ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ଦିନ ବିଜେପି ୧୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଏକମାତ୍ର ମହିଳା ପ୍ରାର୍ଥୀ ଶଗୁନ୍ ପରିହାରଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ଶଗୁନଙ୍କୁ କିଷ୍ତୱାଡ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।
ଶଗୁନ୍ ପରିହାର ହେଉଛନ୍ତି ବରିଷ୍ଠ ବିଜେପି ନେତା ଅନିଲ ପରିହାରଙ୍କ ଝିଆରୀ, ଯାହାଙ୍କୁ ନଭେମ୍ବର ୨୦୧୮ ରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ଏହି ଆକ୍ରମଣରେ ଶଗୁନଙ୍କ ପିତା ମଧ୍ୟ ମୃତ୍ୟୁ ବରଣ କରିଥିଲେ।
ଟିକେଟ୍ ପାବା ପରେ ଶଗୁନ୍ ପରିହାର ଖୁସି ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ, ମୋର ଦଳ ଏବଂ ସଂଗଠନ ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ ବହୁତ କୃତଜ୍ଞ। ମୁଁ ନରେନ୍ଦ୍ର ମୋଦୀ ଏବଂ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଉଛି।
ଶଗୁନ୍ ପରିହାର କହିଛନ୍ତି ଯେ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ କିଷ୍ତୱାଡର ଲୋକମାନେ କିଷ୍ତୱାଡର ଝିଅକୁ ଖୋଲା ହୃଦୟରେ ଗ୍ରହଣ କରିବେ ଏବଂ ଏହି ନିର୍ବାଚନ ଶଗୁନ୍ ପରିହାରଙ୍କ ବିଷୟରେ ନୁହେଁ, ଏହି ନିର୍ବାଚନ ସେହି ସହିଦମାନଙ୍କ ପରିବାର ବିଷୟରେ, ଯେଉଁମାନେ ଦେଶର ଅଖଣ୍ଡତା ଏବଂ ଏକତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଏହି ନିର୍ବାଚନ କିଷ୍ତୱାଡର ସମସ୍ତ ଲୋକଙ୍କ ପାଇଁ, ଯେଉଁମାନେ କିଷ୍ତୱାଡରେ ଶାନ୍ତି, ଅହିଂସା ଏବଂ ଭାଇଚାରା ଚାହୁଁଛନ୍ତି।
ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ମୋ ଉପରେ ଭରସା କରିଛି ଏବଂ କିଷ୍ତୱାଡ଼ବାସୀଙ୍କ ଉପରେ ମୋର ବିଶ୍ୱାସ ଅଛି ଯେ, ସେମାନେ ମୋତେ ପ୍ରତ୍ୟେକ ପଥରେ ମାର୍ଗଦର୍ଶନ ଦେବେ।
ଶଗୁନ୍ ପରିହାର ଏହା ମଧ୍ୟ କହିଛନ୍ତି ଯେ, ତାଲିକା ଆସିବା ପରେ ଆମ ପରିବାରରେ ବହୁତ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା। ଆମେ ପାପା ଏବଂ ସାନ ପାପାଙ୍କୁ ବହୁତ ବହୁତ ମିସ କରୁଛୁ, ଆମେ ଯାହା ଭାବିଥିଲୁ, ମୁଁ ଆଜି ତାହା ପାଇଛି।