କୋରୋନା ଭାଇରସ୍‌ ସଚେତନତା ପାଇଁ ଦେଶବାସୀଙ୍କ ସମ୍ବୋଧିତ କଲେ ମୋଦି : ଜନତା କର୍ଫ୍ୟୁ ପାଇଁ ନିବେଦନ

Published: Mar 19, 2020, 8:33 pm IST

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପ୍ରାଣଘାତୀ ଭାଇରସ୍‌ ସଚେତନତା ପାଇଁ ଦେଶବାସୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଆପଣ ମାନଙ୍କ ସମୟର କିଛି ସପ୍ତାହ ମୁଁ ଆବଶ୍ୟକ କରୁଛି ବୋଲି ମୋଦି ନିଜ ଭାଷଣ ଆରମ୍ଭ କରିଥିଲେ । 60 ରୁ 65 ବର୍ଷ ବୟସର ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ମୋଦି । ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ଘରୁ ନବାହାରିବା ସହିତ ଅଫିସ୍‌ର କାମ ଘରୁ କରିବା ପାଇଁ ମୋଦି ଅନୁରୋଧ କରିଥିଲେ । ଏହା ସହିତ 22 ମାର୍ଚ୍ଚ ତଥା ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି । ଏହି ଦିନ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଘରୁ ନବାହାରିବା ସହିତ ଅପରାହ୍ନ 5ଟାରେ ଘର ବାହାରେ ଘଣ୍ଟି ବା ତାଳି ବଜାଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ପାଇଁ ମୋଦି ନିବେଦନ କରିଛନ୍ତି । ସମସ୍ତ ରାଜ୍ୟ ସରକାର ଜନତା କର୍ଫ୍ୟୁ ପାଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ମୋଦି ଅନୁରୋଧ କରିଛନ୍ତି ।

ପ୍ରତ୍ୟୋକ ଦେଶବାସୀ ଅନ୍ୟୁନ 10 ଜଣ ବ୍ୟକ୍ତିଙ୍କୁ ଫୋନ୍‌ କରି ଏହି ଭାଇରସ୍‌ ସମ୍ପର୍କରେ ସୂଚନା ଦେବା ସହିତ ସଚେତନ କରାଇବା ପାଇଁ ନିବେଦନ କରିଥିଲେ । ଏହା ସହିତ ବିଭିନ୍ନ ଜରୁରୀ କାଳୀନ ବିଭାଗ ଯେପରିକି ଡାକ୍ତର, ପୋଲିସ୍‌, ସ୍ବାସ୍ଥ୍ୟକର୍ମୀ, ଡେଲିଭରୀ ବୟ, ସଫେଇ କର୍ମଚାରୀଙ୍କୁ ମୋଦି ଧନ୍ୟବାଦ ଜ୍ଞାପନ କରିଥିଲେ । କୋରୋନା ସମୟରେ ନିଜର ଦାୟିତ୍ବ ନିରନ୍ତର ନିର୍ବାହ କରୁଥିବା ଏହି ମହାନ ବ୍ୟକ୍ତିତ୍ବଙ୍କୁ 22 ମାର୍ଚ୍ଚ ଦିନ ଧନ୍ୟବାଦ ଜ୍ଞାପନ କରିବା ଉଚିତ୍‌ ବୋଲି ମୋଦି କହିଛନ୍ତି ।

ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ କୋଭିଡ୍‌-19 ନାମକ ଏକ ଅର୍ଥନୈତିକ ଟାସ୍କ ଫୋର୍ସ ଗଠନ କରିବା ନେଇ ମୋଦି ଘୋଷଣା କରିଛନ୍ତି । କୋରୋନା ଭାଇରସ୍‌ ଦ୍ବାରା ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଏହି ଅର୍ଥନୈତିକ ଟାସ୍କଫୋର୍ସ ଏହାକୁ ସୁଧାରିବାରେ ଭୂମିକା ଗ୍ରହଣ କରିବେ । ଏହି ସମୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା କର୍ମଚାରୀଙ୍କ ବେତନ ନକାଟିବା ନିମନ୍ତେ ମୋଦି ବିଭିନ୍ନ ଅନୁଷ୍ଠାନକୁ ଅନୁରୋଧ କରିଛନ୍ତି । ଦେଶରେ ଆବଶ୍ୟକୀୟ ସାମଗ୍ରୀ ନିମିତ୍ତ କୌଣସି ସଙ୍କଟ ନାହିଁ ତେଣୁ ଦେଶବାସୀଙ୍କୁ ଭୟଭୀତ ହେବାର କୌଣସି ଅସୁବିଧା ନାହିଁ ।

Related posts