Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଏମ୍ସ ଭୁବନେଶ୍ୱରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଏମ୍‌ସ ଭୁବନେଶ୍ୱରରେ ପାଳିତ ହୋଇଛି ୭୮ତମ ସ୍ୱାଧୀନତା ଦିବସ। ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଡ. ବିଶ୍ବାସ ସ୍ୱାସ୍ଥ୍ୟ, ଚିକିତ୍ସା ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଏହି ଅନୁଷ୍ଠାନ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଏକ ଉତ୍କର୍ଷ କେନ୍ଦ୍ର ପାଲଟିଥିବା ସେ ପ୍ରକାଶ କରିଥିଲେ।

ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଏମ୍‌ସ ଭୁବନେଶ୍ୱର ମଧ୍ୟ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ଏନେଇ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ଡ. ବିଶ୍ବାସ। ନିକଟରେ ଏହି ଅନୁଷ୍ଠାନକୁ ଏନ୍ଆଇଆରଏଫ୍ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରିଛି।

ଏହି ଅବସରରେ କର୍ତ୍ତବ୍ୟନିଷ୍ଠା ଏବଂ କର୍ମକୁଶଳତା ନିମନ୍ତେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ମଧ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମ୍ମାନିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ପରିବେଶକୁ ଭାବମୟ କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ, ଡିନ୍‌ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ୍ ମିଶ୍ର, ଡ. ସୌଭାଗ୍ୟ ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ସରକାର ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ। ବରିଷ୍ଠ ପ୍ରାଶାସନିକ ଅଧିକାରୀ ରଶ୍ମି ରଂଜନ ସେଠୀ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଏମ୍‌ସ ଭୁବନେଶ୍ୱରର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

୭୮ତମ ସ୍ୱାଧୀନତା ଦିବସ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପ୍ରମୁଖ ବିନ୍ଦୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଅଭିବୃଦ୍ଧିକୁ ଆକାର ଦେବା, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଦେଶକୁ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଅନେକ ଭବିଷ୍ୟତ ଉନ୍ମୁଖି ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପ୍ରମୁଖ ବିନ୍ଦୁଗୁଡ଼ିକ ହେଲା:

ସହଜ ଜୀବନଧାରଣ ମିଶନ: ମିଶନ ମୋଡରେ ‘ଇଜ୍ ଅଫ୍ ଲିଭିଂ’ (ସହଜ ଜୀବନ ଧାରଣ)କୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସ୍ୱପ୍ନ ବିଷୟରେ କହିଛନ୍ତି। ଶୃଙ୍ଖଳିତ ଆକଳନ ଏବଂ ଭିତ୍ତିଭୂମି ଓ ସେବାରେ ଉନ୍ନତି ମାଧ୍ୟମରେ ସହରାଞ୍ଚଳରେ ଜୀବନଧାରଣର ଗୁଣବତ୍ତାରେ ସୁଧାର କରିବାକୁ ସେ କହିଥିଲେ।

ନାଳନ୍ଦା ଭାବନାର ପୁନରୁଦ୍ଧାର : ପ୍ରଧାନମନ୍ତ୍ରୀ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟ ଭାବନାକୁ ପୁନରୁଦ୍ଧାର କରିବାକୁ ପ୍ରୟାସ କରିବାକୁ କହିଛନ୍ତି। ଉଚ୍ଚ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହିତ କରି ଭାରତକୁ ଏକ ବିଶ୍ୱ ଶିକ୍ଷା କେନ୍ଦ୍ର ଭାବରେ ସ୍ଥାନିତ କରିବାକୁ ସେ ଆହ୍ୱାନ ଦେଇଥିଲେ। ୨୦୨୪ରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଉଦଘାଟନ ଅବସରରେ ଏହା ଆରମ୍ଭ ହୋଇଛି।

ମେଡ୍ ଇନ୍ ଇଣ୍ଡିଆ ଚିପ୍ସେମିକଣ୍ଡକ୍ଟର ଉତ୍ପାଦନ : ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ବୈଷୟିକ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଲକ୍ଷ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବା ପାଇଁ ଭାରତର ପ୍ରତିବଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ।

ସ୍କିଲ୍ ଇଣ୍ଡିଆ : ବଜେଟ୍ ୨୦୨୪ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ଦେଶକୁ ବିଶ୍ୱର ଦକ୍ଷତା ବିକାଶ ରାଜଧାନୀ ଭାବେ ସ୍ଥାପିତ କରିବା ପାଇଁ ସରକାର ଘୋଷଣା କରିଥିବା ଐତିହାସିକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଶିଳ୍ପ ଉତ୍ପାଦନ କେନ୍ଦ୍ର: ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବିଶାଳ ସମ୍ବଳ ଏବଂ ଦକ୍ଷ ଶ୍ରମଶକ୍ତିର ଉପଯୋଗ କରି ଦେଶକୁ ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିଲେ।

ଭାରତରେ ଡିଜାଇନ୍, ବିଶ୍ୱ ପାଇଁ ଡିଜାଇନ୍’: ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଡିଜାଇନ କ୍ଷମତା ବୃଦ୍ଧି କରିବା ସହ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାର ଚାହିଦାକୁ ପୂରଣ କରୁଥିବା ଉତ୍ପାଦ ତିଆରି କରିବାକୁ ଅନୁରୋଧ କରିଥିଲେ।

ବିଶ୍ୱ ଗେମିଂ ମାର୍କେଟରେ ଅଗ୍ରଣୀ: ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏହାର ସମୃଦ୍ଧ ପ୍ରାଚୀନ ପରମ୍ପରା ଏବଂ ସାହିତ୍ୟର ଉପଯୋଗ କରି ମେଡ୍ ଇନ୍ ଇଣ୍ଡିଆ ଗେମିଂ ଉତ୍ପାଦ ଆଣିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ପେସାଦାରମାନେ କେବଳ ଖେଳିବା ରେ ନୁହେଁ ବରଂ ଖେଳ ସାମଗ୍ରୀ ଉତ୍ପାଦନରେ ମଧ୍ୟ ବିଶ୍ୱ ଗେମିଂ ବଜାରର ନେତୃତ୍ୱ ନେବା ଉଚିତ ଏବଂ ଭାରତୀୟ ଖେଳଗୁଡିକ ବିଶ୍ୱବ୍ୟାପୀ ନିଜର ପରିଚୟ ସୃଷ୍ଟି କରିବା ଉଚିତ୍।

ସବୁଜ ନିଯୁକ୍ତି ଏବଂ ସବୁଜ ହାଇଡ୍ରୋଜେନ ମିଶନ: ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତର ପ୍ରୟାସରେ ସବୁଜ ନିଯୁକ୍ତି ର ଗୁରୁତ୍ୱ ଉପରେ ଜୋର୍‌ ଦେଇଛନ୍ତି। ସେ କହିଥିଲେ ଯେ ଦେଶର ଧ୍ୟାନ ଏବେ ସବୁଜ ଅଭିବୃଦ୍ଧି ଏବଂ ସବୁଜ ନିଯୁକ୍ତି ଉପରେ ରହିଛି, ଯାହା ପରିବେଶ ସୁରକ୍ଷାରେ ଯୋଗଦାନ ଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ସବୁଜ ହାଇଡ୍ରୋଜେନ ଉତ୍ପାଦନ ଏବଂ ପରିବେଶ ସଂରକ୍ଷଣ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ସୁସ୍ଥ ଭାରତ ମିଶନ: ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତକୁ ରାଷ୍ଟ୍ରୀୟ ପୋଷଣ ଅଭିଯାନର ଶୁଭାରମ୍ଭ ସହିତ ଆରମ୍ଭ ହୋଇଥିବା ‘ସୁସ୍ଥ ଭାରତ’ ପଥରେ ଆଗକୁ ବଢ଼ିବାକୁ ପଡ଼ିବ।

ରାଜ୍ୟସ୍ତରୀୟ ନିବେଶ ପ୍ରତିଯୋଗିତା: ପୁଞ୍ଜିନିବେଶ ଆକୃଷ୍ଟ କରିବା, ସୁଶାସନର ପ୍ରତିଶ୍ରୁତି ଦେବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶ୍ୱାସ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରମାନେ ସ୍ପଷ୍ଟ ନୀତି ପ୍ରଣୟନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଗ୍ଲୋବାଲ ବେଞ୍ଚମାର୍କ ଭାବରେ ଭାରତୀୟ ମାନକ: ଗୁଣବତ୍ତା ପ୍ରତି ପ୍ରତିବଦ୍ଧତା ପାଇଁ ଭାରତର ସ୍ୱୀକୃତି ପାଇବାର ଆକାଂକ୍ଷା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତୀୟ ମାନକ ଅନ୍ତର୍ଜାତୀୟ ମାନଦଣ୍ଡ ରେ ପରିଣତ ହେବାର ଇଚ୍ଛା ରଖିବା ଉଚିତ୍।

ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ :୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବା ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ସେ ଉଲ୍ଲେଖ କରି କହିଥିଲେ ଯେ ଜି-୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ହେଉଛି ଏକମାତ୍ର ଦେଶ ଯିଏ ପ୍ୟାରିସ୍ ଚୁକ୍ତି ଲକ୍ଷ୍ୟ ପୂରଣ କରିଛି।

ଡାକ୍ତରୀ ଶିକ୍ଷା ସମ୍ପ୍ରସାରଣ: ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୫ ବର୍ଷ ମଧ୍ୟରେ ୭୫,୦୦୦ ନୂତନ ମେଡିକାଲ ସିଟ୍ ଯୋଡିବାକୁ ଯୋଜନା ଘୋଷଣା କରିଛନ୍ତି, ଯାହା ଦେଶର ଡାକ୍ତରୀ ଶିକ୍ଷା ସିଟ୍‌ କ୍ଷମତା ବୃଦ୍ଧି କରିବା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ବଢୁଥିବା ଚାହିଦାକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି।

ରାଜନୀତିରେ ଯୁବପିଢ଼ିଙ୍କୁ ସାମିଲ କରିବା : ପ୍ରଧାନମନ୍ତ୍ରୀ ମୋଦୀ ୧ ଲକ୍ଷ ଯୁବକଙ୍କୁ ରାଜନୈତିକ ବ୍ୟବସ୍ଥାରେ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି, ବିଶେଷକରି ଯେଉଁମାନଙ୍କ ପରିବାରରେ ରାଜନୀତିର କୌଣସି ଇତିହାସ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବାରବାଦ ଏବଂ ଜାତିବାଦର କୁସଂସ୍କାର ବିରୋଧରେ ଲଢ଼ିବା ଏବଂ ଭାରତର ରାଜନୀତିରେ ନୂଆ ପିଢ଼ିକୁ ସାମିଲ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

Categories
ଆଞ୍ଚଳିକ

ଟାଙ୍ଗୀ: ସ୍ଵାଧୀନତା ଦିବସରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କଲେ ୧୯୯୭ ବ୍ୟାଚର ବିଦ୍ୟାର୍ଥୀ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମଦେବ ବିଦ୍ୟାପୀଠରେ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପୁରାତନ (୧୯୯୭ ବ୍ୟାଚ) ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଉକ୍ତ ଉତ୍ସବରେ ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି।

ତେବେ ଷଷ୍ଠ ଶ୍ରେଣୀର ସ୍ଵୟମ ବେହେରା, ସପ୍ତମ ଶ୍ରେଣୀର ଜସ୍ମିନ ପ୍ରଧାନ, ଅଷ୍ଟମ ଶ୍ରେଣୀର ଅଂଶୁମାନ ବେହେରା, ନବମ ଶ୍ରେଣୀର ଶୁଭଲକ୍ଷ୍ମୀ ସାମନ୍ତରାୟ ଏବଂ ଦଶମ ଶ୍ରେଣୀରେ ୫୫୨ ନମ୍ବର ସହ ଏ-୧ ଗ୍ରେଡ ହାସଲ କରି ବିଦ୍ୟାଳୟର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦେବାଶିଷ ବେହେରାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୬୩ ନମ୍ବର ସହ ଏ-୧ ଗ୍ରେଡ ହାସଲ କରି ସମଗ୍ର ଟାଙ୍ଗୀ ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଥିବା ସ୍ୱୟମ୍ ପ୍ରକାଶ ମହାପାତ୍ରଙ୍କୁ ଟ୍ରଫି ସହ ୭ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟର ୧୯୯୭ ବ୍ୟାଚର ପୁରାତନ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି। କେବଳ ପାଠ ପଢାରେ ନୁହେଁ ପିଲାମାନଙ୍କର ଅନ୍ୟ ପ୍ରତିଭା ଯଥା- ଖେଳ, ସଙ୍ଗୀତ, କଳା ଇତ୍ୟାଦି କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଓ ଦକ୍ଷତା ଥିବା ପିଲାମାନଙ୍କୁ ସମ୍ମାନିତ କରିବା ପାଇଁ ସେମାନେ ଗତ କିଛିବର୍ଷ ହେବ ପ୍ରୟାସ ଜାରି ରଖିଛନ୍ତି। ତେଣୁ ସେମାନେ ବିଦ୍ୟାଳୟର ମେଧାବୀ ଏବଂ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଆସୁଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱଜିତ୍ ପଲେଇ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ୧୯୭୮ ବ୍ୟାଚର ପୁରାତନ ଛାତ୍ର ରମେଶ କୁମାର ବଳବନ୍ତରାୟ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ବାରିକ ଓ ଅନ୍ୟମାନେ ଯୋଗ ଦେଇଥିଲେ।

୧୯୯୭ ବ୍ୟାଚର ପୁରାତନ ବିଦ୍ୟାର୍ଥୀମାନେ ପ୍ୟାରେଡ୍ ପରିଦର୍ଶନ କରିବା ସହିତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଭୁବନେଶ୍ୱର: ଆଜି ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସେ ପ୍ରଥମ ଥର ପାଇଁ ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି। ସମାରୋହରେ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ପାଇକ ବିଦ୍ରୋହ ଥିଲା ଦେଶର ଇତିହାସର ଏକ ଅନନ୍ୟ ଅଧ୍ୟାୟ। ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଓଡିଶାରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।

ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାଙ୍କ ପ୍ରତି ମୋର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ପ୍ରତିରକ୍ଷା ବାହିନୀର ବୀର ସୈନିକ ଓ ସୁରକ୍ଷା ବାହିନୀର ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଭାରତର ସ୍ଵାଧୀନତା ସଂଗ୍ରାମ ସାରା ବିଶ୍ଵ ଇତିହାସରେ ଏକ ଅନନ୍ୟ ଅଧ୍ୟାୟ। ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ସଂଗ୍ରାମର ଆହ୍ବାନ, ଇଂରେଜ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲା। ସେ ସଂଗ୍ରାମ, ତ୍ୟାଗ ଓ ବଳିଦାନ ସ୍ୱରୂପ ଆଜି ଆମେ ଏକ ସ୍ଵାଧୀନ ଦେଶର ନାଗରିକ ଭାବରେ ବିଶ୍ଵ ଦରବାରରେ ପ୍ରତିଷ୍ଠା ଲାଭ କରିଛୁ। ଆଜିର ଦିବସ ହେଉଛି, ଆମର ମହାନ୍ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଜୀବନରୁ ଅନୁପ୍ରେରଣା ନେଇ ଦେଶର ପ୍ରଗତି ପାଇଁ ନିଜକୁ ପୁନଃ-ପ୍ରତିବଦ୍ଧ କରିବାର ଦିନ।

ଏହା ଭିତରେ ୭୭ ବର୍ଷ ବିତିଗଲାଣି। ଦେଶ ଏବେ ଅମୃତ କାଳ ଦେଇ ଗତି କରୁଛି। ଏହି ଅମୃତ କାଳ ମଧ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ, ଭାରତ ଏବେ ବିଶ୍ଵର ସବୁଠାରୁ ଦୃତ ଅଭିବୃଦ୍ଧି ସମ୍ପନ୍ନ ଦେଶ ଭାବରେ ସମଗ୍ର ବିଶ୍ଵରେ ପ୍ରତିଷ୍ଠା ହାସଲ କରି ଚାଲିଛି। ଦେଶର ଅର୍ଥନୀତି ଆଜି ପ୍ରାୟ ଚାରି ଟ୍ରିଲିୟନ ଡଲାରରେ ପହଞ୍ଚି ସାରିଲାଣି। ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଆଉ ଅଳ୍ପ କିଛି ବର୍ଷ ମଧ୍ୟରେ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ।

ମାତ୍ର ଦଶ ବର୍ଷ ଭିତରେ ଭାରତବର୍ଷ ବିଶ୍ଵ ଅର୍ଥନୀତିରେ ଏକାଦଶ ସ୍ଥାନରୁ ଆସି, ଆଜି ବିଶ୍ଵର ପଞ୍ଚମ ବୃହତ୍ ଅର୍ଥନୀତିରେ ପହଞ୍ଚି ପାରିଛି। ଖୁବ୍ ଶୀଘ୍ର ବିଶ୍ଵର ଶ୍ରେଷ୍ଠ ତିନିଟି ଅର୍ଥନୀତି ମଧ୍ୟରେ ଆମେ ସ୍ଥାନ ହାସଲ କରିବୁ।

ଆତଙ୍କବାଦ ଦମନ ଓ ନକ୍ସଲ ଦମନ କ୍ଷେତ୍ରରେ ମଧ୍ୟ ଆମେ ଉଚ୍ଚ ସଫଳତା ହାସଲ କରିଛୁ। ସାରା ବିଶ୍ଵ ଆଜି ବିଭିନ୍ନ କ୍ଷେତ୍ରରେ ଭାରତର ନେତୃତ୍ବ ଆଶା କରୁଛି ଓ ତାର ନେତୃତ୍ବକୁ ସମ୍ମାନ ମଧ୍ୟ ଦେଉଛି। ଭାରତର ସ୍ୱାଧୀନତାର ଶତବାର୍ଷିକୀ ଅବସରରେ, ୨୦୪୭ ମସିହା ସୁଦ୍ଧା ଆମେ ନିଶ୍ଚିତ ଭାବରେ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇବୁ ଏବଂ ଭାରତକୁ ବିଶ୍ୱଗୁରୁ ହେବାର ଲକ୍ଷ୍ୟ ନିଶ୍ଚୟ ପୂରଣ କରିବୁ।

ଆଜିର ଦିନଟି ଆମ ଓଡ଼ିଶା ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଓଡ଼ିଶା ଆଜି ପରିବର୍ତ୍ତନର ପଥରେ ଯାତ୍ରା ଆରମ୍ଭ କରିଛି। ଓଡ଼ିଶାବାସୀ ପ୍ରଚାର ସର୍ବସ୍ୱ ବିକାଶର ରାସ୍ତାରୁ ବାହାରି ଆଜି କର୍ମ ସର୍ବସ୍ୱ ବିକାଶ ପାଇଁ ରାସ୍ତା ବାଛିଛନ୍ତି। ଆତ୍ମା ବିହୀନ ଗତିକୁ ଅସ୍ବୀକାର କରି ଅସ୍ମିତାକୁ ସ୍ବୀକାର କରିଛନ୍ତି।

ଓଡ଼ିଶାବାସୀ ସ୍ଵାଭିମାନୀ। ଇତିହାସ ଏହାର ସାକ୍ଷୀ ରହିଛି। ଏଇ ମାଟି ଦିନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିଥିଲା। ଅଶୋକ, କଳିଙ୍ଗ ମାଟିର ଇତିହାସ ପରିବର୍ତ୍ତନ କରିବାକୁ ଆସିଥିଲେ। କିନ୍ତୁ ଆମେ ତାଙ୍କର ହୃଦୟ ପରିବର୍ତ୍ତନ କରିଦେଇଥିଲେ। ଏହାର ଅନେକ ବର୍ଷ ପରେ ସମ୍ରାଟ ଖାରବେଳ ମଗଧ ବିଜୟ କରି କଳିଙ୍ଗର ପରାକାଷ୍ଠା ଦେଖାଇ ଥିଲେ।

ସମ୍ରାଟ କପିଳେନ୍ଦ୍ର ଦେବ ଗଙ୍ଗାଠାରୁ ଗୋଦାବରୀ ଜୟ କରି ବିରତ୍ଵ ଓ ସାହସିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ।

ମନେ ପକାନ୍ତୁ ସେହି ସମୟକୁ, ଯେତେବେଳେ ବ୍ରିଟିଶ ଶାସନ ସମୟରେ ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ପ୍ରଦେଶରେ ମିଶି ରହିଥିଲା। ଓଡ଼ିଶାର ଆତ୍ମା ଭୁଲୁଣ୍ଠିତ ହୋଇଥିଲା।

ଆଉ ସେତେବେଳେ ଆମର ଓଡ଼ିଆ ବରପୁତ୍ର ମାନେ, ଯଥା- ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଆହୁରି ଅନେକ ନେତୃବୃନ୍ଦଙ୍କ ସଂଗ୍ରାମ ଆମ ପାଇଁ ସ୍ଵତନ୍ତ୍ର ରାଜ୍ୟ ପ୍ରତିଷ୍ଠା କରିବାର ରାସ୍ତା ଫିଟାଇ ଥିଲା। କର୍ମବୀର ଗୌରୀଶଙ୍କର ରାୟ, ରାଧାନାଥ ରାୟ, ଫକୀର ମୋହନ ସେନାପତି ଓ ଗଙ୍ଗାଧର ମେହେରଙ୍କ ପରି ଲେଖକ, ସାହିତ୍ୟିକ ଓ କବି ମାନେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରି ସ୍ଵତନ୍ତ୍ର ଓଡ଼ିଶା ଗଠନର ସଂଗ୍ରାମକୁ ଶକ୍ତି ଦେଇଥିଲେ।

ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶକୁ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ମଧ୍ୟ ରାସ୍ତା ଦେଖାଇ ଥିଲା।

ଆମର ଇତିହାସ ଗୌରବମୟ। ଆମର ସଂସ୍କୃତି ଅତୁଳନୀୟ।

ଯେତେବେଳେ ବି ଓଡ଼ିଆ ଅସ୍ମିତା ଉପରେ କୁଠାରାଘାତ ହୋଇଛି, ସେତେବେଳେ ଏ ଜାତିରେ ନୂଆ ଜାଗରଣ ଆସିଛି। ଓଡ଼ିଆ ଜାତି ସଂଗ୍ରାମ କରି ନିଜ ଅସ୍ମିତାର ପୁନଃ ପ୍ରତିଷ୍ଠା କରିଛି।

ଆଜି ଆମ ପାଇଁ ଆହ୍ୱାନ ଓ ଜାଗରଣର ଦିନ। ଓଡ଼ିଆ ଜାତି ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛି। ଓଡିଆ ଅସ୍ମିତା ଓ ସ୍ବାଭିମାନ ସହିତ ବିକାଶର ଶିଖର ଛୁଇଁବାକୁ ଶପଥ ନେଇଛି। ଏହି ନୂଆ ଯାତ୍ରାରେ ଆମକୁ ଯେଉଁ ଦାୟିତ୍ଵ ମିଳିଛି, ଆମେ ତାକୁ କାୟ, ମନ ଓ ବାକ୍ୟରେ ପାଳନ କରିବୁ।

ମୁଁ, ମାଟିର ମଣିଷ। ଏ ମାଟି, ମୋର ମା’ । ମୁଁ, ଖାଣ୍ଟି ଓଡ଼ିଆ। ମୋ ମାଟିର ସ୍ବାର୍ଥ ପାଇଁ, ମୁଁ ଲଢେଇ କରିବା ଜାଣିଛି। ମୋ ମାଟିର ପୁଅ ଝିଅଙ୍କ ପାଇଁ କାମ କରିବା ଜାଣିଛି। ମୁଁ ବଡ଼ ବଡ଼ ସ୍ବପ୍ନ ଦେଖାଇବାରେ ବିଶ୍ବାସ କରେ ନାହିଁ । କିନ୍ତୁ ଯାହା ପ୍ରତିଶ୍ରୁତି ଦେବି, ତାକୁ ନିଶ୍ଚୟ ପାଳନ କରିବି। ଆପଣଙ୍କ ସରକାର ଆପଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ଗୋଟିଏ ଗୋଟିଏ କରି ପାଳନ କରି ଚାଲିଛନ୍ତି, ଆମର ପ୍ରତିଶୃତି ପଥରରେ ଅଙ୍କା ହୋଇଥିବା ଚିତ୍ର ପରି।

ମହାପ୍ରଭୁଙ୍କ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲିବା ଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା, ଓଡ଼ିଆ ଅସ୍ମିତା ପାଇଁ ପାଣ୍ଠି ସୃଷ୍ଟି କରିବା, ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରଶାସନକୁ ପ୍ରସ୍ତୁତ କରିବା ଆଦି ଅନେକ ପ୍ରତିଶୃତି ଆମେ ପ୍ରଥମ ୬୦ ଦିନରେ ପାଳନ କରିସାରିଛୁ।

ଆମର କୃଷକ ଭାଇ ଭଉଣୀମାନଙ୍କ ଆର୍ଥିକ ଉନ୍ନତି ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ଆମର ମୁଖ୍ୟ ସଂକଳ୍ପ। ଶାସନର ୧୦୦ ଦିନ ମଧ୍ୟରେ ସେ ଦୁଇଟି ପ୍ରତିଶୃତି ପୂରଣ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ବଜେଟରେ ଏଥିପାଇଁ ବିଧିବଦ୍ଧ ଭାବେ ଅର୍ଥ ବରାଦ କରାଯାଇଛି। ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ସାରା ଦେଶରେ ସର୍ବାଧିକ।
ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ଅର୍ଥ ବରାଦ କରାଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମ ଦିବସ ଅବସରରେ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କ ଗରିମାମୟ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରାଯିବା ପାଇଁ କାର୍ଯ୍ୟକ୍ରମ ରଖାଯାଇଛି।

ଆମର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡ଼ିଶାର ଗ୍ରାମାଞ୍ଚଳର ଅର୍ଥନୀତିକୁ ଚଳଚଞ୍ଚଳ କରିବ ଏବଂ ଆମକୁ ବିକାଶ ପଥରେ ଆଗେଇ ନେବ। ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡିଶା ସମୃଦ୍ଧ ହେବ।

କେବଳ କୃଷକ ଓ ମହିଳା ନୁହେଁ, ସମାଜର ସବୁ ବର୍ଗର ସାମଗ୍ରିକ ଉନ୍ନତି ଆମର ଲକ୍ଷ୍ୟ। ସେଥିପାଇଁ, ଆଦିବାସୀବହୁଳ ଜିଲ୍ଲା ମାନଙ୍କର ସାମୁହିକ ବିକାଶ ପାଇଁ PESA ଆଇନ ଲାଗୁ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ। ତୃଣମୂଳସ୍ତରରୁ ବିକାଶର ଇଞ୍ଜିନକୁ ଆଗେଇ ନେବାପାଇଁ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ଯୋଜନା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ, ଯାହା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବ ଏବଂ ଆଗାମୀ ଦିନରେ ବିକଶିତ ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶ ପାଇଁ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ର ଗୁରୁ ମନ୍ତ୍ର ଦେଇଛନ୍ତି। ସେଇ ମନ୍ତ୍ରରେ ଦୀକ୍ଷିତ ହୋଇ, ସମସ୍ତଙ୍କୁ ସାମିଲ କରି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶୃତିବଦ୍ଧ।

ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ, ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଗରୀବ ଲୋକଙ୍କ କଲ୍ୟାଣ- ଏ ସବୁ ଲକ୍ଷ୍ୟ ପୂରଣ ପାଇଁ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଖାଲି ପଡିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତାହାସହିତ ଆଗାମୀ ୫ ବର୍ଷରେ ଓଡିଶାର ଯୁବକଯୁବତୀ ମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ।

ରାଜ୍ୟରେ ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଖରେ ସହଜ ଭାବରେ ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି, ଯେଉଁଥିରେ କୌଣସି ଯୋଗ୍ୟ ବ୍ୟକ୍ତି ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ ।

ଆମର ବିକାଶର ରାସ୍ତାରେ ଆମେ ୩ଟି ବଡ ମାଇଲଖୁଣ୍ଟ ଧାର୍ଯ୍ୟ କରିଛୁ। ୨୦୨୯, ୨୦୩୬ ଓ ୨୦୪୭। ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଏହି କ୍ରମରେ ବିକଶିତ ଭାରତର ବିସ୍ତୃତ ସ୍ୱରୂପ ମଧ୍ୟରେ ଆମକୁ ଓଡିଶାର ବିକାଶକୁ ଆଗେଇ ନେଇ ୨୦୩୬ ମଧ୍ୟରେ ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିବାକୁ ପଡିବ।

ଆମର ଚିନ୍ତା ଓ ଚେତନାରେ କେବଳ ଗୋଟିଏ ଲକ୍ଷ୍ୟ ରହିଛି। ତାହା ହେଉଛି, ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରି ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବା।

ଏଥିପାଇଁ ଆମେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ପୂର୍ବୋଦୟ’ ଉପରେ ଅନେକ ଗୁରୁତ୍ବାରୋପ କରି ଆସୁଛନ୍ତି। ଦେଶର ବିକାଶର ରେଳ ଗାଡ଼ିରେ ଓଡ଼ିଶା ପ୍ରଥମ ବଗି ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତେଣୁ ବିକାଶର ଡବଲ ଇଞ୍ଜିନ ମଡେଲ ଯେ ଓଡ଼ିଶାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ, ଏଥିରେ ସନ୍ଦେହ ନାହିଁ।

ଓଡ଼ିଶାକୁ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ଦ୍ୱାରଦେଶ ରୂପେ ବିକଶିତ କରିବା ଆମର ଲକ୍ଷ୍ୟ। ସେଥିପାଇଁ ୪୮୦ କିଲୋମିଟର ସୁଦୀର୍ଘ ବେଳାଭୂମିର ସୁବିନିଯୋଗ କରି ବନ୍ଦର ଓ ବନ୍ଦର ଭିତ୍ତିକ ଶିଳ୍ପର ବିକାଶ ପାଇଁ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ।

ଏଥିପାଇଁ ସଡ଼କ ପଥ, ରେଳପଥ, ଶିଳ୍ପାଞ୍ଚଳ, ବିଦ୍ୟୁତ୍ ଗ୍ରୀଡ ଆଦି ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ। ନିକଟରେ ରେଳ ମନ୍ତ୍ରାଳୟ, ଓଡ଼ିଶା ପାଇଁ ୬ଟି ଗୁରୁତ୍ଵପୂର୍ଣ୍ଣ ରେଳପଥ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଏହି ୬ ଗୋଟି ପ୍ରକଳ୍ପ ଦକ୍ଷିଣ ତଥା ଉତ୍ତର ଓଡିଶାର ଅନେକ ଆଦିବାସୀ ବହୁଳ ଜିଲ୍ଲାମାନଙ୍କୁ ରେଳପଥରେ ସଂଯୋଗ କରି, ବିକାଶ ପଥରେ ସାମିଲ ହେବାର ପଥ ଉନ୍ମୁକ୍ତ କରିବ।

ଏହାସହିତ ଓଡିଶାରେ ନୂତନ ଜାତୀୟ ରାଜପଥର ନିର୍ମାଣ ତଥା ଉନ୍ନତିକରଣ ପାଇଁ ୨୧,୬୫୦ କୋଟି ଟଙ୍କାର ବହୁବିଧ ପ୍ରକଳ୍ପ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ୫୦ ହଜାର କୋଟିରୁ ଅଧିକ ଟଙ୍କାର ରାଜପଥ ନିର୍ମାଣ ପାଇଁ ପ୍ରସ୍ତାବ ଭାରତ ସରକାରଙ୍କୁ ଦିଆଯାଇଛି। ଓଡ଼ିଶାର ବେଳାଭୂମି ଓ ଜଳ ସମ୍ପଦର ବିକାଶ ମାଧ୍ୟମରେ ନୀଳ ଅର୍ଥନୀତି (Blue Economy)ର ବିକାଶ ମଧ୍ୟ ଆମର ଅନ୍ୟତମ ଲକ୍ଷ୍ୟ।

ଅନୁସୂଚିତ ଜାତି ଓ ଜନଜାତି ହେଉଛନ୍ତି ଆମ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସେମାନଙ୍କ ବିକାଶ ନିତାନ୍ତ ଆବଶ୍ୟକ। ସେଥିପାଇଁ ଆମେ ଅନେକ ଯୋଜନା ଆରମ୍ଭ କରିଛୁ।

ଆଗାମୀ ପାଞ୍ଚ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ‘ଆଦର୍ଶ ଆଦିବାସୀ ଗ୍ରାମ’ ଯୋଜନାରେ ବିକଶିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଛୁ। ‘ପି. ଏମ. ଜନମନ୍’ ଯୋଜନାରେ ‘ବିଶେଷ ଭାବରେ ଅନୁନ୍ନତ ଜନଜାତି’(PVTG) ବର୍ଗର ଜନଜାତି ମାନଙ୍କର ସାମଗ୍ରିକ ବିକାଶ କରାଯିବ। ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଜରିଆରେ ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ରୋଜଗାର ଓ ଜୀବିକାର ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ। ଜନଜାତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଡ୍ରପ ଆଉଟ୍ ହାର ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ପାଠପଢା ଅଧାରୁ ସ୍କୁଲ ଛାଡିବା ସମସ୍ୟା ଦୂର ହୋଇପାରିବ।

ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ। ସେଥିପାଇଁ ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ଯୁଗୋପଯୋଗୀ ପ୍ରଶିକ୍ଷଣ ଯୋଗାଇବା ଅତ୍ୟନ୍ତ ଆବଶ୍ୟକ। ଆଧୁନିକ ଶିଳ୍ପର ଚାହିଦା ଅନୁଯାୟୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆମେ ଗ୍ରହଣ କରିଛୁ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆମେ କୌଶଳ ଭବନ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେଇଛୁ।

କ୍ରୀଡାର ବିକାଶ ବିନା ଯୁବଶକ୍ତିର ବିକାଶ ଅସମ୍ଭବ। ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ଦେଶର ଗୌରବ ବଢାଇଛନ୍ତି। ଆଜିର ପବିତ୍ର ଦିନରେ ପୁଣି ଥରେ ଭାରତୀୟ ପୁରୁଷ ହକି ଦଳକୁ ମୁଁ ଅଭିନନ୍ଦନ ଜଣାଉଛି। ହକି ଦଳର ଓଡିଆ ଖେଳାଳୀ ଅମିତ୍ ରୋହିଦାସଙ୍କ ପାଇଁ ସାରା ଓଡିଶା ଆଜି ଗର୍ବିତ।

ରାଜ୍ୟରେ କ୍ରୀଡାର ବିକାଶ ପାଇଁ ୧୦୦୦ କୋଟି ଟଙ୍କାରେ ୧୨୦ ଏକର ଅଞ୍ଚଳ ପରିବ୍ୟାପ୍ତ ଏକ ନୂତନ ବିଶ୍ବସ୍ତରୀୟ ବହୁମୁଖୀ ଷ୍ଟାଡିଅମ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ Indoor Velodrome, Mountain Biking, Swimming Pool, Football Ground, Archery Arena, Badminton Court ତଥା Fitness Park, ଯେଉଁଥିରେ ଖେଳାଳୀ ମାନଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଭ୍ୟାସ କରିପାରିବେ । ଏହାସହିତ ଆମେ ପ୍ରତି ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଜାତୀୟ ସ୍ତରୀୟ ଷ୍ଟାଡିଅମ ନିର୍ମାଣ କରିବାକୁ ଯାଉଛୁ।

ଭାରତୀୟ ହକି ଦଳକୁ ଓଡିଶାର ସ୍ପନ୍‌ସର୍‌ସିପ୍‌ ସମୟସୀମାକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ରାଜ୍ୟର ମେଧାବୀ କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ‘ଖେଳ ରତ୍ନ ଖୋଜା ଅଭିଯାନ’ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛୁ।

ଦେଶର ସୁରକ୍ଷା କ୍ଷେତ୍ରରେ ଅଗ୍ନିବୀର୍‌ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଦେଶର ଯୁବସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସେଥିପାଇଁ ଓଡିଶାର ଯେଉଁ ଅଗ୍ନିବୀର୍‌ମାନେ ନିଜ କାର୍ଯ୍ୟକାଳ ଅବଧି ପରେ ସେନା ବାହିନୀରେ ଭର୍ତ୍ତି ହୋଇନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ, ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆମର ଏହି ସବୁ ଯୋଜନା ମାଧ୍ୟମରେ ଓଡିଶାର ପ୍ରତ୍ୟେକ ସ୍ତରରେ ବିକାଶର ଏକ ନୂଆ ଧାରା ସୃଷ୍ଟି ହେବ।

୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟରେ ଶିଳ୍ପର ବହୁଳ ବିକାଶ କରାଯିବ, ଯେଉଁଥିରେ Semi Conductor ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଗାମୀ ଦୁଇ ଦଶନ୍ଧି ଓଡିଶା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ।

ସେଥିପାଇଁ, ଆମେ ଦୁଇଟି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛୁ। ଗୋଟିଏ ୨୦୩୬ ପାଇଁ ଓ ଆଉ ଗୋଟିଏ ୨୦୪୭ ପାଇଁ। ଏହା ଓଡିଶାର ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ କରାଯିବ।

ଏଥିପାଇଁ, ଆମେ ଏକ ୱେବ ପୋର୍ଟାଲ ପ୍ରସ୍ତୁତ କରୁଛୁ। ଓଡ଼ିଶାର ଜନ ସାଧାରଣ, ବୁଦ୍ଧିଜୀବୀ ଓ ବିଶେଷଜ୍ଞ ମାନଙ୍କୁ ମତାମତ ପ୍ରଦାନ କରିବା ପାଇଁ ମୁଁ ଆହ୍ୱାନ କରୁଛି। ବିକଶିତ ଓଡ଼ିଶାର ରୂପରେଖ ଆପଣମାନେ ହିଁ ପ୍ରସ୍ତୁତ କରିବେ। ଆଉ ଆପଣମାନେ ହିଁ ନିଜର ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ଦ୍ବାରା ଏହି ଲକ୍ଷ୍ୟ ହାସଲ କରିପାରିବେ।

ସେହି ସ୍ଵର୍ଣ୍ଣିମ ଅଧ୍ୟାୟର ଉପକ୍ରମ ଏହି ୫ ବର୍ଷ ମଧ୍ୟରେ ଲେଖିବାକୁ ହେବ। ଆମ ପାଖରେ ସମୟ ବହୁତ କମ୍‌। ରାଜ୍ୟବାସୀ ଆମକୁ ଯେଉଁ ସୁଯୋଗ ଦେଇଛନ୍ତି, ତା’ର ପ୍ରତି ମିନିଟ୍, ପ୍ରତି ସେକେଣ୍ଡର ସଦୁପଯୋଗ କରିବା ପାଇଁ ଆମେ ସଂକଳ୍ପବଦ୍ଧ।

ଆମ ସରକାର ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପଦ୍ଧତି ଉପରେ ଅଗାଢ ବିଶ୍ୱାସ କରେ। ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସମସ୍ତ ଯୋଜନା, ସମସ୍ତ ଆଭିମୁଖ୍ୟ ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସଞ୍ଚାଳିତ ହେବା ଆବଶ୍ୟକ। ସେଥିପାଇଁ, ଆମ ସରକାର ପ୍ରତି ସପ୍ତାହରେ, ଲୋକଙ୍କ ଅଭିଯୋଗ ଶୁଣି, ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି।

ଆପଣମାନେ ଜାଣନ୍ତି, ୧୯୭୫ର ଏମର୍ଜେନ୍‌ସି, ସ୍ୱାଧୀନୋତ୍ତର ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ। ‘ମିସା’ ଆଇନ ବଳରେ ଯେଉଁ ଦେଶପ୍ରେମୀମାନଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିଥିଲା, ସେମାନଙ୍କୁ ଆମର ସମ୍ମାନ ଜଣାଇବା ପାଇଁ, ଆମ ସରକାର ପେନ୍‌ସନ୍‌, ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ଫ୍ରି ବସ୍‌ ପାସ୍‌ ସୁବିଧା କରିବେ।

ସ୍ୱାଧୀନତାର ପରିଭାଷା ବ୍ୟାପକ। ରାଜନୈତିକ ସ୍ୱାଧୀନତା ସହିତ ଆର୍ଥିକ ସ୍ୱାଧୀନତା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ, ଆମର ବୌଦ୍ଧିକ ସ୍ୱାଧୀନତା ଓ ଆଧ୍ୟାତ୍ମିକ ସ୍ୱାଧୀନତାର ମଧ୍ୟ ଗୁରୁତ୍ୱ ରହିଛି।

ବୌଦ୍ଧିକ ଓ ଆଧ୍ୟାତ୍ମିକ ସ୍ତରରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି। ଏହି ପରିଚୟକୁ ଆହୁରି ଉଜ୍ଜ୍ୱଳ କରିବାର ସମୟ ଆସିଛି। ବିଶ୍ୱଗୁରୁ ଭାରତ, ଆଧ୍ୟାତ୍ମିକ କ୍ଷେତ୍ରରେ ସାରା ବିଶ୍ୱକୁ ସଚେତନ କରି ଶାନ୍ତି, ମୈତ୍ରୀ ଓ ସଦ୍‌ଭାବନା ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି।

ଏଥିପାଇଁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତବାସୀଙ୍କୁ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଏକ ମନ ଓ ଏକ ପ୍ରାଣ ହୋଇ କାମ କରିବାକୁ ପଡିବ। ବିଶ୍ୱସ୍ତରରେ ନିଜର ପରାକାଷ୍ଠା ଦେଖାଇବାକୁ ପଡିବ। ଆମର ଚିନ୍ତାଧାରାକୁ ବିଶ୍ୱସ୍ତରୀୟ କରିବାକୁ ହେବ।

ଆସନ୍ତୁ, ଆଜି ଆମର ସବୁ ସ୍ବପ୍ନ, ସବୁ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ ସମସ୍ତେ ମିଳିମିଶି ଭାରତ ମାତାର ସେବା କରିବା ପାଇଁ ଏବଂ ଓଡିଶାର ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧ ହୋଇ କାମ କରିଚାଲିବା।

Categories
ଆଜିର ଖବର ଜାତୀୟ ଖବର

ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇଲେ ଆଇଟିବିପି ଯବାନ୍‌

ନୂଆଦିଲ୍ଲୀ: ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ ଉପରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଆଇଟିବିପିର ଯବାନ। ଲଦାଖ ସୀମାରେ ୧୭ ହଜାର ଫୁଟ ଉପରେ ରହିଥିବା ଇଣ୍ଡୋ ତିବତିଆନ୍ ବର୍ଡର ପୋଲିସ ପକ୍ଷରୁ ଶନିବାର ଦିନ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସୀମାର ବିଭିନ୍ନ ସ୍ଥାନରେ ଯବାନଙ୍କ ପକ୍ଷରୁ ତ୍ରିରଙ୍ଗା ଉଡାଯାଇଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଏହା ସହିତ ସିଏପିଏଫ୍ ଯବାନଙ୍କ ପକ୍ଷରୁ ପାଙ୍ଗ ସୋ ହ୍ରଦ ନିକଟରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ନିକଟରେ ଗଲୱାନ ଉପତ୍ୟକାରେ ଘଟିଥିବା ସଂଘର୍ଷରେ ଶହୀଦ ହୋଇଥିବା ୨୧ ଯବାନଙ୍କ ନାମ ସାହାସିକତା ପଦକ ପାଇଁ ସୁପାରିଶ କରାଯାଇଛି।