସବୁକ୍‍, ଭିଚାଟ୍‍, ହାଇକ୍‍, ଲାଇକୀ, ସେୟାର ଇଟ୍‍, ୟୁସି ବ୍ରାଉଜର, ବିଗୋ ଲାଇଭ, ଜୁମ୍‍, କ୍ୟାମ୍‍ସ୍କାନର, ବ୍ୟୁଟି ପ୍ଲସ, ପବଜୀ ସମେତ ଟେନ୍‍ସେଣ୍ଟ୍‍ର ସମସ୍ତ ଗେମିଂ ଆପ୍‍, କ୍ଲବ ଫ୍ୟାକ୍ଟ୍ରୀ, ହେପ୍ପନ୍‍, ବମ୍ବଲ, 360 ସିକ୍ୟୁରିଟୀ, ପ୍ରତିଲିପି, ହଙ୍ଗାମା ଆଦି ଆପ୍‍ର ନାଁ ସାମିଲ ଅଛି।

ଦେଶର ସୁରକ୍ଷା ତଥ୍ୟ ଚୋରି ଆଶଙ୍କାରେ ସେନା ପଦକ୍ଷେପ ନେଇଛି ।  “ପାକିସ୍ତାନ ଓ ଚାଇନାର ଗୁଇନ୍ଦା ବିଭାଗ ସଦସ୍ୟମାନେ ଅନଲାଇନ ଦ୍ୱାରା ଭାରତୀୟ ଯବାନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସେନାର ଅଧିକାର କହିଛନ୍ତି ।

ପୂର୍ବରୁ ନଭେମ୍ବର ମାସରେ ଅଫିସିଆଲ କାମ ପାଇଁ ହ୍ୱାଟସଆପ ବ୍ୟବହାର ନ କରିବାକୁ ସେନା ପକ୍ଷରୁ ଯବାନମାନଙ୍କୁ କୁହାଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଶ୍ରମିକ ଓ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ କଲେ ଲେଫ୍ଟନାଣ୍ଟ କଲୋନେଲ

ଭୁବନେଶ୍ବର : ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ଘୋଷଣା କରାଯାଉଥିଲେ ମଧ୍ୟ ଏହା ସେମାନଙ୍କ ନିକଟରେ ଅପହଞ୍ଚ । ଏପରି ସ୍ଥିତିରେ ଭୁବନେଶ୍ବରରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢାଇଛନ୍ତି ଭାରତୀୟ ସେନାର ଲେଫ୍ଟନାଣ୍ଟ କଲୋନେଲ୍‌ କପିଲ୍‌ ଜୋହରୀ । ଖଣ୍ଡଗିରିରେ ଫସି ରହିଥିବା ମରାଠୀ ଶ୍ରମିକଙ୍କୁ ରାସନ୍‌ ପ୍ୟାକେଟ ପ୍ରଦାନ କରିଛନ୍ତି ଶ୍ରୀ ଜୋହରି । ଡିଫେନ୍ସ ସିକ୍ୟୁରିଟି କର୍ପସ୍‌ ଏବଂ ଓଏମ୍‌ୟୁ ଡିଆରଡିଓ ଏହି ମହତ କାର୍ଯ୍ୟରେ ଜୋହରୀଙ୍କ ସହାୟତା କରିଥିଲେ ।

ଏହା ବ୍ୟତିତ ବୁଲା ପଶୁପକ୍ଷୀଙ୍କ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଛନ୍ତି ଜୋହରୀ । ୟୁନିଟ୍‌-1 ସ୍ଥିତ ଗୋଶାଳାରେ ଗାଇଙ୍କ ଖାଦ୍ୟ ପ୍ରଦାନ କରିଥିବା ବେଳେ ଶିଖରଚଣ୍ଡୀ ମନ୍ଦିର ପରିସରରେ ବୁଲୁଥିବା ପଶୁପକ୍ଷୀଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରିଥିଲେ । ଭୀମଟାଙ୍ଗିରେ ରହିଥିବା ଅନ୍ୟ ଏକ ଗୋଶାଳା ପରିସର ଭ୍ରମଣ କରିବା ସହିତ ଚାରା ଏବଂ ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ : ଗୌତମ ଗମ୍ଭୀର

ନୂଆଦିଲ୍ଲୀ : କ୍ରିକେଟରରୁ ସାଂସଦ ବନିଥିବା ଗୌତମ ଗମ୍ଭୀର ସର୍ବଦା ନିଜର ଖୋଲାକଥା ପାଇଁ ଚର୍ଚ୍ଚାରେ ରହିଥିାନ୍ତି । ଗତକାଲି ହିଜବୁଲ ଆତଙ୍କବାଦୀ ରିୟାଜ୍‌ ନାଇକୁର ଏନ୍‌କାଉଣ୍ଟର ପରେ ଗମ୍ଭୀରଙ୍କ ଏକ ଟ୍ବିଟ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସର୍ବଦା ଭାରତୀୟ ସେନାର ସମର୍ଥନରେ ଟ୍ବିଟ୍‌ କରୁଥିବା ଗମ୍ଭୀର ନିଜ ଟ୍ବିଟ୍‌ରେ ଭାରତୀୟ ସେନାର ବୀରତ୍ବ ମଧ୍ୟ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ ବୋଲି ଟ୍ବିଟ୍‌ କରିବା ସହିତ କେବେ ଭାରତୀୟ ସେନା ସହ ଲାଗିବାର ଦୁଃସାହସ କରନାହିଁ ବୋଲି ଗମ୍ଭୀର ଟ୍ବିଟ୍ କରିଥିଲେ । ଗମ୍ଭୀରଙ୍କ ଏହି ଟ୍ବିଟ୍‌କୁ ପ୍ରାୟ 47 ହଜାର ଲାଇକ୍‌ ମିଳିଥିଲା । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ

ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ୍‌ରେ ସୈନ୍ୟ ବିଭାଗର ନିଯୁକ୍ତି ରାଲି

ରମେଶ ମହାନ୍ତି

ଜଗତସିଂହପୁର :  ସୈନ୍ୟ ବିଭାଗରେ ଭର୍ତ୍ତି ନିମନ୍ତେ ଆସନ୍ତା ଏପ୍ରିଲ୦୫-୨୦୨୦ରୁ ଏପ୍ରିଲ ୧୬-୨୦୨୦ରିଖ ପର୍ଯ୍ୟନ୍ତ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ନିଯୁକ୍ତି  ରାଲି ଅନୁଷ୍ଠିତ ହେବ ବୋଲି ନିଯୁକ୍ତି  ନିର୍ଦ୍ଦେଶକ, ସୈନ୍ୟ ବିଭାଗ, ନିଯୁକ୍ତି କାର୍ଯ୍ୟାଳୟ, କଟକ ସୂଚନା ଦେଇଛନ୍ତି। ଏହି ନିଯୁକ୍ତି ରାଲିରେ କଟକ, କେନ୍ଦ୍ରାଚଂଳ ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଇଛୁକ ପ୍ରାର୍ଥୀମାନେ ଫେବୃୟାରୀ୦୮ ତାରିଖରୁ ମାର୍ଚ୍ଚ ୨୩,୨୦୨୦ ମଧ୍ୟରେ ଓ୍ବେବ୍‌ସାଇଟ୍ www.joinindianarmy.nic.in ମାଧ୍ୟମରେ ନାମ ପଂଜିକରଣ କରିପାରିବେ। ଭାରତୀୟ ସୈନ୍ୟ ବାହିନୀରେ ନିଯୁକ୍ତି ନିମନ୍ତେ ସିଧାସଳଖ ନିଯୁକ୍ତି ପ୍ରଦାନ କରାଯାଏ। କୌଣସି ଦଲାଲ୍ କିମ୍ବା ଅସାମାଜିକ ବ୍ୟକ୍ତିଙ୍କଠାରୁ ସାବଧାନ ରହିବାକୁ ନିର୍ଦ୍ଦେଶକ, ସୈନ୍ୟବାହିନୀ ନିଯୁକ୍ତି କାର୍ଯ୍ୟାଳୟ ଜଣାଇଛନ୍ତି। କେନ୍ଦ୍ରାଚଂଳ ରାଜସ୍ୱ ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ସୋଲଜର କ୍ଲର୍କ, ଷ୍ଟୋରକିପର ଟେକ୍‌ନିକାଲ, ଇନ୍‌ଭେଣ୍ଟ୍ରିମ୍ୟାନେଜ୍‌ମେଣ୍ଟ, ନର୍ସିଂ ଆସିଷ୍ଟାଣ୍ଟ ଭେଟେନାରୀ, ସୋଲ୍‌ଜର ଟ୍ରେଡସ୍‌ମ୍ୟାନ,ସୋଲଜର ଜେନେରାଲ ଡ୍ୟୁଟି ବିଭାଗରେ ନିଯୁକ୍ତି ନିମନ୍ତେ ଆବେଦନ କରିପାରିବେ। ନିଯୁକ୍ତି ପଦ୍ଧତି ସଂପୂର୍ଣ୍ଣ ସ୍ୱଛ, କୌଣସି ମଧ୍ୟସ୍ଥିଙ୍କର ଭୂମିକା କିମ୍ବା ପ୍ରଭାବ ନାହିଁ। ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ। ଶାରିରୀକ, ଲିଖିତ ଓ ମେଡିକାଲ ପରୀକ୍ଷାରେ କୌଣସି ବ୍ୟକ୍ତି ସାହାଯ୍ୟ କରିପାରିବେ ନାହିଁ। ଦଲାଲଙ୍କ ପ୍ରତି ସାବଧାନତା ଅବଲମ୍ବନ କରିବା, କେବଳ କଠିନ ପରିଶ୍ରମ ମାଧ୍ୟମରେ ସଫଳତା ମିଳି ପାରିବ। ଜଗତସିଂହପୁର ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ବହୁ ସଂଖ୍ୟାରେ ପରାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ନିଯୁକ୍ତି ରାଲିରେ ଭାଗନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଭାରତ ଓ ପାକ୍‌ ସେନା ମଧ୍ୟରେ କୌଣସି ପ୍ରଭେଦ ନାହିଁ : ତପନ ବୋଷ

ନୂଆଦିଲ୍ଲୀ : ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ତଥା ସାମାଜିକ କର୍ମୀ ତପନ ବୋଷ ଏକ ବିବାଦୀୟ ବୟାନ ଦେଇଛନ୍ତି । ଉଭୟ ରାଷ୍ଟ୍ରର ସେନା ନିଜ ଲୋକଙ୍କୁ ହତ୍ୟା କରିଥାନ୍ତି ତେଣୁ ଭାରତୀୟ ସେନା ଏବଂ ପାକିସ୍ତାନୀ ସେନାଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ ବୋଲି ବୋଷ କହିଛନ୍ତି । ଜନ୍ତର ମନ୍ତରରେ ଆୟୋଜିତ ସିଏଏ ଏବଂ ଏନ୍‌ଆରସି ବିରୋଧୀ ସଭାରେ ବୋଷ ଏହି ମତ ଦେଇଥିଲେ । ପାକିସ୍ତାନ ଏକ ଶତ୍ରୁରାଷ୍ଟ୍ର ନୁହେଁ ଏବଂ ଉଭୟ ରାଷ୍ଟ୍ରର ଶାସକ ମଧ୍ୟ ଏକାପରି ବୋଲି ବୋଷ କହିଥିଲେ । ଏହା ସହିତ ୟୁରୋପିଆନ ସଂସଦରେ ସିଏଏ ଏବଂ କାଶ୍ମୀର ସମସ୍ୟାର ଆଲୋଚନାକୁ ସ୍ବାଗତ କରିଥିଲେ ବୋଷ । ଇୟୁ ସାଂସଦ ସଫାକ୍‌ ମହମ୍ମଦ ଏବଂ କାଶ୍ମୀର ସମସ୍ୟାର ଉତ୍ଥାପନ କରିଥିବା ବେଳେ ପାକିସ୍ତାନରେ ନିର୍ଯାତିତ ହିନ୍ଦୁଙ୍କ ସମ୍ପର୍କରେ କୌଣସି ଆଲୋଚନା କରିନଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ବରଫ ମଧ୍ୟରେ ଭାରତୀୟ ଯବାନ ନିଖୋଜ

ଶ୍ରୀନଗର : ଭାରତୀୟ ସେନାର ଜଣେ ଯବାନ ବରଫରେ ନିଖୋଜ ହୋଇଛନ୍ତି । ପ୍ରବଳ ବରଫପାତ ହେଉଥିବା ସମୟରେ ଭାରତୀୟ ସେନାର ହାବିଲଦାର ଜଣକ ପାକ୍‌ ଅଧିକୃତ କାଶ୍ମୀରରେ ନିଘୋଜ ଅଛନ୍ତି । ଡ୍ୟୁଟି ସମୟରେ ଗୁଲମାର୍ଗରେ ପ୍ରବଳ ବରଫପାତ କାରଣରୁ ରାଜେନ୍ଦ୍ର ସିଂ ନେଗୀ ନାମକ ଏହି ଯବାନ ଜଣକ ନିଖୋଜ ହୋଇଛନ୍ତି । ସେନା ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ରାଜିନ୍ଦର ପିଓକେ ପଟକୁ ଚାଲିଯାଇଥିବାରୁ ଉଦ୍ଧାର ସମ୍ଭବ ହୋଇପାରିନଥିବା ସେନା ପକ୍ଷରୁ କୁହାଯାଇଛି । ହାବିଲଦାରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।

Categories
ଆଜିର ଖବର

ସେନାକୁ ବୀରତ୍ଵ ଓ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଦ୍ୟମ ସାହସ ଓ ଅସାଧାରଣ ବୀରତ୍ବର ପରିଚୟ ଦେଇଥିବା ସୈନିକ ତଥା ସେନାଙ୍କୁ ବୀରତ୍ବ ତଥା ବିଶିଷ୍ଟ ସେବା ପୁରଷ୍କାରରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଉତ୍ସବରେ ସେନାକର୍ମୀଙ୍କୁ ତାଙ୍କର ଶୌର୍ଯ୍ୟ ଓ ସେବା ପାଇଁ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାରରେ ତିନୋଟି କିର୍ତ୍ତି ଚକ୍ର ଓ ୧୫ଟି ଶୌର୍ଯ୍ୟ ଚକ୍ର ସାମିଲ୍‌ ହୋଇଛି। ଦୁଇଟି କୀର୍ତ୍ତି ଚକ୍ର ଓ ଗୋଟିଏ ଶୌର୍ଯ୍ୟ ଚକ୍ର ମାତୃଭୂମି ପାଇଁ ପ୍ରାଣର ବାଜି ଲଗାଇଥିବା ସୈନିକଙ୍କୁ ମରଣୋତ୍ତର ଚକ୍ର ସମ୍ମାନ ଦିଆଯାଇଛି। କର୍ତ୍ତବ୍ୟ ପ୍ରତି ସମର୍ପଣ ଓ ପ୍ରତିବଦ୍ଧତା ପାଇଁ ୧୫ଟି ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୋଦ୍ଧା ସେବା ପଦ ଓ ବିଶିଷ୍ଟ ସେବା ପାଇଁ ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ରାଇଫଲସ୍‌ର ସିପାହୀ ବ୍ରହ୍ମାପାଲ୍‌ ସିଂହ ତଥା କନେଷ୍ଟବଲ୍‌ ରାଜେନ୍ଦ୍ର କୁମାର ନୈଣଙ୍କୁ ମରଣୋତ୍ତର କିର୍ତ୍ତୀ ଚକ୍ର , କେନ୍ଦ୍ରୀୟ ରିର୍ଜଭ ପୋଲିସ୍‌ ବଳର ହେଡ୍‌ କନେଷ୍ଟବଳ ଧନାଓ୍ବେଡ ରବିନ୍ଦ୍ରଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି। ସେହିପରି ମେଜର ଆଦିତ୍ୟ କୁମାର, ଶୌର୍ଯ୍ୟ ଚକ୍ରରେ ସାମିଲ୍‌ ହୋଇଛନ୍ତି। ସେନା ପ୍ରମୁଖ ବିପିନ ରାଓ୍ବତ୍‌ଙ୍କୁ ପରମ ବିଶିଷ୍ଟ ପଦକ ମିଳିଥିବା ବେଳେ ସିଆରପିଏଫ୍‌ ମୁଖ୍ୟ କନେଷ୍ଟବଳ ଏଏସ୍‌ କୃର୍ଷ୍ଣ, କନେଷ୍ଟବଳ କେ ଦିନେଶ ରାଜା, କନେଷ୍ଟବଳ ପି କୁମାର, ସେନାର କ୍ୟାପ୍‌ଟେନ୍‌ ବି ଜେ ରାଜେଶ, କ୍ୟାପଟେନ୍‌ ପି ସିଂହ, ଗନର ରଂଜିତ ସିଂହ, କ୍ୟାପ୍‌ଟେନ୍‌ ପି ରାଜକୁମାର, ନାୟବ ସୁବେଦାର ବିଜୟ କୁମାର ଯାଦବ, ମେଜର ପବନ ଗୌତମ୍‌, ଇଂଜିନିଅର ମହେଶ ଏଚଏନ୍‌, କ୍ୟାପ୍‌ଟେନ୍‌ ଅଭିନବ ଚୌଧୁରୀ, ଲାନ୍‌ସ ନାୟକ ଅୟୁବ୍‌ ଅଲୀ ଓ ମେଜର୍‌ ଅମିତ୍‌ କୁମାରୀ ଡିମରୀ ପ୍ରମୁଖଙ୍କୁ ଶୋର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା।

Categories
ଆଜିର ଖବର

ଏନ୍‌କାଉଣ୍ଟରରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଏନ୍‌କାଉଣ୍ଟରରେ ନିହତ ହୋଇଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍‌ ଓ ସଜ୍ଜାଦ । ଏହି ଦୁହିଁଙ୍କ ସହିତ ଜୈଶ୍‌-ଇ-ମହମ୍ମଦର ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରରେ ହୋଇଥିବା ଏନ୍‌କାଉଣ୍ଟରରେ ମୁଦାସୀର ଓ ସଜ୍ଜାଦ ନିହତ  ହୋଇଥିବା କୁହାଯାଉଛି। ତ୍ରାଲର ପିଙ୍ଗଲିଶ୍‌ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।  ଜୈଶ୍ ଆତଙ୍କବାଦୀ ମୁଦାସୀର ଅହମଦ୍ ଖାନ୍‌ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ଥିବାେବେଳେ ଏହି ଆତଙ୍କୀ ଆକ୍ରମଣରେ ବ୍ୟବହାର କରାଯାଇଥିବା କାର୍‌ର ମାଲିକ ଥିଲେ ସଜ୍ଜାଦ । ୨୩ ବର୍ଷୀୟ ମୁଦାସୀର ଜଣେ ଇଲେକ୍ଟ୍ରିସିଆନ୍‌। ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଲେକ୍ଟ୍ରିକାଲ୍‌ରେ ଆଇଟିଆଇ କରିଥିଲା ବୋଲି ସୂଚନା ମିଳିଛି । ପୁଲୱାମାରେ ଆକ୍ରମଣ ପାଇଁ ସେ ଗାଡ଼ି ଓ ବିସ୍ଫୋରକ ବ୍ୟବସ୍ଥା କରିଥିବା ସମସ୍ତ ପ୍ରମାଣ ତଦନ୍ତକାରୀ ସଂସ୍ଥାକୁ ମିଳିଛି।

Categories
ଆଜିର ଖବର

କାଶ୍ମୀରର କୁପୱାଡାରେ ୨ ଆତଙ୍କବାଦୀ ନିହତ : ସର୍ଚ୍ଚ ଅପରେସନ୍‌ ଜାରି

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଜାମ୍ମୁ ଓ କାଶ୍ମୀରରେ କିନ୍ତୁ ଭାରତୀୟ ସେନା ତାହାର ଅଭିଯାନ ବଜାୟ ରଖିଛି । ଆଜି ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ହିନ୍ଦୱାଡା ଅଂଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଭୀଷଣ ଏନକାଉଣ୍ଟର ପରେ ସେନା ୨ ଆତଙ୍କବାଦୀଙ୍କୁ ନିପାତ କରିଦେଇଛି । ସେନା ପକ୍ଷରୁ ନିକଟସ୍ଥ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେନା ପକ୍ଷରୁ ସୂଚନା ମିଳିଥିଲା ଯେ ହିନ୍ଦୱାଡାର ଲାଙ୍ଗେଟ ଅଂଚଳରେ କେତେକ ଆତଙ୍କବାଦୀ ଲୁଚିଛନ୍ତି । ଏହା ପରେ ସେନା ପକ୍ଷରୁ ସଂପୃକ୍ତ ଅଂଚଳକୁ ଘେରାଉ କରାଯାଇଥିଲା ଓ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଗୁଳିବିନିମୟରେ ୨ ଆତଙ୍କବାଦୀ ଟଳିପଡିଥିଲେ ।