Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ଥର ପାଇଁ ହୋଲିରେ ବିଚାର କରିବ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ ହୋଲିରେ ବିଚାର କରିବା ପାଇଁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ । ହୋଲି ସମୟରେ ସୁପ୍ରିମକୋର୍ଟ 7 ଦିନ ପାଇଁ ଛୁଟି ରହିଥାଏ । ମାତ୍ର ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ ଭ୍ୟାକେସନ୍‌ ବେଞ୍ଚ ଗଠନ କରାଯାଇ ବିଚାର ପ୍ରକ୍ରିୟା ଜାରି ରଖାଯିବ । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏହି ବେଞ୍ଚ ସମ୍ପର୍କରେ ଗୁରୁବାର ଘୋଷଣା କରିଛନ୍ତି । କେବଳ ହୋଲି ଦିନକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଦିନ ଭ୍ୟାକେସନ୍‌ ବେଞ୍ଚ କାର୍ଯ୍ୟ କରିବ ବୋଲି ବୋବଡେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କେବଳ ଖରାଛୁଟି ସମୟରେ ଦୁଇ ମାସ ପାଇଁ ଭ୍ୟାକେସନ୍‌ ବେଞ୍ଚ ବିଚାର କରିଥାଏ । (ଏଜେନ୍ସି)

Categories
ଆଜିର ଖବର

ସିଏଏର ତ୍ବରିତ ଶୁଣାଣି ଯାଚିକାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଓକିଲ ବୀନିତ ଧାଣ୍ଡାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସିଏଏକୁ ନେଇ ସମସ୍ତ ରାଜ୍ୟ ସହିତ ଆଲୋଚନା କରିବା ସହିତ ଏହି ଆଇନକୁ ଅଣସାମ୍ବିଧାନିକ ଘୋଷଣା କରିବା ପାଇଁ ଧାଣ୍ଡାଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ବରିତ ବିଚାର ପାଇଁ ମନା କରି ଦେଇଛନ୍ତି । ବୋବଡେଙ୍କ ବ୍ୟତୀତ ଜଷ୍ଟିସ୍‌ ବି ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତ ଏହି ଖଣ୍ଡପୀଠରେ ରହିଥିଲେ । ବିଲ୍‌ଟି ବୈଧ କି ଅବୈଧ ତାହା ନିର୍ଣ୍ଣୟ କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ମାତ୍ର ଏହାକୁ ଅଣସାମ୍ବିଧାନିକ ଘୋଷଣା କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ନୁହେଁ ବୋଲି ବୋବଡେ ପ୍ରକାଶ କରିଥିଲେ । ଏହା ସହିତ ସିଏଏ ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରୁଥିବା ସାମାଜିକ କର୍ମୀ, ଛାତ୍ର ଏବଂ ସାମାଜିକ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଧାଣ୍ଡା ଆବେଦନ କରିଥିଲେ । (ଏଜେନ୍ସୀ)