ପରଲୋକରେ ବରିଷ୍ଠ ହାସ୍ୟାଭିନେତା ଜଗଦୀପ

Published: Jul 8, 2020, 11:18 pm IST

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ତଥା ବରିଷ୍ଠ ହାସ୍ୟକଳାକାର ଜଗଦୀପଙ୍କ 81 ବର୍ଷ ବୟସରେ ମୃତ୍ୟୁ ହୋଇଛି । ବୟସାଧିକ୍ୟ ରୋଗ କାରଣରୁ ଏହି ଅଭିନେତାଙ୍କ ନିଧନ ହୋଇଛି । ଆଜି ରାତ୍ରି ପ୍ରାୟ 8.40 ମିନିଟ୍‌ରେ ମୁମ୍ବାଇ ସ୍ଥିତ ନିଜ ଘରେ ସେ ପ୍ରାଣ ହରାଇଥିବାର ସୂଚନା ରହିଛି । ଜଗଦୀପଙ୍କ ଅସଲ ନାମ ହେଉଛି ସୈୟଦ୍‌ ଇଶ୍‌ତିଆକ୍‌ ଅହମ୍ମଦ ଜାଫ୍‌ରୀ । 1939 ମସିହା ମାର୍ଚ୍ଚ 29ରେ ଜନ୍ମ ଗହଣ କରିଥିବା ଜଗଦୀପ୍‌ 400ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

1975 ମସିହାରେ ଆସିଥିବା ଲୋକପ୍ରିୟ ବଲିଉଡ୍‌ ଫିଲ୍ମ ‘ଶୋଲେ’ରେ ଭୋପାଲୀ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଜଗଦୀପ୍‌ ।  ଏହା ବ୍ୟତୀତ ଜଗଦୀପ୍‌ ‘ପୁରାନା ମନ୍ଦିରରେ ’ ମଚ୍ଛର ଭୂମିକା ନିଭାଇଥିବାବେଳେ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ରେ ସେ ସଲମାନ ଖାନ୍‌ଙ୍କ ପିତାଙ୍କ ଚରିତ୍ରରେ ନଜର ଆସିଥିଲେ ।

ଜଗଦୀପ୍‌ ସୁରମା ଭୋପାଲୀ ଶୀର୍ଷକ ଏକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ସେ ଏହି ଫିଲ୍ମରେ ଲିଡ୍‌ରୋଲ୍‌ରେ ନଜର ଆସିଥିଲେ ।

ଜଗଦୀପ୍‌ 1951 ମସିହାରେ ବି.ଆର ଚୋପ୍ରାଙ୍କ ଫିଲ୍ମ ‘ଅଫସାନା’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ଶିଶୁ କଳାକାର ରୂପେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଶିଶୁ କଳାକାର ରୂପେ କାର୍ଯ୍ୟ କରିଛନ୍ତି। ଗୁରଦତ୍ତଙ୍କ ଆର ପାର୍‌, ବିମଲ୍‌ ରାୟଙ୍କ ‘ଦୋ ବିଘା ଜମୀନ୍‌‘ ଆଦି ଲୋକପ୍ରିୟ ଫିଲ୍ମରେ ସେ ଶିଶୁ କଳାକାର ରୂପେ କାର୍ଯ୍ୟ କରିଛନ୍ତି ।

ଫିଲ୍ମ ‘ହମ ପଂଛୀ ଏକ ଡାଲ୍‌କେ’ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍‌ ନେହେରୁ ଜଗଦୀପଙ୍କ ପ୍ରଶଂସା କରିଥିଲେ । ଜଗଦୀପଙ୍କ ପୁତ୍ର ଜାଭେଦ ଜାଫ୍‌ରୀ ମଧ୍ୟ ବଲିଉଡ୍‌ରେ ଜଣେ ସକ୍ରିୟ ଅଭିନେତା ରୂପେ ରହିଛନ୍ତି ।

ସୂଚନାଯୋଗ୍ୟ, ଗତ ତିନି ମାସ ମଧ୍ୟରେ ବଲିଉଡ୍‌ରୁ ପାଞ୍ଚ ଜଣ ବଡ ହସ୍ତୀ ବିଦାୟ ନେଇଛନ୍ତି । ଅପ୍ରେଲ ମାସରେ ଲୋକପ୍ରିୟ ଅଭିନେତା ଇରଫାନ୍‌ ଖାନ୍‌ ଓ ଋଷି କପୁର୍‌ ବିଦାୟ ନେଇଥିବାବେଳେ ଏହା ପରେ ଜୁନ୍‌ ମାସରେ  ଲୋକାପ୍ରିୟ ଅଭିନତା ସୁଶାନ୍ତ ସିଂହ ରାଜପୁତ୍‌ ଓ ବିଗତ ତିନି ଦିନ ପୂର୍ବରୁ ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ନିଧନ ହୋଇଛି ।

Related posts