Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ଖୋଲିବ ଆଠଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଜାଣନ୍ତୁ ସ୍ଥାନଗୁଡିକ ନାମ

ଭୁବନେଶ୍ବର: ଦେଶରେ ମୋଟ 85ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏ ନେଇ ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି। ସେଥିମଧ୍ୟରୁ ଓଡିଶାରେ ମୋଟ ଆଠଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ମିଳିଛି। ସେଗୁଡିକ ହେଲା

  1. ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗିର
  2. ପଟଣାଗଡ଼, ଜିଲ୍ଲା ବଲାଙ୍ଗିର
  3. ଆଇଟିବିପି ଖୋର୍ଦ୍ଧା, ଜିଲ୍ଲା ଖୋର୍ଦ୍ଧା
  4. ଆଠମଲ୍ଲିକ, ଜିଲ୍ଲା ଅନୁଗୁଳ
  5. କୁଚିନ୍ଦା, ଜିଲ୍ଲା ସମ୍ବଲପୁର
  6. ଢେଙ୍କାନାଳ (କାମାକ୍ଷାନଗର)
  7. ଜୟପୁର, କୋରାପୁଟ ଜିଲ୍ଲା
  8. ତାଳଚେର, ଜିଲ୍ଲା ଅନୁଗୁଳ

 

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର କର୍ମଶାଳା ଉଦଘାଟିତ

ଭୁବନେଶ୍ଵର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ  ଓ ଭାରତୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ (ଏଫଟିଆଇଆଇ), ପୁଣେ (ବିଶ୍ୱର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ଶିକ୍ଷା ଅନୁଷ୍ଠାନ  ମଧ୍ୟରୁ ଅନ୍ୟତମ), ର ମିଳିତ ଆନୁକୂଲ୍ୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ପାଠ୍ୟକ୍ରମ ଉପରେ ଏକ କର୍ମଶାଳା 08 ଫେବ୍ରୁଆରୀ 2024 ରେ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି। ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।  ଫେବ୍ରୁଆରୀ ୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର  ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଭାରପ୍ରାପ୍ତ ରେଜିଷ୍ଟ୍ରାର ତଥା ଅର୍ଥ ଅଧିକାରୀ ପ୍ରଫେସର ନରସିଂହ ଚରଣ ପଣ୍ଡା, ସିୟୁଓର ପରାମର୍ଶଦାତା ପ୍ରଫେସର ବିଭାଷ ଚନ୍ଦ୍ର ଝା, ଜାତୀୟ ଖ୍ୟାତିସମ୍ପନ୍ନ ଅଭିନେତା ତଥା ପୁଣେସ୍ଥିତ ଏଫଟିଆଇଆଇର ପ୍ରଫେସର ସଞ୍ଜୟ ମୋରେ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. ସୌରଭ ଗୁପ୍ତା ଓ ଆସୋସିଏଟ ପ୍ରଫେସର ଡ. ନିଖିଲ କୁମାର ଗୌଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ।

୧୫ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାକୁ ଉଦଘାଟନ କରି କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହାକୁ ବିଶ୍ଵବିଦ୍ୟାଳୟର ଏକ ଐତିହାସିକ ଘଟଣା ବୋଲି ବର୍ଣ୍ଣନା କରିଥିଲେ। ବିଶ୍ୱବିଦ୍ୟାଳୟର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ଉପରେ ପ୍ରଶିକ୍ଷଣ ଦେବା ପାଇଁ ମନ୍ତ୍ରଣାଳୟ ଓଡ଼ିଶାର ଏକମାତ୍ର ଅନୁଷ୍ଠାନକୁ ଚୟନ କରିଥିବାରୁ ସେ ଖୁସି ପ୍ରକଟ କରିଥିଲେ। ଏହି ପାଠ୍ୟକ୍ରମରୁ ଛାତ୍ରଛାତ୍ରୀ କେବଳ ଶିଖିବେ ନାହିଁ ବରଂ ଅନ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବେ। ଏହାଦ୍ୱାରା ଏହି ଅଞ୍ଚଳର ସାମଗ୍ରିକ ଜନଜାତି ବିକାଶ ହୋଇପାରିବ। ସ୍ଥାନୀୟ ଜନଜାତିଙ୍କ ବିକାଶ ପାଇଁ ଥିବା ବିଶ୍ୱବିଦ୍ୟାଳୟର ମିଶନ ଏହି କର୍ମଶାଳା ମାଧ୍ୟମରେ ପୂରଣ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଚଳଚ୍ଚିତ୍ର ନିର୍ମାଣ ମାଧ୍ୟମରେ ଜନଜାତିମାନେ ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ ଯାହା ସେମାନଙ୍କ ସଶକ୍ତିକରଣ ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି।

ପ୍ରଫେସର ପଣ୍ଡା ତାଙ୍କ ଅଭିଭାଷଣରେ ସମାଜରେ ଚଳଚ୍ଚିତ୍ରର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ପ୍ରାଚୀନ କାଳର ଉଦାହରଣ ଦେଇଥିଲେ ଯେଉଁଠାରେ ସାହିତ୍ୟ ଓ ସାମାଜିକ ବିକାଶ ପାଇଁ ନାଟକ ବା ନାଟକକୁ ଗୁରୁତ୍ୱ ଦିଆଯାଉଥିଲା। କାଳିଦାସକାଳରୁ ଆରମ୍ଭ କରି ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ ନାଟକର ଗୁରୁତ୍ୱ ରହିଛି। ଭରତ ମୁନିଙ୍କ ଦ୍ୱାରା ନାଟ୍ୟ ଶାସ୍ତ୍ରର ମହତ୍ତ୍ୱ ସମସ୍ତ ଚଳଚ୍ଚିତ୍ର ଏବଂ ଥିଏଟରର ଉତ୍ସ ଅଟେ। ଦକ୍ଷତା ବିକାଶ ଦିଗରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ଏହି କର୍ମଶାଳା ଏକ ପ୍ରକ୍ରିୟା ବୋଲି ସେ କହିଛନ୍ତି। ଭବିଷ୍ୟତର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବିକାଶ ଉପରେ ପ୍ରଫେସର ଝା ଗୁରୁତ୍ୱାରୋପ କରିଥିଲେ। ଏକବିଂଶ ଶତାବ୍ଦୀର ଯୁଗରେ ସାମାଜିକ-ଅର୍ଥନୈତିକ ବିକାଶରେ ଉଦ୍ଭାବନ ଓ ଦକ୍ଷତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି କର୍ମଶାଳା ପ୍ରତିଭା ଅନୁସନ୍ଧାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ବିକାଶ ପାଇଁ ସଶକ୍ତ କରିବ ସହ ଏକ ଶକ୍ତିଶାଳୀ ଛାତ୍ର ସମୁଦାୟ ଗଠନ କରିବ ଯିଏ ଭବିଷ୍ୟତର ମଶାଲ ବାହକ ହେବ ବୋଲି ସେ କହିଥିଲେ । ଶ୍ରୀ ମୋରେ ତାଙ୍କ ଅଭିଭାଷଣରେ ସନ୍ତୋଷ ଅନୁଭବ କରିଥିଲେ ଯେ ସରକାରୀ ହସ୍ତକ୍ଷେପ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟା ଆଉ ଏକ ସହରକେନ୍ଦ୍ରୀତ ଆଭିମୁଖ୍ୟ ନୁହେଁ, ବରଂ ଏହା ଗ୍ରାମୀଣ କେନ୍ଦ୍ରୀତ ଆଭିମୁଖ୍ୟ ରେ ପରିଣତ ହୋଇଛି। ଜନଜାତିଙ୍କୁ ସଶକ୍ତ କରିବା ପାଇଁ ଚଳଚ୍ଚିତ୍ର ହେଉଛି ଶ୍ରେଷ୍ଠ ମାଧ୍ୟମ ବୋଲି ସେ କହିଛନ୍ତି। ଏଫଟିଆଇଆଇ ସର୍ବଦା ଅବହେଳିତ ବର୍ଗଙ୍କ ପାଇଁ କାମ କରିବାରେ ସଫଳ ହୁଏ ଏବଂ ମନ୍ତ୍ରଣାଳୟର ସମର୍ଥନ ମାଧ୍ୟମରେ ସେମାନେ ଏଭଳି ଅଧିକ କର୍ମଶାଳା ଆୟୋଜନ କରି ସଫଳତା ହାସଲ କରିପାରିବେ । ଡ. ସୌରଭ ଗୁପ୍ତା ସ୍ୱାଗତ ଭାଷଣ ଦେଇ କର୍ମଶାଳାର ଉଦ୍ଦେଶ୍ୟ ଓ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଶିଖିବା ପାଇଁ ଏକ ଉତ୍ତମ ସୁଯୋଗ ବୋଲି ସେ କହିଥିଲେ । ଡ. ନିଖିଲ ଗୌଡ଼ ଧନ୍ୟବାଦ ଅର୍ପଣ କରିବା ସହ ଚଳଚ୍ଚିତ୍ର ଓ ଭିଡିଓ ନିର୍ମାଣ ମାଧ୍ୟମରେ ସଶକ୍ତୀକରଣର କିଛି ଉଦାହରଣ ପ୍ରଦାନ କରିଥିଲେ। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଡ. ଗୌରବ ରଞ୍ଜନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରଫେସର, ଗବେଷକ, ଛାତ୍ରଛାତ୍ରୀ ଓ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ ।

ଏହି କର୍ମଶାଳା ଚଳଚ୍ଚିତ୍ର ସମ୍ବନ୍ଧୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଚାରିଟି ମୌଳିକ ପାଠ୍ୟକ୍ରମ ଉପରେ ଆଧାରିତ । ଏହି ପାଠ୍ୟକ୍ରମଗୁଡ଼ିକ ହେଲା ସ୍କ୍ରିନ୍ ଆକ୍ଟିଂରେ ବେସିକ୍ କୋର୍ସ, ସ୍କ୍ରିନପ୍ଲେ ରାଇଟିଂରେ ବେସିକ୍ କୋର୍ସ, ଫିଲ୍ମ ଆକ୍ୟୁଏସନ୍ କୋର୍ସ ଏବଂ ସ୍ମାର୍ଟ ଫୋନ୍ ଫିଲ୍ମ ମେକିଂରେ ବେସିକ୍ କୋର୍ସ। ଉପରୋକ୍ତ ପାଠ୍ୟକ୍ରମରେ ବିଶେଷଜ୍ଞ ଭାବେ  ଏଫଟିଆଇଆଇର ବିଶିଷ୍ଟ ପ୍ରଫେସରମାନେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ୧୫ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ।

Categories
ଆଜିର ଖବର ରାଜ୍ୟ ଖବର

ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ: ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ ଭାବରେ ପରିଣତ ହୋଇଛି। ଆଗାମୀ ଦିନରେ ଆମ ଦେଶ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ। ଏଥିପାଇଁ ଏବେ ଠାରୁ ଆମର ଛାତ୍ରଛାତ୍ରୀଙ୍କ ଦକ୍ଷ କରିବାକୁ ପଡିବ। ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ପାଇଁ ପଡିବ ବୋଲି ଶନିବାର ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଭବନର ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡ଼ ଆମର ସାଂସ୍କୃତିକ ସହର ଓ ପଢାଲେଖା ଅଞ୍ଚଳ। ଦେବଗଡର ମୁଳପୁଞ୍ଜି ଶିକ୍ଷା। ଏଠାରେ ପାଠପଢାର ବହୁତ ପୁରୁଣା ସଂସ୍କାର ଅଛି। ଜିଲ୍ଲାରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରୁ ଅନେକ ଅନୁଷ୍ଠାନ ଶହେବର୍ଷ ପୁରୁଣା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଦେବଗଡର ଅବଦନ ଅତୁଳନୀୟ। ଭାଷାଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ତଥା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା ରହିଛି।

ଭାରତ ସରକାରଙ୍କ ସହଯୋଗରେ ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପୂର୍ଣ୍ଣାଙ୍ଗ ହେଲେ ଏକ ଭଲ ସ୍କୁଲ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଗୁଣାତ୍ମକ ଶିକ୍ଷା ସହ ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଛି। ବାଲବାଟିକା ମାଧ୍ୟମରେ ଖେଳକୁଦ, ଗୀତ ଓ ଯାଦୁ ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ମାତୃଭାଷାକୁ ଗୁରୁତ୍ୱ, ଗବେଷଣା ଏବଂ ସାମାଜିକ ସଚେତନତା ଭଳି ବିଷୟକୁ ପାଠପଢାର ଅଂଶବିଶେଷ କରିବା ଉପରେ ପ୍ରାଥମିକତା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ।

ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ୨ଟି ସେକ୍ସନ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହାସହ ସ୍କୁଲରେ ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ କିପରି ପ୍ରତିଯୋଗିତାମୂଳକ ଭାବେ ଆଗକୁ ବଢିବେ, ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପ୍ରଧାନ ବିଶେଷ ଗୁରୁତ୍ୱ ଦେଇଛନ୍ତି।