Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର କାହିଁକି ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ ରହିଛି କାରଣ ?

ଭୁବନେଶ୍ବର: ଏଥର ଦୁଇଟି ଆସନରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସମସ୍ତଙ୍କୁ ଚମକୃତ କରି ନିଜେ ଦୁଇଟି ଆସନରୁ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଥମେ ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା।

ତେବେ ଆଜି ବିଜେଡି ତରଫରୁ ଯେଉଁ ପ୍ରାର୍ଥୀ ତାଲିକା ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହିଞ୍ଜିଳି ସହିତ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରର କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହେବେ। ନିଜେ ମୁଖ୍ୟମନ୍ତ୍ରୀ ୯ ଆସନର ପ୍ରାର୍ଥୀ ତାଲିକା ଘୋଷଣା ଭିତରେ ସେ ନିଜେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି।

ଏହି ଘୋଷଣା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କାରଣ ଖୋଦ ନବୀନ ପଟ୍ଟନାୟକ କଣ ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କଲେ, ତାହା ପ୍ରଶ୍ନ ଉଠିଛି। ତେବେ ସମୀକ୍ଷକଙ୍କ ଅନୁସାରେ ନବୀନ ହିଞ୍ଜିଳିରୁ ଛିଡା ହୋଇ ଦକ୍ଷିଣ ଓଡିଶାରେ ଯେପରି ଦବଦବା ରଖିଛନ୍ତି ସେହିପରି ପଶ୍ଚିମ ଓଡିଶାରେ ବିଜେଡିର ଲୋକପ୍ରିୟତା ପାଇଁ ସେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବା ଅର୍ଥ ବିଜେଡି ପଶ୍ଚିମ ଓଡିଶାକୁ ଫୋକସ କରିଛି। କାରଣ ସେହି ଅଞ୍ଚଳରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ଟକ୍କର ଦେବା ପାଇଁ ଦଳ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ପଶ୍ଚିମ ଓଡିଶାରେ ପୂର୍ବରୁ ବିଜେପିର ଦବଦବା ରହି ଆସିଛି। ସେହି ଗଡକୁ ଭାଙ୍ଗିବା ପାଇଁ ବିଜେଡି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ କଣ୍ଟାବାଞ୍ଜି ହେଉଛି କଂଗ୍ରେସ ଗଡ। ସେଠାରୁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ତିନି ଥର ହେଲା ଜିତି ଆସୁଛନ୍ତି। ସେହିପରି ଏହି ଆସନଟି ବଲାଙ୍ଗିର ଜିଲ୍ଲା ଭିତରେ ଆସୁଛି। ବଲାଙ୍ଗିରରେ କଂଗ୍ରେସରୁ ନରସିଂହ ମିଶ୍ର ମଧ୍ୟ ସେଠାରୁ ଜିତି ଆସୁଛନ୍ତି। ସେହିପରି ବଲାଙ୍ଗିର ଲୋକସଭା ମଧ୍ୟ ବିଜେପି ହାତରେ ରହିଛି। କହିବାକୁ ଗଲେ କଣ୍ଟାବାଞ୍ଜି ବା ବଲାଙ୍ଗିର ବିଜେଡିର ଗଡ ନୁହେଁ। ତାହାକୁ ଭାଙ୍ଗିବା ପାଇଁ ଦଳ ଖୋଦ ସେନାପତିଙ୍କୁ ମଇଦାନରେ ଅବତିର୍ଣ୍ଣ କରାଇଛି ବୋଲି ସ୍ପଷ୍ଟ ହୋଇଛି।

ସେହିପରି ପଶ୍ଚିମ ଓଡିଶାରେ ଦଳକୁ ସୁଦୃଢ କରିବା ପାଇଁ ସମ୍ବଲପୁର ଓ ରେଢାଖୋଲ ଆସନରେ ପ୍ରାର୍ଥୀ ଅଦଳବଦଳ ମଧ୍ୟ କରିଛି। ବର୍ତ୍ତମାନ ସମ୍ବଲପୁରରେ ରୋହିତ ପୂଜାରୀ ଏବଂ ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଲଢେଇ କରିବେ। ବିଜେଡି ଏହି ନୂଆ ରଣନୀତି ପଶ୍ଚିମ ଓଡିଶାରେ ନିଶ୍ଚିତ ପ୍ରଭାବ ପକାଇବା ବୋଲି ଜଣାପଡିଛି। ବିଜେଡିର ଏହି ନୂଆ ରଣନୀତି ବିଜେପି ପାଇଁ ନିଶ୍ଚିତ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।

Categories
ଆଜିର ଖବର

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ : 6 ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ

ସମୀକ୍ଷା ବ୍ୟୁରୋ
କଣ୍ଟାବାଞ୍ଜି,24/12 : ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଦୀର୍ଘ 6 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ ବିଭାଗ ଏହି ନିଆଁକୁ ଆୟତ କରିଛି । ସୋମବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ମୁରିବାହାଲ ଷ୍ଟେସନରେ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଟ୍ରେନ୍‌ଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିବା ପରେ ରେଳବାଇ କର୍ତ୍ତୃପକ୍ଷ କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଷ୍ଟେସନରେ ପହଞ୍ଚି ପ୍ରାୟ 6 ଘଣ୍ଟା ପରିଶ୍ରମ କରିବା ପରେ ଭୋର୍‌ 4ଟାରେ ନିଆଁକୁ ଆୟତ୍ତ କରିଥଲେ । ଟ୍ରେନର ପ୍ରାୟ 21ଟି ବଗିରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି ।