ପଞ୍ଚାନନ କାନୁନଗୋ
ବିଭିନ୍ନ ବର୍ଗର ଭୋଟ ଦାତାମାନଙ୍କୁ ଆପଣାଇବା ପାଇଁ ସବୁ ରାଜନୈତିକ ଦଳ ଅନେକ କାର୍ଯ୍ୟକ୍ରମ ଘୋଷଣା କରିଥାନ୍ତି । ଏହା ଏକ ସ୍ୱାଭାବିକ ରାଜନୈତିକ ପ୍ରକ୍ରିୟା । ତାହାହିଁ ନିର୍ବାଚନ ସମୟରେ ଅଧିକ ଭାବେ ଘଟିଥାଏ । ଏହା ଭୋଟଦାତାଙ୍କୁ ପ୍ରଭାବିତ କରିବା ଅବା ପ୍ରଲୋଭନର ପ୍ରକ୍ରିୟା କହିଲେ ଅତ୍ୟୁକ୍ତି ହେବନାହିଁ । ସେ ସମୟରେ ଦେଶ ବା ରାଜ୍ୟର ଆର୍ଥିକ ସ୍ଥିତି ପ୍ରତି ଆଦୌ ଦୃଷ୍ଟି ଦିଅନ୍ତି ନାହିଁ । ରାଜନୈତିକ ପ୍ରକ୍ରିୟାର ଏହା ହେଉଛି ଅର୍ଥନୀତି ପ୍ରତି କ୍ରୁରତା । ଏବେ ଚାଷୀଙ୍କୁ ନେଇ ଦେଶବ୍ୟାପୀ ସମସ୍ୟା ଦେଖାଦେଇଛି । ଚାଷୀ ଆତ୍ମହତ୍ୟା ଅନେକ ରାଜ୍ୟର ଚିନ୍ତାର କାରଣ ହୋଇଛି । କିଛିବର୍ଷ ହେବ ଦେଶରେ ଚାଷୀ ଆନ୍ଦୋଳନ ତୀବ୍ରତର ହୋଇଛି । ଅନେକ ରାଜ୍ୟରେ ବିଶେଷତଃ ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟମାନଙ୍କରେ ଓ ଓଡ଼ିଶାରେ ଚାଷୀ ଆନ୍ଦୋଳନ ଅତ୍ୟନ୍ତ ପ୍ରବଳ ହେଲା । ମଧ୍ୟପ୍ରଦେଶରେ କୃଷି ଓ କୃଷକଙ୍କ ସପକ୍ଷ ନେଇ କଂଗ୍ରେସ ରାସ୍ତାକୁ ଓହ୍ଲାଇଲା । ନିର୍ବାଚନ ଇସ୍ତାହାରରେ ଖୁବ୍ ବଡ଼ ଘୋଷଣା କରିଦେଲା । ଛତିଶଗଡ଼ରେ କଂଗ୍ରେସ ଇସ୍ତାହାରରେ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ମିଳିଲା । ଏହା ଫଳରେ କଂଗ୍ରେସକୁ ନିର୍ବାଚନ ସଫଳତା ମିଳିଲା ବୋଲି ମନେହେଲା । କଂଗ୍ରେସ ସରକାର ଗଠନ କରିବାର ପ୍ରଥମ ଦିନରେ ହିଁ ମଧ୍ୟପ୍ରଦେଶରେ କୃଷି ଋଣ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ହେଲା । ପରେ ପରେ ରାଜସ୍ଥାନ ଓ ଛତିଶଗଡ଼ ସରକାର ମଧ୍ୟ ଏହି ଘୋଷଣା କଲେ । ଏଥିସହିତ ପୂର୍ବ ପ୍ରତିଶ୍ରୁତି ମୁତାବକ ଛତିଶଗଡ଼ ସରକାର ଧାନଦର କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଦେବାକୁ ନିଷ୍ପତି ନେଇ କାର୍ଯ୍ୟକାରୀ କରିିଦେଲେ । ମଣ୍ଡିରେ ଜମା ହୋଇ ରହିଥିବା ଧାନ ଉଚ୍ଚ ଦରରେ ବିକ୍ରି ହେଲା । ଚାଷୀ କ୍ଷୁଦ୍ର ହେଉ, ନାମମାତ୍ର ହେଉ ଅବା ମଧ୍ୟମ ବଡ଼ଚାଷୀ ହେଉ ସମସ୍ତେ ଏଥିରୁ ଲାଭ ଉଠାଇଲେ । ଏହା ଏକ ଉତ୍ପାଦନମୁଖୀ ସହାୟତା । ଫଳରେ ଚାଷୀ ଚାଷରେ ଲାଗିବ । ଅଧିକ ଫସଲ ଉତ୍ପାଦନ କରି ମଣ୍ଡିକୁ ଅଧିକ ଫସଲ ଆଣିବ । ମୁଲିଆକୁ ଦି ପଇସା ଅଧିକ ଦେବାପାଇଁ କୁଣ୍ଠିତ ହେବନାହିଁ । ସବୁ ଫସଲର ସହାୟକ ଦର ଅଧିକ କରି ସେଥିପାଇଁ ରିହାତି ଦେଲେ ତା’ର ସକରାତ୍ମକ ଫଳ ଫଳିଥାଏ । ଚାଷୀ ବିଲ ଛାଡ଼େ ନାହିଁ । ମୁଲିଆ ଜମି ମନଷ୍କ ହୁଏ । ଉତ୍ପାଦନ ବଢ଼େ । ଅଧିକ ଉତ୍ପାଦନ ହେଲେ କୃଷି ଭିତ୍ତିକ ଶିଳ୍ପ (ଇଶକ୍ସକ୍ଟ – ଓଦ୍ଭୟଙ୍କଗ୍ଦଗ୍ଧକ୍ସଚ୍ଚ) ଗଢ଼ି ଉଠେ ଓ ନିଯୁକ୍ତି କ୍ଷେତ୍ର ପ୍ରଶସ୍ତ ହୁଏ । ଭୋଟ ଆସିଲେ ଚାଷୀ ପ୍ରତି ସବୁ ରାଜନୈତିକ ଦଳମାନେ ହଠାତ୍ ନିର୍ବାଚନ ସମୟରେ ଅତିମାତ୍ରାରେ ଦରଦୀ ହୋଇ ଉଠିଥାନ୍ତି । ବିଶେଷତଃ ସରକାରରେ ଥିବା ଦଳମାନେ ସହାୟତା ନାମରେ ଟଙ୍କା ବାଣ୍ଟିବା ଆରମ୍ଭ କରି ଦେଉଛନ୍ତି । ଏ ସବୁର ସୁଫଳ କୁଫଳ ସଂପର୍କରେ ଆଲୋଚନା ଆରମ୍ଭ ହୋଇଗଲାଣି । ଦୀର୍ଘ ୧୯ବର୍ଷ ଶାସନରେ ଚାଷୀ ଓ ଚାଷପ୍ରତି ଚରମ ଅବହେଳା ଦେଖେଇ ଆସିଥିବା ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାର ଚାଷୀଙ୍କୁ ସହାୟତା ନାମରେ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି ଓ ସରକାରରେ ଥିବାରୁ ରାଜ୍ୟର ଆପତ୍ତକାଳୀନ ପାଣ୍ଠିରୁ ଟଙ୍କା ଉଠାଇ ନିଜର ଆସନ୍ନ ଭୋଟ ବିପତ୍ତିର ମୁକାବିଲା ନିମନ୍ତେ ଉଦ୍ୟମ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶେଷତଃ କାଳିଆ ଯୋଜନା ଚାଷୀମାନଙ୍କୁ ସହାୟତା ଉଦ୍ଦେଶ୍ୟରେ କରାଯାଇଛି । ଏ ରାଜ୍ୟର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ଆଦରଣୀୟ ନାମ ‘ଜଗା’ ବା ‘କାଳିଆ’ । କାଳିଆ ଯଦିଓ ବିଚାର ସିଦ୍ଧାନ୍ତ ଅନୁସାରେ ଚକ୍ରଧାରୀ ଓ ବଡ଼ଭାଇ ବଳଭଦ୍ର ହଳଧର ହଳ ବା ଲଙ୍ଗଳଧାରୀ ଭାବେ ବିଶ୍ୱବିଖ୍ୟାତ କାହିଁକି କେଜାଣି ଏହି ନାମକରଣଟି ହେଲା ବୁଝା ପଡ଼ୁନାହିଁ । ସମ୍ଭବତଃ ଏହି କାର୍ଯ୍ୟକ୍ରମଟିର ନାମ ପୁରାପୁରି ଇଂରାଜୀରେ (Krushak Assistance for Livelihood and income Augmentation) ରଖାଯାଇ ଆଦ୍ୟ ଅକ୍ଷରକୁ ନେଇ ଇଂରେଜୀରେ KALIA ବୋଲି କରାଗଲା । ଏହି ଯୋଜନା ସଂପର୍କର ବିଜ୍ଞାପନ ଓ ଅତି ବଡ଼ ଉତ୍ସବ ପାଳନ କରାଯାଇ ଚାଷୀମାନଙ୍କୁ ପ୍ରଭାବିତ କରିବାର ଉଦ୍ୟମ ହୋଇଛି । ଏଥିପାଇଁ ରାଜ୍ୟ ସରକାର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଥିବା ଆପତ୍ତକାଳୀନ ପାଣ୍ଠି (contingency fund) ଆକଷ୍ମିକ ଭାବେ ବୃଦ୍ଧିକରି ଗତ ଜାନୁଆରୀ ୨୬ ତାରିଖରୁ ଟଙ୍କା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି । ସେହି କାଳିଆ ଘୋଷଣାରେ ପ୍ରଥମେ ନାମମାତ୍ର ଓ କ୍ଷୁଦ୍ର ଚାଷୀମାନଙ୍କୁ ଦେବାର କୁହାଯାଇଥିଲା । ଗୋଟିଏ ଫସଲ ପାଇଁ ୫୦୦୦ଟଙ୍କା ଦିଆଗଲା । ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଗଲା ଓ ମୋବାଇଲ ଫୋନ୍ ମାନଙ୍କୁ ଖବର ଦିଆଗଲା । ଘରେ ନ ପଶୁଣୁ ଚାଳ ବାଜିଲା । ଗୋଟିଏ ଗଣମାଧ୍ୟମର ଅନୁସନ୍ଧାନକାରୀ ଦଳ ଖୋଲାଖୋଲି ଦେଖାଇ ସାରିଲେଣି ଯେ ଏଥିରେ ମନ୍ତ୍ରିଙ୍କର ପରିବାରକୁ ଏହି ଟଙ୍କା ମିଳିଛି । ଏପରିକି କୋଟିପତି ବେପାରୀଙ୍କ ନାମରେ ଟଙ୍କା ଯାଇଛି । ଏହାପରେ ସରକାର ଘୋଷଣା କରି ଦେଲେଣି ଯେ ସମସ୍ତଙ୍କୁ ଏହି ଟଙ୍କା ମିଳିବ । ଏହି ସମସ୍ତେ କିଏ ? ଦରଖାସ୍ତକାରୀ, ନା ପ୍ରକୃତ ଚାଷୀ ? କୁହାଯାଉଛି ଅଣଚାଷୀ ସମେତ ସମସ୍ତ ଦରଖାସ୍ତକାରୀଙ୍କୁ ଏହି ଟଙ୍କା ମିଳିବ । ଗାଁ’ର ହାଟ ବଜାରରେ ଚର୍ଚ୍ଚା ଚାଲିଛି । ସମସ୍ତେ ପାଇବେ । ଘରେ ଥିବା ୪/୫ଜଣ ଏଥିପାଇଁ ଦରଖାସ୍ତ କଲେଣି । କାଳିଆ ପାଇଁ ନାଲିଆ ନେଳିଆ ଫର୍ମ ମିଳୁଛି । ମାତ୍ର ଏହି ଫର୍ମ ପୁରଣ ନକରି ପାଖାପାଖି ୧୨ଲକ୍ଷ ପରିବାରକୁ ଟଙ୍କା ପଠାଇ ଦିଆଗଲା । ରାଜ୍ୟରେ ସଠିକ୍ ଭାବେ ଚାଷୀ ବା ଭାଗଚାଷୀ – ପ୍ରକୃତଚାଷୀ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ଏବେ ବି ସମବାୟ ବ୍ୟାଙ୍କରୁ ଚାଷ ନାମରେ ଅନେକ ଜମି ଚିହ୍ନି ନଥିବା ଭୂ-ମାଲିକମାନେ ଋଣ ହାତେଇଥାନ୍ତି । ଏହା ଯଦି ହୁଏ ରାଜ୍ୟରେ ଥିବା ୯୬ ଲକ୍ଷ ପରିବାରଙ୍କ ମଧ୍ୟରୁ ୮୦ ଲକ୍ଷରୁ ଉର୍ଦ୍ଧ୍ଵ ଦରଖାସ୍ତକାରୀ ଅଛନ୍ତି । ଏମାନଙ୍କୁ ମିଳିଲେ ଗୋଟିଏ ଫସଲ ପାଇଁ ୫ ହଜାର ଟଙ୍କା ହିସାବରେ ଥରକୁ ୪ହଜାର କୋଟି ଟଙ୍କା ଏବଂ ବର୍ଷକୁ ଦୁଇଟି ଫସଲ ପାଇ ୮ ହଜାର କୋଟି ଟଙ୍କା ସରକାରଙ୍କୁ ଯୋଗାଡ଼ କରିବାକୁ ହେବ । ଏଥିରେ ବିଲରେ ଥିବା ଚାଷୀ ନିଶ୍ଚୟ ପାଇବେ । ତେବେ ବେପାରୀ, କୋଟିପତି, ଜମି ନ ଦେଖିଥିବା ବଡ଼ ଚାକିରିଆମାନେ ମଧ୍ୟ ପାଇବେ । ଚାଷର ଉତ୍ପାଦନ ବୃଦ୍ଧିରେ ସହାୟକ ହେବାନେଇ ଅନେକ ସନ୍ଦେହ ରହିଛି । ଏହି କାର୍ଯ୍ୟକ୍ରମର ପ୍ରଚାର ନିମନ୍ତେ ରାଜ୍ୟ ସରକାରଙ୍କୁ ପାଖାପାଖି ୧ ହଜାର କୋଟି ଟଙ୍କାର ବିଜ୍ଞାପନ ଓ ଉତ୍ସବ ଖର୍ଚ୍ଚ କରିବାକୁ ପଡ଼ିଛି । ଏପରି ବ୍ୟୟବହୁଳ କାର୍ଯ୍ୟକ୍ରମରେ ଧୁଆମୂଳା ଅଧୁଆମୂଳା ସମାନ ହେବା ହିଁ ସାର । ଚାଷୀ ଚାଷର ଉନ୍ନତି ପାଇଁ ଆଦୌ ଏହା ସହାୟକ ହେବନାହିଁ । କାରଣ ଏହା ଆଦୌ ଉତ୍ପାଦନ ସଂପର୍କିତ ନୁହେଁ । ଏହା ମଧ୍ୟ ସ୍ଥାୟୀ ବ୍ୟବସ୍ଥା ନ ହୋଇ ଥିବାରୁ ଚାଷୀର ମନରେ ପ୍ରଶ୍ନ । ଏହା ଯଦି ଋଣ ବଦଳରେ ଏକ ସହାୟତା ବୋଲି ଧରାଯାଏ, ପ୍ରକୃତ ଚାଷୀ ଫସଲ ଋଣପାଇଁ ପୁଣି ସାହୁକାର ଅବା ସୁଧ ଲଗାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଅବା ମାଇକ୍ରୋ ଫାଇନାନ୍ସ ପାଖରେ ହାତ ପାତିବାକୁ ବାଧ୍ୟହେବେ ।
ରାଜ୍ୟ ସରକାରଙ୍କର ଦେଖାଦେଖି, କେନ୍ଦ୍ର ସରକାର ତାଙ୍କୁ ବଜେଟରେ ଚାଷୀ ସହାୟତା ରାଶି ଦେବାର ଘୋଷଣା କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଚାଷୀକୁ ୨ ହଜାର ଟଙ୍କା ହିସାବରେ ବର୍ଷକୁ ୬ ହଜାର ଟଙ୍କା ଦେବାର ଘୋଷଣା କରିଛନ୍ତି ଏ ବାବଦରେ ବର୍ଷକୁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଅବଶ୍ୟ ଏହା କେବଳ କୃଷକକୁ ଦେବା ନିମନ୍ତେ ସ୍ଥିର ହୋଇଛି । ଦୁଇ ହେକ୍ଟର ଅବା ୫ ହେକ୍ଟର ପର୍ଯ୍ୟନ୍ତ ଜମିଥିବା ଚାଷୀକୁ ଏହା ଦିଆଯିବ । ଏହା ମଧ୍ୟ ବଣ୍ଟନ ସମୟରେ ବାଟ ହୁଡ଼ିବ, ଅନେକ ଅର୍ଥ ଅଣଚାଷୀମାନଙ୍କ ହାତକୁ ଯିବ । ଏହି ଦୁଇଟି ଘୋଷଣା ମିଶିଲେ ଚାଷୀର ଆକାଉଣ୍ଟକୁ ବର୍ଷକୁ ୧୬ହଜାର ଟଙ୍କା ଯିବା କଥା । ସେଥିରୁ ସେ ପୂର୍ବରୁ ଦେଇଥିବା ଋଣ ବାବଦ କଟି ଯିବାର ସମ୍ଭାବନା ଅଛି । ଅର୍ଥାତ୍ ଗୋଟିଏ ବର୍ଷର ଋଣରୁ ତାକୁ ୧୬ ହଜାର ଟଙ୍କା ସୁଝିବାର ଗୋଟିଏ ସୁଯୋଗ ରହିଛି । ସରକାର ଯଦି ବ୍ୟାଙ୍କମାନଙ୍କୁ ଋଣ ବାବଦ ନ କାଟିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ହୁଏତ ସେମାନେ ମାନିପାରନ୍ତି । ଚାଷୀ କ’ଣ ଏତିକି ଋଣ କରିଥାଏ ? ବାହାରେ ଟାକି ବସିଥିବା ଅନ୍ୟାନ୍ୟ ଋଣ ଦାତାମାନେ ଏହାକୁ ଝାମ୍ପି ନେବେ । ଚାଷୀର ଖାତା ଯେଉଁ ସୁଖିଲାକୁ ସେହି ସୁଖିଲା ହୋଇଯିବ ।
ଅପରପକ୍ଷରେ କଂଗ୍ରେସ ସଭାପତି ଶ୍ରୀ ରାହୁଳ ଗାନ୍ଧି ଭୂବନେଶ୍ୱରର ଏକ ସଭାରେ ଚାଷୀଙ୍କ ଉଦ୍ଦେଶ୍ୟରେ ଦୁଇଟି ବଡ଼ ଘୋଷଣା କରିଦେଲେ । ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ଫସଲ ଋଣ ଦଶଦିନ ମଧ୍ୟରେ ଛାଡ଼ ହେବ ଏବଂ ଧାନର ଦର କୁଇଣ୍ଟାଲ ପ୍ରତି ୨୬୦୦ ଟଙ୍କା ହେବ ।
ଆଗେ କେହି ନିର୍ବାଚନ ସମୟ ପ୍ରତିଶ୍ରୁତିକୁ ଶୁଣୁ ନଥିଲେ । କାରଣ ଏହା ପାଣିର ଗାର ବୋଲି ଭାବୁଥିଲେ । ଏବେ କଂଗ୍ରେସ ନେତୃତ୍ୱର ପ୍ରତିଶ୍ରୁତି ପାଳନ ସମ୍ବାଦ ସମସ୍ତଙ୍କ ଭିତରେ ଏଥିପ୍ରତି ବିଶ୍ୱାସ ଜନ୍ମାଇଛି । ଅଳ୍ପଦିନ ତଳେ ଛତିଶିଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ନିର୍ବାଚନରେ ଜିତି ରାଜ୍ୟ ସରକାର ଗଠନ କରିବାର ମାତ୍ର କେଇଦିନ ଭିତରେ ଋଣଛାଡ଼ ହେଲା ଓ ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ରେ କୁଇଣ୍ଟାଲ ପିଛା ଧାନ ଦର ୨୫୦୦ ଟଙ୍କା ଦେଇ ସଂଗ୍ରହ କରାଗଲା । ଗୋଟିଏ ନାମମାତ୍ର ଚାଷୀ ଦେଢ଼ ଏକର ଜମିଥାଇ ଯଦି ୩୦ କୁଇଣ୍ଟାଲ ଧାନ ଗୋଟିଏ ବର୍ଷରେ ବିକ୍ରି କରେ ତେବେ ବର୍ଷକୁ ଅଧିକ ପଚିଶ ହଜାର ଟଙ୍କା ପାଇବ । ଅର୍ଥାତ୍ ସେହି ଫସଲ ପାଇଁ ମୋଟ ୭୮ ହଜାର ଟଙ୍କାପାଇବ । ଏହା ଏକ ସ୍ଥାୟୀ ବ୍ୟବସ୍ଥା । ଏଥିରେ ଚାଷୀ ଆଉ କ୍ଷେତ ଛାଡ଼ିବ ନାହିଁ । ମୁଲିଆ ଦାଦନ ଖଟିବାକୁ ଯିବ ନାହିଁ । ରାଜ୍ୟ ସରକାରଙ୍କର ଧାନ ଓ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଭେଳିକି ଥିଲା । କେନ୍ଦ୍ର ଉପରେ ଦୋଷଦେଇ କୃଷକକୁ ଭୁଆଁ ବୁଲାଇବା ବ୍ୟବସ୍ଥା ବୋଲି ଅନେକ ମନେ କରୁଛନ୍ତି । ଯଦି ଆନ୍ତରିକତା ଥିଲା ତେବେ ଅନ୍ତତଃ ୨୨୦୦/୨୩୦୦ ଟଙ୍କା ପର୍ଯ୍ୟନ୍ତ ଦେଇ କେନ୍ଦ୍ରପାଖରେ ଦାବି ଉଠାଇଥାନ୍ତେ । ଏବେ ଏହା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ଛତିଶଗଡ଼ ସରକାର ପ୍ରମାଣ କରିଦେଲେ । ସେହିପରି କେନ୍ଦ୍ର ସରକାର ଧାନର ସହାୟକଙ୍କ ମୁଲ୍ୟ ବଢ଼ିବା ପୂର୍ବରୁ ଅନ୍ତରୀଣ ଧାନ ଫସଲ ବୋନସ ଘୋଷଣା କରି ପାରିଥାନ୍ତେ ।
ଓଡ଼ିଶା •ଷୀ ମୁଲିଆଙ୍କ ଭିତରେ ପ୍ରଶ୍ନ ଉଠିଛି ମାତ୍ର ୭/୮ ହଜାର କୋଟି ଟଙ୍କା ଖର୍ଚ୍ଚରେ ଚାଷୀ ସର୍ବକାଳୀନ ଉତ୍ପାଦନ ମନସ୍କ ହୋଇଥାନ୍ତା । ତାହା ନକରି କାଳିଆ ଭେଳିକି କାହିଁକି ? ବା ପ୍ରଧାନମନ୍ତ୍ରୀ କିଷାନ ସହାୟତା କ’ଣ ପାଇଁ ? ତା’ର ଉତ୍ପାଦନ ଦର ବୃଦ୍ଧି ହୋଇଥିଲେ ଉତ୍ପାଦନକାରୀ •ଷୀ ଲାଭ ଉଠାଇଥାନ୍ତା । ମୁଲିଆ ଅଧିକ ରୋଜଗାରର ସୁଯୋଗ ପାଇଥାନ୍ତା । କାଳିଆ ଯୋଜନା ହେଉ ବା ପ୍ରଧାନମନ୍ତ୍ରୀ ଯୋଜନା ହେଉ ଯେଉଁମାନେ ବିଲ ଦେଖି ନାହାନ୍ତି, କୃଷି ଉତ୍ପାଦନର ଧାର ଧାରନ୍ତି ନାହିଁ ସେମାନଙ୍କୁ ଏ ଟଙ୍କା ଦିଆଗଲା କାହିଁକି ? ସହାୟତା ନେଇ ପ୍ରତ୍ୟେକ୍ଷ ଉତ୍ପାଦନ ବୃଦ୍ଧି କରାଗଲେ କାହାର କିଛି ଆପତ୍ତି ରହିବ ନାହିଁ । କରଦାତାଙ୍କ ଧନର ଆୟବ୍ୟୟ ହେବନାହିଁ ।
(ପଂଚାନନ କାନୁନଗୋ, ଓଡିଶାର ପୂର୍ବତନ ଅର୍ଥ ମନ୍ତ୍ରୀ ଓ ବର୍ତ୍ତମାନ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା)