ସିଏଏର ତ୍ବରିତ ଶୁଣାଣି ଯାଚିକାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

Published: Jan 9, 2020, 2:35 pm IST

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଓକିଲ ବୀନିତ ଧାଣ୍ଡାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସିଏଏକୁ ନେଇ ସମସ୍ତ ରାଜ୍ୟ ସହିତ ଆଲୋଚନା କରିବା ସହିତ ଏହି ଆଇନକୁ ଅଣସାମ୍ବିଧାନିକ ଘୋଷଣା କରିବା ପାଇଁ ଧାଣ୍ଡାଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ବରିତ ବିଚାର ପାଇଁ ମନା କରି ଦେଇଛନ୍ତି । ବୋବଡେଙ୍କ ବ୍ୟତୀତ ଜଷ୍ଟିସ୍‌ ବି ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତ ଏହି ଖଣ୍ଡପୀଠରେ ରହିଥିଲେ । ବିଲ୍‌ଟି ବୈଧ କି ଅବୈଧ ତାହା ନିର୍ଣ୍ଣୟ କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ମାତ୍ର ଏହାକୁ ଅଣସାମ୍ବିଧାନିକ ଘୋଷଣା କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ନୁହେଁ ବୋଲି ବୋବଡେ ପ୍ରକାଶ କରିଥିଲେ । ଏହା ସହିତ ସିଏଏ ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରୁଥିବା ସାମାଜିକ କର୍ମୀ, ଛାତ୍ର ଏବଂ ସାମାଜିକ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଧାଣ୍ଡା ଆବେଦନ କରିଥିଲେ । (ଏଜେନ୍ସୀ)

Related posts