ଜାମିଆରେ ପ୍ରହାର, ଜେଏନ୍‌ୟୁରେ ଇନ୍ତେଜାର୍‌ : ପୋଲିସ୍‌ର ଭୂମିକା ନେଇ ଉଠିଲା ପ୍ରଶ୍ନ

Published: Jan 6, 2020, 4:53 pm IST

ସମୀକ୍ଷା ବ୍ୟୁରୋ

ନିକଟରେ ଭାରତ ବର୍ଷର ଦୁଇ ବଡ ବିଶ୍ବବିଦ୍ୟାଳୟରେ ଚାଲିଥିବା ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିବାବେଳେ ଏହି ଘଟଣାକୁ ନେଇ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହଜନକ ରହୁଥିବାର  ପ୍ରତୀୟମାନ ହେଉଛି । ଉଭୟ ବିଶ୍ବବିଦ୍ୟାଳୟରେ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହପୂର୍ଣ୍ଣ ରହିଛି । ଜାମିଆ ବିଶ୍ବବିଦ୍ୟାଳୟରେ ପୋଲିସ୍‌ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧକାରୀଙ୍କୁ ପ୍ରହାର ଦେଇଥିବାବେଳେ ଜେଏନ୍‌ୟୁରେ ପୋଲିସ୍‌ ଧୀର ସ୍ଥିର ନୀତି ଆପଣାଇ ଅପେକ୍ଷା କରିଛି । ପୋଲିସ୍‌ର ଏପରି ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଗତ ତିନି ସପ୍ତାହ ମଧ୍ୟରେ ଦିଲ୍ଲର ସର୍ବବୃହତ୍‌ ଦୁଇ ବିଶ୍ବବିଦ୍ୟାଳୟ ଜେଏନ୍‌ୟୁ ଓ ଜାମିଆରେ ଆକ୍ରମଣ ଓ ହିଂସା ଘଟଣା ସାରା ଭାରତବର୍ଷରେ ଚର୍ଚ୍ଚାରେ ରହିଛି । ଜାମିଆରେ ଗତ ଡିସେମ୍ବର 15 ତାରିଖରେ ନାଗରି୍କତା ସଂଶୋଧନ କାନୁନ୍‌କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ହିଂସା ଘଟଣା ଦେଖିବାକୁ ମିଳିଥିବାବେଳେ ଦୀର୍ଘ ଦିନରୁ ବର୍ଦ୍ଧିତ ଫି’ ପ୍ରତିବାଦରେ ଜେଏନ୍‌ୟୁରେ ବିରୋଧ ପ୍ରଦର୍ଶନ ଚାଲିଆସିଥିଲା । ଗତକାଲି ଜେଏନ୍‌ୟୁରେ ଏହି ଘଟଣାକୁ ନେଇ ହୋଇଥିବା ହିଂସ୍ରକ ଆକ୍ରମଣ ଘଟଣା ଏହି ଘଟଣାକୁ ଏକ ଭିନ୍ନମୋଡ ଦେଇଛି । ଏହି ଘଟଣାକୁ ନେଇ ବିରୋଧୀ ସରକାର ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଚାଲିଥିବାବେଳେ ଏହି ଘଟଣାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟ ସାମ୍ନାସାମ୍ନି ହୋଇଛନ୍ତି ।

ଜେଏନ୍‌ୟୁରେ ବର୍ଦ୍ଧିତ ହଷ୍ଟେଲ୍‌ ଫି’କୁ ନେଇ ଦୁଇ ମାସ ଧରି ବିରୋଧ ପ୍ରଦର୍ଶନ ଜାରି ରହିଥିଲା । ଗତକାଲି ଏହି ରେଜିଷ୍ଟ୍ରେସନ୍‌ର ଶେଷ ତାରିଖ ଥିଲା । ଏହାକୁ ନେଇ ବାମ ସଙ୍ଗଠନ ଓ ଜେଏନ୍‌ୟୁ ଛାତ୍ର ସଂଘ ବିରୋଧ କରି ଫି’ ହ୍ରାସ ପାଇଁ  ଦାବି କରୁଥିଲେ । ଏହାମଧ୍ୟରେ ଏବିଭିପିର ଛାତ୍ର ନେତା ପହଞ୍ଚି ଦୁଇ ସଙ୍ଗଠନ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ବିରାଟକାୟ ରୂପ ଧାରଣ କରିଥିଲା ।

ରବିବାର ସନ୍ଧ୍ୟା 4ଟା ସମୟରେ ଜେଏନ୍‌ୟୁ ଛାତ୍ର ସଂଘ ସାବରମତୀ ହଷ୍ଟେଲ୍‌ରେ ଏକ ବୈଠକ କରିଥିଲେ । ଏହା ପରେ ସନ୍ଧ୍ୟା 5 ଘଟିକା ବେଳକୁ ଛାତ୍ର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହା ପରେ କ୍ୟାମ୍ପସ୍‌ ଭିତରେ ମୁଖାପିନ୍ଧା ଆକ୍ରମଣକାରୀଙ୍କ ଆକ୍ରମଣର ତାଣ୍ଡବ ଚାଲିଲା ।

ଏକ ଭିଡିଓରେ ଏହା ସ୍ପଷ୍ଟ ହୋଇଛିଯେ, ଏହି ମୁଖାପିନ୍ଧା ଆକ୍ରମଣକାରୀ ହାତରେ ଲାଠି ଓ ରଡ୍‌ ଧରି ବିଶ୍ବବିଦ୍ୟାଳୟ ପରିସର ଭିତରେ ପଶୁଥିବାବେଳେ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ, କିନ୍ତୁ ସେ ଏହାକୁ ବିରୋଧ କରୁନଥିଲେ ।

ବିଶ୍ବବିଦ୍ୟାଳୟ ପରିସରରେ ପରିସ୍ଥିତି ଉତ୍ତେଜନାମୟ ହେବା ପରେ ପୋଲିସ୍‌କୁ ଫୋନ୍‌ ଆସିଥିଲା । ମାତ୍ର ସୂଚନା ପାଇଁ କିଛି ପୋଲିସ୍‌ କର୍ମୀ ଜେଏନ୍‌ୟୁରେ ପହଞ୍ଚିଥିଲେ କିନ୍ତୁ ଏଣ୍ଟ୍ରାନ୍ସ ଗେଟ୍‌ ପରେ ରହିଗଲେ । ପୋଲିସ୍‌କୁ କ୍ୟାମ୍ପସ୍‌ ଭିତରକୁ ଯିବାକୁ ଅନୁମତି ନଥିଲା ।

ଏହା ପରେ ସନ୍ଧ୍ୟା 6.45ରେ ଜେଏନ୍‌ୟୁ ପ୍ରଶାସନ ତରଫରୁ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍‌କୁ ସାହା୍ଯ୍ୟ ମଗାଯାଇଥିଲା । ଏହା ପରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ପାଖାପାଖି 7.45 ଭିତରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ଅର୍ଥାତ୍‌ କ୍ୟାମ୍ପସ୍‌ ଭିତରେ ଲାଠି ଚାଲାନ ଓ ପଥର ମାଡ ହେବା ପରେ ପୋଲିସ୍‌ ପହଞ୍ଚିଥିଲା । ଏହାପରେ ଆକ୍ରମଣକାରୀ ଫେରାର୍‌ ହୋଇଯାଇଥିଲେ ।

ଜେଏନ୍‌ୟୁରେ ପୋଲିସ୍‌ ଓ୍ବେଟ୍‌ ଏଣ୍ଡ୍‌ ଓ୍ବାଚ୍‌ର ଭୂମିକାରେ ନଜର ଆସିଥିବାବେଳେ ଜାମିଆ କ୍ୟାମ୍ପସ୍‌ରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ପୋଲିସ୍‌ ଦୌଡ଼ି ଦୌଡ଼ି ପ୍ରଦର୍ଶନକାରୀଙ୍କୁ ମାରିଥିଲେ । ତେବେ ଜାମିଆ କ୍ୟାମ୍ପସ୍‌ ଭିତରକୁ ପୋଲିସ୍‌ ବିନା ପରମିଶନ୍‌ରେ ପହଞ୍ଚିପାରିଥିବାବେଳେ ଜେଏନ୍‌ୟୁରେ ପରିମିଶନ୍‌ ପାଇ ପହଞ୍ଚିପାରିନଥିଲା କେମିତି ।

Related posts