Categories
ଆଜିର ଖବର ଜାତୀୟ ଖବର

ଯୋଗୀଙ୍କୁ ଝଟ୍‌କା : ସିଏଏ ବିରୋଧୀଙ୍କ ଫଟୋ ଲାଗିଥିବା ହୋର୍ଡିଂ ଉଠାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଝଟ୍‌କା ଲାଗିଛି। ସିଏଏ ବିରୋଧୀ ଆନ୍ଦୋଳନକାରୀ ଫଟୋ ଲାଗିଥିବା ହୋର୍ଡିଂ ହଟାଇବାକୁ ସୋମବାର ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋବିନ୍ଦ ମାଥୁର ଏବଂ ଜଷ୍ଟିସ୍ ରମେଶ ସିହ୍ନା ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଲକ୍ଷ୍ନୌ ଡିଭିଜନ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏହି ଅଭିଯୁକ୍ତମାନଙ୍କ ଫଟୋ ଥିବା ହୋର୍ଡିଂ ହଟାଯିବା ନେଇ ସେ ନିଶ୍ଚିତ କରନ୍ତୁ।  ଏହା ପୂର୍ବରୁ କୋର୍ଟ ଏହି ମାମଲାର ଶୁଣାଣି କରି ରବିବାର କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।  ଏହି ପୋଷ୍ଟର ନେଇ ବହୁ  ବିବାଦ ଦେଖାଦେଇଥିଲା। ଏଥିରେ ଫଟୋ ବ୍ୟତୀତ ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ସ୍ଥାନ ପାଇଥିଲା। (ଏଜେନ୍ସି)

Categories
ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲରେ ସିଏଏ ବିରୋଧୀ ପ୍ରତିବାଦ ସଭା

ରଞ୍ଜିତ ପଣ୍ଡା
କୁଜଙ୍ଗ: ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିକ୍ଷୋଭ କରାଯାଉଥିବା ବେଳେ ତିର୍ତ୍ତୋଲରେ ମଧ୍ୟ ନାଗରିକତା ଆଇନ ବିରୋଧରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି ସଭାପତିତ୍ବ କରିଥିଲେ । ପ୍ରତିବାଦ ସଭା ପରେ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ନାଗରିକତ୍ବ ଆଇନକୁ ବିରୋଧ କରି ତିର୍ତ୍ତୋଲର କଟକ ପାରାଦ୍ଵୀପ ରାସ୍ତାରେ ଏକ ଶୋଭାଯାତ୍ରା କରାଯାଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

Categories
ଆଜିର ଖବର

ସିଏଏର ତ୍ବରିତ ଶୁଣାଣି ଯାଚିକାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଓକିଲ ବୀନିତ ଧାଣ୍ଡାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସିଏଏକୁ ନେଇ ସମସ୍ତ ରାଜ୍ୟ ସହିତ ଆଲୋଚନା କରିବା ସହିତ ଏହି ଆଇନକୁ ଅଣସାମ୍ବିଧାନିକ ଘୋଷଣା କରିବା ପାଇଁ ଧାଣ୍ଡାଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ବରିତ ବିଚାର ପାଇଁ ମନା କରି ଦେଇଛନ୍ତି । ବୋବଡେଙ୍କ ବ୍ୟତୀତ ଜଷ୍ଟିସ୍‌ ବି ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତ ଏହି ଖଣ୍ଡପୀଠରେ ରହିଥିଲେ । ବିଲ୍‌ଟି ବୈଧ କି ଅବୈଧ ତାହା ନିର୍ଣ୍ଣୟ କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ମାତ୍ର ଏହାକୁ ଅଣସାମ୍ବିଧାନିକ ଘୋଷଣା କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ନୁହେଁ ବୋଲି ବୋବଡେ ପ୍ରକାଶ କରିଥିଲେ । ଏହା ସହିତ ସିଏଏ ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରୁଥିବା ସାମାଜିକ କର୍ମୀ, ଛାତ୍ର ଏବଂ ସାମାଜିକ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଧାଣ୍ଡା ଆବେଦନ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜାମିଆରେ ପ୍ରହାର, ଜେଏନ୍‌ୟୁରେ ଇନ୍ତେଜାର୍‌ : ପୋଲିସ୍‌ର ଭୂମିକା ନେଇ ଉଠିଲା ପ୍ରଶ୍ନ

ସମୀକ୍ଷା ବ୍ୟୁରୋ

ନିକଟରେ ଭାରତ ବର୍ଷର ଦୁଇ ବଡ ବିଶ୍ବବିଦ୍ୟାଳୟରେ ଚାଲିଥିବା ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିବାବେଳେ ଏହି ଘଟଣାକୁ ନେଇ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହଜନକ ରହୁଥିବାର  ପ୍ରତୀୟମାନ ହେଉଛି । ଉଭୟ ବିଶ୍ବବିଦ୍ୟାଳୟରେ ପୋଲିସ୍‌ର କାର୍ଯ୍ୟ ବେଶ୍‌ ସନ୍ଦେହପୂର୍ଣ୍ଣ ରହିଛି । ଜାମିଆ ବିଶ୍ବବିଦ୍ୟାଳୟରେ ପୋଲିସ୍‌ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧକାରୀଙ୍କୁ ପ୍ରହାର ଦେଇଥିବାବେଳେ ଜେଏନ୍‌ୟୁରେ ପୋଲିସ୍‌ ଧୀର ସ୍ଥିର ନୀତି ଆପଣାଇ ଅପେକ୍ଷା କରିଛି । ପୋଲିସ୍‌ର ଏପରି ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଗତ ତିନି ସପ୍ତାହ ମଧ୍ୟରେ ଦିଲ୍ଲର ସର୍ବବୃହତ୍‌ ଦୁଇ ବିଶ୍ବବିଦ୍ୟାଳୟ ଜେଏନ୍‌ୟୁ ଓ ଜାମିଆରେ ଆକ୍ରମଣ ଓ ହିଂସା ଘଟଣା ସାରା ଭାରତବର୍ଷରେ ଚର୍ଚ୍ଚାରେ ରହିଛି । ଜାମିଆରେ ଗତ ଡିସେମ୍ବର 15 ତାରିଖରେ ନାଗରି୍କତା ସଂଶୋଧନ କାନୁନ୍‌କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ହିଂସା ଘଟଣା ଦେଖିବାକୁ ମିଳିଥିବାବେଳେ ଦୀର୍ଘ ଦିନରୁ ବର୍ଦ୍ଧିତ ଫି’ ପ୍ରତିବାଦରେ ଜେଏନ୍‌ୟୁରେ ବିରୋଧ ପ୍ରଦର୍ଶନ ଚାଲିଆସିଥିଲା । ଗତକାଲି ଜେଏନ୍‌ୟୁରେ ଏହି ଘଟଣାକୁ ନେଇ ହୋଇଥିବା ହିଂସ୍ରକ ଆକ୍ରମଣ ଘଟଣା ଏହି ଘଟଣାକୁ ଏକ ଭିନ୍ନମୋଡ ଦେଇଛି । ଏହି ଘଟଣାକୁ ନେଇ ବିରୋଧୀ ସରକାର ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଚାଲିଥିବାବେଳେ ଏହି ଘଟଣାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟ ସାମ୍ନାସାମ୍ନି ହୋଇଛନ୍ତି ।

ଜେଏନ୍‌ୟୁରେ ବର୍ଦ୍ଧିତ ହଷ୍ଟେଲ୍‌ ଫି’କୁ ନେଇ ଦୁଇ ମାସ ଧରି ବିରୋଧ ପ୍ରଦର୍ଶନ ଜାରି ରହିଥିଲା । ଗତକାଲି ଏହି ରେଜିଷ୍ଟ୍ରେସନ୍‌ର ଶେଷ ତାରିଖ ଥିଲା । ଏହାକୁ ନେଇ ବାମ ସଙ୍ଗଠନ ଓ ଜେଏନ୍‌ୟୁ ଛାତ୍ର ସଂଘ ବିରୋଧ କରି ଫି’ ହ୍ରାସ ପାଇଁ  ଦାବି କରୁଥିଲେ । ଏହାମଧ୍ୟରେ ଏବିଭିପିର ଛାତ୍ର ନେତା ପହଞ୍ଚି ଦୁଇ ସଙ୍ଗଠନ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ବିରାଟକାୟ ରୂପ ଧାରଣ କରିଥିଲା ।

ରବିବାର ସନ୍ଧ୍ୟା 4ଟା ସମୟରେ ଜେଏନ୍‌ୟୁ ଛାତ୍ର ସଂଘ ସାବରମତୀ ହଷ୍ଟେଲ୍‌ରେ ଏକ ବୈଠକ କରିଥିଲେ । ଏହା ପରେ ସନ୍ଧ୍ୟା 5 ଘଟିକା ବେଳକୁ ଛାତ୍ର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହା ପରେ କ୍ୟାମ୍ପସ୍‌ ଭିତରେ ମୁଖାପିନ୍ଧା ଆକ୍ରମଣକାରୀଙ୍କ ଆକ୍ରମଣର ତାଣ୍ଡବ ଚାଲିଲା ।

ଏକ ଭିଡିଓରେ ଏହା ସ୍ପଷ୍ଟ ହୋଇଛିଯେ, ଏହି ମୁଖାପିନ୍ଧା ଆକ୍ରମଣକାରୀ ହାତରେ ଲାଠି ଓ ରଡ୍‌ ଧରି ବିଶ୍ବବିଦ୍ୟାଳୟ ପରିସର ଭିତରେ ପଶୁଥିବାବେଳେ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ, କିନ୍ତୁ ସେ ଏହାକୁ ବିରୋଧ କରୁନଥିଲେ ।

ବିଶ୍ବବିଦ୍ୟାଳୟ ପରିସରରେ ପରିସ୍ଥିତି ଉତ୍ତେଜନାମୟ ହେବା ପରେ ପୋଲିସ୍‌କୁ ଫୋନ୍‌ ଆସିଥିଲା । ମାତ୍ର ସୂଚନା ପାଇଁ କିଛି ପୋଲିସ୍‌ କର୍ମୀ ଜେଏନ୍‌ୟୁରେ ପହଞ୍ଚିଥିଲେ କିନ୍ତୁ ଏଣ୍ଟ୍ରାନ୍ସ ଗେଟ୍‌ ପରେ ରହିଗଲେ । ପୋଲିସ୍‌କୁ କ୍ୟାମ୍ପସ୍‌ ଭିତରକୁ ଯିବାକୁ ଅନୁମତି ନଥିଲା ।

ଏହା ପରେ ସନ୍ଧ୍ୟା 6.45ରେ ଜେଏନ୍‌ୟୁ ପ୍ରଶାସନ ତରଫରୁ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍‌କୁ ସାହା୍ଯ୍ୟ ମଗାଯାଇଥିଲା । ଏହା ପରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ପାଖାପାଖି 7.45 ଭିତରେ ପୋଲିସ୍‌ କ୍ୟାମ୍ପସ୍‌ ଭିତରକୁ ଯାଇଥିଲେ । ଅର୍ଥାତ୍‌ କ୍ୟାମ୍ପସ୍‌ ଭିତରେ ଲାଠି ଚାଲାନ ଓ ପଥର ମାଡ ହେବା ପରେ ପୋଲିସ୍‌ ପହଞ୍ଚିଥିଲା । ଏହାପରେ ଆକ୍ରମଣକାରୀ ଫେରାର୍‌ ହୋଇଯାଇଥିଲେ ।

ଜେଏନ୍‌ୟୁରେ ପୋଲିସ୍‌ ଓ୍ବେଟ୍‌ ଏଣ୍ଡ୍‌ ଓ୍ବାଚ୍‌ର ଭୂମିକାରେ ନଜର ଆସିଥିବାବେଳେ ଜାମିଆ କ୍ୟାମ୍ପସ୍‌ରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ପୋଲିସ୍‌ ଦୌଡ଼ି ଦୌଡ଼ି ପ୍ରଦର୍ଶନକାରୀଙ୍କୁ ମାରିଥିଲେ । ତେବେ ଜାମିଆ କ୍ୟାମ୍ପସ୍‌ ଭିତରକୁ ପୋଲିସ୍‌ ବିନା ପରମିଶନ୍‌ରେ ପହଞ୍ଚିପାରିଥିବାବେଳେ ଜେଏନ୍‌ୟୁରେ ପରିମିଶନ୍‌ ପାଇ ପହଞ୍ଚିପାରିନଥିଲା କେମିତି ।

Categories
ଆଜିର ଖବର ଜାତୀୟ ଖବର

ପାକିସ୍ତାନ ପଳେଇଯାଅ ମନ୍ତବ୍ୟକୁ ନେଇ ଅଡୁଆରେ ମିରଟ୍‌ ଏସ୍‌ପି

ଲକ୍ଷ୍ନୌ, 28/12 : ଆନ୍ଦୋଳନ ରତ ଭିଡକୁ ପାକିସ୍ତାନ ପଳେଇଯାଅ ବୋଲି ସମ୍ବୋଧନ କରି ଅଡୁଆରେ ପଡିଛନ୍ତି ମିରଟ ଏସ୍‌ପି ଅଖିଳେଶ ନାରାୟଣ ସିଂ । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖା ଦେଇଥିବା ବେଳେ ମିରଟର ଏହି ଘଟଣା ସମ୍ମୁଖକୁ ଆସିଛି । ଏହି ଘଟଣାକୁ ନେଇ ଏସ୍‌ପିଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଘଟଣାକୁ ନେଇ ଏସ୍‌ପି ଶନିବାର ପ୍ରତିକ୍ରିୟା ରଖିଛନ୍ତି । କିଛି ଯୁବକ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବାରୁ ସେ ଏପରି କହିବାକୁ ବାଧ୍ୟ ହୋଇଥିଲେ ବୋଲି ମିରଟ ଏସ୍‌ପି ପ୍ରକାଶ କରିଛନ୍ତି । ଏହା ସହିତ ଆଇଜି ଆଲୋକ ସିଂ ମଧ୍ୟ ମିରଟ୍‌ ଏସ୍‌ପିଙ୍କୁ ସମର୍ଥନ କରିଛନ୍ତି । 18ରୁ 25 ବର୍ଷ ବୟସ୍କ ଯୁବକ ମାନେ ପାକିସ୍ତାନ ସପକ୍ଷବାଦୀ ନାରା ଦେଉଥିବା ବେଳେ ପୋଲିସ୍‌ର ପ୍ରତିକ୍ରିୟା ସଠିକ୍‌ ରହିଛି ବୋଲି ଆଲୋକ ସିଂ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଧନ୍ୟବାଦ ରାଲିରେ ସିଏଏ ବିରୋଧୀଙ୍କୁ ମୋଦିଙ୍କ ଆକ୍ରମଣ

ନୂଆଦିଲ୍ଲୀ, 22/12 : ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ସିଏଏ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ମାତ୍ର ବିରୋଧୀ ଦଳ ଲୋକଙ୍କୁ ଅନ୍ଧାରରେ ରଖି ସିଏଏକୁ ନେଇ ଅରାଜକତା ବଢାଉଛନ୍ତି ବୋଲି ମୋଦି କହିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଯାଉଛି । ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରି ସିଏଏ ବିରୋଧରେ ହିଂସା ପ୍ରଦର୍ଶନ କରାଯାଉଛି ।  ଏହାପରେ ମୋଦି ଦିଲ୍ଲୀର 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଲୋକଙ୍କ ଜୀବନରେ ଏକ ନୂତନ ସୂର୍ଯ୍ୟ ଉଦୟ ହୋଇଛି । ନିଜର ବାସସ୍ଥଳୀ ହରାଇବାର ଆଶଙ୍କା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଛି ବୋଲି ମୋଦି କହିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ସିଏଏ ବିରୋଧୀ ଆନ୍ଦୋଳନ : ଉତ୍ତର ପ୍ରଦେଶରେ 15 ମୃତ, 879 ଗିରଫ

ନୂଆଦିଲ୍ଲୀ, 22/12 : ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି । ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପରେ ପୋଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ୍‌ ଆନ୍ଦୋଳନକାରୀଙ୍କୁ ରୋକିବାକୁ ଯାଇ ପ୍ରାୟ 5 ହଜାର ଲୋକଙ୍କୁ ଅଟକ ରଖିଥିବା ବେଳେ 879 ଜଣଙ୍କୁ ଗିରଫ କରିଛି । ଏହା ସହିତ ସମୁଦାୟ 15 ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ନେଇ ଉତ୍ତର ପ୍ରଦେଶ ଡିଜିପି ଓ ପି ସିଂ ପ୍ରକାଶ କରିଛନ୍ତି । ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଘଟି 15 ଜଣ ନିହତ ହୋଇଥିବା ବେଳେ 288 ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଡିଜିପି ସୂଚନା ଦେଇଛନ୍ତି । ମୃତକ 15 ଜଣଙ୍କ ମଧ୍ୟରୁ ଅଧିକାଂଶ ଭିଡ ହିଂସାର ଶିକାର ହୋଇଛନ୍ତି ବୋଲି ଡିଜିପି ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

2003ରେ ନାଗରିକତ୍ବ ସଂଶୋଧନ ବିଲ୍‌ ଦାବି କରିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,19/12 : ଦେଶବ୍ୟାପୀ ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଗୁରୁବାର ଦିନ ଏକ ନୂଆ ତଥ୍ୟ ସମ୍ମୁଖକୁ ଆସିଛି । ଗୁରୁବାର ବିଜେପି 2003 ରାଜ୍ୟସଭାର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ତତ୍କାଳୀନ ବିରୋଧୀ ଦଳ ନେତା ମନମୋହନ ସିଂ ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ଏକ ସ୍ବତନ୍ତ୍ର ନାଗରିକତ୍ବ ବିଲ୍‌ର ପ୍ରସ୍ତାବ ଦେଇଥିଲେ । ଏହି ବିଲ୍‌ରେ ମନମୋହନ କେବଳ ବାଂଲାଦେଶ ଏବଂ ପାକିସ୍ତାନକୁ ଅନ୍ତର୍ଭୁକ୍ତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହା ସହିତ ବାଚସ୍ପତି ଏବଂ ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନିକଟରେ ଏହି ବିଲ୍‌କୁ ପାରିତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହି ଭିଡିଓ ଜାରି କରିବା ସହିତ କଂଗ୍ରେସର ଦୋମୁହାଁ ନୀତିକୁ ସମାଲୋଚନା କରିଛି ବିଜେପି । (ଏଜେନ୍ସୀ)

Categories
ଆଜିର ଖବର

ସିଏଏ ପ୍ରତିବାଦ : ଉତ୍ତର ପ୍ରଦେଶରେ ବସ୍‌ ଜାଳିଦେଲେ ବିକ୍ଷୋଭକାରୀ

ଲକ୍ଷ୍ନୌ,19/12 : ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ ସମୟରେ ପ୍ରତିବାଦକାରୀ ମାନେ ଏକ ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ବିଭିନ୍ନ ସହରକୁ ଏହି ହିଂସା ବ୍ୟାପିଥିଲା । ସମ୍ଭଲରେ ଏକ ବସ୍‌କୁ ନିଆଁ ଲଗାଇ ଦିଆଯାଇଥିଲା । ଏହି ଘଟଣା ପରେ ପୋଲିସ୍‌ 17 ଜଣଙ୍କୁ ଅଟକ ରଖିବା ସହିତ ପଶ୍ଚିମ ଉତ୍ତର ପ୍ରଦେଶରେ ଇଣ୍ଟରନେଟ ସେବା ବନ୍ଦ କରି ଦେଇଥିଲା । ସେହିପରି କୁଶିନଗରରେ ବିକ୍ଷୋଭକାରୀ ମାନେ ପୋଲିସ୍‌ ଉପରକୁ ପଥର ଫିଙ୍ଗିଥିଲେ । (ଏଜେନ୍ସୀ)