Categories
ଆଜିର ଖବର

ସିଏଏର ତ୍ବରିତ ଶୁଣାଣି ଯାଚିକାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଓକିଲ ବୀନିତ ଧାଣ୍ଡାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସିଏଏକୁ ନେଇ ସମସ୍ତ ରାଜ୍ୟ ସହିତ ଆଲୋଚନା କରିବା ସହିତ ଏହି ଆଇନକୁ ଅଣସାମ୍ବିଧାନିକ ଘୋଷଣା କରିବା ପାଇଁ ଧାଣ୍ଡାଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ବରିତ ବିଚାର ପାଇଁ ମନା କରି ଦେଇଛନ୍ତି । ବୋବଡେଙ୍କ ବ୍ୟତୀତ ଜଷ୍ଟିସ୍‌ ବି ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତ ଏହି ଖଣ୍ଡପୀଠରେ ରହିଥିଲେ । ବିଲ୍‌ଟି ବୈଧ କି ଅବୈଧ ତାହା ନିର୍ଣ୍ଣୟ କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ମାତ୍ର ଏହାକୁ ଅଣସାମ୍ବିଧାନିକ ଘୋଷଣା କରିବା ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ନୁହେଁ ବୋଲି ବୋବଡେ ପ୍ରକାଶ କରିଥିଲେ । ଏହା ସହିତ ସିଏଏ ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରୁଥିବା ସାମାଜିକ କର୍ମୀ, ଛାତ୍ର ଏବଂ ସାମାଜିକ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଧାଣ୍ଡା ଆବେଦନ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ : ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ

୧୩ ହଜାର କୋଟି ଟଙ୍କାର ପିଏନ୍‌ବି ଋଣ ନେଇ ବିଦେଶ ପଳାୟନ କରିଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜାମିନ ଆବେଦନ ଲଣ୍ଡନର ଏକ କୋର୍ଟ ଖାରଜ କରି ଦେଇଛନ୍ତି। ମୋଦିଙ୍କ ଜାମିନ ଆବେଦନ ଖାରଜ ହେବା ସହିତ ତାଙ୍କୁ ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରଖିବାକୁ ଆଦେଶ ଦେଇଛନ୍ତି ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟ। ଶୁକ୍ରବାର ମୋଦିଙ୍କ ଜାମିନ ଆବେଦନର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା। କୋର୍ଟ କହିଥିଲେ, ଏକ ଭାରତୀୟ ବ୍ୟାଙ୍କରୁ ଆପଣ ଠକାମି କରିଛନ୍ତି ତେଣୁ ଆପଣଙ୍କ ଜାମିନ ଖାରଜ କରାଯାଉଛି। ଏହା ସହିତ ଭାରତୀୟ ଅଧିକାରୀଙ୍କ ପକ୍ଷରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ପୂର୍ବରୁ ମାର୍ଚ୍ଚ ୨୯ରେ ମାଜିଷ୍ଟ୍ରେଟ୍‌ ଏମ୍ମା ଆର୍ମବଥଣ୍ଟ ମଧ୍ୟ ପ୍ରମାଣ ନଷ୍ଟ ହେବା ଭୟରେ ନୀରବଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

Categories
ଆଜିର ଖବର

ପ୍ରଜ୍ଞା ସିଂ ଠାକୁରଙ୍କୁ ଏନ୍‌ଆଇଏ କୋର୍ଟରୁ ଆଶ୍ବସ୍ତି

ଭୋପାଳ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଜ୍ଞା ଠାକୁରଙ୍କୁ ବଡ ଆଶ୍ୱସ୍ତି। ସ୍ୱତନ୍ତ୍ର ଏନଆଇଏ କୋର୍ଟ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ଏନଆଇଏର ସ୍ୱତନ୍ତ୍ର ଅଦାଲତ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଏହି କୋର୍ଟ ପାଖରେ କୌଣସି ପ୍ରାର୍ଥୀଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାର କୌଣସି ଅଧିକାର ନାହିଁ। ଏହା ନିର୍ବାଚନ ଆୟୋଗଙ୍କ କାମ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନରେ ଥିବା ପ୍ରଜ୍ଞାଙ୍କ ଜାମିନ ଏବଂ ପ୍ରାର୍ଥୀପତ୍ର ଖାରଜ କରିବା ପାଇଁ ମାଲେଗାଓଁ ବିସ୍ଫୋରଣରେ ପୀଡିତ ଜନୈକ ବ୍ୟକ୍ତିଙ୍କ ପିତା ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରଜ୍ଞାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଦର୍ଶାଇ ତାଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ କୋର୍ଟରେ ଦାବି ହୋଇଥିଲା। ମାଲେଗାଓଁ ବିସ୍ଫୋରଣରେ ଅଭିଯୁକ୍ତ ଥିବା ପ୍ରଜ୍ଞା ସିଂହ ଠାକୁର ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରଜ୍ଞା ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି।

Categories
ଆଜିର ଖବର

ମହାରଥୀଙ୍କୁ ଜାମିନ୍‌ ମିଳିଲାନି, ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଲା

ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଲାନି। ଆସନ୍ତା ୨୭ ପର୍ଯ୍ୟନ୍ତରେ ଜେଲରେ ରହିବେ ଏହି ବିଜେଡି ବିଧାୟକ ପ୍ରାର୍ଥୀ। ପ୍ରଦୀପ ମହାରଥୀଙ୍କ ସ୍ବତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନ ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଛି। କେସ୍ ଡାଏରୀ ଓ ଇଞ୍ଜୁରୀ ରପୋର୍ଟ ଆସି ନଥିବାରୁ ଶୁଣାଣି ଘୁଞ୍ଚିଛି ବୋଲିୀ ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଗତ ୨୧ ତାରିଖ ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହା ପରେ ଏଏସ୍‌ଆଇଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ୍‌ଙ୍କ ତତ୍ୱାବଧାନରେ ଦୁଇଟି ଟିମ୍‌ ଚଢ଼ାଉ କରିଥିଲେ। ଏହି ସମୟରେ ଖୋଦ୍‌ ପ୍ରଦୀପ ମହାରଥୀ ଓ ତାଙ୍କ ସମର୍ଥକମାନେ ଫ୍ଲାଇଂ ସ୍କ୍ୱାଡ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ମାଡ଼ ମାରିବା ସହିତ କ୍ୟାମେରା ଭାଙ୍ଗି ଦେଇଥିଲେ। ଆକ୍ରମଣରେ ମାଜିଷ୍ଟେଟ୍‌ ରବି ନାରାୟରଣ ପାତ୍ର, ଏଏସ୍‌ବଇ ବିନୟ କୁମାର ଦାସ ଓ ଡ୍ରାଇଭର ଦୀପକ ଆହତ ହୋଇଥିଲେ। ଏହାପରେ ଘଟଣାକୁ ଗୁରୁତର ସହ ନେଇଥିବା ଜିଲ୍ଲା ପ୍ରଶାସନ ଏବଂ ମହାରଥୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିଲା। ଏହାପରେ ମହାରଥୀଙ୍କୁ ଝରପଡା ଜେଲକୁ ପଠାଯାଇଥିଲା। ମହାରଥୀଙ୍କ ବିରୋଧରେ ଦଫା-୩୦୭,୩୫୩,୫୪୧,୩୩୨,୧୪୭,୧୪୯, ଏବଂ ୧୭୧ (ବି), ୧୮୬ ଏବଂ ୧୨୩ ଲଗାଇଛି ପୋଲିସ୍‌।