Categories
ବିଶେଷ ଖବର ବ୍ୟକ୍ତିତ୍ୱ

ଯାତ୍ରା ଦୁନିଆର ଚର୍ଚ୍ଚିତ ଚେହେରା : ବିଭୁଧେନ୍ଦୁ କର ଓରଫ୍‌ ‘ହାପି’

ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି। ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ। ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା।  ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍‌ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ ଦର୍ଶକଙ୍କ ସ୍ବୀକୃତ ପାଇଥାଏ। ଏଥିରେ ରିଟେକ୍‌ର ସୁବିଧା ନଥାଏ। ସିଧାସଳଖ ନିଜ ଅଭିନୟର ପ୍ରତିଭା ପ୍ରଦର୍ଶନ କରିବା ହେଉଛି ଯାତ୍ରାର ଅନ୍ୟତମ ଆକର୍ଷଣ। ଥ୍ରୀଡି ଫିଲ୍ମ ଆସିବା ପରେ ମଧ୍ୟ ଯାତ୍ରା ପଛରେ ପଡ଼ିନାହିଁ, ଏବେବି ଯାତ୍ରା ଦର୍ଶକଙ୍କ ମହଲରେ ବେଶ୍‌ ଆଦୃତ। ଯାତ୍ରା କଳାକାରଙ୍କ ନିଆରା ପ୍ରଦର୍ଶନ ହିଁ ଯାତ୍ରାକୁ ସମୃଦ୍ଧ କରିଥାଏ। ଜଲିଉଡ୍‌ର ଜଣେ ଚର୍ଚ୍ଚିତ ଚେହେରା ହାପି କରଙ୍କ ସମ୍ପର୍କରେ ଭୀମା ନନ୍ଦଙ୍କ ରିପୋର୍ଟ..

ଜଲିଉଡ୍‌ରେ ହାପି କର ହେଉଛନ୍ତି ଏକ ଚର୍ଚ୍ଚିତ ନାମ। ଯାତ୍ରାପ୍ରେମୀଙ୍କ ନିକଟରେ ହାପି ବେଶ୍‌ ଷ୍ଟାଇଲିସ୍‌ ଓ ହ୍ୟାଣ୍ଡସମ୍‌ ହିରୋ ଭାବେ ବେଶ୍‌ ପରିଚିତ। ହାପିଙ୍କ ପ୍ରକୃତ ନା ବିଭୁଧେନ୍ଦୁ କର ହୋଇଥିବାବେଳେ ଯାତ୍ରା ଜଗତରେ ହାପି ନାମରେ ସେ ବେଶ୍‌ ଜଣାଶୁଣା। ହାପି ଉଭୟ ନେଗେଟିଭ୍‌ ଓ ପଜେଟିଭ୍‌ ଚରିତ୍ରରେ ବେଶ୍‌ ମନଛୁଆଁ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ରତନପୁର ଗ୍ରାମରେ ଜନ୍ମିତ ହୋଇଥିବା ହାପି ପିଲାଟୁ ବେଳକୁ ଏହି ଲାଇନ୍‌ ପ୍ରତି ବେଶ୍‌ ଆକର୍ଷିତ ହୋଇପଡିଥିଲେ। କୁହୁଡ଼ିସ୍ଥିତ ଜନତା ମହାବିଦ୍ୟାଳୟରେ ପଢୁଥିବାବେଳେ ଗାଁରେ ହେଉଥିବା  ଦଣ୍ଡଯାତ୍ରାରେ ପ୍ରଥମ ଥର ପାଇଁ ଅଭିନୟ କରିବାକୁ ସୁଯୋଗ ପାଇଥିଲେ।  ତା’ପରେ ବେଶ୍‌ କିଛି ବର୍ଷ ଦଣ୍ଡଯାତ୍ରା ଅଭିନୟ ଜାରି ରଖିଥିଲେ ହାପି।

ପରବର୍ତ୍ତୀ ସମୟରେ ହାପି  ଟିଭି ଧାରାବାହିକରେ ପାଦ ରଖିଥିଲେ, କିନ୍ତୁ ଏଥିରେ ସେ ବିଶେଷ ସଫଳତା ପାଇପାରିନଥିଲେ। ୨୦୧୦ ମସିହାରେ ହାପି ପାର୍ବତୀ ଗଣନାଟ୍ୟରେ ଯୋଗ ଦେଇଥିଲେ। ସେଠାରେ ଏକ ବର୍ଷ ରହିବା ପରେ ଇଷ୍ଟର୍ଣ୍ଣ ଅପେରା ଓ ପରେ ପରେ ତୁଳସୀ ଗଣନାଟ୍ୟରେ ବେଶ୍‌ କିଛି ବର୍ଷ ରହି ହାଇବେଜଟ୍‌ ଯାତ୍ରା ଅନଷ୍ଠାନ ଯାତ୍ରା ଇନ୍ଦ୍ରମହଲରେ ଯୋଗ ଦେଇଛନ୍ତି ହାପି।

ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି – ସୁଖ ପରଦେଶୀ ଦୁଃଖ ପଡୋଶୀ, ଅଳପ ଦିନର ଗଳ୍ପ ଆମର, ଲୁହ ନଈକୂଳେ କରିଛି ଘର, ସବୁ ସୋମବାର ତମରି ପାଇଁ, ମାଳିସାହି ମୀରା କାହାରି ନୁହେଁ, କଣ କଲା ସେ, ଶହେ ଶହେରେ ଖେଳ, ରୁଷନା ମୋ ସୁନାଭଉଣୀ, ଆଖି ତୁ କାନ୍ଦେନା, ଉର୍ବଶୀ ଆସୁଛି ଇନ୍ଦ୍ରମହଲ, ବଡ ଲୋକକୁ ଉତ୍ତର ନାହିଁ, ଶ୍ରୀକୃଷ୍ଣ ମୋର ଶେଷ ସାକ୍ଷୀ ଏବଂ ଆହୁରି ଅନେକ।

ତେବେ ସୁପରହିଟ୍ ନାଟକ ଭିତରୁ ତାଙ୍କୁ ଆତ୍ମସନ୍ତୋଷ ଦେଇଥିବା ନାଟକ ହେଲା ତୁଳସୀ ଗଣନାଟ୍ୟର, ‘ରୁଷୁନା ମୋ ସୁନାଭଉଣୀ’ ନାଟକରେ ସେ କରିଥିବା ବ୍ୟାସଦେବ ବିଶ୍ବକର୍ମା ଭୂମିକା ତାଙ୍କ ପାଇଁ ଅବିସ୍ମରଣୀୟ ହେଇ ରହିଛି। ଏଥିରେ ସେ ଜଣେ ଓପନ୍ୟାସିକା ଚରିତ୍ରରେ ଅଭିନୟ କରିଛନ୍ତି। ଏହି କାହାଣୀରେ ନିଜ ବନ୍ଧୁର ପ୍ରେମିକା ସୁମନକୁ ଖଳନାୟକ କବଳରୁ ବଞ୍ଚାଇବାକୁ ଯାଇ ନିଜେ ଅପରାଧୀ ପାଲଟିଯାଇଛନ୍ତି ଆଉ ବାହାଘର ଦିନ ଜେଲ୍‌ ଯାଉଛନ୍ତି। ଜେଲ୍‌ ଯିବା ବେଳେ ବାନ୍ଧବୀ ସୁମନକୁ ବୁଝେଇ କହିଛନ୍ତି ଯେ, ‘ ଭାଉଜ ତମେ କାନ୍ଦୁଛ କାହିଁକି …. ଓଃ ମୁଁ ତୁମ ବାହାଘରରେ ରହିପାରିବନି କି ତମ ଭୋଜି ଖାଇପାରିବନି ଏଇକଥା ଭାବି ତମେ ମନଦୁଃଖ କରି କାନ୍ଦୁଛ  ନା… .ଠିକ୍‌ ଅଛି ଭାଉଜ ମୁଁ ତମକୁ କଥା ଦେଉଛି ଜେଲ୍‌ରୁ ଫେରିବା ପରେ ତମ ଭୋଜି ମୁଁ ନିଶ୍ଚୟ ଖାଇବି। ଆଉ ଯଦି ମତେ ଫାଶୀ ହୋଇଯାଏ, ତା’ହେଲେ ଆଉ କେହି ନୁହେଁ ଭାଉଜ ତମେ ତମ ହାତରେ ଗଣ୍ତେ ରୋଷେଇ କରିଦେବ। ପାଖରେ ଠିଆ ହେଇ କାନ୍ଦୁଥିବା ସାଙ୍ଗକୁ କହେ ଆଉ କେହି ନୁହେଁରେ ତୁ ତାକୁ ନିଜେ ନେଇ ମଶାଣୀରେ ରଖିଦବୁ। ତାକୁ ଖାଇ ମୁଁ ବୁଝିଯିବି ଏଇଟା ମୋ ରାଜ୍ ଆଉ ସୁମନର ବାହାଘର ଭୋଜି।’ ଏ ନାଟକଟି ତାଙ୍କ ପାଇଁ ଏକ ମାଇଲଖୁଣ୍ଟ ହୋଇ ରହିଛି।

ଚଳିତ ବର୍ଷ ହାପି ଯାତ୍ରା ସ୍ବର୍ଣ୍ଣ ମହଲରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ତାଙ୍କ ଅଭିନୀତ ନାଟକ ମଧ୍ୟରେ, ‘ସିନ୍ଦୁର ହାଟରେ ନାହିଁ ସିନ୍ଦୁର’, ‘ଅସତୀ ତୁଳସୀ ସତୀ ଚଉରା’,’ସାବତ ସ୍ବାମୀ’, ଆଦି ନାଟକଗୁଡ଼ିକ ବେଶ୍‌ ସୁପରହିଟ୍‌ ହୋଇ ଆଗେଇ ଚାଲିଛି। ବହୁ ନାମୀ ଦାମୀ ଯାତ୍ରା ଦଳରେ କାମ କରି ନିଜକୁ ପ୍ରତିଷ୍ଠିତ ଓ ପରିଚିତ କରାଇପାରିଥିବା ହାପି ଏବେ ଏହି କ୍ଷେତ୍ରରେ ବେଶ୍‌ ଆଗେଇ ଚାଲିଛନ୍ତି। ତାଙ୍କର ଇଚ୍ଛା ସେ ଜଣେ ଭଲ କଳାକାର ହୋଇ ବଞ୍ଚିବେ।

 

Categories
ବିଶେଷ ଖବର ସିନେମା

ଭିନ୍ନସ୍ବାଦର ୪ଟି କାହାଣୀକୁ ନେଇ ପ୍ରସ୍ତୁତ ‘ଯାତ୍ରା ରଙ୍ଗମହଲ୍‌’

ଭୀମା ନନ୍ଦ

ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି । ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ । ଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥାଏ ଏହାର ସଂଳାପ ଓ ନୃତ୍ୟ ଗୀତ । ଆଜି ବି ଓଡ଼ିଶାର ସବୁ ମେଳା ମହୋତ୍ସବରେ ଯାତ୍ରା ଦଳଗୁଡ଼ିକ ନିଜର ନାଟକ ପ୍ରଦର୍ଶନ କରିଥା’ନ୍ତି । ଓଡ଼ିଶାରେ ଲୋକପ୍ରିୟ ଯାତ୍ରା ଦଳ ଭିତରେ ରଙ୍ଗମହଲ ବେଶ୍ ପରିଚିତ । ରଙ୍ଗମହଲ ପ୍ରଥମ ଥର ପାଇଁ ଓଡିଶା ଯାତ୍ରା ଜଗତରେ ବିଗ୍ ବଜେଟ୍ ଯାତ୍ରା ପ୍ରସ୍ତୁତ କରିଛି ।

ଚଳିତ ବର୍ଷ ପାଇଁ ରଙ୍ଗମହଲ ନୂଆ ତଥା ଅଭିଜ୍ଞ କଳାକାରଙ୍କୁ ନେଇ ନୂତନ ଚିନ୍ତାଧାରର ନାଟକମାନ ପ୍ରସ୍ତୁତ କରିଛି । ୨୦୧୯-୨୦ ପାଇଁ ରଙ୍ଗମହଲ ନୂତନ କାହାଣୀ, ଦମଦାର୍ ସଂଳାପ, ଆକର୍ଷଣୀୟ ନୃତ୍ୟଠାରୁ ଆରମ୍ଭ କରି ମଞ୍ଚସଜ୍ଜା ଓ ଆଲୋକକୁ ବେଶ୍ ଗୁରୁତ୍ବ ଦେଉଛି । ଚଳିତ ବର୍ଷ ପାଇଁ ରଙ୍ଗ ମହଲ ପ୍ରସ୍ତୁତ କରୁଛି ୪ଟି ନୂତନ ନାଟକ । ଇତି ମଧ୍ୟରେ ତିନୋଟି ନାଟକର ରିହର୍ସାଲ୍ ସରିଯାଇଛି । ରଙ୍ଗମହଲ ତରଫରୁ କିଙ୍ଗଷ୍ଟାର ସୁବାସ ବେହେରା ଟାହିଆ, ବାସୁ, ଦିପୁ, ଗୁନୁ, ରମା, ପ୍ରମୋଦ, ମନୋଜ, ଭରତ, ଗୁରୁ, ମାମା(କ) ମାନସୀ, ବେବି, ମାମା(ଖ) ସୋନିଙ୍କ ପରି ଅଭିଜ୍ଞ କଳାକାରଙ୍କୁ ‘ରଙ୍ଗମହଲ’ ମଇଦାନକୁ ଓହ୍ଲାଇବ ।

 

ରଙ୍ଗମହଲ ତାର ବିଗତ ଦିନରେ ଓଡିଶାର ଅଗଣିତ ଦର୍ଶକବନ୍ଧୁମାନଙ୍କୁ ଭେଟି ଦେଇଛି ଅନେକ ସୁପରହିଟ୍‌ ଯାତ୍ରା । ସେହି ଯାତ୍ରାଗୁଡ଼ିକ ମଧ୍ୟରେ ରହିଛି ସ୍ବର୍ଗତ ଅନନ୍ତ ଓଝାଙ୍କ ରଚନା ତଥା ଶାନ୍ତନୁ ଓଝାଙ୍କ ନିର୍ଦ୍ଦେଶିତ ‘ଖରାପ ଝିଅର ଗପ’ । ଏଥିରେ ମୁଖ୍ୟକାଳକାର ଭାବେ ଗୌର ଦାସ ଓ ଭାରତୀ ନଜର ଆସିଥିଲେ । ଯାତ୍ରାର କାହାଣୀରେ ଜଣେ ଖରାପ ଝିଅକୁ ଭଲ ଝିଅ କରାଇବାରେ ନାୟକର ବଳିଦାନକୁ ଦର୍ଶାଯାଇଛି । ସେହିପରି ଏହି ଯାତ୍ରା ପାର୍ଟିର ଅନ୍ୟତମ ଯାତ୍ରା ‘କିଣିନେଲା ମନ କଳାନାଗର୍’ ମଧ୍ୟ ଦର୍ଶକଙ୍କ ଦ୍ବାରା ବେଶ୍‌ ଆଦୃତ ହୋଇଥିଲା । ଅନୁରାଗଙ୍କ ରଚନାରେ ନିର୍ମିତ ଏହି ଯାତ୍ରାଟିର ନିର୍ଦ୍ଦେଶନା ଦେଇଥିଲେ କିଶୋର ଖଣ୍ଡୁଆଳ । ବିକାଶ ଶୁକ୍ଳାଙ୍କ ସଙ୍ଗୀତ ନିର୍ଦ୍ଦେଶନରେ ଏହି ନାଟକଟିରେ ମୁଖ୍ୟ ଚରିତ୍ରରେ ଗୌର ଦାସ, ଭାରତୀ, ଟାହିଆ, ଗୌର ପାଢି ପ୍ରମୁଖ ଅଭିନୟ କରିଥିଲେ । ସେହିପରି ଅନ୍ୟତମ ନାଟକ ତଥା ଅରୁଣ ବାରିକ୍‌ଙ୍କ ରଚିତ ‘ମିଛୁଆ ରାଧୁଆ ଗପ ସରିଲା’ରେ ତାପସ ସ୍ବାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହି ଯାତ୍ରାଟି ଦର୍ଶକଙ୍କ ଦ୍ବାରା ବହୁଳ ଆଦୃତ ହୋଇପାରିଥିଲା । ତେବେ ଗତ ବର୍ଷର ଅଭିଜ୍ଞ କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ନାଟକ ମଧ୍ୟରେ ରହିଥିଲା ‘ଅଧେ ତୋର ଅଧେ ମୋର’ । ଏହି ଯାତ୍ରାର ରଚନା ଅରୁଣ ବାରିକ୍‌ କରିଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ ତାପସ ସ୍ବାଇଁ ।

ଚଳିତ ବର୍ଷ ବେଶ୍‌ କିଛି ନୂଆ କାହାଣୀ, ନୂଆ ପୁରୁଣା ତଥା ଅଭିଜ୍ଞ କଳାକାରମାନଙ୍କୁ ନେଇ ରଙ୍ଗମହଲ ଦର୍ଶକଙ୍କ ପାଖରେ ଭେଟି ଦେବାକୁ ଯାଉଛି ୪ଟି ନୂଆ କାହାଣୀ । ଅରୁଣ ବାରିକ୍‌ଙ୍କ ରଚିତ ତଥା ତାପସ ସ୍ବାଇଁଙ୍କ ନିର୍ଦ୍ଦେଶିତ ଯାତ୍ରା ‘ମୁଁ ସେଇ ଭଦ୍ରକିଆ ଟୋକା’, ରାଜେନ୍ଦ୍ର ରାଉଙ୍କ ରଚିତ ତଥା ମହେଶ ହଜାରାଙ୍କ ନିର୍ଦ୍ଦେଶିତ ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’, ‘ ଇଂ ଆଶୁତୋଷ ମହାପାତ୍ରଙ୍କ ରଚିତ ‘ବଡ଼ଦାଣ୍ଡର ଭିକାରୀ’ ଓ ଗଣେଶ ରାଉତଙ୍କ ରଚିତ ତଥା ଗୁରୁ ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’ ଚଳିତ ବର୍ଷ ଦର୍ଶକଙ୍କ ସାମ୍ନାକୁ ଆସୁଛି ।  ତେବେ ନୂଆ ନୂଆ କାହାଣୀରେ ସଜ୍ଜିତ ଏହି ଚାରୋଟି କାହାଣୀ ମଧ୍ୟରୁ ଦର୍ଶକ କେଉଁ କାହାଣୀକୁ ପସନ୍ଦ କରୁଛନ୍ତି, ତାହା ଆଗାମୀ ସମୟ କହିବ । ତେବେ ଯାତ୍ରା ରଙ୍ଗମହଲ ଯାତ୍ରା ଦୁନିଆରେ ଏକ ସଫଳ ଯାତ୍ରା ଦଳ ଭାବେ ନିଜକୁ ଠିଆ କରାଇଛି । ଆଗାମୀ ସମୟରେ ଓଡ଼ିଆ ଦର୍ଶକଙ୍କ ରୁଚିକୁ ନେଇ ଅନେକ ଯାତ୍ରା ଭେଟି ଦେବ ବୋଲି ଆଶା କରୁଛୁ ।

ଚଳିତ ବର୍ଷର ପ୍ରଥମ ଚରଣରେ ସତ୍ୟ ଜେନାଙ୍କ ରଙ୍ଗମହଲ ଭୁବନେଶ୍ବର ସ୍ଥିତ ସାଲିଆ ସାହିରେ ଧମାକାଦାର ଏଣ୍ଟ୍ରି କରିଛି । ନୂତନ ଭାବରେ ପ୍ରସ୍ତୁତ ଯାତ୍ରାକୁ ଦର୍ଶକଙ୍କ ନିକଟରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିବା ନେଇ ସୂଚନା ରହିଛି ।

*****

କଂଗ୍ରେସ ସାଂସଦ ରଂଜିବୀ ବିଶ୍ବାଳ ବିଜେପିରେ ଯୋଗଦେବେ ବୋଲି ଚାଲିଛି ଚର୍ଚ୍ଚା