Categories
ଆଞ୍ଚଳିକ

ପୋଲିସ୍ ପ୍ରଶାସନର ଯାତ୍ରୀ ସେବା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ରବିବାର ଜନତା କର୍ଫ୍ୟୁ ଯୋଗୁଁ ସାରା ବ୍ରହ୍ମପୁରରେ ନୀରବତା ପ୍ରକାଶ ପାଇଥିଲା । ସେତେବେଳେ ପୋଲିସ୍ ପ୍ରଶାସନ ସେମାନଙ୍କ କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଯେଉଁମାନେ ଆଗରୁ ଏହି ବିଷୟ ସୂଚନା ନପାଇ ବ୍ରହ୍ମପୁରକୁ ଚାଲିଆସିଥିଲେ । ସେମାନଙ୍କ ନିଜ ନିଜ ଗ୍ରାମକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଗେଟ୍‌ବଜାରରେ ଅପେକ୍ଷାରତ ବିଭିନ୍ନ ଯାତ୍ରୀଙ୍କୁ ଏକ ବସ୍ ଯୋଗେ ସେମାନଙ୍କ ଘରକୁ ଛଡ଼ାଯାଇଥିଲା । କିଛି ବ୍ୟକ୍ତି ଚାଲିଚାଲି ଯାଉଥିବାବେଳେ କୁକୁଡ଼ାଖଣ୍ଡି ତହସିଲ୍‌ଦାର ସେମାନଙ୍କ ଯିବାର ବ୍ୟବସ୍ଥା କରିଥିଲେ । ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ ପୋଲିସ୍ ଲୋକେ ଯେଭଳି ଭୋକ ଉପାସରେ ନ ରହିବେ ସେଥିପାଇଁ ବ୍ରେଡ଼୍‌, ପାଣି ବୋତଲର ବ୍ୟବସ୍ଥା କରିଥିଲା । ଷ୍ଟେସନରେ କିଛି ଯାତ୍ରୀ ଥିବାବେଳେ ସେମାନଙ୍କୁ ଆର୍‌ପିଏଫ୍ ପକ୍ଷରୁ ସହଯୋଗ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ବ୍ରହ୍ବପୁର ପୋଲିସ୍‌ର ଏଭଳି ଉଦ୍ୟମକୁ ସର୍ବସାଧାରଣରେ ପ୍ରଶଂସା କରାଯାଉଛି ।

Categories
ଆଜିର ଖବର ଖେଳ ଜାତୀୟ ଖବର

କୋରୋନା ମୁକାବିଲା : 2002ରେ କୈଫ୍‌-ଯୁବରାଜଙ୍କ ଉଦାହରଣ ଦେଲେ ମୋଦି

ନୂଆଦିଲ୍ଳୀ : କୋରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁର ଆହ୍ବାନ ଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୈଫ୍‌-ଯୁବରାଜଙ୍କ ଭାଗିଦାରୀର ଉଦାହରଣ ଦେଇଛନ୍ତି । ମାର୍ଚ୍ଚ 22ରେ ମୋଦି ଜନତା କର୍ଫକ୍ୟୁର ଆହ୍ବାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍‌ମିଟ୍‌ ପରେ ମହମ୍ମଦ କୈଫ୍‌ ଏହାକୁ ଟ୍ବିଟ୍‌ କରିବା ସହିତ ଦେଶବାସୀଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ । କୈଫ୍‌ଙ୍କ ଟ୍ବିଟ୍‌ ପରେ ପ୍ରଧାନମନ୍ତ୍ରୀ 2002 ନାଟଓ୍ବେଷ୍ଟ ବିଜୟକୁ ମନେ ପକାଇବା ସହିତ ଉଭୟଙ୍କ ଭାଗିଦାରୀର ଉଦାହରଣ ଦେଇଥିଲେ । ଏହି ଦୁଇ ମହାନ ଖେଳାଳିଙ୍କ ପରି ବର୍ତ୍ତମାନ ଦେଶବାସୀଙ୍କୁ ମଧ୍ୟ ଭାଗିଦାରୀ କରିବାକୁ ପଡିବ । କୋରୋନା ଭାଇରସ୍‌ ମୁକାବିଲା ପାଇଁ ଦେଶବାସୀଙ୍କୁ ଏକତ୍ରିତ ହୋଇ ଭାଗିଦାରୀ କରିବାକୁ ପଡିବ ବୋଲି ମୋଦି ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ପରାସ୍ତ କରି ନାଟଓ୍ବେଷ୍ଟ ଟ୍ରଫିରେ ବିଜୟୀ ହୋଇଥିଲା । ଏହି ମ୍ୟାଚ୍‌ରେ କୈଫ୍‌-ଯୁବରାଜଙ୍କ ମଧ୍ୟରେ 121 ରନ୍‌ର ଭାଗିଦାରୀ ହୋଇଥିଲା ।

Categories
ଆଜିର ଖବର

ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିବ ଟ୍ରେନ୍‌ ଚଳାଚଳ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରବିବାର ଜନତା କର୍ଫ୍ୟୁ କାରଣରୁ ବିଭିନ୍ନ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯିବ । 22 ତାରିଖ ଭୋର ଚାରିଟାରୁ 22 ତାରିଖ ରାତି 10 ଟା ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ଭାଇରସ୍‌ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁର ଆହ୍ବାନ ଦେଇଥିଲେ । ସକାଳ7ଟାରୁ ରାତି 9ଟା ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ନିଜ ଘରେ ବନ୍ଦ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋରୋନା ଭାଇରସ୍‌ ସଚେତନତା ପାଇଁ ଦେଶବାସୀଙ୍କ ସମ୍ବୋଧିତ କଲେ ମୋଦି : ଜନତା କର୍ଫ୍ୟୁ ପାଇଁ ନିବେଦନ

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପ୍ରାଣଘାତୀ ଭାଇରସ୍‌ ସଚେତନତା ପାଇଁ ଦେଶବାସୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଆପଣ ମାନଙ୍କ ସମୟର କିଛି ସପ୍ତାହ ମୁଁ ଆବଶ୍ୟକ କରୁଛି ବୋଲି ମୋଦି ନିଜ ଭାଷଣ ଆରମ୍ଭ କରିଥିଲେ । 60 ରୁ 65 ବର୍ଷ ବୟସର ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ମୋଦି । ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ଘରୁ ନବାହାରିବା ସହିତ ଅଫିସ୍‌ର କାମ ଘରୁ କରିବା ପାଇଁ ମୋଦି ଅନୁରୋଧ କରିଥିଲେ । ଏହା ସହିତ 22 ମାର୍ଚ୍ଚ ତଥା ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି । ଏହି ଦିନ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଘରୁ ନବାହାରିବା ସହିତ ଅପରାହ୍ନ 5ଟାରେ ଘର ବାହାରେ ଘଣ୍ଟି ବା ତାଳି ବଜାଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ପାଇଁ ମୋଦି ନିବେଦନ କରିଛନ୍ତି । ସମସ୍ତ ରାଜ୍ୟ ସରକାର ଜନତା କର୍ଫ୍ୟୁ ପାଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ମୋଦି ଅନୁରୋଧ କରିଛନ୍ତି ।

ପ୍ରତ୍ୟୋକ ଦେଶବାସୀ ଅନ୍ୟୁନ 10 ଜଣ ବ୍ୟକ୍ତିଙ୍କୁ ଫୋନ୍‌ କରି ଏହି ଭାଇରସ୍‌ ସମ୍ପର୍କରେ ସୂଚନା ଦେବା ସହିତ ସଚେତନ କରାଇବା ପାଇଁ ନିବେଦନ କରିଥିଲେ । ଏହା ସହିତ ବିଭିନ୍ନ ଜରୁରୀ କାଳୀନ ବିଭାଗ ଯେପରିକି ଡାକ୍ତର, ପୋଲିସ୍‌, ସ୍ବାସ୍ଥ୍ୟକର୍ମୀ, ଡେଲିଭରୀ ବୟ, ସଫେଇ କର୍ମଚାରୀଙ୍କୁ ମୋଦି ଧନ୍ୟବାଦ ଜ୍ଞାପନ କରିଥିଲେ । କୋରୋନା ସମୟରେ ନିଜର ଦାୟିତ୍ବ ନିରନ୍ତର ନିର୍ବାହ କରୁଥିବା ଏହି ମହାନ ବ୍ୟକ୍ତିତ୍ବଙ୍କୁ 22 ମାର୍ଚ୍ଚ ଦିନ ଧନ୍ୟବାଦ ଜ୍ଞାପନ କରିବା ଉଚିତ୍‌ ବୋଲି ମୋଦି କହିଛନ୍ତି ।

ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ କୋଭିଡ୍‌-19 ନାମକ ଏକ ଅର୍ଥନୈତିକ ଟାସ୍କ ଫୋର୍ସ ଗଠନ କରିବା ନେଇ ମୋଦି ଘୋଷଣା କରିଛନ୍ତି । କୋରୋନା ଭାଇରସ୍‌ ଦ୍ବାରା ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଏହି ଅର୍ଥନୈତିକ ଟାସ୍କଫୋର୍ସ ଏହାକୁ ସୁଧାରିବାରେ ଭୂମିକା ଗ୍ରହଣ କରିବେ । ଏହି ସମୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା କର୍ମଚାରୀଙ୍କ ବେତନ ନକାଟିବା ନିମନ୍ତେ ମୋଦି ବିଭିନ୍ନ ଅନୁଷ୍ଠାନକୁ ଅନୁରୋଧ କରିଛନ୍ତି । ଦେଶରେ ଆବଶ୍ୟକୀୟ ସାମଗ୍ରୀ ନିମିତ୍ତ କୌଣସି ସଙ୍କଟ ନାହିଁ ତେଣୁ ଦେଶବାସୀଙ୍କୁ ଭୟଭୀତ ହେବାର କୌଣସି ଅସୁବିଧା ନାହିଁ ।