ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ର ନେଟୱର୍କକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ଦେଶବ୍ୟାପୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦେଶର ୬ଟି ଭିନ୍ନ ଭିନ୍ନ ରାଜ୍ୟର ମୋଟ ୩୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ଏହି ବେଆଇନ କାରବାରର ପର୍ଦ୍ଦାଫାଶ କରାଯାଇଛି। ତଦନ୍ତ ସମୟରେ ବିଭିନ୍ନ ସ୍ଥାନରେ ପ୍ରକୃତରେ ଲାଇଭ୍ ବେଟିଂ ଏବଂ ଅନଲାଇନ୍ ଜୁଆ ଖେଳାଯାଉଥିବା ନଜରକୁ ଆସିବା ପରେ ସେହି ପ୍ୟାନେଲ୍ଗୁଡ଼ିକୁ ତୁରନ୍ତ ବନ୍ଦ କରାଯାଇଛି। ଏହି ଅଭିଯାନରେ ବହୁସଂଖ୍ୟକ ମୋବାଇଲ୍ ଫୋନ୍, ଡିଜିଟାଲ୍ ଡିଭାଇସ୍ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ପ୍ରାଥମିକ ତରଫରୁ ଜଣାପଡ଼ିଛି ଯେ, ମହାଦେବ ଆପ୍ର ମୂଳ ନେଟୱର୍କ ବିଦେଶରୁ ପରିଚାଳିତ ହେଉଥିବାବେଳେ ଭାରତରେ ଏହାର ବଡ଼ଧରଣର ଅପରେଟର ଚେନ୍ କାର୍ଯ୍ୟ କରୁଥିଲା। ଏହି ଅପରେଟରମାନେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ବେଟିଂ ଆଇଡି ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କ ନାଁରେ କିମ୍ବା ଭଡ଼ାରେ ନିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ କୋଟିକୋଟି ଟଙ୍କା କାରବାର କରୁଥିଲେ। ପରବର୍ତ୍ତୀ ସମୟରେ ହାୱାଲା ଜରିଆରେ ଏହି ଅର୍ଥ ବିଦେଶକୁ ପଠାଯାଉଥିବା ସନ୍ଦେହ କରାଯାଉଛି। ଏହି ସମ୍ପୂର୍ଣ୍ଣ ଘଟଣାରେ ସିବିଆଇ ପକ୍ଷରୁ ଦୁଇଟି ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଜୋରଦାର କରାଯାଇଛି। ଅନ୍ୟପକ୍ଷରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରି ମନି ଲଣ୍ଡରିଂ ମାମଲାରେ ଜେରା ଜାରି ରଖିଛି। ବର୍ତ୍ତମାନ ଏହି ନେଟୱର୍କର ଅନ୍ୟାନ୍ୟ ସହଯୋଗୀ ଏବଂ ଏଥିରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ବ୍ୟକ୍ତିମାନେ କେନ୍ଦ୍ରୀୟ ଏଜେନ୍ସିଙ୍କ ଟାର୍ଗେଟରେ ରହିଛନ୍ତି।


