Categories
ଆଞ୍ଚଳିକ

ଜଗନ୍ନାଥ ପ୍ରସାଦଠାରେ ଉଦ୍ୟାନ କୃଷି ବିଭାଗ ତରଫରୁ କୃଷି ସଚେତନତା ଓ ପନିପରିବା ଚାଷ ପ୍ରଶିକ୍ଷିଣ ଶିବିର

ସମୀକ୍ଷା ବ୍ୟୁରୋ

ଜଗନ୍ନାଥ ପ୍ରସାଦ, ୧/୧୨:  ଉଦ୍ୟାନ କୃଷି ବିଭାଗ ତରଫରୁ ଜଗନ୍ନାଥ ପ୍ରସାଦଠାରେ କୃଷି ସଚେତନତା ଓ ପନିପରିବା ଚାଷ ସମ୍ପର୍କିତ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଉଦ୍ୟାନ କୃଷି ବିଭାଗ ଦ୍ବାରା ସ୍ବୟଂ ସମ୍ବଳ ବୃଦ୍ଧି ପାଇଁ ପନିପରିବା ଚାଷ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଏନେଇ ସ୍ଥାନୀୟ କୃଷି ଓ ସୂଚନା କେନ୍ଦ୍ର ଓ ପରାମର୍ଶ କେନ୍ଦ୍ରଠାରେ ତାରା ସିଂ, କୋକଳବା, ବିଡିପୁର, ପ୍ରତାପପୁର, ଅଳସୁ, ଚଡ଼ିଆପଲ୍ଲୀ, ଅଲାଡ଼ି, ଛାମୁଣ୍ଡା ଆଦି ବିଭିନ୍ନ ଅଞ୍ଚଳର କୋଡ଼ିଏ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପନିପରିବା ଚାଷର ଆବଶ୍ୟକତା, ବୈଜ୍ଞାନିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତି, ସମନ୍ବିତ ସାର ପ୍ରୟୋଗ, ରୋଗ ପୋକ ପରିଚାଳନା ଆଦି ସମ୍ପର୍କରେ ବୁଝାଯାଇଥିଲା। ସଫଳ ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ ଥିବା ସରକାରୀ ଯୋଜନା ବିଷୟରେ ମଧ୍ୟ ସଭ୍ୟାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ଜଗନ୍ନାଥ ପ୍ରସାଦର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସମ୍ବିତ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦର  ବିଡିଓ ଅଶୋକ କୁମାର ଦେହୁରିଆ, ସିଡିପିଓ ମମତାମଣି ନାୟକ, ବ୍ଲକ୍‌ ପ୍ରୋଜେକ୍ଟ କୋଡିନେଟର୍‌ ସୀତା ବରାଳ ପ୍ରମୁଖ ଯୋଗ ଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ କେଭିକେ ବୈଜ୍ଞାନିକ ପ୍ରଶାନ୍ତ ପଣ୍ଡା, ସୋରଡାର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଶ୍ରୀ ଚିନି ଗୁଲାବି, ଅଭିଜିତ୍‌ ପ୍ରଧାନ, ଗାୟତ୍ରୀ ମହାପାତ୍ର, ବର୍ଷା ବିନ୍ଦୁ ରାଉଳ ପ୍ରମୁଖ ଉପସ୍ଥିତ ରହି ତାଲିମ୍ ପ୍ରଦାନ କରିଥିଲେ ।  ସେହିପରି ସଫଳ ଉଦ୍ୟାନ ଚାଷ ସମ୍ପର୍କିତ ତଥା ପନିପରିବାର ଚାଷ ପ୍ରଣାଳୀ ଲେଖାଥିବା ଏକ ପୁସ୍ତକ ମଧ୍ୟ ସଭ୍ୟାମାନଙ୍କୁ ବଣ୍ଟନ କରାଯାଇଥିଲା । ସଚିନ୍ ପ୍ରଧାନ, ଅନନ୍ତ ପ୍ରଧାନ, ପ୍ରମୋଦ କୁମାର ପରିଡ଼ା, ବିଜ୍ଞ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।