Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଆଶ୍ଚର୍ଯ୍ୟଜନକ! ମୁଣ୍ଡରେ ନିର୍ବାଚନ ଓ ବିରୋଧୀ ଏକତାର ଏହି ଚିତ୍ର!

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ତରୀଣ ବଜେଟ ଆସିଛି। ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟ ଶେଷ ହୋଇଛି। ଏବେ ଲୋକସଭା ନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି। ଅପରପକ୍ଷରେ କ୍ଷମତାର ହ୍ୟାଟ୍ରିକ୍ ପାଇଁ ପ୍ରସ୍ତୁତ ହେଉଥିବା ବିଜେପି ନେତୃତ୍ୱାଧୀନ ଏନ୍ ଡିଏ ମେଣ୍ଟ ବିରୋଧରେ ଲଢ଼େଇ କେତେ? ବିରୋଧୀ ଦଳଠାରୁ ମୋଦି କେତେ ଶକ୍ତିଶାଳୀ ହେବେ? ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟରେ ଦେଖାଦେଇଥିବା ଅସ୍ଥିରତା ପରେ ଏହି ପ୍ରଶ୍ନ ଉଠିଛି। କେନ୍ଦ୍ରର ଅନ୍ତରୀଣ ବଜେଟକୁ ନେଇ ବିରୋଧୀ ଦଳମାନେ ପ୍ରଥମ ଥର ପାଇଁ ଏକ ସ୍ୱରରେ ଥିଲେ ମଧ୍ୟ ବିରୋଧୀ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଦେଖିବାକୁ ମିଳୁଛି।

କେଉଁଠି ରହିଛି ଆସନ ବୁଝାମଣା?

୨୮ ଦଳ ବିଶିଷ୍ଟ ଇଣ୍ଡି ମେଣ୍ଟରେ ନିର୍ବାଚନ ପୂର୍ବରୁ ସହଯୋଗୀ ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତବର୍ଷ ଡିସେମ୍ବର ମାସରୁ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳମଧ୍ୟରେ ଆସନ ବୁଝାମଣା ପାଇଁ ଆଲୋଚନା ଚାଲିଛି। ପାଖାପାଖି ୫୦ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ ତଥ୍ୟ ଜନସାଧାରଣଙ୍କ ସାମ୍ନାକୁ ଆସିନାହିଁ। ସେପଟେ ଇଣ୍ଡି ମେଣ୍ଟର ଆବାହକ ଦୌଡ଼ରେ ସାମିଲ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେଣ୍ଟ ବଦଳାଇ ସାରିଛନ୍ତି। ଏହା ଏନଡିଏକୁ କେତେ ଶକ୍ତି ଦେବ ପ୍ରସଙ୍ଗ ନୁହେଁ, ତାହା ଇଣ୍ଡି ମେଣ୍ଟ କେତେବଡ଼ ଝଟକା ସୃଷ୍ଟି କରିଛି ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସ ହୁଏତ ଏହାର ପ୍ରଭାବକୁ ଅଣଦେଖା କରୁଛି, କିନ୍ତୁ ରାଜନୈତିକ ବିଶ୍ଳେଷକମାନେ ଏହାକୁ ମୋଦୀଙ୍କ ବିରୋଧରେ ଲଢ଼େଇରେ ଏକ ବଡ଼ ଝଟକାଭାବେ ଦେଖୁଛନ୍ତି।

ନିଜ ଢୋଲ ନିଜେ ପିଟୁଛନ୍ତି

କଂଗ୍ରେସ ହେଉଛି ଇଣ୍ଡି ମେଣ୍ଟର ସବୁଠାରୁ ବଡ଼ ଦଳ। ଏଭଳି ସ୍ଥିତିରେ ମେଣ୍ଟରେ ସାମିଲ ଥିବା ୨୮ଟି ଦଳ ମଧ୍ୟରେ ଏହାର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ, ପଞ୍ଜାବ, କେରଳ ଓ ପଶ୍ଚିମବଙ୍ଗରେ କଂଗ୍ରେସ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଛି। ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସର ଆଞ୍ଚଳିକ ୟୁନିଟ୍ ମେଣ୍ଟ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରୁନାହାନ୍ତି। ପଞ୍ଜାବରେ ମଧ୍ୟ ଆମ୍ ଆଦମୀ ପାର୍ଟି ସମସ୍ତ ଆସନରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଉଛି। ସେହିପରି ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗରେ ଏକାକୀ ଲଢ଼ିବା କଥା କହିଛନ୍ତି। ବର୍ତ୍ତମାନ ଏହି ଦୁଇଦଳ ମଧ୍ୟରେ ମତଭେଦର ସ୍ୱର ସାମ୍ନାକୁ ଆସୁଥିଲା ଯେ ଇଣ୍ଡି ମେଣ୍ଟ ପାଇଁ ମହାରାଷ୍ଟ୍ରରୁ ଶୁଭ ଖବର ଆସୁନାହିଁ। ମହାରାଷ୍ଟ୍ରର ମହାବିକାଶ ଆଘାଡିରେ ଯୋଗ ଦେଇଥିବା ପ୍ରକାଶ ଆମ୍ବେଦକର ସ୍ପଷ୍ଟଭାବେ କହିଛନ୍ତି ଯେ ଇଣ୍ଡି ମେଣ୍ଟ ପ୍ରାୟ ଶେଷ ହୋଇଯାଇଛି। ପ୍ରକାଶ କହିଛନ୍ତି ଯେ ରାଜ୍ୟରେ ଆସନ ବଣ୍ଟନକୁ ନେଇ ଶିବସେନା ଏବଂ ଏନସିପି ସହ ଆଲୋଚନା ଚାଲିଛି। କଂଗ୍ରେସ ସହ କୌଣସି କଥାବାର୍ତ୍ତା ହେଉନାହିଁ।

ମୋଦିଙ୍କ ସହ କେମିତି ପ୍ରତିଦ୍ୱନ୍ଦ୍ୱିତା କରିବେ?

ଏହି ସମୟରେ ବିଜେପିର ସ୍ଥିତିକୁ ସମୁଦ୍ରରେ ଏକ ବଡ଼ ଜାହାଜଭାବେ ଦେଖିବାକୁ ମିଳୁଛି। କିଷାନ ସମ୍ମାନ ନିଧି, ମାଗଣା ଖାଦ୍ୟଶସ୍ୟ ଯୋଜନା, ପିଏମ ଆବାସ ଯୋଜନା, ମୁଦ୍ରା ଋଣ ଭଳି କଲ୍ୟାଣକାରୀ ଯୋଜନାକୁ ମୋଦି ସରକାର ଦୃଢ଼ତାର ସହ ପରିଚାଳନା କରୁଛନ୍ତି। ସେପଟେ ବିହାର ଭଳି ବଡ଼ ରାଜ୍ୟରେ ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ନିଜେ ନୀତୀଶ କୁମାର କହିଛନ୍ତି ଯେ ଇଣ୍ଡି ମେଣ୍ଟ ବହୁତ ଧୀରେ ଚାଲିଛି। କଂଗ୍ରେସ ହୁଏତ କହୁଛି ଯେ ଇଣ୍ଡି ମେଣ୍ଟର ଉଦ୍ଦେଶ୍ୟ ମୋଦିଙ୍କୁ କ୍ଷମତାରୁ ହଟାଇବା, କିନ୍ତୁ ତୃଣମୂଳ ସ୍ତରରେ ଏହା ଦୂରର କଥା ମନେହେଉଛି। ମୁଦ୍ରାସ୍ଫୀତି ଓ ବେକାରୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାରେ ବିରୋଧୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଇଣ୍ଡି ମେଣ୍ଟ ପକ୍ଷରୁ ମିଳିତ ରାଲି କିମ୍ବା ପ୍ରଚାରକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ରାଜନୈତିକ ବିଶ୍ଳେଷକଙ୍କ ମତରେ ସାଧାରଣ ନିର୍ବାଚନରେ ଲୋକଙ୍କ ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ଓ ଧାରଣା ଲଢ଼େଇ କ୍ଷେତ୍ରରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ପଛରେ ପଡ଼ିଛି। ଏଭଳି ସ୍ଥିତିରେ ମୋଦିଙ୍କ ସହ ଇଣ୍ଡି ମେଣ୍ଟ କିପରି ପ୍ରତିଦ୍ୱନ୍ଦ୍ୱିତା କରିପାରିବ ତାହା ସମୟ ହିଁ ସ୍ଥିର କରିବ।

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

ଅନ୍ତରୀଣ କେନ୍ଦ୍ର ବଜେଟ୍ ୨୦୨୪-୨୫ ର ମୁଖ୍ୟାଂଶ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟର ମୁଖ୍ୟାଂଶଗୁଡ଼ିକ ହେଲା:

ଭାଗ ଏ

ସାମାଜିକ ନ୍ୟାୟ 

ପ୍ରଧାନମନ୍ତ୍ରୀ ୪ଟି ପ୍ରମୁଖ ଜାତି ଯଥାଗରିବ‘, ‘ମହିଳା‘, ‘ଯୁବବର୍ଗଏବଂ  ‘ଅନ୍ନଦାତା‘ (କୃଷକ)ଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦେବେ

ଗରିବ କଲ୍ୟାଣ, ଦେଶ କା କଲ୍ୟାଣ

  • ବିଗତ ୧୦ ବର୍ଷ ମଧ୍ୟରେ ସରକାର ୨୫ କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ଦେଇଛନ୍ତି।
  • ପ୍ରଧାନମନ୍ତ୍ରୀ-ଜନଧନ ଆକାଉଣ୍ଟ ବ୍ୟବହାର କରି ୩୪ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଦ୍ୱାରା ସରକାରଙ୍କ ପାଇଁ ୨.୭ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି ।
  • ପିଏମ-ସ୍ୱନିଧି ଯୋଜନା ୭୮ ଲକ୍ଷ ଉଠା ଦୋକାନୀଙ୍କୁ ଋଣ ସହାୟତା ପ୍ରଦାନ କରିଛି। ତୃତୀୟ ଥର ପାଇଁ ୨.୩ ଲକ୍ଷ ଦୋକାନୀଙ୍କୁ ଋଣ ମିଳିଛି।
  • ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ବିକାଶରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ।
  • ପିଏମ-ବିଶ୍ୱକର୍ମା ଯୋଜନା ୧୮ଟି ବ୍ୟବସାୟରେ ନିୟୋଜିତ ଶିଳ୍ପୀ ଏବଂ କାରିଗରମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ସହାୟତା ପ୍ରଦାନ କରାଯାଉଛି।

ଅନ୍ନଦାତାଙ୍କ କଲ୍ୟାଣ

  • ପିଏମ କିଷାନ ସମ୍ମାନ ଯୋଜନାରେ ୧୧.୮ କୋଟି କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
  • ପିଏମ ଫସଲ ବୀମା ଯୋଜନା ଅଧୀନରେ ୪ କୋଟି ଚାଷୀଙ୍କୁ ଫସଲ ବୀମା ଦିଆଯାଇଛି।
  • ଇଲେକ୍ଟ୍ରୋନିକ୍ ଜାତୀୟ କୃଷି ବଜାର (ଇ-ନାମ) ୧୩୬୧ଟି ମଣ୍ଡିକୁ ସମନ୍ୱିତ କରି ୧.୮ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ସହାୟତା ପ୍ରଦାନ କରିଛି।

ନାରୀ ଶକ୍ତି ପାଇଁ ପ୍ରୋତ୍ସାହନ

  • ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟି ମୁଦ୍ରା ଋଣ ପ୍ରଦାନ ।
  • ଉଚ୍ଚଶିକ୍ଷାରେ ମହିଳାଙ୍କ ନାମଲେଖା ୨୮% ବୃଦ୍ଧି ପାଇଛି।
  • ଷ୍ଟେମ୍ ପାଠ୍ୟକ୍ରମରେ ନାମ ଲେଖାର ୪୩% ଝିଅ ଓ ମହିଳା ଅଛନ୍ତି, ଯାହା କି ବିଶ୍ୱରେ ସର୍ବାଧିକ।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭୦% ରୁ ଅଧିକ ଘର ଗ୍ରାମାଞ୍ଚଳର ମହିଳାଙ୍କୁ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)

  • କୋଭିଡ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଗୃହ ନିର୍ମାଣ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ ହେବ।
  • ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଉ ୨ କୋଟି ଘର ନିର୍ମାଣ କରାଯିବ।

ଛାତ ସୌରୀକରଣ ଏବଂ ମାଗଣା ବିଦ୍ୟୁତ ସଂଯୋଗ

  • ଛାତ ସୌରୀକରଣ ମାଧ୍ୟମରେ ୧ କୋଟି ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ।
  • ପ୍ରତି ପରିବାର ବାର୍ଷିକ ୧୫୦୦୦ରୁ ୧୮୦୦୦ ଟଙ୍କା ସଞ୍ଚୟ କରିବେ ବୋଲି ଆଶା କରାଯାଉଛି।

ଆୟୁଷ୍ମାନ ଭାରତ

  • ଆୟୁଷ୍ମାନ ଭାରତ ଯୋଜନାରେ ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ

  • ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାରେ ୩୮ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।
  • ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ ଯୋଜନାରେ ୨.୪ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୬୦,୦୦୦ ବ୍ୟକ୍ତିଙ୍କୁ ଋଣ ସହାୟତା କରାଯାଇଛି ।

ଅଭିବୃଦ୍ଧି, ନିଯୁକ୍ତି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଗବେଷଣା ଏବଂ ଉଦ୍ଭାବନ

  • ଦୀର୍ଘ ଅବଧି ଏବଂ ନିମ୍ନ କିମ୍ବା ଶୂନ ସୁଧ ହାର ସହିତ ଦୀର୍ଘମିଆଦୀ ଆର୍ଥିକ ସହାୟତା କିମ୍ବା ପୁନଃଋଣ ପ୍ରଦାନ କରିବା ପାଇଁ ପଚାଶ ବର୍ଷର ସୁଧ ମୁକ୍ତ ଋଣ ସହିତ ୧ ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ପ୍ରତିଷ୍ଠା କରାଯିବ ।
  • ପ୍ରତିରକ୍ଷା ଉଦ୍ଦେଶ୍ୟରେ ଗଭୀର ଜ୍ଞାନକୌଶଳକୁ ସୁଦୃଢ଼ କରିବା ଏବଂଆତ୍ମନିର୍ଭରତାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରାଯିବ।

ଭିତ୍ତିଭୂମି

  • ଭିତ୍ତିଭୂମି ବିକାଶ ଏବଂ ରୋଜଗାର ସୃଷ୍ଟି ପାଇଁ ପୁଞ୍ଜି ବ୍ୟୟ ବ୍ୟୟ ବରାଦ ୧୧.୧ ପ୍ରତିଶତ ବୃଦ୍ଧି କରାଯାଇ ୧୧,୧୧,୧୧୧ କୋଟି ଟଙ୍କା କରାଯିବ, ଯାହା କି ଜିଡିପିର ୩.୪ ପ୍ରତିଶତ ହେବ।

ରେଳବାଇ

  • ଲଜିଷ୍ଟିକ୍ ଦକ୍ଷତା ରେ ଉନ୍ନତି ଏବଂ ଖର୍ଚ୍ଚ ହ୍ରାସ ପାଇଁ ପିଏମ୍ ଗତି ଶକ୍ତି ଅଧୀନରେ ଚିହ୍ନଟ ହୋଇଥିବା ୩ଟି ପ୍ରମୁଖ ଅର୍ଥନୈତିକ ରେଳ କରିଡର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ
  • ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର
  • ବନ୍ଦର ସଂଯୋଗ କରିଡର
  • ଉଚ୍ଚ ଟ୍ରାଫିକ ଘନତା କରିଡର
  • ୪୦ ହଜାର ସାଧାରଣ ରେଳ ଡବାକୁ ବନ୍ଦେ ଭାରତ ମାନ ଅନୁରୂପ ବିକଶିତ କରାଯିବ ।

ବିମାନ ଚଳାଚଳ କ୍ଷେତ୍ର

  • ଦେଶରେ ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇ ୧୪୯ରେ ପହଞ୍ଚିଛି।
  • ୫ଶହ ୧୭ଟି ନୂଆ ମାର୍ଗରେ ୧.୩ କୋଟି ଯାତ୍ରୀ ଯାତ୍ରା କରୁଛନ୍ତି।
  • ଭାରତୀୟ ବିମାନ ଚଳାଚଳ ସଂସ୍ଥା ୧୦୦୦ରୁ ଅଧିକ ନୂଆ ବିମାନ ପାଇଁ ଅର୍ଡର ଦେଇଛି।

ସବୁଜ ଶକ୍ତି

  • ୨୦୩୦ ସୁଦ୍ଧା ୧୦୦ ମେଟ୍ରିକ୍ ଟନ୍ କୋଇଲା ବାଷ୍ପୀକରଣ ଏବଂ ତରଳୀକରଣ କ୍ଷମତା ସ୍ଥାପନ କରାଯିବ।
  • ପରିବହନ ପାଇଁ କମ୍ପ୍ରେସ୍‌ଡ୍‌ ପ୍ରାକୃତିକ ବାଷ୍ପ (ସିଏନଜି)ରେ କମ୍ପ୍ରେସ୍‌ଡ୍‌ ବାୟୋଗ୍ୟାସ୍ (ସିବିଜି) ଏବଂ ଘରୋଇ ଉଦ୍ଦେଶ୍ୟରେ ପାଇପ୍‌ଡ୍‌ ପ୍ରାକୃତିକ ବାଷ୍ପ (ପିଏନଜି)ର ପର୍ଯ୍ୟାୟ କ୍ରମେ ମିଶ୍ରଣ ବାଧ୍ୟତାମୂଳକ କରାଯିବ।

ପର୍ଯ୍ୟଟନ କ୍ଷେତ୍ର

  • ଆଇକନିକ ପର୍ଯ୍ୟଟନ କେନ୍ଦ୍ରଗୁଡିକର ବ୍ରାଣ୍ଡିଂ ଏବଂ ମାର୍କେଟିଂ ସହିତ ବିଶ୍ୱସ୍ତରରେ ବ୍ୟାପକ ବିକାଶ କରିବାକୁ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରାଯିବ ।
  • ପର୍ଯ୍ୟଟନ କେନ୍ଦ୍ରଗୁଡିକର ସୁବିଧା ଓ ସେବାର ଗୁଣବତ୍ତା ଆଧାରରେ ରେଟିଂ ପାଇଁ ଢାଞ୍ଚା ପ୍ରତିଷ୍ଠା କରାଯିବ ।
  • ମେଳକ ଭିତ୍ତିରେ ଏଭଳି ବିକାଶ ପାଇଁ ଅର୍ଥ ଯୋଗାଣ ଲାଗି ରାଜ୍ୟଗୁଡ଼ିକୁ ଦୀର୍ଘମିଆଦୀ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ।

ପୁଞ୍ଜି ନିବେଶ

  • ୦୧୪ରୁ ୨୦୨୩ ମଧ୍ୟରେ ୫୯୬ ବିଲିୟନ ଡଲାରର ଏଫଡିଆଇ ପ୍ରବାହ ହୋଇଛି ଯାହାକି ୨୦୦୫-୧୪ ରେ ପ୍ରବାହର ଦୁଇଗୁଣ ଥିଲା ।

ବିକଶିତ ଭାରତ ପାଇଁ ରାଜ୍ୟଗୁଡ଼ିକରେ ସଂସ୍କାର

ରାଜ୍ୟ ସରକାରଙ୍କ ଦ୍ୱାରା ମାଇଲଖୁଣ୍ଟ ସମ୍ବନ୍ଧୀୟ ସଂସ୍କାରକୁ ସମର୍ଥନ କରିବା ପାଇଁ ପଚାଶ ବର୍ଷର ସୁଧ ମୁକ୍ତ ଋଣ ବାବଦରେ ୭୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସଂଶୋଧିତ ଆକଳନ (ଆରଇ) ୨୦୨୩୨୪

  • ଋଣ ବ୍ୟତୀତ ଅନ୍ୟ ମୋଟ ପ୍ରାପ୍ତିର ସଂଶୋଧିତ ଆକଳନ ହେଉଛି ୨୭.୫୬ ଲକ୍ଷ କୋଟି ଟଙ୍କା, ଯେଉଁଥିରୁ ଟିକସ ପ୍ରାପ୍ତି ହେଉଛି ୨୩.୨୪ ଲକ୍ଷ କୋଟି ଟଙ୍କା ।
  • ସମୁଦାୟ ଖର୍ଚ୍ଚର ଆରଇ ହେଉଛି ୪୪.୯୦ ଲକ୍ଷ କୋଟି ଟଙ୍କା ।
  • ୩୦.୦୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆୟ ହେବ ଯାହାକି ବଜେଟ୍ ଆକଳନ ତୁଳନାରେ ଅଧିକ ହେବ ବୋଲି ଆଶା କରାଯାଉଛି, ଯାହା ଅର୍ଥବ୍ୟବସ୍ଥାର ଦ୍ରୁତ ଅଭିବୃଦ୍ଧି ଏବଂ ଔପଚାରିକତାକୁ ପ୍ରତିଫଳିତ କରୁଛି।
  • ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୮ ପ୍ରତିଶତ ରହିଛି।

୨୦୨୪୨୫ ବଜେଟ୍ ଆକଳନ

  • ଋଣ ବ୍ୟତୀତ ଅନ୍ୟ ମୋଟ ଆୟ ଏବଂ ମୋଟ ବ୍ୟୟ ଯଥାକ୍ରମେ ୩୦.୮୦ ଏବଂ ୪୭.୬୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
  • ଟିକସ ଆଦାୟ ୨୬.୦୨ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
  • ମୋଟ ୧.୩ ଲକ୍ଷ କୋଟି ଟଙ୍କା ବ୍ୟୟଅଟକଳରେ ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟ ପାଇଁ ୫୦ ବର୍ଷର ସୁଧମୁକ୍ତ ଋଣ ଯୋଜନା ଚଳିତ ବର୍ଷ ଜାରି ରହିବ।
  • ୨୦୨୪-୨୫ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି
  • ୨୦୨୪-୨୫ ରେ ଡେଟେଡ୍ ସିକ୍ୟୁରିଟି ଜରିଆରେ ମୋଟ ଓ ନିଟ୍ ବଜାର ଋଣ ଯଥାକ୍ରମେ ୧୪.୧୩ ଲକ୍ଷ କୋଟି ଟଙ୍କା ଏବଂ ୧୧.୭୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଭାଗ ବି

ପ୍ରତ୍ୟକ୍ଷ ଟିକସ

  • ପ୍ରତ୍ୟକ୍ଷ ଟିକସ ପାଇଁ ସମାନ ଟିକସ ହାର ବଜାୟ ରଖିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି
  • ଗତ ୧୦ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ତିନି ଗୁଣ ବୃଦ୍ଧି ପାଇଛି, ରିଟର୍ଣ୍ଣ ଫାଇଲ ୨.୪ ଗୁଣ ବୃଦ୍ଧି ପାଇଛି
  • ଟିକସଦାତାଙ୍କ ସେବାରେ ଉନ୍ନତି ଆଣିବେ ସରକାର
  • ୨୦୦୯-୧୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବକେୟା ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ଦାବି ପ୍ରତ୍ୟାହାର
  • ୨୦୧୦-୧୧ରୁ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ବକେୟା ପ୍ରତ୍ୟକ୍ଷ ଟିକସ ଦାବି ପ୍ରତ୍ୟାହାର
  • ଏହାଦ୍ୱାରା ୧ କୋଟି ଟିକସଦାତା ଉପକୃତ ହେବେ
  • ଷ୍ଟାର୍ଟ-ଅପ୍, ସାର୍ବଭୌମ ସମ୍ପତ୍ତି ପାଣ୍ଠି କିମ୍ବା ପେନସନ୍ ପାଣ୍ଠି ଦ୍ୱାରା କରାଯାଇଥିବା ନିବେଶକୁ ୩୧.୦୩.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି
  • ଆଇଏଫଏସସି ୟୁନିଟଗୁଡିକର ନିର୍ଦ୍ଦିଷ୍ଟ ଆୟ ଉପରେ ଟିକସ ଛାଡ଼ ଏକ ବର୍ଷ ବୃଦ୍ଧି କରି ୩୧.୦୩.୨୦୨୪ରୁ ୩୧.୦୩.୨୦୨୫ କୁ ବୃଦ୍ଧି କରାଯାଇଛି

ପରୋକ୍ଷ ଟିକସ

  • ପରୋକ୍ଷ ଟିକସ ଏବଂ ଆମଦାନୀ ଶୁଳ୍କ ପାଇଁ ସମାନ ଟିକସ ହାର ବଜାୟ ରଖିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି
  • ଜିଏସଟି ଭାରତରେ ଅତ୍ୟଧିକ ବିଭାଜିତ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏକତ୍ରିତ କରିଛି
  • ଚଳିତ ବର୍ଷ ହାରାହାରି ମାସିକ ମୋଟ ଜିଏସ୍ ଟି ଆଦାୟ ଦ୍ୱିଗୁଣିତ ହୋଇ ୧.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି
  • ଜିଏସଟି ଟିକସ ଆଧାର ଦ୍ୱିଗୁଣିତ ହୋଇଛି
  • ଜିଏସଟି ପରବର୍ତ୍ତୀ ଅବଧି (୨୦୧୭-୧୮ରୁ ୨୦୨୨-୨୩) ରେ ରାଜ୍ୟ  ଏସଜିଏସଟି ରାଜସ୍ବ ବୃଦ୍ଧି (ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ କୁ ମିଶାଇ) ୧.୨୨କୁ ବୃଦ୍ଧି ପାଇଛି, ଯାହା ଜିଏସଟି ପୂର୍ବ ଅବଧି (୨୦୧୨-୧୩ରୁ ୨୦୧୫-୧୬) ରେ ୦.୭୨ ଥିଲା।
  • ୯୪% ଶିଳ୍ପ ନେତୃତ୍ବ ଜିଏସଟିକୁ ପରିବର୍ତ୍ତନକୁ ମୁଖ୍ୟତଃ ସକାରାତ୍ମକ ବୋଲି ଭାବନ୍ତି
  • ଜିଏସଟି ଯୋଗୁଁ ଯୋଗାଣ ଶୃଙ୍ଖଳା ଅନୁକୂଳ ହୋଇଛି
  • ଜିଏସଟି ବାଣିଜ୍ୟ ଏବଂ ଶିଳ୍ପ ଉପରେ ଅନୁପାଳନ ବୋଝ ହ୍ରାସ କରିଛି
  • କମ୍ ଲଜିଷ୍ଟିକ୍ ଖର୍ଚ୍ଚ ଏବଂ ଟିକସ ଦ୍ରବ୍ୟ ଏବଂ ସେବାର ମୂଲ୍ୟ ହ୍ରାସ କରିବାରେ ସହାୟକ ହୋଇଛି, ଯାହା ଦ୍ୱାରା ଉପଭୋକ୍ତାମାନେ ଉପକୃତ ହୋଇଛନ୍ତି

ବର୍ଷ ବର୍ଷ ଧରି ଟିକସ ଯୁକ୍ତିଯୁକ୍ତକରଣ ପ୍ରୟାସ

  • ୨୦୧୩-୧୪ ଆର୍ଥିକ ବର୍ଷରେ ଆୟକର ପଇଠ ସୀମା ୨.୨ ଲକ୍ଷ ଟଙ୍କା ଥିବା ବେଳେ ଏବେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦାୟିତ୍ବ ନାହିଁ
  • ଖୁଚୁରା ବ୍ୟବସାୟୀଙ୍କ ପାଇଁ ଟିକସ ସୀମା ୨ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବୃଦ୍ଧି
  • ପେସାଦାରଙ୍କ ପାଇଁ ଟିକସ ସୀମା ୫୦ ଲକ୍ଷ ଟଙ୍କାରୁ ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି
  • ବର୍ତ୍ତମାନର ଘରୋଇ କଂପାନିଗୁଡ଼ିକ ପାଇଁ କର୍ପୋରେଟ୍ ଆୟକର ୩୦%ରୁ ୨୨%କୁ ହ୍ରାସ ପାଇଛି
  • ନୂଆ ଉତ୍ପାଦନକାରୀ କମ୍ପାନୀ ପାଇଁ କର୍ପୋରେଟ ଆୟକର ହାର ୧୫%

ଟିକସଦାତାଙ୍କ ସେବାରେ ସଫଳତା

  • ଟିକସ ରିଟର୍ଣ୍ଣର ହାରାହାରୀ ପ୍ରକ୍ରିୟାକରଣ ସମୟ ୨୦୧୩-୧୪ରେ ୯୩ ଦିନରୁ ବର୍ତ୍ତମାନ ୧୦ ଦିନକୁ ହ୍ରାସ ପାଇଛି
  • ଅଧିକ ଦକ୍ଷତା ପାଇଁ ଚେହେରାବିହୀନ ଫେସଲେସ୍ ମୂଲ୍ୟାୟନ ଏବଂ ଆବେଦନ ପ୍ରଚଳନ କରାଯାଇଛି
  • ସଂଶୋଧିତ ଆୟକର ରିଟର୍ଣ୍ଣ, ନୂଆ ଫର୍ମ ୨୬ଏଏସ ଏବଂ ସରଳ ରିଟର୍ଣ୍ଣ ଦାଖଲ ପାଇଁ ପୂର୍ବରୁ ପୂରଣ ହୋଇଥିବା ଟିକସ ରିଟର୍ଣ୍ଣ
  • ସୀମା ଶୁଳ୍କରେ ସଂସ୍କାର ଫଳରେ ଆମଦାନୀ ରିଲିଜ୍ ସମୟ ହ୍ରାସ ପାଇଛି
  • ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ୪୭%ରୁ ୭୧ ଘଣ୍ଟା ହ୍ରାସ
  • ଏୟାର କାର୍ଗୋ କମ୍ପ୍ଲେକ୍ସରେ ୨୮%ରୁ ୪୪ ଘଣ୍ଟା ହ୍ରାସ
  • ସମୁଦ୍ର ବନ୍ଦରରେ ୨୭%ରୁ ୮୫ ଘଣ୍ଟା ହ୍ରାସ

ଅର୍ଥବ୍ୟବସ୍ଥା ସେବେ ଓ ଏବେ

  • ୨୦୧୪ରେ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାର ଦାୟିତ୍ୱ ଥିଲା। ସେବେବେଳେ ସମୟର ନିମ୍ନ ଆବଶ୍ୟକତା ଥିଲା:
  • ନିବେଶ କୁ ଆକୃଷ୍ଟ କରିବା
  • ଅତ୍ୟନ୍ତ ଆବଶ୍ୟକ ସଂସ୍କାର ପାଇଁ ସମର୍ଥନ ସୃଷ୍ଟି କରିବା
  • ଲୋକଙ୍କୁ ଆଶା ଦେବା
  • ‘ରାଷ୍ଟ୍ର-ପ୍ରଥମ’ର ଦୃଢ଼ ବିଶ୍ୱାସ ରଖି ସରକାର ସଫଳ ହୋଇଥିଲେ
  • “୨୦୧୪ ପର୍ଯ୍ୟନ୍ତ ଆମେ କେଉଁଠି ଥିଲୁ ଏବଂ ବର୍ତ୍ତମାନ ଆମେ କେଉଁଠାରେ ଅଛୁ ତାହା ଦେଖିବା ଲାଗି ବର୍ତ୍ତମାନ ସମୟ ଉପଯୁକ୍ତ”: ଅର୍ଥମନ୍ତ୍ରୀ
  • ସଦନରେ ଏ ସଂକ୍ରାନ୍ତରେ ସରକାର ଏକ ଶ୍ୱେତପତ୍ର ରଖିବେ ।
Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

ରାମ ପ୍ରସଙ୍ଗ ଜିତାଇବ ନିର୍ବାଚନ!, ବଜେଟରେ କାହାକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିନାହାନ୍ତି ମୋଦି ସରକାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଅନ୍ତରୀଣ ବଜେଟରୁ ଆଶ୍ୱସ୍ତି ମିଳିବ ବୋଲି ଲୋକେ ଆଶା ରଖିଥିଲେ। କିନ୍ତୁ ତାହା ହୋଇନାହିଁ। କୃଷକମାନେ ପିଏମ୍ କିଷାନ ସମ୍ମାନ ନିଧିର ପରିମାଣ ବୃଦ୍ଧି ହେବ ବୋଲି ଆଶା ରଖିଥିଲେ। ବେତନଭୋଗୀ ଶ୍ରେଣୀ ଟିକସ ରିହାତି ଆଶା କରିଥିଲେ। ମହିଳା, ଗରିବ, ଯୁବକ, କୃଷକ ସମସ୍ତେ ସିଧାସଳଖ କିଛି ରିହାତି ଆଶା କରିଥିଲେ। ଏହି ୪ଟି ହେଉଛି ପିଏମ ମୋଦିଙ୍କ ପାଇଁ ସବୁଠାରୁ ବଡ଼ ଜାତି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ଏହା ମଧ୍ୟ କହିଛନ୍ତି ଯେ ଏହି ଚାରିଟି ବିଭାଗ ଉପରେ ସରକାରଙ୍କ ମୁଖ୍ୟ ଫୋକସ ରହିଛି। ଏମାନେ ସରକାରଙ୍କ ପ୍ରାଥମିକତାର ଶୀର୍ଷରେ ରହିଛନ୍ତି। କିନ୍ତୁ ବିଶେଷ କିଛି ମିଳିନାହିଁ। କିଷାନ ସମ୍ମାନ ନିଧି କିମ୍ବା ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେବଳ ଆୟକର ନୁହେଁ, ସମସ୍ତ ପ୍ରତ୍ୟକ୍ଷ ଟିକସରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ପରୋକ୍ଷ ଟିକସରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ବଜେଟକୁ ସମାଲୋଚନା କରିଛନ୍ତି ବିରୋଧୀ।

ସମାଜବାଦୀ ପାର୍ଟି ମୁଖ୍ୟ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣକୁ ମୋଦି ସରକାରଙ୍କ ବିଦାୟୀ ଭାଷଣ ବୋଲି କହିଛନ୍ତି। କ’ଣ ରହିଛି ଏହି ବଜେଟର ରାଜନୈତିକ ପ୍ରଭାବ? ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନରେ କ’ଣ ଚାଲିଛି ତାହା ବଜେଟ ମାଧ୍ୟମରେ ବୁଝିହେବ।

ବଜେଟ ଅଭିଭାଷଣକୁ ୪ଟି ମୁଖ୍ୟ ବିନ୍ଦୁ

ସରକାରଙ୍କ ୧୦ ବର୍ଷର ସଫଳତା ଉପରେ ଆଲୋକପାତ କରିବା, ପୂର୍ବ ସରକାରଙ୍କୁ ଦାୟୀ କରି ବିରୋଧୀଙ୍କୁ ଟାର୍ଗେଟ କରିବା, କୌଣସି ପ୍ରକାର ନୂଆ ଲୋକପ୍ରିୟ ଯୋଜନାକୁ ଏଡ଼ାଇବା ଏବଂ ଭବିଷ୍ୟତରେ ଆହୁରି ‘ଅଚ୍ଛେ ଦିନ’ର ସ୍ୱପ୍ନ ଦେଖିବା ବଜେଟରେ ଦେଖିବାକୁ ମିଳିଛି । ମୋଟାମୋଟି ଭାବେ କହିବାକୁ ଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଭାଷଣର ମୂଳ କଥା ହେଉଛି ଏହି ୪ଟି କଥା।

ମୁଦ୍ରା ଯୋଜନାଠାରୁ ଆରମ୍ଭ କରି ପିଏମ୍ କିଷାନ ଯୋଜନା, ମାଗଣା ରାସନ ଯୋଜନାଠାରୁ ଆରମ୍ଭ କରି ଅଭୂତପୂର୍ବ ଭିତ୍ତିଭୂମି ସୃଷ୍ଟି, ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବାଠାରୁ ଆରମ୍ଭ କରି ଅର୍ଥନୈତିକ କ୍ଷେତ୍ରରେ ଦେଶର ଚମତ୍କାର ପ୍ରଦର୍ଶନକୁ ବଜେଟ ଅଭିଭାଷଣରେ ନିର୍ମଳା ମୋଦି ସରକାରଙ୍କ ଗତ ୧୦ ବର୍ଷର ସଫଳତା ବିଷୟରେ ବର୍ଣ୍ଣନା କରିଛନ୍ତି।

ଅର୍ଥନୀତିଠାରୁ ଆରମ୍ଭ କରି ମୋଦି ସରକାରଙ୍କ ଆଗମନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କ’ଣ ପରିବର୍ତ୍ତନ ହୋଇଛି ତାହା ମାଧ୍ୟମରେ ସେ ‘ପୂର୍ବରୁ ଓ ପରେ’ ଜରିଆରେ ଭାରତର ଉଜ୍ଜ୍ୱଳ ଚିତ୍ର ଦେଖାଇବାକୁ ଚେଷ୍ଟା କରିଛନ୍ତି। ଉଦାହରଣସ୍ୱରୂପ ୨୦୧୩-୧୪ରେ ୨.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ କରାଯାଉଥିଲା। ଏଭଳି ଭାବେ ସେ ପୂର୍ବ ସରକାରମାନଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ଏପରିକି ୨୦୧୪ ପୂର୍ବରୁ ଅର୍ଥନୈତିକ ଅବ୍ୟବସ୍ଥା ଉପରେ ଏକ ଶ୍ୱେତପତ୍ର ଆଣିବାକୁ ଘୋଷଣା କରିଛନ୍ତି।

ବଜେଟ ଅଭିଭାଷଣରେ କୌଣସି ନୂତନ ଲୋକପ୍ରିୟ ଯୋଜନା ଘୋଷଣା କରାଯାଇ ନାହିଁ ଯାହାକୁ ମାଗଣା ଯୋଜନା କୁହାଯାଇପାରିବ। ଏହା ସୂଚାଉଛି ଯେ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ମାଗଣା ଯୋଜନା ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କ ବିରୋଧରେ ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି।

ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ଭବିଷ୍ୟତର ସ୍ୱପ୍ନ ଏବଂ ‘ଅଚ୍ଛେ ଦିନ’ ଦେଖାଇବାରେ କୌଣସି ସୁଯୋଗ ଛାଡ଼ନାହାନ୍ତି। ୩ କୋଟି ମହିଳାଙ୍କୁ କୋଟିପତି କରିବାର ପ୍ରତିଶ୍ରୁତି ହେଉ କିମ୍ବା ଛାତ ଉପରେ ସୌର ଶକ୍ତି ଯୋଜନା ମାଧ୍ୟମରେ ପ୍ରତି ମାସରେ ୧ କୋଟି ଲୋକଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦେବାର ପ୍ରତିଶ୍ରୁତି ହେଉ, ଭଡ଼ା ଘର ବା ବସ୍ତି, ଚାଳ କିମ୍ବା ଅନଧିକୃତ କଲୋନୀରେ ରହୁଥିବା ମଧ୍ୟବିତ୍ତ ଲୋକଙ୍କୁ ଘର ଦେବା ପାଇଁ ଏକ ନୂତନ ଆବାସ ଯୋଜନା ଘୋଷଣା ହେଉ କିମ୍ବା ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାର ପ୍ରତିଶ୍ରୁତି ସହ ବଜେଟ ଭାଷଣରେ ସୁବର୍ଣ୍ଣ ଭବିଷ୍ୟତର ସ୍ୱପ୍ନ ମଧ୍ୟ ଦର୍ଶାଯାଇଛି।

ଛାତ ଉପରେ ସୌର ଶକ୍ତି ଯୋଜନା : ‘ମାଗଣା ଯୋଜନା’ ଉପରେ କଡ଼ା ଆକ୍ରମଣ

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିଷ୍ଠା ଦିବସ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ ଉପରେ ସୌର ଯୋଜନା ଘୋଷଣା କରିଥିଲେ। ଏହି ମହତ୍ୱାକାଂକ୍ଷୀ ଯୋଜନା ଜରିଆରେ ୧ କୋଟି ଲୋକଙ୍କୁ ପ୍ରତି ମାସରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ହିତାଧିକାରୀ ପରିବାରକୁ ବାର୍ଷିକ ୧୫ରୁ ୧୮ ହଜାର ଟଙ୍କାର ଲାଭ ମିଳିବ ବୋଲି ସରକାର ଦାବି କରିଛନ୍ତି । ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ଫାଇଦା ଉଠାଇବାକୁ ଯାଉଛନ୍ତି, ଯଦିଓ ଏହା ନିକଟରେ ଘୋଷଣା ହୋଇଛି, ତଥାପି ଏହା ଏପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଇନାହିଁ। ଏହା ଜରିଆରେ ‘ମାଗଣା ଯୋଜନା’ ପ୍ରଦାନକାରୀଙ୍କ ଉପରେ ଆକ୍ରମଣକୁ ତୀବ୍ର କରାଯିବ। ଏହା ମାଧ୍ୟମରେ ସେ ମାଗଣାରେ ବିଜୁଳି ନ ଦେଇ ମାଗଣା ବିଜୁଳି ଯୋଗାଇ ଦେବାର ସ୍ୱପ୍ନ ଉପସ୍ଥାପନ କରିଛନ୍ତି, ଯାହା କି ମାଗଣା ବିଜୁଳି ମୁକ୍ତ ଜଳ ରାଜନୀତି ଉପରେ ସିଧାସଳଖ ଆକ୍ରମଣ।

ରାମଙ୍କ ନାମ ଯଥେଷ୍ଟ !

ବଜେଟରେ କୌଣସି ନୂଆ ଲୋକପ୍ରିୟ ଯୋଜନା ଘୋଷଣା ନ କରିବା ଏବଂ କୌଣସି ବର୍ଗକୁ ନୂଆ ରିହାତି ନ ଦେବାର ଏକ ପ୍ରମୁଖ କାରଣ ହେଉଛି କେନ୍ଦ୍ରର କ୍ଷମତାରେ ହ୍ୟାଟ୍ରିକ୍ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି। ଏଥିରୁ ଜଣାପଡୁଛି ଯେ ମୋଦି ପୁଣିଥରେ କ୍ଷମତାକୁ ଫେରିବେ ବୋଲି ବିଶ୍ୱାସ ରଖିଛନ୍ତି। ନିର୍ମଳା ସୀତାରମଣ ମଧ୍ୟ ଅନ୍ତରୀଣ ବଜେଟ ଅଭିଭାଷଣରେ ଏହି ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ସେ ଜୁଲାଇରେ ଏକ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହି ଆତ୍ମବିଶ୍ୱାସର ମୁଖ୍ୟ କାରଣ ବୋଧହୁଏ ‘ରାମ ଲହର’। ପରମ୍ପରାକୁ ଦୃଷ୍ଟିରେ ରଖି ନିର୍ମଳା ଅନ୍ତରୀଣ ବଜେଟରେ କୌଣସି ବିଭାଗ ପାଇଁ ବଡ଼ ରିହାତି ଘୋଷଣା କରିନଥିଲେ ମଧ୍ୟ ୨୦୧୯ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହା ମୋଦି ସରକାରଙ୍କ ଅଧୀନରେ ଥିଲା।

ଏହାପରେ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ ଏବଂ ପିଏମ କିଷାନ ସମ୍ମାନ ନିଧି ବିଷୟରେ ଘୋଷଣା କରାଯାଇଥିଲା। ଏହି ଯୋଜନା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଥିଲା ଏବଂ ୨୦୧୯ରେ ମୋଦୀ ସରକାରରେ ଏହାର ଏକ ପ୍ରମୁଖ ଯୋଗଦାନ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଏଥର ସେଭଳି କୌଣସି ଗେମ୍ ଚେଞ୍ଜର ସ୍କିମ୍ ଘୋଷଣା ନ କରିବା ଦର୍ଶାଉଛି ଯେ ନରେନ୍ଦ୍ର ମୋଦି ସରକାର ନିର୍ବାଚନ ପରେ ପୁଣି ଥରେ କ୍ଷମତାକୁ ଫେରିବେ ବୋଲି ନିଶ୍ଚିତ ହୋଇଛନ୍ତି। ଏହି ବିଶ୍ୱାସର ଏକ ପ୍ରମୁଖ କାରଣ ହେଉଛି ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ । ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପରେ ସମଗ୍ର ଦେଶରେ ଏକ ଜବରଦସ୍ତ ‘ରାମ ଲହର’ ସୃଷ୍ଟି ହୋଇଛି। ନରେନ୍ଦ୍ର ମୋଦି ତାଙ୍କ ସରକାର ୧୦ ବର୍ଷର କାର୍ଯ୍ୟକାଳରେ କରିଥିବା କାର୍ଯ୍ୟ ଓ ରାମଙ୍କ ଉପରେ ବିଶ୍ୱାସ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪

ବଢ଼ୁଥିବା ଜନସଂଖ୍ୟା ପାଇଁ ବଜେଟରେ କମିଟି!, ଆଶ୍ଚର୍ଯ୍ୟଜନକ ଏହି ଘୋଷଣା

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଓ ଜନସଂଖ୍ୟା ପରିବର୍ତ୍ତନ ଆକଳନ ପାଇଁ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି କମିଟିରେ ଉଚ୍ଚ କ୍ଷମତା ରହିବ। ଏହି ପରିସ୍ଥିତିର ମୁକାବିଲା ପାଇଁ କମିଟି ସରକାରଙ୍କୁ ସୁପାରିସ ମଧ୍ୟ ଦେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନର ଅନୁଧ୍ୟାନ କରିବା ପାଇଁ ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିବେ। ସାମାଜିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରସ୍ତାବ ଦେଉଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଭଳି ଆହ୍ୱାନର ମୁକାବିଲା ପାଇଁ କମିଟି ସୁପାରିସ ଦେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏହି ସମୟରେ ଦେଶର ଜନସଂଖ୍ୟା ୧୪୦ କୋଟିରୁ ଅଧିକ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱର ଏକ ନମ୍ବର ସ୍ଥାନରେ ପହଞ୍ଚିଛି। ଗତବର୍ଷ ଜନସଂଖ୍ୟା ଦୃଷ୍ଟିରୁ ଚୀନକୁ ପଛରେ ପକାଇ ଭାରତ ଏକ ନମ୍ବର ହୋଇଛି। ଆଗାମୀ ଦିନରେ ଜନସଂଖ୍ୟା ବୃଦ୍ଧି ଭାରତ ପାଇଁ ଏକ କଠିନ ସମସ୍ୟା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ଏକ କମିଟି ଗଠନ କରିଛନ୍ତି।

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

ଅନ୍ତରୀଣ ବଜେଟ-୨୦୧୪: ଯୁବବର୍ଗ, କୃଷକ, ମହିଳା ଓ ଗରିବଙ୍କ ଉପରେ କଣ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ଯୁବବର୍ଗ, କୃଷକ, ମହିଳା ଓ ଗରିବଙ୍କ ଉପରେ ସରକାରଙ୍କ ଫୋକସ ରହିଛି। ଏହି ଚାରିବର୍ଗର ଲୋକମାନେ ପ୍ରାଥମିକତାର ଶୀର୍ଷରେ ଅଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଏହା ଏକ ଅନ୍ତରୀଣ ବଜେଟ ଥିଲା। ପରମ୍ପରାକୁ ଦର୍ଶାଇ ଅର୍ଥମନ୍ତ୍ରୀ ଟିକସ ସମ୍ବନ୍ଧୀୟ କୌଣସି ଘୋଷଣା କରିବାରୁ ଦୂରେଇ ରହିଥିଲେ। କୌଣସି ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଏବଂ ଆୟକର ସମେତ ଏହାର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ ଯୋଗ୍ୟ ମଧ୍ୟବିତ୍ତଙ୍କୁ ନିଜସ୍ୱ ଘର କିଣିବା କିମ୍ବା ନିର୍ମାଣ କରିବା ପାଇଁ ସରକାର ଏକ ଆବାସ ଯୋଜନା ଆରମ୍ଭ କରିବେ। ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ଉପସ୍ଥାପନ କରି ସୀତାରମଣ କହିଛନ୍ତି ଯେ ସରକାର ଏକ ଅର୍ଥନୈତିକ ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିବେ ଯାହା ସ୍ଥାୟୀ ଅଭିବୃଦ୍ଧି ଏବଂ ଉତ୍ପାଦକତାରେ ଉନ୍ନତି ଆଣିବ। ବଜେଟ ଉପସ୍ଥାପନ କରି ସେ ଏକ କୋଟି ଘରେ ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ସୁନିଶ୍ଚିତ କରିବା ପାଇଁ ‘ରୁଫ୍ ଟପ୍ ସୋଲାରାଇଜେସନ’ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାଦ୍ୱାରା ବାର୍ଷିକ ୧୫,୦୦୦-୧୮,୦୦୦ ଟଙ୍କାର ଘରୋଇ ସଞ୍ଚୟ ହୋଇପାରିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ଡାକ୍ତରଖାନା ଭିତ୍ତିଭୂମିକୁ ବ୍ୟବହାର କରି ସରକାର ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା କରିବେ। ପୂର୍ବାଞ୍ଚଳ ଓ ଜନସାଧାରଣଙ୍କ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଉଡାନ ଯୋଜନାରେ ୫୧୭ଟି ନୂଆ ରୁଟ୍ ଯୋଡ଼ାଯିବ।

ଟିକସ ରିଟର୍ଣ୍ଣ ପ୍ରକ୍ରିୟା ପାଇଁ ଲାଗୁଥିବା ସମୟ ୨୦୧୪ରେ ୯୩ ଦିନ ଥିବାବେଳେ ଏବେ ୧୦ ଦିନକୁ ହ୍ରାସ, ରିଫଣ୍ଡ ଦ୍ରୁତ।

୨୦୧୪ ପୂର୍ବର ଅର୍ଥନୈତିକ ଅବ୍ୟବସ୍ଥା ନେଇ ଶ୍ୱେତପତ୍ର ଆଣିବେ ସରକାର।

କୋଇଲା ଗ୍ୟାସିଫିକେସନ୍ ମାଧ୍ୟମରେ ପ୍ରାକୃତିକ ଗ୍ୟାସ୍ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଲାକ୍ଷାଦ୍ୱୀପ ସମେତ ସମଗ୍ର ଦେଶରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି ବିକାଶ ଉପରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି।

ଭିତ୍ତିଭୂମି ଖର୍ଚ୍ଚ ୧୧% ବୃଦ୍ଧି ପାଇ ୧୧.୧୧ ଲକ୍ଷ କୋଟି ଟଙ୍କା ହେବ, ଯାହା ଜିଡିପିର ୩.୪ ପ୍ରତିଶତ।

ରାଜ୍ୟଗୁଡ଼ିକର ବିକାଶ ପାଇଁ ୭୫ ହଜାର କୋଟି ଟଙ୍କାର ସୁଧମୁକ୍ତ ଋଣ ବ୍ୟବସ୍ଥା।

ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୫.୮ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ୫.୧ ପ୍ରତିଶତକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି।

୨୦୨୩-୨୪ ପାଇଁ ଋଣକୁ ବାଦ୍ ଦେଲେ ସମୁଦାୟ ଆୟ ୨୭.୫୬ ଲକ୍ଷ କୋଟି ଟଙ୍କାର ସଂଶୋଧିତ ଆକଳନ।

ନିଟ୍ ଶୂନ୍ୟ କାର୍ବନ ନିର୍ଗମନ ପାଇଁ ୧ ଗିଗାୱାଟ୍ ଉପକୂଳ ପବନ ଶକ୍ତି କ୍ଷମତା ପାଇଁ ପ୍ରକଳ୍ପର ଫଳପ୍ରଦତା ପାଇଁ ଅର୍ଥ ପ୍ରଦାନ କରାଯିବ।

ଆୟୁଷ୍ମାନ ଭାରତ ଅଧୀନରେ ଅନ୍ତର୍ଭୁକ୍ତ ସମସ୍ତ ଆଶା ଓ ଅଙ୍ଗନୱାଡ଼ି କର୍ମୀ

ଆୟୁଷ୍ମାନ ଭାରତ ଅଧୀନରେ ସମସ୍ତ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ହେଉଛି ବିଶ୍ୱର ସର୍ବବୃହତ ସରକାରୀ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା ଯାହା ଦ୍ୱିତୀୟ ଏବଂ ତୃତୀୟ ସ୍ତରୀୟ ଚିକିତ୍ସା ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପ୍ରତି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରେ। ଗତବର୍ଷ ଡିସେମ୍ବର ୨୭ ସୁଦ୍ଧା ଏହି ଯୋଜନାରେ ୧୨ କୋଟି ପରିବାର ଓ ପ୍ରାୟ ୫୫ କୋଟି ଲୋକ ସାମିଲ ହୋଇଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ପର୍ଯ୍ୟାପ୍ତ ଏବଂ ଠିକ୍ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା।

ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ୧୧.୮ କୋଟି କୃଷକ ଉପକୃତ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପିଏମ କିଷାନ ଯୋଜନାରେ ୧୧.୮ କୋଟି କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ବିଶ୍ୱର ସର୍ବବୃହତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନା ମଧ୍ୟରୁ ଅନ୍ୟତମ। ପିଏମ୍ କିଷାନ ଯୋଜନାରେ ସରକାର ତିନିଟି ସମାନ ମାସିକ କିସ୍ତିରେ ବାର୍ଷିକ ୬,୦୦୦ ଟଙ୍କାର ଆର୍ଥିକ ଲାଭ ପ୍ରଦାନ କରନ୍ତି। ଏହି ଟଙ୍କା ‘ଡିବିଟି’ ଜରିଆରେ ସାରାଦେଶର କୃଷକ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥାଏ। ଫେବୃଆରୀ ୨୦୧୯ରେ ଅନ୍ତରୀଣ ବଜେଟରେ ଏହା ଘୋଷଣା କରାଯାଇଥିଲା।

ରୁଫ୍ ଟପ୍ ସୋଲାର ପ୍ରୋଜେକ୍ଟରେ ୧ କୋଟି ପରିବାରକୁ ମାସକୁ ୩୦୦ ୟୁନିଟ୍ ବିଜୁଳି ଯୋଗାଇ ଦିଆଯିବ: ସୀତାରମଣ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିବା ପରେ ସେମାନଙ୍କଖାଦ୍ୟ କୁ ନେଇ ଚିନ୍ତା ଦୂର ହୋଇଛି।

ଲୋକସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି ସେ କହିଛନ୍ତି ଯେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଭାରତ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା ଏବଂ ଆହ୍ୱାନକୁ ସଠିକ ଭାବେ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ନଭେମ୍ବରରେ ଘୋଷଣା କରିଥିଲେ ଯେ ତାଙ୍କ ସରକାର ଗରିବ ଲୋକଙ୍କ ପାଇଁ ମାଗଣା ରାସନ ଯୋଜନାକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରିବେ।

କୃଷି ଜଳବାୟୁ ଅଞ୍ଚଳରେ ବିଭିନ୍ନ ଫସଲରେ ନାନୋ ୟୁରିଆ ବ୍ୟବହାର କରାଯିବ।

ଭଡ଼ା ଘର, ବସ୍ତି ଓ ଚାଳରେ ରହୁଥିବା ମଧ୍ୟବିତ୍ତଙ୍କ ପାଇଁ ସରକାର ସ୍ୱତନ୍ତ୍ର ଆବାସ ଯୋଜନା ଆଣିବେ।

ଜିଲ୍ଲାରେ ଡାକ୍ତରଖାନାଗୁଡ଼ିକୁ ମେଡ଼ିକାଲ କଲେଜରେ ପରିଣତ କରିବା ପାଇଁ କମିଟି ଗଠନ କରାଯିବ।

ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଆମେ ୩ କୋଟି ଲକ୍ଷ୍ୟ ହାସଲ କରିବାର ନିକଟତର ହୋଇଛୁ; ଆସନ୍ତା ୫ ବର୍ଷରେ ୨ କୋଟିରୁ ଅଧିକ ଘର ନିର୍ମାଣ ହେବ।

କୋଭିଡ୍-୧୯ ମହାମାରୀର ଆହ୍ୱାନକୁ ଅତିକ୍ରମ କରି ଆତ୍ମନିର୍ଭର ଭାରତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲା ଦେଶ।

୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ କାମ କରୁଥିବା ‘ଅମୃତକାଳ’ର ମଜଭୁତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପଞ୍ଚ ପ୍ରାଣ।

ପିଏମ-ସ୍ୱନିଧି, ପିଏମ ବିଶ୍ୱକର୍ମା ଯୋଜନାରେ ୭୮ ଲକ୍ଷ ଷ୍ଟ୍ରିଟ୍ ଭେଣ୍ଡର ଉପକୃତ ହୋଇଛନ୍ତି।

ମାଗଣା ରାସନ ୮୦ କୋଟି ଲୋକଙ୍କ ଖାଦ୍ୟ ଚିନ୍ତା ଦୂର କରିଛି: ସୀତାରମଣ

ସ୍କିଲ୍ ଇଣ୍ଡିଆ ମିଶନରେ ଦେଶର ୧.୪ କୋଟି ଯୁବକ ଉପକୃତ ହୋଇଛନ୍ତି: ସୀତାରମଣ

ଜନଧନ ଆକାଉଣ୍ଟ ଜରିଆରେ ସିଧାସଳଖ ଲାଭ ହସ୍ତାନ୍ତର ୩୪ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର, ୨.୭ ଲକ୍ଷ କୋଟି ଟଙ୍କା ସଞ୍ଚୟ: ସୀତାରମଣ

ଆଗାମୀ ୫ ବର୍ଷ ଦେଶ ପାଇଁ ଅଭୂତପୂର୍ବ ବିକାଶର ସମୟ ହେବ ଏବଂ ଏକ ବିକଶିତ ଭାରତର ମାର୍ଗ ପ୍ରଶସ୍ତ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ନିଆଯାଇଥିବା ସଂସ୍କାର ଆଗାମୀ ୫ ବର୍ଷରେ ଅଭୂତପୂର୍ବ ଅଭିବୃଦ୍ଧି ଆଣିବ।

କୋଭିଡ଼ ମହାମାରୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଘର, ପରିବାରକୁ ୨ କୋଟି ନୂଆ ଘର ଦିଆଯିବ।

୧୦ ବର୍ଷରେ ୨୫୦ ନିୟୁତ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି।

ଦେଶରେ ୧୦ ବର୍ଷରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରାଯାଇଛି, ସରକାର ଗରିବଙ୍କୁ ସଶକ୍ତ କରୁଛନ୍ତି।

୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଭାରତ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା। ସରକାର ପ୍ରକୃତରେ ସେମାନଙ୍କୁ ଦୂର କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଲୋକସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରି ସେ କହିଛନ୍ତି ଯେ ଦାରିଦ୍ର୍ୟ ମୁକାବିଲା ଦିଗରେ ପୂର୍ବ ସରକାରମାନଙ୍କର ଆଭିମୁଖ୍ୟ ଖୁବ୍ କମ୍ ଫଳପ୍ରଦ ହୋଇଛି। ସୀତାରମଣ କହିଛନ୍ତି ଯେ ବର୍ତ୍ତମାନ ସ୍ୱଚ୍ଛତା ଆଧାରରେ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଲାଭ ହସ୍ତାନ୍ତର କରାଯାଉଛି। ସେ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ପରିବର୍ତନମୂଳକ ସଂସ୍କାର ଅଣାଯାଉଛି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୨୨.୫ ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଛି

ଅନ୍ତରୀଣ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସରକାର ମୋଟ ୨୨.୫ ଲକ୍ଷ କୋଟି ଟଙ୍କାର ୪୩ କୋଟି ଋଣ ଦେଇଛନ୍ତି। ସୀତାରମଣ ତାଙ୍କ ନିର୍ବାଚନ ପୂର୍ବ ବଜେଟରେ କହିଥିଲେ ଯେ ଜନଧନ ଆକାଉଣ୍ଟ ମାଧ୍ୟମରେ ୩୪ ଲକ୍ଷ କୋଟି ଟଙ୍କାର ସିଧାସଳଖ ଲାଭ ହସ୍ତାନ୍ତର ୨.୭ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ମହିଳାମାନଙ୍କୁ ୩୦ କୋଟି ମୁଦ୍ରା ଯୋଜନା ଋଣ ଦିଆଯାଇଛି। ସେ କହିଥିଲେ ଯେ ସମସ୍ତ ଯୋଗ୍ୟ ଲୋକଙ୍କୁ ଦଳରେ ଆଣିବା ଲକ୍ଷ୍ୟ ସାମାଜିକ ନ୍ୟାୟର ଏକ ପ୍ରକୃତ ଏବଂ ବ୍ୟାପକ ଉପଲବ୍ଧି ଏବଂ ଏହା ହେଉଛି ସକ୍ରିୟ ଧର୍ମନିରପେକ୍ଷତା। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୧୦ରେ ୨୦ ଜଣ ଚେସ୍ ଗ୍ରାଣ୍ଡମାଷ୍ଟର ଥିବାବେଳେ ଆଜି ଭାରତରେ ୮୦ ଜଣ ଚେସ୍ ଗ୍ରାଣ୍ଡମାଷ୍ଟର ଅଛନ୍ତି।

ଅର୍ଥନୀତିରେ ସକାରାତ୍ମକ ପରିବର୍ତ୍ତନ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିରେ ଗଭୀର ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି। ନିର୍ବାଚନ ପୂର୍ବ ବଜେଟରେ ସେ କହିଛନ୍ତି ଯେ ଭାରତବାସୀ ଆଶା ଓ ବିକଳ୍ପ ସହିତ ଭବିଷ୍ୟତକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଅନ୍ତର୍ଭୁକ୍ତୀକରଣର ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଢାଞ୍ଚାଗତ ସଂସ୍କାର, ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ସୁଯୋଗ ଅର୍ଥନୀତିକୁ ନୂତନ ଶକ୍ତି ପ୍ରଦାନ କରିବାରେ ସହାୟକ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୀତି ୫.୮ ପ୍ରତିଶତ ହ୍ରାସ ପାଇବା ପରେ ୨୦୨୧-୨୨ରେ ଆମେ ୯.୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲୁ। ଅର୍ଥ ମନ୍ତ୍ରାଳୟ ଏହାର ସଦ୍ୟତମ ମାସିକ ଅର୍ଥନୈତିକ ସମୀକ୍ଷାରେ କହିଛି ଯେ ଭାରତୀୟ ଅର୍ଥନୀତି ବର୍ତ୍ତମାନର ୩.୭ ଟ୍ରିଲିୟନ ଡଲାରରୁ ୫ ଟ୍ରିଲିୟନ ଡଲାର ଜିଡିପି ସହିତ ଆଗାମୀ ତିନି ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାର ସମ୍ଭାବନା ରହିଛି। ଆଗାମୀ ୬ରୁ ୭ ବର୍ଷ ମଧ୍ୟରେ (୨୦୩୦ ସୁଦ୍ଧା) ଭାରତ ୭ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବବୋଲି ଏଥିରେ କୁହାଯାଇଛି।

ଜିଡିପିର ନୂଆ ଅର୍ଥ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ଜିଡିପିକୁ ‘ଗଭର୍ଣ୍ଣାନ୍ସ, ଡେଭଲପମେଣ୍ଟ ଏବଂ ପରଫରମାନ୍ସ’ର ଅର୍ଥ ଦେଇଛନ୍ତି। ସାମଗ୍ରିକ ଅଭିବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଚାରିଟି ‘ଜାତି’ ଉପରେ ଧ୍ୟାନ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆମକୁ ଗରିବ, ମହିଳା, ଯୁବକ ଏବଂ କୃଷକ ଅର୍ଥାତ ଅନ୍ନଦାତା ଉପରେ ଧ୍ୟାନ ଦେବାକୁ ପଡ଼ିବ। ସେମାନଙ୍କ ଆକାଂକ୍ଷା ଓ କଲ୍ୟାଣ ଆମର ସବୁଠାରୁ ବଡ଼ ପ୍ରାଥମିକତା। ଏହି ୪ ଜାତିଙ୍କୁ ମିଳିବ ସରକାରଙ୍କ ସମର୍ଥନ, ଦେଶ ସେମାନଙ୍କ ସଶକ୍ତୀକରଣ ସହ ଆଗକୁ ବଢ଼ିବ। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ୪ଟି ଜାତି ବୋଲି ବର୍ଣ୍ଣନା କରିଛନ୍ତି ଯାହା ଉପରେ ସରକାର ଧ୍ୟାନ ଦେଉଛନ୍ତି।

୧୦ ବର୍ଷରେ ଭାରତୀୟ ଅର୍ଥନୀତିରେ ଅଭୂତପୂର୍ବ ପରିବର୍ତ୍ତନ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି। ୨୦୧୪ରେ ଦେଶ ବିପୁଳ ଆହ୍ୱାନର ସମ୍ମୁଖୀନ ହେଉଥିଲା, ସରକାର ସେହି ଆହ୍ୱାନକୁ ଅତିକ୍ରମ କରି ଢାଞ୍ଚାଗତ ସଂସ୍କାର ଆଣିଥିଲେ, ଲୋକାଭିମୁଖୀ ସଂସ୍କାର କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଆୟକର ସ୍ଲାବ ଏବଂ ବ୍ୟବସ୍ଥାରେ କୌଣସିପରିବର୍ତ୍ତନ ନାହିଁ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ଆୟକର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏହା ସହିତ, ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହା ଅଧୀନରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ହାର ପୂର୍ବ ପରି ରହିବ। ପ୍ରକାଶ ଯେ ଅନ୍ତରୀଣ ବଜେଟରେ ଆୟକର ଛାଡ ସୀମା ବୃଦ୍ଧି ହେବ ବୋଲି ଟିକସଦାତା ଆଶା କରୁଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଆୟକର ବ୍ୟବସ୍ଥାରେ କୌଣସି ଆଶ୍ଵସ୍ତି ପ୍ରଦାନ କରାଯାଇ ନାହିଁ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଆୟକର ରିଟର୍ଣ୍ଣର ପ୍ରକ୍ରିୟାକରଣ ସମୟ ୨୦୧୩-୧୪ ରେ ୯୩ ଦିନରୁ ମାତ୍ର ୧୦ ଦିନକୁ ହ୍ରାସ ପାଇଛି। ଏହା ସହିତ ସରକାର ଏକ କୋଟି କରଦାତାଙ୍କୁ ଲାଭବାନ କରିବା ପାଇଁ ୨୦୦୯-୧୦ ପର୍ଯ୍ୟନ୍ତ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଡିମାଣ୍ଡ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଏହାପୂର୍ବରୁ, ଫେବୃଆରୀ ୧ ତାରିଖ ୨୦୨୩ରେ ବାର୍ଷିକ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନୂତନ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଘୋଷଣା କରିଥିଲେ। ନୂତନ ଆୟକର ବ୍ୟବସ୍ଥା ଅନୁଯାୟୀ ଟିକସ ରିହାତି ସୀମାକୁ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଥିଲା। ନୂତନ ଟିକସ ବ୍ୟବସ୍ଥାରେ ଯେଉଁମାନେ ୭ ଲକ୍ଷରୁ କମ୍ ରୋଜଗାର କରୁଛନ୍ତି ସେମାନଙ୍କୁ ଆୟକରରୁ ସମ୍ପୂର୍ଣ୍ଣ ଛାଡ କରାଯାଇଛି। ଏହା ବ୍ୟତୀତ ନୂତନ ଟିକସ ବ୍ୟବସ୍ଥା ଚୟନ କରୁଥିବା ବ୍ୟକ୍ତିଙ୍କ ପାଇଁ ଟିକସ ଛାଡ ସୀମାକୁ ୨.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରାଯାଇଥିଲା।

ନୂତନ ଆୟକର ବ୍ୟବସ୍ଥାରେ ଟିକସ ସ୍ଲାବକୁ ୨.୫-୨.୫ ଲକ୍ଷରୁ ୩-୩ ଲକ୍ଷ ଟଙ୍କାକୁ ପରିବର୍ତ୍ତନ କରାଯାଇଛି। ଯେଉଁଥିରେ ୩ ଲକ୍ଷ ଟଙ୍କା ପରେ ଅର୍ଥାତ୍ ୩ ରୁ ୬ ଲକ୍ଷ ଟଙ୍କା ଆୟ ଉପରେ ୫ ପ୍ରତିଶତ ଆୟକର ଦେବାକୁ ପଡିବ। ବର୍ତ୍ତମାନ ୬ ରୁ ୯ ଲକ୍ଷ ମଧ୍ୟରେ ଆୟ ଉପରେ ୧୦ ପ୍ରତିଶତ ଆୟକର ଆଦାୟ କରାଯିବ ଏବଂ ୯ ରୁ ୧୨ ଲକ୍ଷ ମଧ୍ୟରେ ଆୟ ଉପରେ ୧୫ ପ୍ରତିଶତ ଆୟକର ଆଦାୟ କରାଯିବ। ଟିକସଦାତାଙ୍କୁ ୧୨ ରୁ ୧୫ ଲକ୍ଷ ମଧ୍ୟରେ ଆୟ ଉପରେ ୨୦ ପ୍ରତିଶତ ଆୟକର ଦେବାକୁ ପଡିବ। ଏବଂ ପୂର୍ବ ପରି ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଦେବାକୁ ପଡିବ।

ଆୟକର ସ୍ଲାବଗୁଡିକର ବର୍ତ୍ତମାନର ହାର ନିମ୍ନଲିଖିତ ଅଟେ: –

ଶୂନ୍ୟରୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ନାହିଁ
୨.୫ ଲକ୍ଷ ରୁ ୫ ଲକ୍ଷ ପର୍ଯ୍ୟନ୍ତ- ୫%
୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ- ୨୦%
୧୦ ଲକ୍ଷରୁ ଉର୍ଦ୍ଧ୍ଵ- ୩୦%

ନୂତନ ଆୟକର ସ୍ଲାବ

ଶୂନରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ନାହିଁ
୩ ଲକ୍ଷରୁ ୬ ଲକ୍ଷ- ୫%
୬ ଲକ୍ଷରୁ ୯ ଲକ୍ଷ- ୧୦%
୯ ଲକ୍ଷରୁ ୧୨ ଲକ୍ଷ- ୧୫%
୧୨ ଲକ୍ଷରୁ ୧୫ ଲକ୍ଷ- ୨୦%
୧୫ ଲକ୍ଷରୁ ଉର୍ଦ୍ଧ୍ଵ- ୩୦%

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

ଆଗାମୀ ବଜେଟରେ ବେତନଭୋଗୀଙ୍କୁ ଭଲ ଖବର ଦେବେ କି ନିର୍ମଳା ସୀତାରମଣ?

ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟ ୨୦୨୪ର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ପୂର୍ବ ବଜେଟରେ ବେତନଭୋଗୀ ଟିକସଦାତା (ଆୟକର ଦାତା) ଠକେଇର ଶିକାର ହୋଇଛନ୍ତି। କିନ୍ତୁ ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଠାରୁ ତାଙ୍କୁ ଆଶ୍ୱସ୍ତି ମିଳିବ ବୋଲି ସେମାନେ ଆଶା ରଖିଛନ୍ତି। ଅର୍ଥ ମନ୍ତ୍ରାଳୟ ସହ ଜଡିତ ସରକାରୀ ସୂତ୍ରରୁ ପ୍ରକାଶ ଯେ ୨୦୨୪ ବଜେଟରେ କିଛି ବିଶେଷ ହୋଇପାରେ। ଆସନ୍ତୁ ଜାଣିବା ବଜେଟରେ କ’ଣ ହୋଇପାରେ….

ସାଧାରଣ ନିର୍ବାଚନ ପୂର୍ବରୁ ବଜେଟ

ବଜେଟ-୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ବଜେଟ ଅଟେ। ତେଣୁ ଏହା ପୂର୍ଣ୍ଣାଙ୍ଗ ବଜେଟ ନୁହେଁ ବରଂ ଭୋଟ ଅନ୍‍ ଏକାଉଣ୍ଟ ଉପରେ ଭୋଟ ହେବ। ଏହା କିଛି ମାସ ପାଇଁ ରହିବ। ଏହାପରେ ନିର୍ବାଚିତ ସରକାର ସଂସଦରେ ନୂଆ ବଜେଟ ଉପସ୍ଥାପନ କରିବେ। କିନ୍ତୁ ନରେନ୍ଦ୍ର ମୋଦି ସରକାର ଯେଭଳି ଆତ୍ମବିଶ୍ୱାସୀ ତାହା ଦେଖିଲେ ଲାଗୁଛି ଯେ ଏଥର ଭୋଟ ଅନ୍ ଆକାଉଣ୍ଟରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ। ନର୍ଥ ବ୍ଲକର କରିଡରରୁ ଆସୁଥିବା ଫିଲଟରିଂ ଖବର ସୂଚାଉଛି ଯେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କୁ ବଜେଟ ୨୦୨୪ରେ ଖୁସି ଖବର ମିଳିପାରେ।

ବଦଳିବ କି ଆୟକର ସ୍ଲାବ?

ସିବିଡିଟି ସହ ଜଡିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିକସଦାତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ବଜେଟରେ ଆୟକର ସ୍ଲାବରେ ପରିବର୍ତ୍ତନ କରାଯାଇପାରେ। ତେବେ ଏଥିରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ଯେକୌଣସି ବେତନଭୋଗୀ ଶ୍ରେଣୀର ପିଲାଙ୍କ ପାଇଁ କିଛି ରିହାତି ସମ୍ଭବ। ପୁରୁଣା ଟିକସ ବ୍ୟବସ୍ଥା ବିଷୟରେ କହିବାକୁ ଗଲେ ବର୍ତ୍ତମାନର ବ୍ୟବସ୍ଥାରେ ଆୟକରର ମୋଟ ୫ଟି ସ୍ଲାବ ରହିଛି। ସେଥିମଧ୍ୟରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସ ମୁକ୍ତ ବର୍ଗରେ ଆସୁଛି। ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟିକସ ଲାଗୁ କରାଯାଇଛି। ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଟିକସ ଲାଗୁ କରାଯାଇଛି। ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୩୦ ପ୍ରତିଶତ ଏବଂ ୨୦ ଲକ୍ଷଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଲାଗୁ କରାଯାଇଛି। ସେହିପରି ନୂଆ ଟିକସ ବ୍ୟବସ୍ଥାରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଟିକସ ମୁକ୍ତ ଅଧୀନରେ ଆସୁଛି। ଏଥିରେ ଅଧିକ ରିହାତି ଦିଆଯାଇପାରେ। ଏହାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ। ପୁରୁଣା ଟିକସ ବ୍ୟବସ୍ଥାରେ ଅର୍ଥମନ୍ତ୍ରୀ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି କୁହାଯାଉଛି। ଯାହା ହେବ, ତାହା ନୂଆ ଟିକସ ବ୍ୟବସ୍ଥାରେ ରହିବ।

ଫୋକସ୍ କ’ଣ ରହିବ?

ଅର୍ଥ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଜେଟରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମାର ଢାଞ୍ଚା ଉପରେ ଗୁରୁତ୍ୱ ଦିଆଯିବ। ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଦୁଇଟି ଟିକସ ସ୍ଲାବ ଅଧୀନରେ ରହିଛି। ପ୍ରଥମଟି ହେଉଛି ୬ରୁ ୯ ଲକ୍ଷ ଟଙ୍କା, ଯାହା ଉପରେ ୧୦ ପ୍ରତିଶତ ଟିକସ ରହିଛି। ସେହିପରି ୯ ଲକ୍ଷରୁ ୧୨ ଲକ୍ଷ ଅର୍ଥାତ୍ ୧୫ ପ୍ରତିଶତ ଟିକସ ଆଦାୟ କରାଯାଉଛି। ଏଭଳି ସ୍ଥିତିରେ ସିଧାସଳଖ ୧୦ ଲକ୍ଷ ସ୍ଲାବରେ ଦୁଇଟି ଟିକସ ସ୍ଲାବ କରିବାକୁ ପ୍ରୟାସ କରାଯାଇପାରେ। ଏହା ଉପରେ ୧୦ ପ୍ରତିଶତ ଟିକସ ଲଗାଇବାର ଯୋଜନା ରହିଛି। ଏଥିରେ ୬-୯ ଲକ୍ଷ ଟଙ୍କାର ସ୍ଲାବ ବଦଳାଯାଇପାରିବ। ଏସବୁ ବ୍ୟତୀତ ଅନ୍ୟ କିଛି ବ୍ୟବସ୍ଥା କରାଯାଇପାରିବ।

ଅଧିକ ଆୟ କରୁଥିବା ଲୋକଙ୍କ ପାଇଁ କ’ଣ?

ବର୍ତ୍ତମାନର ଟିକସ ବ୍ୟବସ୍ଥାରେ ନୂଆ ବ୍ୟବସ୍ଥାରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ୨୦ ପ୍ରତିଶତ ଟିକସ ଲାଗୁ କରାଯାଇଛି। ଅର୍ଥାତ୍ ୧୦ ଲକ୍ଷ ଉପରେ ନଜର ପକାଇଲେ ୧୦ ଓ ୧୫ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଏ। ସେହିପରି ୧୫ ଲକ୍ଷ ଉପରେ ୨୦ ପ୍ରତିଶତ ଟିକସ ରହିଛି। ୧୫ ପ୍ରତିଶତ ସ୍ଲାବ ଉଚ୍ଛେଦ ହେବାର ସମ୍ଭାବନା ରହିଛି। ୧୦ ଲକ୍ଷରୁ ୧୦-୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଟିକସ ଲାଗୁ ହେବ। ଏଭଳି ସ୍ଥିତିରେ ୧୦ରୁ ୧୨ ପ୍ରତିଶତ ସ୍ଲାବରେ ଆସୁଥିବା ଲୋକଙ୍କ ଉପରେ ଟିକସ ବୋଝ ବଢ଼ିବ କିନ୍ତୁ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିବ।

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ!, ଅନ୍ତରୀଣ ବଜେଟରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଏଥିରେ ଟିକସଦାତାଙ୍କୁ ନିର୍ବାଚନ ବର୍ଷରେ ଖୁସି ଖବର ମିଳିପାରେ। ମିଡିଆ ରିପୋର୍ଟ ଅନୁଯାୟୀ, ନୂଆ ଆୟକର ବ୍ୟବସ୍ଥାରେ ରିହାତି ସୀମା ୭ ଲକ୍ଷ ଟଙ୍କାରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଯଦି ଏପରି ହୁଏ ତେବେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଏଥିରେ ୫୦,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମଧ୍ୟ ଅନ୍ତର୍ଭୁକ୍ତ। ଏଥିପାଇଁ ଅର୍ଥ ବିଲରେ ପରିବର୍ତ୍ତନ ହୋଇପାରେ। ଗତବର୍ଷ ବଜେଟରେ ନୂଆ ଟିକସ ବ୍ୟବସ୍ଥାରେ ଛାଡ଼ ସୀମା ୫ ଲକ୍ଷଟଙ୍କାରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ଆୟକର ସ୍ଲାବ ସଂଖ୍ୟା ୭ରୁ ୬କୁ ହ୍ରାସ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଅନ୍ତରୀଣ ବଜେଟରେ ଟିକସଦାତାଙ୍କୁ ଆଶ୍ୱସ୍ତି ଦିଆଯାଇ। କଠିନ ପରିଶ୍ରମ କରୁଥିବା ମଧ୍ୟବିତ୍ତ ବର୍ଗଙ୍କୁ ଟିକସ ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଏକ ସୂତ୍ରରୁ ପ୍ରକାଶ। ନିର୍ବାଚନ ପରେ ଉପସ୍ଥାପିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ କିଛି ପରିବର୍ତ୍ତନ ହୋଇପାରେ। ଫେବ୍ରୁଆରି ପହିଲାରେ ଉପସ୍ଥାପିତ ହେବାକୁ ଥିବା ଅନ୍ତରୀଣ ବଜେଟରେ ଏହି ପ୍ରସ୍ତାବ ପାଇଁ ଏକ ଅର୍ଥ ବିଲ ଅଣାଯାଇପାରେ। କେନ୍ଦ୍ର ସରକାର ଟିକସଦାତାଙ୍କ ଉପରେ ଟିକସ ବୋଝ ହ୍ରାସ କରିବା ସହ ଟିକସ ପ୍ରାପ୍ତିର ପରିସର ବୃଦ୍ଧି କରିବାକୁ କାର୍ଯ୍ୟ କରୁଛନ୍ତି। ଆକଳନ ବର୍ଷ ୨୦୨୩-୨୪ରେ ରେକର୍ଡ ୮.୧୮ କୋଟି ଲୋକ ଆଇଟିଆର ଦାଖଲ କରିଛନ୍ତି, ଯାହାକି ପୂର୍ବ ବର୍ଷ ତୁଳନାରେ ୯ ପ୍ରତିଶତ ଅଧିକ।

ପୁରୁଣା ବନାମ ନୂଆ ଟିକସ ବ୍ୟବସ୍ଥା

୨୦୨୦ ବଜେଟରେ ପ୍ରଥମେ ନୂଆ ଟିକସ ବ୍ୟବସ୍ଥା ଘୋଷଣା କରାଯାଇଥିଲା। ଅର୍ଥ ମନ୍ତ୍ରାଳୟ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉଭୟ ନୂଆ ଟିକସ ବ୍ୟବସ୍ଥା ଏବଂ ପୁରୁଣା ଟିକସ ବ୍ୟବସ୍ଥା ଲାଗୁ କରିଛି। ଟିକସଦାତାଦୁଇଟି ବିକଳ୍ପ ମଧ୍ୟରୁ ଯେକୌଣସି ଗୋଟିଏକୁ ବାଛି ଆଇଟିଆର ଫାଇଲ କରିପାରିବେ ଏବଂ ଟିକସ ଛାଡ଼ର ଲାଭ ଉଠାଇପାରିବେ। ତେବେ ନୂଆ ଟିକସ ବ୍ୟବସ୍ଥାକୁ ଖିଲାପରେ ରଖାଯାଇଛି। ଯଦି ଆପଣ ପୁରୁଣା ଟିକସ ବ୍ୟବସ୍ଥାର ଫାଇଦା ନେବାକୁ ଚାହୁଁଛନ୍ତି ତେବେ ଏହାକୁ ବାଛିବା ଜରୁରୀ। ତେଣୁ, ଯଦି ଆପଣ ଆପଣଙ୍କ କମ୍ପାନୀକୁ ଆପଣଙ୍କ ପ୍ରାଥମିକତା ବିଷୟରେ କହିନାହାଁନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ନୂଆ ଟିକସ ବ୍ୟବସ୍ଥା ଅଧୀନରେ ଟିକସ ଆଦାୟ କରାଯିବ।

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

୨୦୨୪ ନିର୍ବାଚନ ପୂର୍ବରୁ ରାଜକୋଷ ଖୋଲିପାରନ୍ତି ମୋଦି ସରକାର, ବଜେଟରେ ମଧ୍ୟବିତ୍ତଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଉପସ୍ଥାପିତ ହେବାକୁ ଥିବା ଶେଷ ବଜେଟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କିଛି ବଡ଼ ଘୋଷଣା କରିପାରନ୍ତି। ଏଥିପାଇଁ ସବୁ ସ୍ତରରେ ମନ୍ଥନ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଚୂଡ଼ାନ୍ତ ଅନୁମୋଦନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ଏହାକୁ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି। ବିଶେଷ କରି କୃଷକ, ମହିଳା ଓ ଯୁବବର୍ଗଙ୍କୁ ସରକାର କିଛି ଠୋସ୍ ଦେବାକୁ ଚେଷ୍ଟା କରୁଛନ୍ତି। ଏହାବ୍ୟତୀତ ମଧ୍ୟବିତ୍ତଙ୍କ ପାଇଁ ମଧ୍ୟ ସରକାର କିଛି ଆଶ୍ୱସ୍ତି ଘୋଷଣା କରିପାରନ୍ତି।

ଅନେକ ଦିନ ଧରି ଚାଲିଛି ହୋମୱାର୍କ

ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ଏହା କେବଳ ଘୋଷଣା ନୁହେଁ ଏବଂ ଏହି ଲାଭ ଲକ୍ଷ ଲକ୍ଷ କୃଷକଙ୍କ ପାଖରେ ପହଞ୍ଚିବା ଉଚିତ। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ନିର୍ବାଚନ ପୂର୍ବରୁ ଫାଇଦା ଦେବା ପାଇଁ ଗତ କିଛିଦିନ ହେବ ହୋମୱାର୍କ ଚାଲିଛି। ସରକାର ଘୋଷଣା କରିବାମାତ୍ରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ। ଘୋଷଣାରେ କିଷାନ ସମ୍ମାନ ନିଧି ବୃଦ୍ଧି ସହିତ ଲାଡଲି ଯୋଜନା ଭଳି ମହିଳାମାନଙ୍କୁ ସିଧାସଳଖ ଅର୍ଥନୈତିକ ଲାଭ ପ୍ରଦାନ ଉପରେ ବିଚାର କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ପର୍ଯ୍ୟନ୍ତ ବିତ୍ତୀୟ ନିଅଣ୍ଟକୁ ଅଣଦେଖା କରି ବର୍ତ୍ତମାନର ଆର୍ଥିକ ନୀତିରେ ପରିବର୍ତ୍ତନ ଆଣି ବଡ଼ ବଡ଼ କଲ୍ୟାଣକାରୀ ଯୋଜନା କିମ୍ବା କୃଷକ ପ୍ୟାକେଜ ରେ ମୁକ୍ତଭାବେ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି ବୋଲି ଅନେକ ନେତା ଶୀର୍ଷ ନେତାଙ୍କୁ ଅନୁରୋଧ କରିଛନ୍ତି।

ବିତ୍ତୀୟ ନିଅଣ୍ଟକୁ ନେଇ ଚିନ୍ତା ନାହିଁ

ଅର୍ଥନୈତିକ ସ୍ଥିତିରେ ସୁଧାର ଆସୁଥିବାରୁ ଏବେ ସରକାରଙ୍କ ପାଖରେ ଏହି ସବୁ ଯୋଜନାରେ ଖର୍ଚ୍ଚ କରିବା ପାଇଁ ଅର୍ଥ ଅଛି ଏବଂ ଏପରି କରିବାଦ୍ୱାରା ଅନ୍ୟ ଉନ୍ନୟନ ମୂଳକ ଯୋଜନାର ପାଣ୍ଠି ପ୍ରଭାବିତ ହେବ ନାହିଁ। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ପାଇଁ ମୋଦି ସରକାର ଏପର୍ଯ୍ୟନ୍ତ ବହୁତ ଯତ୍ନବାନ ଅଛନ୍ତି ଏବଂ ଏଥିରେ ସଫଳ ହୋଇଛନ୍ତି। ତେବେ ସିଧାସଳଖ ପ୍ୟାକେଜ ଘୋଷଣା କରାଗଲେ ଏହା ପ୍ରଭାବିତ ହୋଇପାରେ।

୨୦୧୯ରେ ବଡ଼ ବାଜି ମାରିଥିଲେ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବଜେଟରେ କେନ୍ଦ୍ର ସରକାର ବଡ଼ ବାଜି ଲଗାଇଥିଲେ। ଏଥିରେ ମୋଦି ସରକାର କେବଳ କିଷାନ ସମ୍ମାନ ନିଧି ଘୋଷଣା କରିନାହାନ୍ତି ବରଂ ନିର୍ବାଚନ ପୂର୍ବରୁ ପ୍ରଥମ କିସ୍ତି ସମସ୍ତଙ୍କ ଆକାଉଣ୍ଟରେ ପହଞ୍ଚିବା ସୁନିଶ୍ଚିତ କରିଛନ୍ତି। ଏହାବ୍ୟତୀତ ମଧ୍ୟବିତ୍ତଙ୍କ ଆୟକରରେ ରିହାତି ମଧ୍ୟ ସେହି ବଜେଟରେ ଘୋଷଣା କରାଯାଇଥିଲା। ନିର୍ବାଚନରେ ଏହି ଦୁଇଟି ଘୋଷଣା ଫଳପ୍ରଦ ହୋଇଥିଲା।

କେମିତି ବଞ୍ଚିବ ଭୋଟ ବ୍ୟାଙ୍କ?

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ କେନ୍ଦ୍ର ସରକାର କୌଣସି ପ୍ରକାର ବୁଝାମଣା କରିବା ମୁଡ଼ରେ ନାହାନ୍ତି। ଜାନୁଆରୀ ୨୨ରେ ରାମ ମନ୍ଦିରରେ ରାମଲଲାଙ୍କ ପୂଜାର୍ଚ୍ଚନାଦ୍ୱାରା ସରକାର ଏବଂ ବିଜେପି ରାଜନୈତିକଭାବେ ଲାଭବାନ ହେବେ ବୋଲି ଆଶା କରାଯାଉଛି। କିନ୍ତୁ ଦଳ ଜାଣିଛି ଯେ କେବଳ ସେହି ଆଧାରରେ ନିର୍ବାଚନକୁ ଯିବା ଯଥେଷ୍ଟ ହେବ ନାହିଁ। ଯାହା ହେଉ ନା କାହିଁକି, ଗତ କିଛିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ହିତାଧିକାରୀ ଶ୍ରେଣୀଭାବେ ଏକ ନୂଆ ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ଏଥିରେ ଯେପରି ବିଜେପିକୁ କୌଣସି କ୍ଷତି ନ ପହଞ୍ଚେ ସେଥିପାଇଁ ଦଳ ଯଥାସମ୍ଭବ ଚେଷ୍ଟା କରୁଛି।

ଦଳ ଜାଣିଛି ଯେ ଏଥର ଇଣ୍ଡି ମେଣ୍ଟ ନେତୃତ୍ୱରେ ବିରୋଧୀ ଲୋଭନୀୟ ପ୍ରତିଶ୍ରୁତି ଦେଇପାରନ୍ତି। ଗତ କିଛି ନିର୍ବାଚନରେ ଏଭଳି ଯୋଜନାର ପ୍ରଭାବ ଭୋଟରଙ୍କ ଉପରେ ଦେଖିବାକୁ ମିଳିଛି। ଏହି କାରଣରୁ ବିଜେପି ରିସ୍କ ନେବାକୁ ଚାହିଁବ ନାହିଁ ଏବଂ ବଜେଟରେ ଏକ ବଡ଼ ଘୋଷଣା କରି କାହାଣୀକୁ ନିଜ ସପକ୍ଷରେ ରଖିବାକୁ ଚାହିଁବ।

Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪

ଲୋକସଭା ନିର୍ବାଚନ ପୂର୍ବରୁ ବଢ଼ିବ ପିଏମ କିଷାନ ରାଶି! ଏହି ଲୋକଙ୍କ ଟଙ୍କାକୁ ଦୁଇଗୁଣା କରାଯାଇପାରିବ

ନୂଆଦିଲ୍ଲୀ: ଦେଶର ୧୧ କୋଟି କୃଷକଙ୍କ ପାଇଁ ଖୁସି ଖବର। ପିଏମ-କିଷାନ ଅଧୀନରେ ମିଳୁଥିବା ରାଶିକୁ ସରକାର ବୃଦ୍ଧି କରିପାରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ପିଏମ-କିଷାନ ପାଣ୍ଠିରେ ବୃଦ୍ଧି ଘୋଷଣା କରିପାରେ। ବର୍ତ୍ତମାନ ୩ଟି କିସ୍ତିରେ ପ୍ରତିବର୍ଷ ୬ ହଜାର ଟଙ୍କା ମିଳୁଛି। ଏହାକୁ ୮ ହଜାରରୁ ୯ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରିବ। ମିଳିଥିବା ସୂଚନା ଅନୁଯାୟୀ, ମହିଳା ହିତାଧିକାରୀଙ୍କ ପାଇଁ ଏହି ରାଶି ୧୦ ହଜାରରୁ ୧୨ ହଜାରକୁ ବୃଦ୍ଧି କରାଯାଇପାରେ। ୨୦୧୯ରେ ଏହି ଯୋଜନା ଘୋଷଣା କରାଯାଇଥିଲା ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ଏହାର ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା।

କୁହାଯାଉଛି ଯେ ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। ପିଏମ-କିଷାନ ରାଶି ୬,୦୦୦ ଟଙ୍କାରୁ ୮,୦୦୦-୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଚାଷୀଙ୍କୁ ୪ଟି କିସ୍ତିରେ ୮ ହଜାର ଟଙ୍କା ଓ ୩ଟି କିସ୍ତିରେ ୯ ହଜାର ଟଙ୍କା ପ୍ରଦାନ କରାଯାଇପାରିବ। ପିଏମ-କିଷାନର ମହିଳା ହିତାଧିକାରୀଙ୍କ ପାଇଁ ଏହାକୁ ୧୦ରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ। ଚଳିତ ବର୍ଷବଜେଟରେ ସରକାର ପିଏମ କିଷାନ ପାଇଁ ୬୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଯଦି ଏହି ରାଶିକୁ ୮,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଏ, ତେବେ ବାର୍ଷିକ ଆବଣ୍ଟନ ୮୮,୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ପିଏମ-କିଷାନ ପାଇଁ ବାର୍ଷିକ ଆବଣ୍ଟନ ୯୯,୦୦୦ କୋଟି ଟଙ୍କା ହେବ ଏବଂ ଏହି ରାଶିକୁ ୯,୦୦୦ ଟଙ୍କାକୁ ବୃଦ୍ଧି କରାଯିବ।

ଆସିଛି ୧୫ଟି କିସ୍ତି

ସରକାରଙ୍କ ଟିକସ ଓ ରାଜସ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପାଖରେ ଅର୍ଥର କୌଣସି ଅଭାବ ନାହିଁ। ତେବେ ଏହା ବିତ୍ତୀୟ ନିଅଣ୍ଟ ସ୍ଥିତିକୁ ଆହୁରି ଖରାପ କରିପାରେ। ସରକାର ଚଳିତ ବର୍ଷ ଜିଡିପିର ୫.୯ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏହାକୁ ଆହୁରି ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସଂସଦର ବଜେଟ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି। ପିଏମ-କିଷାନ ଅଧୀନରେ ଟଙ୍କା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଯାଇଥାଏ ଏବଂ ଏହାକୁ ବିଶ୍ୱର ସର୍ବବୃହତ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଯୋଜନା ଭାବରେ ବିବେଚନା କରାଯାଏ। ଗତ ପାଞ୍ଚ ବର୍ଷମଧ୍ୟରେ ସରକାର ୧୫ଟି କିସ୍ତିରେ ୨.୮ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି।

ପ୍ରଥମେ ପିଏମ୍ କିଷାନ ଯୋଜନା କେବଳ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ସମସ୍ତ ଚାଷୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟ ସରକାର ଆବେଦନକାରୀଙ୍କ ରାଜସ୍ୱ ରେକର୍ଡ, ଆଧାର ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ ସଠିକ୍ ପ୍ରମାଣିତ କରିବା ପରେ ଯାଞ୍ଚ କଲେ ହିଁ ଟଙ୍କା ପ୍ରଦାନ କରାଯାଏ। କୃଷି ଏକ ରାଜ୍ୟ ବିଷୟ ହୋଇଥିବାରୁ ରାଜ୍ୟ ସରକାର ସେହି ରେକର୍ଡ ଯାଞ୍ଚ ନ କରିବା ପର୍ଯ୍ୟନ୍ତ ଏହାର ଲାଭ ମିଳୁନାହିଁ। ରାଜ୍ୟ ସରକାର ଯାଞ୍ଚ କରିବା ପରେ ଏଫଟିଓ ସୃଷ୍ଟି ହୋଇ କେନ୍ଦ୍ର ସରକାର ଆକାଉଣ୍ଟରେ ଟଙ୍କା ରଖିଥା’ନ୍ତି।

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

ସରକାରୀ କର୍ମଚାରୀଙ୍କ ପୁରୁଣା ପେନସନ ଯୋଜନା ପୁନରୁଦ୍ଧାର ହେବ କି?: ଅନ୍ତରୀଣ ବଜେଟରେ ମିଳିପାରେ ଅପଡେଟ୍

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଏଥିରେ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ର ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରାଯାଇପାରେ ବୋଲି ସୂଚନା ମିଳିଛି। ଏନପିଏସର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଏପ୍ରିଲରେ ଅର୍ଥ ସଚିବ ଟିଭି ସୋମନାଥନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ଚଳିତ ମାସ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କମିଟିର ବୈଠକରେ ଏନପିଏସର ନିୟମରେ କିଛି ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲେ ମଧ୍ୟ ପୁରୁଣା ପେନସନ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବା ସପକ୍ଷରେ ନାହିଁ। ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ପାଇଁ ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି। ଅନେକ ରାଜ୍ୟ ଏହାକୁ ପୁନରୁଦ୍ଧାର କରିଛନ୍ତି। ନିର୍ବାଚନୀ ବର୍ଷରେ ଏହାକୁ ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ୁଛି।

କମିଟିର ରିପୋର୍ଟ ଉପରେ ପଦକ୍ଷେପ ନେବା ପୂର୍ବରୁ ସରକାର ଲୋକଙ୍କଠାରୁ ପରାମର୍ଶ ନେଇପାରିବେ ବୋଲି ସୂତ୍ରରୁ ପ୍ରକାଶ। ଜଣେ ଅଧିକାରୀ କହିଛନ୍ତି ଯେ ରିପୋର୍ଟ ଉପରେ କାମ ଚାଲିଛି। ଏନପିଏସରେ କିପରି ଉନ୍ନତି କରାଯାଇପାରିବ ତାହା ଉପରେ ଏହି ରିପୋର୍ଟରେ ଗୁରୁତ୍ୱ ଦିଆଯିବ। ଏଥିରେ ପେନସନଭୋଗୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ। ରିପୋର୍ଟରେ ଯଦି କୌଣସି ପରିବର୍ତ୍ତନର ଆବଶ୍ୟକତା ରହିଛି, ତେବେ ଏହାର ବିତ୍ତୀୟ ପ୍ରଭାବକୁ ଦୃଷ୍ଟିରେ ରଖି କରାଯିବ। ଏହାପରେ ଏହାକୁ ଲୋକଙ୍କ ପରାମର୍ଶ ପାଇଁ ରଖାଯିବ। ଏନପିଏସର ସରକାରୀ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଏପ୍ରିଲରେ ଏହି କମିଟି ଗଠନ କରିଥିଲେ।

ଆରବିଆଇ ବିରୋଧ କଲା

୨୦୦୪ ଜାନୁଆରି ପହିଲାରୁ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏନପିଏସ ଲାଗୁ ହୋଇଥିଲା। ପେନସନ ପାଣ୍ଠି ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏନପିଏସ ଲାଗୁ କରିଛନ୍ତି। ଗତବର୍ଷ ରାଜସ୍ଥାନ, ଛତିଶଗଡ଼ ଓ ହିମାଚଳ ପ୍ରଦେଶ ପୁରୁଣା ପେନସନ ଯୋଜନାକୁ ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ ସରକାରୀ କର୍ମଚାରୀମାନେ ସେମାନଙ୍କ ଶେଷ ଦରମାର ୫୦% ପେନସନ ଆକାରରେ ପାଆନ୍ତି।

କେନ୍ଦ୍ର ସରକାର କହୁଛନ୍ତି ଯେ ଓପିଏସ ସରକାରୀ ରାଜକୋଷ ଉପରେ ଏକ ବଡ଼ ବୋଝ ପକାଇଥାଏ। ଏହି କାରଣରୁ ଏହାକୁ ହଟାଇ ଦିଆଯାଇଥିଲା। ରିଜର୍ଭ ବ୍ୟାଙ୍କ ଏବଂ ଅନେକ ଜଣାଶୁଣା ଅର୍ଥନୀତିଜ୍ଞ ଓପିଏସ ପୁନରୁଦ୍ଧାରକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ପଦକ୍ଷେପ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଖରାପ କରିବ।

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

କୌଣସି ମନ୍ତ୍ରାଳୟକୁ ପର୍ଯ୍ୟାପ୍ତ ଅର୍ଥ ମିଳୁନି, ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଫେରସ୍ତ କରିଛି କୃଷି ବିଭାଗ

ନୂଆଦିଲ୍ଲୀ: ଆପଣଙ୍କ ପରିବାର ପାଖରେ ହେଉ କିମ୍ବା ଭାରତ ସରକାରଙ୍କ ପାଖରେ, ସବୁଆଡ଼େ ଟଙ୍କା ଅଭାବ ରହିଛି। ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ମଧ୍ୟ ପ୍ରତିବର୍ଷ ବଜେଟରୁ ଅଧିକରୁ ଅଧିକ ଆବଣ୍ଟନ କରିବାକୁ ଦାବି କରନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଆଶାନୁରୂପ ଟଙ୍କା ପାଆନ୍ତି ତ ଆଉ କାହାକୁ ଆଶ୍ୱାସନା ମିଳେ। କିନ୍ତୁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ଏତଇରେ ବ୍ୟତିକ୍ରମ। ଏହି ମନ୍ତ୍ରାଳୟ ଆବଣ୍ଟିତ ଅର୍ଥ ଖର୍ଚ୍ଚ କରିବାକୁ ସକ୍ଷମ ନୁହେଁ। ସେଥିପାଇଁ ଗତ ଦୁଇବର୍ଷରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଫେରସ୍ତ କରଛି।

ବ୍ୟବହାର କରାଯାଇ ପାରିଲା ନାହିଁ

କୃଷି ମନ୍ତ୍ରାଳୟର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଯଦିଓ ଅର୍ଥ ମନ୍ତ୍ରାଳୟ ଗତ କିଛିବର୍ଷ ମଧ୍ୟରେ କୃଷି ମନ୍ତ୍ରାଳୟର ବଜେଟ ବୃଦ୍ଧି କରିଛି, କିନ୍ତୁ ଏହାର ସମ୍ପୂର୍ଣ୍ଣ ଉପଯୋଗ କରିନାହିଁ। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଫେରସ୍ତ କରିଛି। କୃଷି ଓ କୃଷକ କଲ୍ୟାଣ ବିଭାଗ (ଡିଏଆଣ୍ଡଏଫ୍ଡବ୍ଲ୍ୟୁ) ଗତ ଆର୍ଥିକ ବର୍ଷ (୨୦୨୨-୨୦୨୩)ରେ ବାର୍ଷିକ ୧.୨୪ ଲକ୍ଷ କୋଟି ଟଙ୍କାର ଆବଣ୍ଟନରୁ ୨୧,୦୦୫.୧୩ କୋଟି ଟଙ୍କା ଫେରସ୍ତ କରିଛି। ଏହା ଏକ ବର୍ଷ ପୂର୍ବେ ୨୦୨୧-୨୨ ରେ ବିଭାଗ ଦ୍ୱାରା ଫେରସ୍ତ କରାଯାଇଥିବା ରାଶିଠାରୁ ପ୍ରାୟ ଚାରି ଗୁଣ ଅଧିକ। ସେହି ବର୍ଷ ମନ୍ତ୍ରାଳୟକୁ ୧.୨୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା ଏବଂ ୫,୧୫୨.୬ କୋଟି ଟଙ୍କା ଫେରସ୍ତ କରାଯାଇଥିଲା। ବିଭାଗ ୨୦୨୦-୨୧ରେ ୨୩,୮୨୪.୫୩ କୋଟି ଟଙ୍କା, ୨୦୧୯-୨୦ରେ ୩୪,୫୧୭.୭ କୋଟି ଟଙ୍କା ଏବଂ ୨୦୧୮-୧୯ରେ ୨୧,୦୪୩.୭୫ କୋଟି ଟଙ୍କା ଫେରସ୍ତ କରିଛି।

ଟଙ୍କା କେଉଁଠୁ ଫେରିଲା?

ମନ୍ତ୍ରାଳୟ ଅଧୀନରେ ଥିବା କୃଷି ଗବେଷଣା ଓ ଶିକ୍ଷା ବିଭାଗ ୨୦୨୨-୨୩ରେ ମୋଟ ୮୬୫୮.୯୧ କୋଟି ଟଙ୍କା, ୨୦୨୧-୨୨ରେ ୧.୮୧ କୋଟି ଟଙ୍କା, ୨୦୨୦-୨୧ରେ ୬୦୦ କୋଟି ଟଙ୍କା ଫେରସ୍ତ କରିଛି। ୨୦୧୯-୨୦ରେ ୨୩୨.୬୨ କୋଟି ଟଙ୍କା ଓ ୨୦୧୮-୧୯ରେ ୭.୯ କୋଟି ଟଙ୍କା ଫେରସ୍ତ କରାଯାଇଛି।

କୃଷି ବଜେଟ ବୃଦ୍ଧି

୨୦୧୮-୧୯ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ଏହା ସହ କୃଷି ମନ୍ତ୍ରାଳୟର ବଜେଟରେ ବୃଦ୍ଧି କରାଯାଇଛି। ୨୦୧୮-୧୯ ରେ ଦୁଇ ବିଭାଗର ମିଳିତ ବଜେଟ ଥିଲା ୫୪ ହଜାର କୋଟି ଟଙ୍କା। ସେତେବେଳେ କେନ୍ଦ୍ରର ସମ୍ପୂର୍ଣ୍ଣ ବଜେଟ ଥିଲା ୨୪.୪୨ ଲକ୍ଷ କୋଟି ଟଙ୍କା। ସେତେବେଳେ କୃଷି ମନ୍ତ୍ରାଳୟର ଆବଣ୍ଟନ ମୋଟ ବଜେଟର ୨.୩% ଥିଲା। ୨୦୨୨-୨୩ରେ ଏହା ବୃଦ୍ଧି ପାଇ ୧.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେତେବେଳେ କେନ୍ଦ୍ର ସରକାରଙ୍କ ମୋଟ ବଜେଟ ୩୯.୪୪ ଲକ୍ଷ କୋଟି ଟଙ୍କା ଥିଲା। ଏହାପରେ କୃଷି ମନ୍ତ୍ରାଳୟର ବଜେଟ ମୋଟ ବଜେଟର ୩.୫% କୁ ବୃଦ୍ଧି ପାଇଥିଲା। ଗତ ପାଞ୍ଚବର୍ଷ ମଧ୍ୟରେ ଏହି ଯୋଜନା ପାଇଁ ବାର୍ଷିକ ଆବଣ୍ଟନ ୨୦,୦ କୋଟିରୁ ୭୫,୦୦୦ କୋଟି ଟଙ୍କା ମଧ୍ୟରେ ରହିଛି।

ଟଙ୍କା ଫେରସ୍ତ କରାଯାଉଛି, ତେଣୁ ଆବଣ୍ଟନ ହ୍ରାସ ପାଇଛି

ପ୍ରତିବର୍ଷ ଲକ୍ଷ ଲକ୍ଷ କୋଟି ଟଙ୍କା କୃଷି ମନ୍ତ୍ରଣାଳୟ ତରଫରୁ ଫେରସ୍ତ କରାଯାଉଛି। ବୋଧହୁଏ ଏହି କାରଣରୁ ଅର୍ଥ ମନ୍ତ୍ରାଳୟ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ କୃଷି ମନ୍ତ୍ରାଳୟର ମୋଟ ଆବଣ୍ଟନକୁ ୨୦୨୨-୨୩ରେ ୧.୩୨ ଲକ୍ଷ କୋଟି ଟଙ୍କାରୁ ସାମାନ୍ୟ ହ୍ରାସ କରି ୧.୨୫ ଲକ୍ଷ କୋଟି ଟଙ୍କା କରିଛି।

ଷ୍ଟାଣ୍ଡିଂ କମିଟି ଏହାକୁ ବିରୋଧ କରିଛି

କୃଷି ମନ୍ତ୍ରାଳୟଦ୍ୱାରା ପାଣ୍ଠି ଆତ୍ମସମର୍ପଣ ପ୍ରସଙ୍ଗକୁ ପିସି ଗାଦିଗୌଦାରଙ୍କ ଅଧ୍ୟକ୍ଷତାରେ ଗଠିତ କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ମଧ୍ୟ ଆଲୋକପାତ କରିଛି। ପାଣ୍ଠି ଫେରସ୍ତ ଅଭ୍ୟାସରୁ ଦୂରେଇ ରହିବାକୁ କମିଟି ସରକାରଙ୍କୁ କହିଛି।