ବଢ଼ୁଥିବା ଜନସଂଖ୍ୟା ପାଇଁ ବଜେଟରେ କମିଟି!, ଆଶ୍ଚର୍ଯ୍ୟଜନକ ଏହି ଘୋଷଣା

Published: Feb 1, 2024, 3:01 pm IST

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଓ ଜନସଂଖ୍ୟା ପରିବର୍ତ୍ତନ ଆକଳନ ପାଇଁ ସରକାର ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି କମିଟିରେ ଉଚ୍ଚ କ୍ଷମତା ରହିବ। ଏହି ପରିସ୍ଥିତିର ମୁକାବିଲା ପାଇଁ କମିଟି ସରକାରଙ୍କୁ ସୁପାରିସ ମଧ୍ୟ ଦେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନର ଅନୁଧ୍ୟାନ କରିବା ପାଇଁ ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିବେ। ସାମାଜିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରସ୍ତାବ ଦେଉଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଭଳି ଆହ୍ୱାନର ମୁକାବିଲା ପାଇଁ କମିଟି ସୁପାରିସ ଦେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏହି ସମୟରେ ଦେଶର ଜନସଂଖ୍ୟା ୧୪୦ କୋଟିରୁ ଅଧିକ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱର ଏକ ନମ୍ବର ସ୍ଥାନରେ ପହଞ୍ଚିଛି। ଗତବର୍ଷ ଜନସଂଖ୍ୟା ଦୃଷ୍ଟିରୁ ଚୀନକୁ ପଛରେ ପକାଇ ଭାରତ ଏକ ନମ୍ବର ହୋଇଛି। ଆଗାମୀ ଦିନରେ ଜନସଂଖ୍ୟା ବୃଦ୍ଧି ଭାରତ ପାଇଁ ଏକ କଠିନ ସମସ୍ୟା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ଏକ କମିଟି ଗଠନ କରିଛନ୍ତି।

Related posts