Categories
ଆଜିର ଖବର ଜାତୀୟ ଖବର

ଏବେ କେରଳରେ ମଦ ଦୋକାନ ଖୋଲିବା ସହ ବାର୍ ଏବଂ ହୋଟେଲରେ ମିଳିବ ମଦ

କେରଳ : କରୋନା ମହାସଂକଟ ମଧ୍ୟରେ ଏବେ ଧୀରେ ଧୀରେ ଲକ୍‌ଡାଉନ୍‌କୁ କୋହଳ କରାଯାଉଛି । ଏବେ କେରଳ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ କେନ୍ଦ୍ର ସରକାରଙ୍କ ତରଫରୁ ମଦ ଦୋକାନ ଖୋଲିବା ନେଇ ଅନୁମତି ମିଳିବା ପରେ ମଧ୍ୟ ରାଜ୍ୟରେ ମଦ ଦୋକାନଗୁଡିକ ବନ୍ଦ ରଖାଯାଇଥିଲା । କିନ୍ତୁ ଏବେ କେରଳ ସରକାର ଏବେ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ମଦ ଦୋକାନଗୁଡିକ କେବେଠୁ ଖୋଲିବ ସେନେଇ ସରକାର କୌଣସି ସୂଚନା ଦେଇନାହାନ୍ତି ।

ରାଜ୍ୟରେ ମୋଟ୍‌ 301ଟି ମଦ ଦୋକାନ ରହିଛି। ଏହି ସମସ୍ତ ଦୋକାନକୁ ଏକାସାଙ୍ଗରେ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ମଦ ଦୋକାନ ଖୋଲାଯିବା ନେଇ କିଛି  ନିୟମ ପ୍ରସ୍ତୁତ କରାଯାଉଛି । ଯେପରିକି ମଦ ଦୋକାନରେ ଅଧିକ ଲୋକ ଏକତ୍ରିତ ହୋଇ ନ ପାରିବେ। ଏଥିପାଇଁ କେରଳ ସରକାର ସମସ୍ତ ଆଉଟଲେଟ୍‌ ପାଇଁ ଏକ ଓ୍ବେବ ପୋର୍ଟାଲ୍‌ ପ୍ରସ୍ତୁତ କରିଛନ୍ତି । ଏହା ଜରିଆରେ ମଦପାଇଁ ବୁକିଂ କରି ଡେଲିଭରୀ ମଗେଇପାରିବେ । ସେହିପରି ବାର୍‌-ହୋଟେଲରେ ଏମଆରପି ଆଧାରରେ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ମଦ ଜରିଆରେ ରାଜ୍ୟ ସରକାରଙ୍କୁ ଅଧିକ ମାତ୍ରାରେ ରାଜସ୍ବ ଆସିଥାଏ । ଏଥିପାଇଁ ବହୁ ସ୍ଥାନରେ ମଦ ଦୋକାନ ଖୋଲାଯାଇଛି ।

ସୂଚନାଯୋଗ୍ୟ, ଲକଡାଉନ୍‌ 3.0 ଆରମ୍ଭ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଦ ଦୋକାନ ଖୋଲିବା ନେଇ ଅନୁମତି ପ୍ରଦାନ କରିଥିଲେ । ଏହା ପରେ ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡିକରେ ମଦ ଦୋକାନ ଖୋଲା ଯାଇଥିଲା । କିନ୍ତୁ ମଦ ଦୋକାନ ଖୋଲାଯିବା ଯୋଗୁ ପ୍ରବଳ ଭିଡ ହୋଇଥିଲା । ଏହି କାରଣରୁ ସାମାଜିକ ଦୂରତ୍ବ ବାଧାପ୍ରାପ୍ତ ହୋଇଥିଲା ।

ଭିଡ ଓ ସାମାଜିକ ଦୂରତ୍ବ ଭଙ୍ଗକୁ ଦେଖି କିଛି ରାଜ୍ୟମାନେ ଏବେ ମଦର ହୋମ୍‌ ଡେଲଭରୀ କରିବା ଉପରେ ବିଚାର କରିଛନ୍ତି । ଆଉ କିଛି ରାଜ୍ୟ ମଦର ହୋମ୍‌ ଡେଲିଭରୀକୁ ଅନୁମତି ମଧ୍ୟ ଦେଇ ସାରିଛନ୍ତି ।

କେରଳରେ ସର୍ବପ୍ରଥମେ କରୋନା ମାମଲା ଆସିଥିବାବେଳେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କେରଳରେ ଏବେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 534ରେ ରହିଥିବାବେଳେ 490 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଯୋଗୁଁ 4 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)