Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘରେ ଇସ୍ରାଏଲକୁ ଝଟକା ଦେଲା ଭାରତ, ଖୋଲାଖୋଲି ପାଲେଷ୍ଟାଇନକୁ କଲା ସମର୍ଥନ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ବିଷୟରେ ଭାରତ ଏକ ବଡ଼ ବିବୃତ୍ତି ଦେଇଛି, ଯାହା ଇସ୍ରାଏଲ ପାଇଁ ଏକ ଝଟକା ବୋଲି କୁହାଯାଉଛି। ବାସ୍ତବରେ ମିଳିତ ଜାତିସଂଘରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ଦୁଇ ରାଜ୍ୟ ସମାଧାନକୁ ଭାରତ ସମର୍ଥନ କରିଛି। ଜାତିସଂଘର ଏକ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ, ଦୁଇ ରାଜ୍ୟ ସମାଧାନକୁ ସମର୍ଥନ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ, ଯେଉଁଠାରେ ପାଲେଷ୍ଟାଇନର ଲୋକମାନେ ନିରାପଦ ସୀମା ମଧ୍ୟରେ ଏକ ସ୍ଵାଧୀନ ଦେଶରେ ରହିପାରିବେ।

ମିଳିତ ଜାତିସଂଘରେ ପାଲେଷ୍ଟାଇନର ଆବେଦନକୁ ପୁନର୍ବିଚାର କରିବା ବିଷୟରେ ସେ କହିଥିଲେ। ଭାରତର ଏହି ପଦକ୍ଷେପ ଇସ୍ରାଏଲ ପାଇଁ ଏକ ଝଟକା ବୋଲି କୁହାଯାଉଥିବାବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ ରାଜ୍ୟକୁ ବିପଦ ଭାବରେ ଦେଖୁଛନ୍ତି।

ପ୍ରକାଶ ଯେ, ଜାତିସଂଘର ସଦସ୍ୟତା ପାଇଁ ପାଲେଷ୍ଟାଇନ ନିକଟରେ ଆବେଦନ କରିଥିଲା, ଯାହା ଆମେରିକାର ଭିଟୋ କାରଣରୁ ପାସ ହୋଇପାରିନଥିଲା। ଶ୍ରୀମତୀ କାମ୍ବୋଜ କହିଛନ୍ତି ଯେ, ଆମେ ଆଶା କରୁଛୁ ଯେ ଉପଯୁକ୍ତ ସମୟରେ ଏହାର ପୁନର୍ବିଚାର କରାଯିବ ଏବଂ ମିଳିତ ଜାତିସଂଘର ସଦସ୍ୟ ହେବା ପାଇଁ ପାଲେଷ୍ଟାଇନର ଉଦ୍ୟମକୁ ସମର୍ଥନ କରାଯିବ।

ଏହି ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମଧ୍ୟ ହାମାସକୁ ନିନ୍ଦା କରିଛନ୍ତି। ଅକ୍ଟୋବର ୭ ତାରିଖ ୨୦୨୩ରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଆତଙ୍କବାଦକୁ ଠିକ କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଭାରତ ସର୍ବଦା ଆତଙ୍କବାଦ ବିରୋଧରେ ରହିଆସିଛି। ଆମେ ମଧ୍ୟ ସମସ୍ତ ବନ୍ଧକଙ୍କୁ ନିସର୍ତ୍ତମୂଳକ ମୁକ୍ତ କରିବାକୁ ଦାବି କରୁଛୁ। କାମ୍ବୋଜ ଗାଜାରେ ଆନ୍ତର୍ଜାତୀୟ ନିୟମ ଏବଂ ମାନବିକ ନିୟମ ଅନୁସରଣ କରିବାକୁ କହିଥିଲେ।

ଏହି ସମୟରେ କାମ୍ବୋଜ ଗାଜାର ଲୋକଙ୍କ ପାଇଁ ସହାୟତା ବୃଦ୍ଧି ପାଇଁ ମଧ୍ୟ କହିଥିଲେ। ସେ କହିଥିଲେ ଯେ, ପରିସ୍ଥିତିକୁ ସୁଧାରିବା ପାଇଁ ଲୋକଙ୍କୁ ସାହାଯ୍ୟ କରିବା ଆବଶ୍ୟକ। ଗାଜାବାସୀଙ୍କୁ ମାନବିକ ସହାୟତା ବୃଦ୍ଧି କରିବାର ତୁରନ୍ତ ଆବଶ୍ୟକତା ରହିଛି। ସମସ୍ତଙ୍କୁ ଏକାଠି ହେବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ, ଆମେ ଏ ବାବଦରେ ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଉଦ୍ୟମକୁ ସ୍ୱାଗତ କରୁଛୁ। ପାଲେଷ୍ଟାଇନବାସୀଙ୍କୁ ଭାରତ ମାନବିକ ସହାୟତା ପ୍ରଦାନ କରିଛି ଏବଂ ଏହା ଜାରି ରଖିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

“ଇସ୍ରାଏଲ୍ ଶକ୍ତିଶାଳୀ”: ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଛି। ଏହା ସମଗ୍ର ବିଶ୍ୱରେ ଟେନସନ ସୃଷ୍ଟି କରିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ଏବେ ଏକ ଭିନ୍ନ ଦିଗକୁ ଯାଇଛି। ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଇସ୍ରାଏଲ ଶକ୍ତିଶାଳୀ, ଆମର ସେନା ଶକ୍ତିଶାଳୀ ଏବଂ ଆମ ଦେଶର ଲୋକମାନେ ମଧ୍ୟ ଶକ୍ତିଶାଳୀ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭିଡିଓ ମାଧ୍ୟମରେ ସମ୍ବୋଧିତ କରିବାବେଳେ ସେ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଆମେ ଏକାଠି ମିଶି ଏହାର ସାମ୍ନା କରିବୁ।

ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ କହିଛି ଯେ, ଏହା ଶନିବାର ଦିନ ଇସ୍ରାଏଲ ଉପରେ ଡଜନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଆଇଡିଏଫ ନିଶ୍ଚିତ କରିଛି ଯେ, ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ବର୍ତ୍ତମାନ ଇସ୍ରାଏଲ୍ ବାୟୁସେନାର ଅନେକ ବିମାନ ଷ୍ଟାଣ୍ଡବାଇରେ ଅଛି, ଆମେ କୌଣସି ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ।

ଆମେରିକା, ଫ୍ରାନ୍ସ, ବ୍ରିଟେନ ସମେତ ଅନେକ ଦେଶ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ଇସ୍ରାଏଲ ଏକ ଶକ୍ତିଶାଳୀ ଦେଶ। ଆମର ସୈନ୍ୟ ମଧ୍ୟ ଶକ୍ତିଶାଳୀ। ଆମର ଲୋକମାନେ ମଧ୍ୟ ଶକ୍ତିଶାଳୀ। ଭଗବାନଙ୍କ ସାହାଯ୍ୟରେ ଆମେ ସାହସର ସହିତ ସାମ୍ନା କରିବୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସମ୍ଭାବ୍ୟ ଯୁଦ୍ଧକୁ ନେଇ ଭାରତ ସତର୍କ: ଇରାନ ଆକାଶ ମାର୍ଗରେ ଉଡିବ ନାହିଁ ଏୟାର ଇଣ୍ଡିଆ ବିମାନ!

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ଧମକକୁ ଦୃଷ୍ଟିରେ ରଖି ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଇରାନର ଆକାଶ ମାର୍ଗ ଦେଇ ଯିବ ନାହିଁ। ଏଥିପାଇଁ ପଶ୍ଚିମ ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆର ବିମାନଗୁଡିକ ୨ ଘଣ୍ଟା ଅଧିକ ସମୟ ନେଇପାରେ। ଆହୁରି ମଧ୍ୟ ଖବର ଅଛି ଯେ, ଏୟାର ଇଣ୍ଡିଆ ବିମାନରେ ଅଧିକ ଇନ୍ଧନ ଲୋଡ୍ କରିବାକୁ ପଡିବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଭଡା ବୃଦ୍ଧି କରାଯାଇ ନାହିଁ।

ରାନ-ଇସ୍ରାଏଲ୍ ଅଞ୍ଚଳକୁ ନ ଯିବା ଲାଗି ନାଗରିକମାନଙ୍କୁ ପରାମର୍ଶ:

ସିରିଆର ରାଜଧାନୀ ଦସ୍ମିକରେ ଥିବା ଇରାନର ଦୂତାବାସ ବିଲ୍ଡିଂ ଉପରେ ଇସ୍ରାଏଲର ଆକ୍ରମଣଜନିତ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ନିଆଁରେ ଜଳୁଛି। ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି। ଇରାନ ପ୍ରତିଶୋଧ ନେବା ପାଇଁ ଘୋଷଣା କରିସାରିଛି। ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ ଏବଂ ଆମେରିକା ମଧ୍ୟ ସତର୍କ ଅଛନ୍ତି। ଆମେରିକା ମଧ୍ୟ ବିଶ୍ୱାସ କରେ ଯେ, ଇରାନ ଯେକୌଣସି ସମୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ। ଏହି ସମୟରେ ଭାରତ, ଫ୍ରାନ୍ସ ଏବଂ ରୁଷ ଭଳି ଦେଶ ନିଜ ନାଗରିକମାନଙ୍କୁ ଏହି ଅଞ୍ଚଳକୁ ନ ଯିବାକୁ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ଏୟାର ଇଣ୍ଡିଆର ବିମାନ ମଧ୍ୟ ଇରାନର ଆକାଶ ମାର୍ଗ ଦେଇ ଯିବ ନାହିଁ।

Categories
ଆଜିର ଖବର

ଇସ୍ରାଏଲ କାହିଁକି ଭାରତଠାରୁ ମାଗିଲା ଏକ ଲକ୍ଷ ଶ୍ରମିକ, କ’ଣ ଯୋଜନା କରୁଛନ୍ତି ନେତାନ୍ୟାହୁ?

ଇସ୍ରାଇଲ ଯୁଦ୍ଧ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧ ପରେ ଇସ୍ରାଏଲ ଗାଜା ଉପତ୍ୟକା ଉପରେ ବୋମା ଫିଙ୍ଗୁଛି। ଇତିମଧ୍ୟରେ ଇସ୍ରାଏଲ ତୁରନ୍ତ ଭାରତଠାରୁ ଏକ ଲକ୍ଷ ଶ୍ରମିକଙ୍କୁ ଦାବି କରିଛି।

ଭଏସ୍ ଅଫ୍ ଆମେରିକା ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ନିର୍ମାଣ କମ୍ପାନିଗୁଡ଼ିକ ୯୦,୦୦୦ରୁ ଅଧିକ ପାଲେଷ୍ଟାଇନଙ୍କ ସ୍ଥାନରେ ୧,୦୦,୦୦୦ ଭାରତୀୟ ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କଠାରୁ ଅନୁମତି ମାଗିଛନ୍ତି। ଅକ୍ଟୋବର ୭ରେ ହାମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ପାଲେଷ୍ଟାଇନର ୱାର୍କ ପରମିଟ୍ ପ୍ରତ୍ୟାହାର କରାଯାଇଛି।

ଇସ୍ରାଏଲରେ ନିର୍ମାଣ କମ୍ପାନୀଗୁଡ଼ିକ ପାରମ୍ପରିକ ଭାବରେ ପାଲେଷ୍ଟାଇନ୍ ଶ୍ରମିକମାନଙ୍କୁ ନିଯୁକ୍ତି ଦେଇ ଆସୁଛନ୍ତି। ଅକ୍ଟୋବର ୭ରେ ଆକ୍ରମଣ ପରେ ଏହି ଲୋକଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ଏହି କାରଣରୁ ଇସ୍ରାଏଲରେ ସମସ୍ତ ନିର୍ମାଣ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କିଛିଦିନ ତଳେ ଲଗାତାର ନିର୍ମାଣ କରାଯାଉଥିବା କୋଠାଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଖାଲି ପଡ଼ିଛି।

ଯେଉଁମାନେ ଘର କିଣିଛନ୍ତି ସେମାନେ କାମ ଜାରି ରଖିବା ପାଇଁ ବିଲଡରଙ୍କ ଉପରେ ଚାପ ପକାଉଛନ୍ତି। ଇସ୍ରାଏଲ ବିଲଡର୍ସ ଆସୋସିଏସନ୍ ଅନୁଯାୟୀ, ୯୦,୦୦୦ ପାଲେଷ୍ଟାଇନ୍ ଶ୍ରମିକଙ୍କ ମଧ୍ୟରୁ ୧୦ ପ୍ରତିଶତ ଗାଜାର ଏବଂ ବାକିମାନେ ପଶ୍ଚିମ ତଟରୁ ଆସିଛନ୍ତି।

ଭାରତୀୟ ଶ୍ରମିକଙ୍କୁ ଆଣିବା ନେଇ ଚର୍ଚ୍ଚା ହେଉଛି

ଇସ୍ରାଏଲ ବିଲଡର୍ସ ଆସୋସିଏସନ୍ ସହ ଜଡ଼ିତ ଲୋକମାନେ କହିଛନ୍ତି ଯେ ୫୦ ହଜାରରୁ ୧ ଲକ୍ଷ ଭାରତୀୟ ଶ୍ରମିକଙ୍କୁ ଆଣିବା ପାଇଁ ଆମେ ସରକାରଙ୍କ ସହ କଥାବାର୍ତ୍ତା କରୁଛୁ। ହାମାସ ଆକ୍ରମଣ ପରେ ଇସ୍ରାଏଲରେ କାମ କରୁଥିବା ଅନେକ ପାଲେଷ୍ଟାଇନୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଇସ୍ରାଏଲରେ ବର୍ତ୍ତମାନ ଚାଲିଥିବା ଅଧିକାଂଶ ନିର୍ମାଣ ସ୍ଥଳରେ ଚୀନ ନାଗରିକ କାମ କରୁଛନ୍ତି।

ଭାରତ ଓ ଇସ୍ରାଏଲ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି

ଭାରତରୁ ଶ୍ରମିକଙ୍କୁ ଡାକିବା ପାଇଁ ଇସ୍ରାଏଲ ପୂର୍ବରୁ ଚୁକ୍ତି କରିସାରିଛି। ମେ ମାସରେ ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଏଲି କୋହେନ୍ ଭାରତ ଗସ୍ତରେ ଆସିଥିଲେ। ଏହାପରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହା ଅନୁଯାୟୀ ୪୨,୦୦୦ ଭାରତୀୟ ଶ୍ରମିକ ଇସ୍ରାଏଲ ଯିବେ, ସେମାନଙ୍କ ମଧ୍ୟରୁ ୩୪,୦୦୦ ନିର୍ମାଣ କ୍ଷେତ୍ରରେ କାମ କରିବେ। ଭାରତୀୟଙ୍କ ପାଇଁ ନୂଆ ହେବ ଇସ୍ରାଏଲର ନିର୍ମାଣ ବଜାର। ଇସ୍ରାଏଲ ପୂର୍ବରୁ ପାଲେଷ୍ଟାଇନ କର୍ମଚାରୀଙ୍କ ବଦଳରେ ବିଦେଶୀ କର୍ମଚାରୀଙ୍କୁ ଆଣିବାକୁ ଚାହୁଁଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ଲାଗି ଦ୍ବିତୀୟ ଥର ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି କଲା ଏହି ଦେଶ

ଇସ୍ରାଏଲ୍‌ : ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଦ୍ବିତୀୟଥର ପାଇଁ ଦେଶରେ ଦେଶବ୍ୟାପୀ ଲକ୍‌ଡାଉନ୍‌ର ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ଏହି  ଲକ୍‌ଡାଉନ୍‌ ଏବେ ଦେଶରେ ତିନି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଅକ୍ଟୋବର 9 ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି ରହିବା ନେଇ ଘୋଷଣା କରାଯାଇଛି । ତେବେ ଇସ୍ରାଏଲ୍‌ ପ୍ରଥମ ରାଷ୍ଟ୍ର ଭାବେ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି କରିଛି ।

ଇସ୍ରାଏଲ୍‌ର ରାଷ୍ଟ୍ରତି ବେଞ୍ଜାମିନ୍‌ ନେତନ୍ୟାହୁ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌କୁ ନେଇ କହିଛନ୍ତି ଯେ, ଏଥିପାଇଁ ସାଧାରଣ ଜନତାଙ୍କୁ ବହୁତ ଅସୁବିଧା ହେବ । ଇସ୍ରାଏଲ୍‌ରେ ଏବେ ସାମୂହିକ ପର୍ବ ପାଳିବା ସମୟରେ ଲକ୍‌ଡାଉନ୍‌କୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଘରେ ରହି ସୀମିତ ସଦସ୍ୟଙ୍କ ମଧ୍ୟରେ ପର୍ବ ପାଳିବାକୁ ନେତନ୍ୟାହୁ ପରାମର୍ଶ ଦେଇ କହିଛନ୍ତି ଯେ, ଆମେ ଯଦି ସମେସ୍ତ ପ୍ରତିବଦ୍ଧପୂର୍ଣ୍ଣ ଭାବେ ନିୟମକୁ ପାଳନ କରିବା ତେବେ କରୋନାକୁ ମାତ୍‌ ଦେଇପାରିବା । ସେହିପରି ଭ୍ୟାକ୍‌ସିନ୍‌ ଓ ଦ୍ରୁତ ଟେଷ୍ଟିଂକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି ନେତନ୍ୟାହୁ ।

ତେବେ ସରକାରଙ୍କ ଏହି ନିୟମକୁ ବିରୋଧ କରି ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ତେବେ ରାଷ୍ଟ୍ରରେ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି ପ୍ରସଙ୍ଗକୁ ନେଇ ରବିବାର ଦିନ ବହୁ ଲୋକେ ପ୍ରଦର୍ଶନ କରିବା ସହିତ ନେତନ୍ୟାହୁଙ୍କ ଇସ୍ତଫା ଦାବି କରିଥିଲେ।  ଏପରିକି ଏୟାରପୋର୍ଟ ଯିବା ରାସ୍ତାରେ ନେତନ୍ୟାହକୁ ଘେରିଥିଲେ । ନେତନ୍ୟାହୁ ଆମେରିକା, ବାହାରିନ୍‌ ଓ ୟୁଏଇ ସହିତ ଏକ ଚୁକ୍ତି କରିବାକୁ ଯିବା ସମୟରେ ବିରୋଧ ପ୍ରଦର୍ଶନର ସମ୍ମୁଖୀନ ହୋଇଥିଲେ । ଏଠାରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି ।  ତେବେ କରୋନାକୁ ରୋକିବା ଲାଗି ଦେଶରେ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି କାରଣରୁ ୟେହୁଦୀଙ୍କ ପର୍ବ ମଧ୍ୟ ପାଳିତ ହୋଇପାରିବ ନାହିଁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । (ଏଜେନ୍ସି)

Categories
ଆଜିର ଖବର

ରକେଟ ମାଡ ପରେ ଗାଜା ଉପରେ ଇସ୍ରାଏଲ୍‌ର ଆକ୍ରମଣ

ଗାଜାର ଆତଙ୍କବାଦୀ ମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲୀ ସେନାବାହିନୀ ପକ୍ଷରୁ ଗାଜା ଉପରେ ଆକ୍ରମଣ କରାଯାଇଛି। ବୁଧବାର ରାତିରେ ଇସ୍ରାଏଲ୍‌ର ଦକ୍ଷିଣ ଭାଗରେ ଆତଙ୍କୀ ମାନେ ଏକ ରକେଟ ମାଡ କରିଥିଲେ। ଗୁରୁବାର ସକାଳୁ ଇସ୍ରାଏଲ୍‌ ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିଲା। ଗାଜାରେ ରହିଥିବା ବିଭିନ୍ନ ଭୂତଳ ଆଡ୍ଡା ଉପରେ ବିମାନ ଆକ୍ରମଣ କରାଯାଇ ଏହାକୁ ନଷ୍ଟ କରି ଦିଆଯାଇଛି ବୋଲି ଇସ୍ରାଏଲୀ ସେନା ପକ୍ଷରୁ କୁହାଯାଇଛି। ମେ ମାସ ପରଠାରୁ ଏହା ଉଭୟ ରାଷ୍ଟ୍ର ମଧ୍ୟରେ ୧୧ ଥର ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରାଯାଇଛି। ଏହି ଆକ୍ରମଣ ପରେ ପାଲେଷ୍ଟାଇନ୍‌ ମତ୍ସ୍ୟଜୀବିଙ୍କ ପାଇଁ ଉଦ୍ଦିଷ୍ଟ ଜଳକୁ ବନ୍ଦ କରି ଦେଇଛି ଇସ୍ରାଏଲ୍‌।

Categories
ଆଜିର ଖବର

କ୍ରମାଗତ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ନେତନ୍ୟାହୁ

ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ କ୍ରମାଗତ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଚଳିତ ଥର ନେତନ୍ୟାହୁ ବେନ୍ନି ଗାଣ୍ଟଜ୍‌ଙ୍କ ନିକଟକରୁ କଡା ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇଥିଲେ ମଧ୍ୟ ବିଜୟୀ ହୋଇଛନ୍ତି। ବର୍ତ୍ତମାନ ଦେଶର ୯୭ପ୍ରତିଶତ ଭୋଟଗ୍ରହଣର ଫଳାଫଳ ନେତନ୍ୟାହୁଙ୍କ ସପକ୍ଷରେ ରହିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ନେତନ୍ୟାହୁ। ଏହି ବିଜୟ ପାଇଁ ଇସ୍ରାଏଲ୍‌ବାସୀଙ୍କୁ  ଧନ୍ୟବାଦ ଜ୍ଞାପନ କରିଛନ୍ତି ନେତନ୍ୟାହୁ। ନେତନ୍ୟାହୁଙ୍କ ଲିକୁଡ୍‌ ଦଳ ୩୫ ଆସନରେ ବିଜୟୀ ହୋଇଥିବା ବେଳେ ଗାଣ୍ଟଜ୍‌ଙ୍କ ଦଳ ମଧ୍ୟ ସମାନ ଆସନରେ ବିଜୟୀ ହୋଇଥିଲା। ମାତ୍ର ବିଭିନ୍ନ ମେଣ୍ଟ ଦଳ ଯୋଗୁଁ ଲିକୁଡ୍‌ ଦଳ ୫ ଆସନରେ ଅଗ୍ରଣୀ ରହି ସରକାର ଗଠନ କରିଛି। ଦେଶର ପୂର୍ବତନ ସେନାମୁଖ୍ୟ ଗାଣ୍ଟଜ୍‌ ନେତନ୍ୟାହୁଙ୍କୁ ବିଜୟ ପାଇଁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। ଇସ୍ରାଏଲ୍‌ର ୭୧ ବର୍ଷ ଇତିହାସରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି ନେତନ୍ୟାହୁ। ୨୦୦୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ୪ଥର ପ୍ରଧାନମନ୍ତ୍ରୀ ରହିଥିବା ନେତନ୍ୟାହୁ ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ଗାଜା ଉପରେ ଇସ୍ରାଏଲ୍‌ର ଆକ୍ରମଣ

ଇସ୍ରାଏଲ୍‌ ଉପରେ ରକେଟ ମାଡ ହେବାର ଏକ ଘଣ୍ଟା ମଧ୍ୟରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ୍‌। ରକେଟ୍‌ ମାଡ ନେଇ ହମାସକୁ ଦୋଷ ଦେବା ସହିତ ଇସ୍ରାଏଲ୍‌ ଗାଜା ଉପରେ ତୁରନ୍ତ ଆକ୍ରମଣ ଆରମ୍ଭ କରିଥିଲା। ଇସ୍ରାଏଲୀ ସାମରିକ ବଳ (ଆଇଡିଏଫ୍‌) ସୂଚନା ଅନୁଯାୟୀ ଏହି ଆକ୍ରମଣରେ ହମାସ ତରଫରୁ ଇସ୍ରାଏଲୀ ସାମରିକ ମୁଖ୍ୟ କାର୍ଯ୍ୟାଳୟକୁ ଟାର୍ଗେଟ୍‌ କରାଯାଇଥିଲା। ହମାସ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ୭ ଜଣ ଲୋକ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ଏକ ଘଣ୍ଟା ମଧ୍ୟରେ ୧୨ଟି ରକେଟ ମାଡ କରାଯାଇଥିଲା। ଏହି ଆକ୍ରମଣ ସମୟରେ ଆମେରିକାରେ ଥିବା ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ କହିଛନ୍ତି ଏପରି ଆକ୍ରମଣକୁ ଇସ୍ରାଏଲ କଦାପି ବରଦାସ୍ତ କରିବ ନାହିଁ। ଏହାପରେ ନିଜର ଗସ୍ତକୁ କାଣ୍ଟଛାଣ୍ଟ କରିବା ସହିତ ଟ୍ରମ୍ପକୁ ଭେଟିବା ପରେ ଇସ୍ରାଏଲ୍‌ ଫେରି ଆସିବା ନେଇ ସୂଚନା ଦେଇଛନ୍ତି ନେତନ୍ୟାହୁ। କୌଣସି ପାଲେଷ୍ଟାଇନ୍‌ ଆତଙ୍କୀ ସଙ୍ଗଠନ ଏନେଇ ନିଜକୁ ଦାୟୀ କରିନାହାନ୍ତି। ଆସନ୍ତା ୯ ତାରିଖରେ ଇସ୍ରାଏଲ୍‌ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।