Categories
ଆଜିର ଖବର ଜାତୀୟ ଖବର

ଜାମିଆରେ ପ୍ରହାର, ଜେଏନ୍‌ୟୁରେ ଇନ୍ତେଜାର୍‌ : ପୋଲିସ୍‌ର ଭୂମିକା ନେଇ ଉଠିଲା ପ୍ରଶ୍ନ

ସମୀକ୍ଷା ବ୍ୟୁରୋ

ନିକଟରେ ଭାରତ ବର୍ଷର ଦୁଇ ବଡ ବିଶ୍ବବିଦ୍ୟାଳୟରେ ଚାଲିଥିବା ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିବାବେଳେ ଏହି ଘଟଣାକୁ ନେଇ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହଜନକ ରହୁଥିବାର  ପ୍ରତୀୟମାନ ହେଉଛି । ଉଭୟ ବିଶ୍ବବିଦ୍ୟାଳୟରେ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହପୂର୍ଣ୍ଣ ରହିଛି । ଜାମିଆ ବିଶ୍ବବିଦ୍ୟାଳୟରେ ପୋଲିସ୍‌ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧକାରୀଙ୍କୁ ପ୍ରହାର ଦେଇଥିବାବେଳେ ଜେଏନ୍‌ୟୁରେ ପୋଲିସ୍‌ ଧୀର ସ୍ଥିର ନୀତି ଆପଣାଇ ଅପେକ୍ଷା କରିଛି । ପୋଲିସ୍‌ର ଏପରି ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଗତ ତିନି ସପ୍ତାହ ମଧ୍ୟରେ ଦିଲ୍ଲର ସର୍ବବୃହତ୍‌ ଦୁଇ ବିଶ୍ବବିଦ୍ୟାଳୟ ଜେଏନ୍‌ୟୁ ଓ ଜାମିଆରେ ଆକ୍ରମଣ ଓ ହିଂସା ଘଟଣା ସାରା ଭାରତବର୍ଷରେ ଚର୍ଚ୍ଚାରେ ରହିଛି । ଜାମିଆରେ ଗତ ଡିସେମ୍ବର 15 ତାରିଖରେ ନାଗରି୍କତା ସଂଶୋଧନ କାନୁନ୍‌କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ହିଂସା ଘଟଣା ଦେଖିବାକୁ ମିଳିଥିବାବେଳେ ଦୀର୍ଘ ଦିନରୁ ବର୍ଦ୍ଧିତ ଫି’ ପ୍ରତିବାଦରେ ଜେଏନ୍‌ୟୁରେ ବିରୋଧ ପ୍ରଦର୍ଶନ ଚାଲିଆସିଥିଲା । ଗତକାଲି ଜେଏନ୍‌ୟୁରେ ଏହି ଘଟଣାକୁ ନେଇ ହୋଇଥିବା ହିଂସ୍ରକ ଆକ୍ରମଣ ଘଟଣା ଏହି ଘଟଣାକୁ ଏକ ଭିନ୍ନମୋଡ ଦେଇଛି । ଏହି ଘଟଣାକୁ ନେଇ ବିରୋଧୀ ସରକାର ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଚାଲିଥିବାବେଳେ ଏହି ଘଟଣାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟ ସାମ୍ନାସାମ୍ନି ହୋଇଛନ୍ତି ।

ଜେଏନ୍‌ୟୁରେ ବର୍ଦ୍ଧିତ ହଷ୍ଟେଲ୍‌ ଫି’କୁ ନେଇ ଦୁଇ ମାସ ଧରି ବିରୋଧ ପ୍ରଦର୍ଶନ ଜାରି ରହିଥିଲା । ଗତକାଲି ଏହି ରେଜିଷ୍ଟ୍ରେସନ୍‌ର ଶେଷ ତାରିଖ ଥିଲା । ଏହାକୁ ନେଇ ବାମ ସଙ୍ଗଠନ ଓ ଜେଏନ୍‌ୟୁ ଛାତ୍ର ସଂଘ ବିରୋଧ କରି ଫି’ ହ୍ରାସ ପାଇଁ  ଦାବି କରୁଥିଲେ । ଏହାମଧ୍ୟରେ ଏବିଭିପିର ଛାତ୍ର ନେତା ପହଞ୍ଚି ଦୁଇ ସଙ୍ଗଠନ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ବିରାଟକାୟ ରୂପ ଧାରଣ କରିଥିଲା ।

ରବିବାର ସନ୍ଧ୍ୟା 4ଟା ସମୟରେ ଜେଏନ୍‌ୟୁ ଛାତ୍ର ସଂଘ ସାବରମତୀ ହଷ୍ଟେଲ୍‌ରେ ଏକ ବୈଠକ କରିଥିଲେ । ଏହା ପରେ ସନ୍ଧ୍ୟା 5 ଘଟିକା ବେଳକୁ ଛାତ୍ର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହା ପରେ କ୍ୟାମ୍ପସ୍‌ ଭିତରେ ମୁଖାପିନ୍ଧା ଆକ୍ରମଣକାରୀଙ୍କ ଆକ୍ରମଣର ତାଣ୍ଡବ ଚାଲିଲା ।

ଏକ ଭିଡିଓରେ ଏହା ସ୍ପଷ୍ଟ ହୋଇଛିଯେ, ଏହି ମୁଖାପିନ୍ଧା ଆକ୍ରମଣକାରୀ ହାତରେ ଲାଠି ଓ ରଡ୍‌ ଧରି ବିଶ୍ବବିଦ୍ୟାଳୟ ପରିସର ଭିତରେ ପଶୁଥିବାବେଳେ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ, କିନ୍ତୁ ସେ ଏହାକୁ ବିରୋଧ କରୁନଥିଲେ ।

ବିଶ୍ବବିଦ୍ୟାଳୟ ପରିସରରେ ପରିସ୍ଥିତି ଉତ୍ତେଜନାମୟ ହେବା ପରେ ପୋଲିସ୍‌କୁ ଫୋନ୍‌ ଆସିଥିଲା । ମାତ୍ର ସୂଚନା ପାଇଁ କିଛି ପୋଲିସ୍‌ କର୍ମୀ ଜେଏନ୍‌ୟୁରେ ପହଞ୍ଚିଥିଲେ କିନ୍ତୁ ଏଣ୍ଟ୍ରାନ୍ସ ଗେଟ୍‌ ପରେ ରହିଗଲେ । ପୋଲିସ୍‌କୁ କ୍ୟାମ୍ପସ୍‌ ଭିତରକୁ ଯିବାକୁ ଅନୁମତି ନଥିଲା ।

ଏହା ପରେ ସନ୍ଧ୍ୟା 6.45ରେ ଜେଏନ୍‌ୟୁ ପ୍ରଶାସନ ତରଫରୁ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍‌କୁ ସାହା୍ଯ୍ୟ ମଗାଯାଇଥିଲା । ଏହା ପରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ପାଖାପାଖି 7.45 ଭିତରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ଅର୍ଥାତ୍‌ କ୍ୟାମ୍ପସ୍‌ ଭିତରେ ଲାଠି ଚାଲାନ ଓ ପଥର ମାଡ ହେବା ପରେ ପୋଲିସ୍‌ ପହଞ୍ଚିଥିଲା । ଏହାପରେ ଆକ୍ରମଣକାରୀ ଫେରାର୍‌ ହୋଇଯାଇଥିଲେ ।

ଜେଏନ୍‌ୟୁରେ ପୋଲିସ୍‌ ଓ୍ବେଟ୍‌ ଏଣ୍ଡ୍‌ ଓ୍ବାଚ୍‌ର ଭୂମିକାରେ ନଜର ଆସିଥିବାବେଳେ ଜାମିଆ କ୍ୟାମ୍ପସ୍‌ରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ପୋଲିସ୍‌ ଦୌଡ଼ି ଦୌଡ଼ି ପ୍ରଦର୍ଶନକାରୀଙ୍କୁ ମାରିଥିଲେ । ତେବେ ଜାମିଆ କ୍ୟାମ୍ପସ୍‌ ଭିତରକୁ ପୋଲିସ୍‌ ବିନା ପରମିଶନ୍‌ରେ ପହଞ୍ଚିପାରିଥିବାବେଳେ ଜେଏନ୍‌ୟୁରେ ପରିମିଶନ୍‌ ପାଇ ପହଞ୍ଚିପାରିନଥିଲା କେମିତି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଛାତ୍ର ସୁରକ୍ଷିତ ନାହାଁନ୍ତି, କିନ୍ତୁ ସରକାର ସିଏଏରେ ବ୍ୟସ୍ତ ରହିଛନ୍ତି : ସଞ୍ଜୟ ରାଉତ

ମୁମ୍ବାଇ : ଜେଏନ୍‌ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଗଲାଣି । ଏହି ଘଟଣାରେ ମୋଦି ସରକାରକୁ ଟାର୍ଗେଟ୍‌ କରିଛନ୍ତି ଶିବସେନା ନେତା ସଂଜୟ ରାଉତ। ଛାତ୍ର ଆଜି ନିଜ ଦେଶରେ ସୁରକ୍ଷିତ ନଥିବାବେଳେ ମୋଦି ସରକାର ସିଏଏକୁ ନେଇ ବ୍ୟସ୍ତ ରହିଛନ୍ତି । ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ଦେଶର ରାଜଧାନୀ ଦିଲ୍ଲୀରେ ପୋଲିସ୍‌ କେବେ ବିଶ୍ବବିଦ୍ୟାଳୟରେ ପସି ଫାୟାରିଂ କରୁଛନ୍ତି ତ କେତେବେଳେ ଦୁର୍ବୃର୍ତ୍ତମାନେ ପସି ଛାତ୍ରଙ୍କ ଉପରେ ଆକ୍ରଣମ କରୁଛନ୍ତି । ସମ୍ପୂର୍ଣ୍ଣ ଭାବରେ ଆଇନର ଊଲ୍ଲଂଘନ ହେଉଛି, ଏହା ଠିକ୍‌ ନୁହେଁ । ଏହି ସମୟରେ ଗୃହମନ୍ତ୍ରୀ ଯାଞ୍ଚ ବୈଠକ କରିବା ଦରକାର। ଆକ୍ରମଣକାରୀ କିଏ, ଓ ଏହି ହିଂସା ପଛରେ କାରଣ କ’ଣ ରହିଛି, ତାହାର ଯାଞ୍ଚ ହେବା ନିତାନ୍ତ ଆବଶ୍ୟକ ବୋଲି ସଞ୍ଜୟ ରାଉତ କହିଛନ୍ତି । ସୂଚନାଯୋଗ୍ୟ ରବିବାର ରାତିରେ ଜେଏନ୍‌ୟୁରେ ହୋଇଥିବା ହିଂସା ଆକ୍ରମଣରେ 25 ଜଣ ଛାତ୍ର ଆହତ ହୋଇଛନ୍ତି । ଏହି ଘଟଣା ପାଇଁ ଏବିଭିପି ଓ ଏଆଇଏସ୍‌ଏ ଉଭୟ ଉଭୟଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଛନ୍ତି । ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ଚିହ୍ନଟ ହୋଇପାରିନାହିଁ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ହିଂସା ଘଟଣାକୁ ନେଇ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ ସୁର୍ଜେଓ୍ବାଲା

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀସ୍ଥିତ ଜବାହରଲାଲ୍‌ ନେହେରୁ ୟୁନିଭରସିଟି (ଜେଏନ୍‌ୟୁ)ରେ ମୁଖାପିନ୍ଧା ଦୁବୃର୍ତ୍ତମାନେ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଏବେ ରାଜନୀତି ସୃଷ୍ଟି ହୋଇଛି । କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ଏହି ହିଂସା ଆକ୍ରମଣକୁ ନେଇ ବିଜେପି ଓ ମୋଦି ସରକାରଙ୍କୁ ଉପରେ ଅଭିଯୋଗ ଲଗାଇଛନ୍ତି । ସୁରଜେଓ୍ବାଲା କହିଛନ୍ତି ଯେ ଗୃହମନ୍ତ୍ରୀଙ୍କ ମୌନ ସମ୍ମତି ବିନା ଏହା କିପରି ସମ୍ଭବ ? ଏହା ଏକ ପ୍ରାୟୋଜିତ କାର୍ଯ୍ୟ । ଜେଏନ୍‌ୟୁ ପ୍ରଶାସନଙ୍କ ମଧ୍ୟ ଏଥିରେ ସହମତି ରହିଛି । ସେମାନେ ସମେସ୍ତ ବିଜେପିର ଗୁଣ୍ଡା ଥିଲେ । ଦିଲ୍ଲୀ ପୋଲିସ୍‌ ମୂକ ଦର୍ଶକ ହୋଇ ରହିଗଲା ବୋଲି ସୁରଜେଓ୍ବାଲା କହିଛନ୍ତି। ଏହା ମୋଦି ଶାହାଙ୍କ ଛାତ୍ରଙ୍କ ପାଇଁ ଗୁଜୁରାଟ ମଡେଲ ଥିଲା ବୋଲି ସୁରେଜ୍‌ଓ୍ବାଲା କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜେଏନୟୁ ତାତି : ଆରୋପ ପ୍ରତ୍ୟାରୋପର ରାଜନୀତି

ନୂଆଦିଲ୍ଲୀ, 6/1: ଦେଶର ପ୍ରତିଷ୍ଠିତ ଜବାହରଲାଲ୍‌ ୟୁନିଭରସିଟିରେ ରବିବାର ରାତିରେ କିଛି ଆକ୍ରମଣକାରୀମାନେ କ୍ୟାମ୍ପସ୍‌ ଭିତରେ ପଶି ଛାତ୍ରଙ୍କ ସମେତ ଅଧ୍ୟାପକଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ 30ଜଣ ଛାତ୍ର ଆହତ ହୋଇଛନ୍ତି। ଜେଏନୟୁରେ ହୋଇଥିବା ହିଂସା ଘଟଣାକୁ ଦେଶବ୍ୟାପୀ ବିରୋଧ କରାଯାଉଛି। ଆଜି ଏହି ଘଟଣାକୁ ନେଇ ଭାରତର ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟ ବିରୋଧ ପ୍ରଦର୍ଶନ ଜାରି ରଖିଛି। ପୁଲିସ୍‌ର ଦାୟିତ୍ବହୀନତା ପାଇଁ ଏସବୁ ହୋଇଥିବାର ଅଭିଯୋଗ ହୋଇଥିବାବେଳେ ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରାଯାଉଛି। ଜେନୟୁ ହିଂସାକୁ ନେଇ ଏବେ ଦେଶର ରାଜନୀତି ପୁଣି ଗରମ ହୋଇଛି। ଏହି ଘଟଣାକୁ ନେଇ ଉଭୟ ସରକାର ଓ ବିରୋଧୀ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଚାଲିଛନ୍ତି। ବିଶ୍ବବିଦ୍ୟାଳୟରେ ଏଭଳି ଅମାନୁଷିକ କାଣ୍ଡ ପାଇଁ ଉଭୟ ସରକାର ଓ ବିରୋଧୀ ଉଭୟଙ୍କୁ ଦାୟୀ କରିଚାଲିଛନ୍ତି।

ବିଶ୍ବବିଦ୍ୟାଳୟ ପରିସରରେ ହୋଇଥିବା ହିଂସା ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଦିଲ୍ଲୀ ପୁଲିସ କମିଶନରଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏହି ଘଟଣାରେ ଏକ କମିଟି ଗଠନ କରି ତୁରନ୍ତ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦିଲ୍ଲୀର ଉପରାଜ୍ୟପାଳ ଏହି ଘଟଣାର ନିନ୍ଦା କରିବା ସହିତ ଆଇନ ବ୍ୟବସ୍ଥାକୁ ଜାରି ରଖିବାକୁ ନିରଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ପୁଲିସ୍‌ ତରଫରୁ ଯୁଗ୍ମ ସଚିବ ଶାଲିନୀ ସିଂହ ଏହି ମାମଲାର ଯାଞ୍ଚ କରୁଛନ୍ତି। ଦିଲ୍ଲୀ ପୁଲିସ୍‌ କହିବାନୁସାରେ ଏହି ଘଟଣାରେ କିଛି ବାହାର ଲୋକ ସାମିଲ୍‌ ରହିଛନ୍ତି, ଯେଉଁମାନେ ନିଜ ଚେହେରାକୁ ଢାଙ୍କି ରଖିଥିଲେ।

ହିଂସା ଆକ୍ରମଣରେ ଆହତ ହୋଇଥିବା ଛାତ୍ରଙ୍କୁ ସର୍ବପ୍ରଥମେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭେଟିଛନ୍ତି। ଆହତଙ୍କୁ ଭେଟିବା ପାଇଁ ପ୍ରିୟଙ୍କା ଏମସ୍‌ରେ ପହଞ୍ଚିଥିଲେ। କଡ଼ା ଶବ୍ଦରେ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଛାତ୍ରମାନଙ୍କ ଉପରେ ଲାଠୀ ଓ ଅନ୍ୟାନ୍ୟ ହତିଆର ଦ୍ବାରା ଆକ୍ରମଣ ହୋଇଥିବାର କହିଛନ୍ତି। ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି ଯେ, କିଛି ଛାତ୍ରଙ୍କୁ ଲାତ୍‌ ବିଥାରେ ମରାଯାଇଥିବାବେଳେ କିଛି ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। କେତେଜଣଙ୍କର ହାଡ଼ ମଧ୍ୟ ଭାଙ୍ଗିଛି। ଏହି ଘଟଣାରେ ପାଖାପାଖି 25 ଜଣ ଆହତ ହୋଇଛନ୍ତି। ଏହି ଆହତଙ୍କ ମଧ୍ୟରେ ଜେନେୟୁର ଛାତ ସଂଘର ସଭାପତି ଆଇସି ଘୋଷ ସହିତ ଅନ୍ୟ ସଦସ୍ୟମାନେ ସାମିଲ୍‌ ଅଛନ୍ତି।

ସେହିପରି ଏହି ଘଟଣାକୁ ଜେଏନୟୁ ପୂର୍ବତନ ଛାତ୍ର ତଥା ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଡା ଭାଷାରେ ନିନ୍ଦା କରିଛନ୍ତି। ନିର୍ମଳା ଟୁଇଟ୍‌ କରି କହିଛନ୍ତି ଯେ, ଏପରି ଜାଗା କେବେ ହିଂସା ପାଇଁ ନୁହେଁ, ବରଂ ସାର୍ଥକ ତର୍କ ପାଇଁ ଜଣାଯାଏ । କିଛି ଦିନ ହେବ ଜେନେୟୁ ନେଇ ଯେତେପ୍ରକାର ବିବାଦ ହେଇଥାଉ ପଛେ, କିନ୍ତୁ  ଏହି ବିଶ୍ବବିଦ୍ୟାଳୟ ଛାତ୍ରମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ହେଉ ବୋଲି ସରକାର ଚାହୁଁଛନ୍ତି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହି ଘଟଣାକୁ ନେଇ ଟୁଇଟ୍‌ କରି କହିଛନ୍ତି ଯେ, ଜେନୟରୁର ଛାତ୍ର ଓ ଶିକ୍ଷକଙ୍କ ଉପରେ ହୋଇଥିବା ବର୍ବରତା ଆକ୍ରମଣରେ ବେଶ୍‌ ମର୍ମାହତ। କିଛି ଫାଶୀବାଦୀ ଆମ ଦେଶକୁ କବ୍‌ଜା କରିବାକୁ ଚାହୁଁଛନ୍ତି, ଏବେ ଆମର ବାହଦୂର ଛାତ୍ରମାନଙ୍କ ଆଓ୍ବାଜରେ ସେମାନେ ଡରିଯାଇଛନ୍ତି। ଯାହା ଫଳରେ କି ଏପରି ଅମାନୁଷିକ କାଣ୍ଡ ଘଟାଇଛନ୍ତି।

ସେହିପରି ଜେଏନୟୁର ପୂର୍ବତନ ଛାତ୍ର ତଥା ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏହି ଘଟଣାକୁ ନିନ୍ଦା କରି କହିଛନ୍ତି ଯେ, ଏହା ବିଶ୍ବବିଦ୍ୟାଳୟର ସଂସ୍କୃତିଠାରୁ ଏକଦମ ଓଲଟା। ସେହିପରି ମାୟାବତୀ ଏହି ଘଟଣାକୁ ଏକ ଲଜ୍ଜାଜନକ ଘଟଣା କହିବା ସହିତ ଏହା ଯାଞ୍ଚ ହେବା ପାଇଁ ଦାବି କରିଛନ୍ତି।

ଅମିତ୍‌ ଶାହାଙ୍କ ଉପରେ ଟାର୍ଗେଟ୍‌ କଲେ ଆପ୍‌ ନେତା ସଂଜୟ

ଦିଲ୍ଲୀରେ କ୍ଷମତାଧାରୀ ଆପ୍‌ର ନେତା ସଂଜୟ ସିହ ଆହତ ଛାତ୍ରଙ୍କୁ ଭେଟିବା ନିମନ୍ତେ ଏମସରେ ପହଞ୍ଚିଥିଲେ,  ସଞ୍ଜୟ ସିଂ ଟୁଇଟ୍‌ କରି କହିଛନ୍ତି, ଯେବେଠାରୁ ଅମିତ୍‌ ଶାହା ଦେଶର ଗୃହମନ୍ତ୍ରୀ ହେଲେ, ସେବେଠୁ  ଦେଶର ରାଜଧାନୀ ଦିଲ୍ଲୀରେ ଗୁଣ୍ଡାଗର୍ଦ୍ଦି, ହିଂସା ଓ ଅପରାଧର ଆଡ୍ଡାସ୍ଥଳୀ ପାଲଟିଗଲାଣି। କେବେ ଓକିଲଙ୍କ ଉପରେ ଆକ୍ରମଣ ତ କେତେବେଳେ ଛାତ୍ରଉଙ୍କ ଉପରେ । ଗୃହମନ୍ତ୍ରୀଙ୍କୁ ତାଙ୍କ ପଦବୀରେ ରହିବାର ଅଧିକାର ନାହିଁ। ଅମିତ୍‌ ଶାହା ଇସ୍ତଫା ଦିଅନ୍ତୁ।

ସେହିପରି ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଏହି ଘଟଣାକୁ ନେଇ ଟୁଇଟ୍‌ କରି କହିଛନ୍ତି ଯେ, ଛାତ୍ରଙ୍କ ଉପରେ ନିଷ୍ଠୁର ଭାବେ ଆକ୍ରମଣ କରାଯାଇଛି, ପୁଲିସ୍‌ ହିଂସାକୁ ରୋକି ପରିବେଶକୁ ଶାନ୍ତ କରିବା ପାଇଁ ପ୍ରଯତ୍ନ କରିବା ଉଚିତ୍‌। ଯଦି ବିଶ୍ବବିଦ୍ୟାଳୟରେ ଆମ ଛାତ୍ରମାନେ ସୁରକ୍ଷିତ ରହିବେ ନାହିଁ, ତେବେ ଦେଶ ଉନ୍ନତି କେମିତି କରିବ।

ଆହତ ଛାତ୍ରଙ୍କୁ ଭେଟିବା ପାଇଁ ବିଜେପି ସାଂସଦ ମୀନାକ୍ଷୀ ଲେଖି ଏମସ୍‌ରେ ପହଞ୍ଚିଥିଲେ। ସେ ଏହି ହିଂସା ଆକ୍ରମଣ ପାଇଁ ବାମବାଦୀ ଦଳଙ୍କୁ ଦାୟୀ କରିଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାର ନିନ୍ଦା କରିବା ସହିତ ଟୁଇଟ୍‌ କରି କହିଛନ୍ତି ଯେ, ଜେନେୟରୁ ହୋଇଥିବା ଛାତ୍ର ଓ ଶିକ୍ଷକଙ୍କ ଉପରେ ହିଂସାତ୍ମକ ଆକ୍ରମଣର କଠୋର ନିନ୍ଦା ରକିବା ସହିତ ଏହି ଘଟଣାକୁ କେବଳ ଶବ୍ଦରେ କୁହାଯାଇପାରିବ ନାହିଁ। ଏହା ଲୋକତନ୍ତ୍ର ପାଇଁ ଲଜ୍ଜାଜନକ ବିଷୟ। ପୂର୍ବ ଗୃହମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ କହିଛନ୍ତି ଯେ, ‘ଲାଇଭ ଟିଭିରେ ଆମେ ଯାହା ଦେଖିଲୁ ତାହା ଭୟାନକ, ଆଶ୍ଚର୍ଯ୍ୟଜନକ, ଜେଏନୟୁରେ ଲୋକେ ପଶି ଆକ୍ରମଣ କରୁଛନ୍ତି, ପୋଲିସ୍‌ କେଉଁଠି ଅଛି ?’ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜେଏନୟୁ ଘଟଣାର କଡ଼ା ନିନ୍ଦା କରିଛନ୍ତି।  ଏହି ଗଣ୍ଡଗୋଳ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟ୍ବିଟ୍‌ କରି କହିଛନ୍ତି ଯେ,ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ଛାତ୍ରଙ୍କ ଉପରେ ଆକ୍ରମଣ ନିନ୍ଦନୀୟ।

ଲେଫ୍ଟ ରାଇଟ୍‌ ବାକ୍‌ଯୁଦ୍ଧ

ଜେଏନୟୁ ହିଂସାକୁ ନେଇ ବାମବାଦୀ ଛାତ୍ର ସଂଘ  ତରଫରୁ ଏହି ଘଟଣା ପାଇଁ ଏବିଭିପି ଛାତ୍ରଗୋଷ୍ଠୀଙ୍କୁ ଦାୟୀ କରି କହିଛନ୍ତି ଯେ, ଏହି ଛାତ୍ର ସଦସ୍ୟମାନେ ଅଧ୍ୟକ୍ଷ ଆଇସି ଘୋଷ ତଥା ଅନ୍ୟଛାତ୍ରଙ୍କୁ ପିଟିଛନ୍ତି। ସେହିପରି ଏବିଭିପି  ଛାତ୍ରଗୋଷ୍ଠୀ ଏହି ହିଂସା ପାଇଁ ବାମବାଦୀ ଛାତ୍ରଗୋଷ୍ଠୀଙ୍କୁ ଦାୟୀ କରିଛନ୍ତି।

ସମ୍ପ୍ରତି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ଏବେ ରାଜନୈତିକ ଛାୟାରେ ପ୍ରତିଫଳିତ ହେବାରେ ଲାଗିଛନ୍ତି। ରାଜନୀତିଠାରୁ ଉର୍ଦ୍ଧ୍ବରେ  ସମସ୍ତ ଶିକ୍ଷାନୁଷ୍ଠାନ ସ୍ବତନ୍ତ୍ର ରହିବା ଆଜିର ସମୟରେ ଏକାନ୍ତ ଆବଶ୍ୟକ। କୌଣସି ରାଜନୈତିକ ରଙ୍ଗ ନ ଦେଇ ଏହି ଘଟଣାର ପ୍ରକୃତ ଯାଞ୍ଚ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଇପାରିଲେ , ଆଗାମୀ ସମୟରେ ଏପରି ଘଟଣାକୁ ଏଡାଯାଇହେବ।