Categories
ଆଜିର ଖବର ମନୋରଂଜନ ସିନେମା

ବିଭାଜନକାରୀ ରାଜନୀତି ବନ୍ଦ କରିବାକୁ ଅପିଲ୍‌ କଲେ ସୋନମ୍‌

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଶାହୀନବାଗ୍‌ଠାରେ ସିଏଏ ଓ ଏନ୍‌ଆରସିକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଦିନ ଜଣେ ନାବାଳିକ ଜାମିଆଠାରେ ସର୍ବସମ୍ମୁଖରେ ଗୁଳି ଚଳାଇଥିବାବେଳେ, ଏଥିରେ ଜଣେ ଛାତ୍ର ଆହତ ହୋଇଥିଲେ । ସେହିପରି ଶନିବାର ଦିନ ଏପରି ଏକ ଘଟଣା ଶାହୀନ୍‌ବାଗ୍‌ଠାରେ ମଧ୍ୟ ଦେଖିବାକୁ ମିଳିଥିଲା । ସିଏଏକୁ ନେଇ ବିରୋଧ  ସାରା ଭାରତବର୍ଷରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳୁଛି । ତେବେ ହିଂସାକାଣ୍ଡ ଯୋଗୁଁ ସାଧାରଣ ଲୋକେ ଭୟଭୀତ ହେବା ସହିତ ବିବ୍ରତ ହୋଇପଡୁଛନ୍ତି । ଦେଶରେ ଏପରି ଏକ ଅବସ୍ଥାରେ ଆମ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଏପରି ହିଂସାକାଣ୍ଡକୁ ନେଇ ଦୁଃଖ ଜଣାଇବା ସହିତ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଏହି କ୍ରମରେ ଅଭିନେତ୍ରୀ ସୋନମ୍‌ କପୁର୍‌ ଟୁଇଟ୍‌ କରି ହିଂସା ନ କରିବାକୁ ଅପିଲ୍‌ କରିଛନ୍ତି । ଭାରତରେ ଏପରି କିଛି ଘଟିବ ବୋଲି ସେ କେବେ କଳ୍ପନା କରିଥିଲେ ବୋଲି କହିଛନ୍ତି । ଏପରି ବିପଦପୂର୍ଣ୍ଣ ବିଭାଜନକାରୀ ରାଜନୀତିକୁ ବନ୍ଦ କରାଯାଉ ବୋଲଇ କହିବା ସହିତ ଏହାଦ୍ବାରା କେବଳ ଘୃଣା ସୃଷ୍ଟି ହେଉଛି ବୋଲି କହିଛନ୍ତି ସୋନମ୍‌ । ଜାମିଆ ହିଂସାକାଣ୍ଡକୁ ନେଇ ବହୁ ବଲିଉଡ୍‌ ସେଲିବ୍ରିଟି ପ୍ରତିବାଦ କରୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜାମିଆରେ ପ୍ରହାର, ଜେଏନ୍‌ୟୁରେ ଇନ୍ତେଜାର୍‌ : ପୋଲିସ୍‌ର ଭୂମିକା ନେଇ ଉଠିଲା ପ୍ରଶ୍ନ

ସମୀକ୍ଷା ବ୍ୟୁରୋ

ନିକଟରେ ଭାରତ ବର୍ଷର ଦୁଇ ବଡ ବିଶ୍ବବିଦ୍ୟାଳୟରେ ଚାଲିଥିବା ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିବାବେଳେ ଏହି ଘଟଣାକୁ ନେଇ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହଜନକ ରହୁଥିବାର  ପ୍ରତୀୟମାନ ହେଉଛି । ଉଭୟ ବିଶ୍ବବିଦ୍ୟାଳୟରେ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହପୂର୍ଣ୍ଣ ରହିଛି । ଜାମିଆ ବିଶ୍ବବିଦ୍ୟାଳୟରେ ପୋଲିସ୍‌ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧକାରୀଙ୍କୁ ପ୍ରହାର ଦେଇଥିବାବେଳେ ଜେଏନ୍‌ୟୁରେ ପୋଲିସ୍‌ ଧୀର ସ୍ଥିର ନୀତି ଆପଣାଇ ଅପେକ୍ଷା କରିଛି । ପୋଲିସ୍‌ର ଏପରି ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଗତ ତିନି ସପ୍ତାହ ମଧ୍ୟରେ ଦିଲ୍ଲର ସର୍ବବୃହତ୍‌ ଦୁଇ ବିଶ୍ବବିଦ୍ୟାଳୟ ଜେଏନ୍‌ୟୁ ଓ ଜାମିଆରେ ଆକ୍ରମଣ ଓ ହିଂସା ଘଟଣା ସାରା ଭାରତବର୍ଷରେ ଚର୍ଚ୍ଚାରେ ରହିଛି । ଜାମିଆରେ ଗତ ଡିସେମ୍ବର 15 ତାରିଖରେ ନାଗରି୍କତା ସଂଶୋଧନ କାନୁନ୍‌କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ହିଂସା ଘଟଣା ଦେଖିବାକୁ ମିଳିଥିବାବେଳେ ଦୀର୍ଘ ଦିନରୁ ବର୍ଦ୍ଧିତ ଫି’ ପ୍ରତିବାଦରେ ଜେଏନ୍‌ୟୁରେ ବିରୋଧ ପ୍ରଦର୍ଶନ ଚାଲିଆସିଥିଲା । ଗତକାଲି ଜେଏନ୍‌ୟୁରେ ଏହି ଘଟଣାକୁ ନେଇ ହୋଇଥିବା ହିଂସ୍ରକ ଆକ୍ରମଣ ଘଟଣା ଏହି ଘଟଣାକୁ ଏକ ଭିନ୍ନମୋଡ ଦେଇଛି । ଏହି ଘଟଣାକୁ ନେଇ ବିରୋଧୀ ସରକାର ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଚାଲିଥିବାବେଳେ ଏହି ଘଟଣାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟ ସାମ୍ନାସାମ୍ନି ହୋଇଛନ୍ତି ।

ଜେଏନ୍‌ୟୁରେ ବର୍ଦ୍ଧିତ ହଷ୍ଟେଲ୍‌ ଫି’କୁ ନେଇ ଦୁଇ ମାସ ଧରି ବିରୋଧ ପ୍ରଦର୍ଶନ ଜାରି ରହିଥିଲା । ଗତକାଲି ଏହି ରେଜିଷ୍ଟ୍ରେସନ୍‌ର ଶେଷ ତାରିଖ ଥିଲା । ଏହାକୁ ନେଇ ବାମ ସଙ୍ଗଠନ ଓ ଜେଏନ୍‌ୟୁ ଛାତ୍ର ସଂଘ ବିରୋଧ କରି ଫି’ ହ୍ରାସ ପାଇଁ  ଦାବି କରୁଥିଲେ । ଏହାମଧ୍ୟରେ ଏବିଭିପିର ଛାତ୍ର ନେତା ପହଞ୍ଚି ଦୁଇ ସଙ୍ଗଠନ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ବିରାଟକାୟ ରୂପ ଧାରଣ କରିଥିଲା ।

ରବିବାର ସନ୍ଧ୍ୟା 4ଟା ସମୟରେ ଜେଏନ୍‌ୟୁ ଛାତ୍ର ସଂଘ ସାବରମତୀ ହଷ୍ଟେଲ୍‌ରେ ଏକ ବୈଠକ କରିଥିଲେ । ଏହା ପରେ ସନ୍ଧ୍ୟା 5 ଘଟିକା ବେଳକୁ ଛାତ୍ର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହା ପରେ କ୍ୟାମ୍ପସ୍‌ ଭିତରେ ମୁଖାପିନ୍ଧା ଆକ୍ରମଣକାରୀଙ୍କ ଆକ୍ରମଣର ତାଣ୍ଡବ ଚାଲିଲା ।

ଏକ ଭିଡିଓରେ ଏହା ସ୍ପଷ୍ଟ ହୋଇଛିଯେ, ଏହି ମୁଖାପିନ୍ଧା ଆକ୍ରମଣକାରୀ ହାତରେ ଲାଠି ଓ ରଡ୍‌ ଧରି ବିଶ୍ବବିଦ୍ୟାଳୟ ପରିସର ଭିତରେ ପଶୁଥିବାବେଳେ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ, କିନ୍ତୁ ସେ ଏହାକୁ ବିରୋଧ କରୁନଥିଲେ ।

ବିଶ୍ବବିଦ୍ୟାଳୟ ପରିସରରେ ପରିସ୍ଥିତି ଉତ୍ତେଜନାମୟ ହେବା ପରେ ପୋଲିସ୍‌କୁ ଫୋନ୍‌ ଆସିଥିଲା । ମାତ୍ର ସୂଚନା ପାଇଁ କିଛି ପୋଲିସ୍‌ କର୍ମୀ ଜେଏନ୍‌ୟୁରେ ପହଞ୍ଚିଥିଲେ କିନ୍ତୁ ଏଣ୍ଟ୍ରାନ୍ସ ଗେଟ୍‌ ପରେ ରହିଗଲେ । ପୋଲିସ୍‌କୁ କ୍ୟାମ୍ପସ୍‌ ଭିତରକୁ ଯିବାକୁ ଅନୁମତି ନଥିଲା ।

ଏହା ପରେ ସନ୍ଧ୍ୟା 6.45ରେ ଜେଏନ୍‌ୟୁ ପ୍ରଶାସନ ତରଫରୁ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍‌କୁ ସାହା୍ଯ୍ୟ ମଗାଯାଇଥିଲା । ଏହା ପରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ପାଖାପାଖି 7.45 ଭିତରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ଅର୍ଥାତ୍‌ କ୍ୟାମ୍ପସ୍‌ ଭିତରେ ଲାଠି ଚାଲାନ ଓ ପଥର ମାଡ ହେବା ପରେ ପୋଲିସ୍‌ ପହଞ୍ଚିଥିଲା । ଏହାପରେ ଆକ୍ରମଣକାରୀ ଫେରାର୍‌ ହୋଇଯାଇଥିଲେ ।

ଜେଏନ୍‌ୟୁରେ ପୋଲିସ୍‌ ଓ୍ବେଟ୍‌ ଏଣ୍ଡ୍‌ ଓ୍ବାଚ୍‌ର ଭୂମିକାରେ ନଜର ଆସିଥିବାବେଳେ ଜାମିଆ କ୍ୟାମ୍ପସ୍‌ରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ପୋଲିସ୍‌ ଦୌଡ଼ି ଦୌଡ଼ି ପ୍ରଦର୍ଶନକାରୀଙ୍କୁ ମାରିଥିଲେ । ତେବେ ଜାମିଆ କ୍ୟାମ୍ପସ୍‌ ଭିତରକୁ ପୋଲିସ୍‌ ବିନା ପରମିଶନ୍‌ରେ ପହଞ୍ଚିପାରିଥିବାବେଳେ ଜେଏନ୍‌ୟୁରେ ପରିମିଶନ୍‌ ପାଇ ପହଞ୍ଚିପାରିନଥିଲା କେମିତି ।