Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ପରଲୋକରେ ବରିଷ୍ଠ ହାସ୍ୟାଭିନେତା ଜଗଦୀପ

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ତଥା ବରିଷ୍ଠ ହାସ୍ୟକଳାକାର ଜଗଦୀପଙ୍କ 81 ବର୍ଷ ବୟସରେ ମୃତ୍ୟୁ ହୋଇଛି । ବୟସାଧିକ୍ୟ ରୋଗ କାରଣରୁ ଏହି ଅଭିନେତାଙ୍କ ନିଧନ ହୋଇଛି । ଆଜି ରାତ୍ରି ପ୍ରାୟ 8.40 ମିନିଟ୍‌ରେ ମୁମ୍ବାଇ ସ୍ଥିତ ନିଜ ଘରେ ସେ ପ୍ରାଣ ହରାଇଥିବାର ସୂଚନା ରହିଛି । ଜଗଦୀପଙ୍କ ଅସଲ ନାମ ହେଉଛି ସୈୟଦ୍‌ ଇଶ୍‌ତିଆକ୍‌ ଅହମ୍ମଦ ଜାଫ୍‌ରୀ । 1939 ମସିହା ମାର୍ଚ୍ଚ 29ରେ ଜନ୍ମ ଗହଣ କରିଥିବା ଜଗଦୀପ୍‌ 400ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

1975 ମସିହାରେ ଆସିଥିବା ଲୋକପ୍ରିୟ ବଲିଉଡ୍‌ ଫିଲ୍ମ ‘ଶୋଲେ’ରେ ଭୋପାଲୀ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଜଗଦୀପ୍‌ ।  ଏହା ବ୍ୟତୀତ ଜଗଦୀପ୍‌ ‘ପୁରାନା ମନ୍ଦିରରେ ’ ମଚ୍ଛର ଭୂମିକା ନିଭାଇଥିବାବେଳେ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ରେ ସେ ସଲମାନ ଖାନ୍‌ଙ୍କ ପିତାଙ୍କ ଚରିତ୍ରରେ ନଜର ଆସିଥିଲେ ।

ଜଗଦୀପ୍‌ ସୁରମା ଭୋପାଲୀ ଶୀର୍ଷକ ଏକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ସେ ଏହି ଫିଲ୍ମରେ ଲିଡ୍‌ରୋଲ୍‌ରେ ନଜର ଆସିଥିଲେ ।

ଜଗଦୀପ୍‌ 1951 ମସିହାରେ ବି.ଆର ଚୋପ୍ରାଙ୍କ ଫିଲ୍ମ ‘ଅଫସାନା’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ଶିଶୁ କଳାକାର ରୂପେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଶିଶୁ କଳାକାର ରୂପେ କାର୍ଯ୍ୟ କରିଛନ୍ତି। ଗୁରଦତ୍ତଙ୍କ ଆର ପାର୍‌, ବିମଲ୍‌ ରାୟଙ୍କ ‘ଦୋ ବିଘା ଜମୀନ୍‌‘ ଆଦି ଲୋକପ୍ରିୟ ଫିଲ୍ମରେ ସେ ଶିଶୁ କଳାକାର ରୂପେ କାର୍ଯ୍ୟ କରିଛନ୍ତି ।

ଫିଲ୍ମ ‘ହମ ପଂଛୀ ଏକ ଡାଲ୍‌କେ’ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍‌ ନେହେରୁ ଜଗଦୀପଙ୍କ ପ୍ରଶଂସା କରିଥିଲେ । ଜଗଦୀପଙ୍କ ପୁତ୍ର ଜାଭେଦ ଜାଫ୍‌ରୀ ମଧ୍ୟ ବଲିଉଡ୍‌ରେ ଜଣେ ସକ୍ରିୟ ଅଭିନେତା ରୂପେ ରହିଛନ୍ତି ।

ସୂଚନାଯୋଗ୍ୟ, ଗତ ତିନି ମାସ ମଧ୍ୟରେ ବଲିଉଡ୍‌ରୁ ପାଞ୍ଚ ଜଣ ବଡ ହସ୍ତୀ ବିଦାୟ ନେଇଛନ୍ତି । ଅପ୍ରେଲ ମାସରେ ଲୋକପ୍ରିୟ ଅଭିନେତା ଇରଫାନ୍‌ ଖାନ୍‌ ଓ ଋଷି କପୁର୍‌ ବିଦାୟ ନେଇଥିବାବେଳେ ଏହା ପରେ ଜୁନ୍‌ ମାସରେ  ଲୋକାପ୍ରିୟ ଅଭିନତା ସୁଶାନ୍ତ ସିଂହ ରାଜପୁତ୍‌ ଓ ବିଗତ ତିନି ଦିନ ପୂର୍ବରୁ ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ନିଧନ ହୋଇଛି ।

Categories
ଆଜିର ଖବର

ସିଏଏ ବିରୋଧରେ ମୁମ୍ବାଇସ୍ଥିତ କ୍ରାନ୍ତି ମଇଦାନରେ ଫରହାନ୍‌ ଓ ଜାଭେଦ କରିବେ ବିରୋଧ ପ୍ରଦର୍ଶନ

ମୁମ୍ବାଇଏ 19/12:ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଆଜି ଅର୍ଥାତ୍‌ ଗୁରୁବାର 19 ଡିସେମ୍ବରରେ ମୁମ୍ବାଇ ସ୍ଥିତ କ୍ରାନ୍ତି ମଇଦାନରେ ସିଏଏ ବିରୋଧରେ ପ୍ରଦର୍ଶନ ହେବାକୁ ରହିଛି। ଏହି କ୍ରାନ୍ତି ମଇଦାନରେ ହେବାକୁ ଥିବା ବିରୋଧ ପ୍ରଦର୍ଶନରେ ବଲିଉଡ୍‌ ସେଲିବ୍ରିଟ୍‌ମାନେ ନଜର ଆସିବେ। ଏହି ବିରୋଧ ପ୍ରଦର୍ଶନ ଅପରାହ୍ନ 4ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନିକଟରେ ଅଭିନେତା ଫରହାନ୍‌ ଅଖତର୍‌ ଏକ ଟୁଇଟ୍‌ କରି ଏହି ସମ୍ପର୍କରେ ଅବଗତ କରାଇଛନ୍ତି। ଫରାହନ୍‌ ନାଗରିକତା ସଂଶୋଧନ କାନୁନ୍‌ ଓ ଏନ୍‌ଆରସି ସମ୍ବନ୍ଧୀୟ ଏକ ଚିତ୍ର ଟୁଇଟ୍‌ କରିବା ସହିତ କହିଛନ୍ତି ଯେ, ଏହା ବିରୋଧରେ ଆନ୍ଦୋଳନ କରିବା ଜରୁରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସୋସିଆଲ ମିଡିଆରେ ବିରୋଧ କରିବାର ସମୟ ସରିଯାଇଛି। ଏବେ ବିରୋଧ ପ୍ରଦର୍ଶନ କରିବାକୁ ହିଁ ପଡ଼ିବ । ଆପଣ ସମସ୍ତଙ୍କୁ ଜାଣିବା ଦରକାର ଯେ, ଏହି ବିରୋଧ କ’ଣ ପାଇଁ ? ସେଥିପାଇଁ ଆପଣମାନେ 19 ତାରିଖ କୁ କ୍ରାନ୍ତି ମଇଦାନଠାରେ ଯୋଗଦେବା । ଫରହାନ୍‌ଙ୍କ ସହିତ ଅଭିନେତା ଜାଭେଦ ଜାଫେରୀ ମଧ୍ୟ ଏକ ଟୁଇଟ୍‌ କରି ଏହି ବିରୋଧ ପ୍ରଦର୍ଶନରେ ସମାବେଶ ହେବା ପାଇଁ ଅନୁରୋଧ କରିଛନ୍ତି।  ଅଭିନେତ୍ରୀ ସ୍ବରା ଭାସ୍କରା, ଋଚା ଚଢା, ଜାସିନ୍‌ ଆୟୁବ୍‌, ସୟାନୀ ଗୁପ୍ତା, ରେଣୁକା ସାହାଣେ, ହୁମା କ୍ୟୁରେସିଙ୍କ ପରି ବହୁ ଅଭିନେତା ଅଭିନେତ୍ରୀମାନେ ସିଏଏକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏତଦ୍‌ବ୍ୟତୀତ ଜାମିଆ  ବିଶ୍ବବିଦ୍ୟାଳୟରେ ହୋଇଥିବା ବର୍ବରତା ପାଇଁ ମଧ୍ୟ ବଲିଉଡ୍‌ ସେଲିବ୍ରିଟିମାନେ ନିଜର ପ୍ରତିକ୍ରିୟା ରଖି ଟୁଟଇ୍‌ କରିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟ, ସିଲମ୍‌ପୁର ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି । (ଏଜେନ୍ସି)