ନୂଆଦିଲ୍ଲୀ : ଆଉ ଚାରିଦିନ ପରେ ଦିଲ୍ଲୀ ନିର୍ବାଚନ । ସମସ୍ତ ରାଜନୈତିକ ଦଳମାନେ ଜୋର୍ସୋର୍ରେ ପ୍ରସ୍ତୁତି କରିଥିବାବେଳେ ବିଭିନ୍ନ ନେତାମାନଙ୍କର ବିବାଦୀୟ ବୟାନ ଶୁଣିବାକୁ ମିଳିଛି । ଦିଲ୍ଲୀର ମଡେଲ୍ ଟାଉନ୍ ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା କପିଲ୍ ମିଶ୍ରା ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । କପିଲ୍ ଆମ୍ ଆଦ୍ମୀ ପାର୍ଟିକୁ ମୁସଲିମ୍ ଲିଗ୍ ବୋଲି କହିଛନ୍ତି । କପିଲ୍ ଟୁଇଟ୍ କରି କହିଛନ୍ତି ଯେ, ’ଆମ୍ ଆଦ୍ମୀ ପର୍ଟିର ନୂତନ ନାମ ମୁସଲିମ୍ ଲିଗ୍ ହେବା ଦରକାର । ଓମର୍ ଖାଲିଦ୍, ଅଫଜଲ୍ ଗୁରୁ, ବୁରହାନ୍ ବାନି ପରି ଆତଙ୍କବାଦୀମାନଙ୍କୁ ନିଜର ବାପ ଭାବୁଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କୁ ଡରୁଛନ୍ତି ।
ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ ଆୟୋଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ 48 ଘଣ୍ଟାର ପ୍ରଚାର ପ୍ରତିବନ୍ଧକ ଲଗାଇଥିଲେ । କପିଲ୍ ଆସନ୍ତା 8 ତାରିଖରେ ହେବାକୁ ଥିବା ନିର୍ବାଚନକୁ ଭାରତ ବନାମ ପାକିସ୍ତାନ ମୁକାବିଲା ବୋଲି କହିଥିଲେ । 2015 ବିଧାନସଭା ନିର୍ବାଚନରେ ଆପ୍ ଟିକେଟରୁ କରାଓ୍ବଲ୍ ନଗରରୁ ବିଧାୟକ ରୂପେ ଜିତିଥିଲେ । ପରେ ପରେ ଆପ୍ ଛାଡି ସେ ବିଜେପିରେ ଯୋଗ ଦେଇଥିଲେ। (ଏଜେନ୍ସି)