Categories
ଆଜିର ଖବର ଖେଳ ଜାତୀୟ ଖବର

କୋଲକାତା ମୁହଁରୁ ବିଜୟ ଛଡ଼ାଇ ନେଲେ ଜୋସ୍ ବଟଲର୍, ଅନ୍ତିମ ବଲରେ ଜିତିଲା ରାଜସ୍ଥାନ

ନୂଆଦିଲ୍ଲୀ: ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ରାଜସ୍ଥାନ ରୟାଲ୍ସ ଦୁଇ ୱିକେଟରେ ପରାସ୍ତ କରିଛି। ଜୋସ୍ ବଟଲର୍ ୧୦୭ ରନ୍ ର ଏକ ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳି ଦଳକୁ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବଟଲରଙ୍କ ବ୍ୟାଟରୁ ୯ ଟି ଚୌକା ଓ ୬ ଛକା ଆସିଥିଲା। ବଟଲର ରାଜସ୍ଥାନ ପାଇଁ ‘ୱାନ ମ୍ୟାନ ଆର୍ମି’ ଭାବେ ପ୍ରମାଣିତ ହେଲେ। ଏହାପୂର୍ବରୁ କେକେଆର୍ ପାଇଁ ସୁନୀଲ ନରେନଙ୍କ ଶତକୀୟ (୧୦୯ ରନ୍) ପାଳି ଖେଳି ରାଜସ୍ଥାନକୁ ଏକ ବଡ ଟାର୍ଗେଟ ଦେଇଥିଲେ। ଯାହାଫଳରେ କେକେଆର୍ ୨୦ ଓଭରରେ ୨୨୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରାଜସ୍ଥାନ ଶେଷ ବଲରେ ଲକ୍ଷ୍ୟ ହାସଲ କରିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ରୋଚକ ମୋଡରେ ଆଇପିଏଲ୍‌ ୨୦୨୦: ପ୍ଲେ ଅଫ୍‌ ପାଇଁ ଏବେ ବି ରହିଛି ସସ୍‌ପେନ୍ସ

ଦୁବାଇ: ଆଇପିଏଲ୍ ୧୩ତମ ସଂସ୍କରଣର ଲିଗ ପର୍ଯ୍ୟାୟ ଅନ୍ତିମ ଚରଣରେ ପହଞ୍ଚି ସାରିଛି। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟ ତଥା ପ୍ଲେ ଅଫ୍ ରେ ଖେଳିବା ପାଇଁ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଯୋଗ୍ୟତା ଅର୍ଜ୍ଜନ କରିଥିବା ବେଳେ ଆଉ ତିନୋଟି ଦଳ ସ୍ଥାନ ପାଇବା ବାକି ରହିଛି। ଲିଗ ପର୍ଯ୍ୟାୟରେ ଆଉ ମାତ୍ର ଦୁଇଟି ମ୍ୟାଚ ଖେଳାଯିବାକୁ ବାକି ଥିଲା ବେଳେ କେଉଁ ତିନୋଟି ଦଳ ପ୍ଲେ ଅଫରେ ସ୍ଥାନ ପାଇବେ ଏନେଇ ଅନିଶ୍ଚିତତା ଜାରି ରହିଛି।

ଆଜି ଖେଳାଯିବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରୁ ଯେଉଁ ଦଳ ବିଜୟ ଲାଭ କରିବ, ସେହି ଦଳ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହେବ। ଏବଂ ଯେଉଁ ଦଳ ପରାଜିତ ହେବ, ସେହି ଦଳକୁ ଆସନ୍ତାକାଲି ହେବାକୁ ଥିବା ମୁମ୍ବାଇ ଇଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।

ଯଦି ଏହି ଶେଷ ଲିଗ ମ୍ୟାଚରେ ମୁମ୍ବାଇ ବିଜୟୀ ହୁଏ, ତେବେ ଆଜି ମ୍ୟାଚର ପରାଜିତ ଦଳ ଏବଂ କୋଲକୋତା ନାଇଟରାଇଡ଼ର୍ସ ସିଧା ସଳଖ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିପାରିବେ। ହାଇଦ୍ରାବାଦ ବିଜୟୀ ହେଲେ ଦଳ ଭଲ ରନ ରେଟ ଯୋଗୁଁ ସିଧାସଳଖ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିବ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ମ୍ୟାଚର ପରାଜିତ ଦଳ ଏବଂ କୋଲକୋତା ନାଇଟରାଇଡ଼ର୍ସ ମଧ୍ୟରେ ଯେଉଁ ଦଳ ରନ ରେଟରେ ଆଗୁଆ ରହିବ, ସେହି ଦଳ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଉନ୍ନୀତ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ପର୍ଯ୍ୟନ୍ତ ୬ ଟି ଦଳ ପ୍ଲେ ଅଫରେ ପହଞ୍ଚିବା ପାଇଁ ଆଶା ରଖିଥିବା ବେଳେ ଚେନ୍ନାଇ ଠାରୁ ପଞ୍ଜାବ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ ରୁ ବାଦ ପଡିଛି। ସେହିପରି ରାଜସ୍ଥାନ ଦଳର କୋଲକୋତା ଠାରୁ ପରାସ୍ତ ହୋଇ ଚଳିତ ଟୁର୍ଣ୍ଣାମେଣ୍ଟରେ ପରବର୍ତ୍ତୀ ମ୍ୟାଚ ଖେଳିବାର ଆଶା ମଉଳି ଯାଇଛି। ତେବେ ଏହି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ବାଙ୍ଗାଲୋର, ଦିଲ୍ଲୀ, କୋଲକୋତା ଏବଂ ହାଇଦ୍ରାବାଦ ମଧ୍ୟରୁ କେଉଁ ତିନୋଟି ଦଳ ସଫଳ ହେଉଛନ୍ତି ତାହା ଦେଖିବା ବାକି ରହିଲା।

 

Categories
ଆଜିର ଖବର ଖେଳ ଜାତୀୟ ଖବର

କେକେଆର ଅଧିନାୟକ ପଦରୁ ଓହରିଲେ ଦୀନେଶ କାର୍ତ୍ତିକ

ଦୁବାଇ: କେକେଆର ଅଧିନାୟକ ପଦରୁ ଓହରିଛନ୍ତି ଦୀନେଶ କାର୍ତ୍ତିକ ।କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ଆଇପିଏଲ ମଧ୍ୟଭାଗରୁ ଅଧିନାୟକ ପଦରୁ ଓହରି ଯାଇଛନ୍ତି । କାର୍ତ୍ତିକ ଓହରିବା ସହିତ ଅଧିନାୟକ ଦାୟିତ୍ୱ ଇଓନ ମୋର୍ଗାନଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ସିଜିନରେ ଦୀନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଉତ୍ସାହ ଜନକ ରହିନଥିଲା । କେବଳ ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ ଛାଡିଲେ କାର୍ତ୍ତିକଙ୍କ ବ୍ୟାଟ୍‌ କିଛି କମାଲ୍‌ କରିପାରିନାହିଁ ।

ଆଜି ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ କାର୍ତ୍ତିକ ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । କେକେଆର ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି । ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ କାର୍ତ୍ତିକ ନିଜ ପଦବୀରୁ ଅବ୍ୟାହତି ନେଇଥିବା ମଧ୍ୟ ସ୍ପଷ୍ଟ କରାଯାଇଛି । ଇଂଲଣ୍ଡର ବିଶ୍ୱକପ ବିଜୟୀ ଅଧିନାୟକ ଇଓନ ମୋର୍ଗାନ ଅବଶିଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେବେ । (ଏଜେନ୍ସି)

Categories
ବିଶେଷ ଖବର ବ୍ୟବସାୟ

ଜିଓ ପଛରେ ବିଦେଶୀ କଂପାନୀଙ୍କ ଲମ୍ବା ଧାଡି, ଏବେ କେକେଆର୍ ବିନିଯୋଗ କରିବ 11 ହଜାର କୋଟି ଟଙ୍କା

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଭାବେ ପରିଚିତ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ତରଫରୁ ବଡ ଘୋଷଣା କରାଯାଇଛି। ଏହି ଘୋଷଣାରେ କୁହାଯାଇଛି ଯେ, ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ କେକେଆର୍‌ର ଏହି ନିବେଶ କରିବ। ଏହା ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ। ଏହା ହେଉଛି ଏସିଆରେ କେକେଆର୍‌ର ସର୍ବବୃହତ ପୁଞ୍ଜିନିବେଶ ।

ବର୍ତ୍ତମାନ ଜିଓ ପଛରେ ପୁଂଜି ବିନିଯୋଗ କରିବା ପାଇଁ ବିଦେଶୀ କଂପାନୀଙ୍କ ଆଗ୍ରହ ସୃଷ୍ଟି ହେବାରେ ଲାଗିଛି। ଗତ ଏକମାସ ମଧ୍ୟରେ ଜିଓରେ ପୁଂଜି ନିବେଶ କରିବା ପାଇଁ ଫେସବୁକ୍‌, ସିଲଭର ଲେକ୍‌, ଭିସ୍ତା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଂଟିକ୍ ଏବଂ କେକେଆର୍ ଭଳି ବିଶ୍ୱର ବୈଷୟିକ କ୍ଷେତ୍ରର ଅଗ୍ରଣୀ ନିବେଶକାରୀମାନେ ଜିଓ ପ୍ଲାଟଫର୍ମରେ ୭୮,୫୬୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଲାଗି ଘୋଷଣା କରିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ନେଇ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

୧୯୭୬ରେ ପ୍ରତିଷ୍ଠାଲାଭ କରିଥିବା କେକେଆର୍ ଏହାର ପ୍ରାଇଭେଟ ଇକ୍ୱିଟି ଏବଂ ଟେକ୍ନୋଲୋଜି ଅଭିବୃଦ୍ଧି ପାଣ୍ଠି ମାଧ୍ୟମରେ ଅଗ୍ରଣୀ ବିଶ୍ୱସ୍ତରୀୟ ଉଦ୍ୟୋଗ ଗଠନ ଏବଂ ବୈଷୟିକ କ୍ଷେତ୍ରରେ ବ୍ୟବସାୟ ଗୁଡିକରେ ସଫଳତାର ସହ ନିବେଶର ଏକ ଦୀର୍ଘ ଇତିହାସ ସୃଷ୍ଟି କରିଛି । ଏହା ନିବେଶ କରିଥିବା ବିଶ୍ୱର ପ୍ରମୁଖ ବ୍ୟବସାୟଗୁଡିକ ମଧ୍ୟରେ ରହିଛି ବିଏମସି ସଫ୍ଟୱେୟାର, ବାଇଟ୍ ଡାନ୍ସ ଏବଂ ଗୋଜେକ ଭଳି ବୈଷୟିକ ଉଦ୍ୟୋଗ । ପ୍ରାରମ୍ଭରୁ ଏହି ସଂସ୍ଥା ବୈଷୟିକ କମ୍ପାନୀଗୁଡିକରେ ୩୦ ବିଲିୟନ ଡଲାରରୁ ଅଧିକ (ମୋଟ ଏଂଟରପ୍ରାଇଜ୍ ମୂଲ୍ୟ) ବିନିଯୋଗ କରିଛି ଏବଂ ବର୍ତ୍ତମାନ ଏହାର ଟେକ୍ନୋଲୋଜି ପୋର୍ଟଫୋଲିଓରେ ବୈଷୟିକ, ମିଡିଆ ଏବଂ ଟେଲିକମ୍ କ୍ଷେତ୍ରରେ ୨୦ରୁ ଅଧିକ କମ୍ପାନୀ ରହିଛନ୍ତି । ଏଥିସହ ୨୦୦୬ ମସିହାରୁ ଭାରତରେ ପୁଞ୍ଜି ବିନିଯୋଗ କରିଆସୁଥିବା କେକେଆର ପାଇଁ ଭାରତ ଏକ ପ୍ରମୁଖ ରଣନୀତିକ ବଜାର ରହିଆସିଛି ।

ଏହି ସହଭାଗିତା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି,  “ପ୍ରତ୍ୟେକ ଭାରତୀୟଙ୍କୁ ସୁବିଧା ପହଂଚାଇବା ଲକ୍ଷ୍ୟରେ ଭାରତର ଡିଜିଟାଲ ଇକୋସିଷ୍ଟମର ଅଭିବୃଦ୍ଧି ତଥା ପୁନର୍ବିନ୍ୟାସ ଦିଗରେ ଆମର ଯାତ୍ରାରେ କେକେଆର ଭଳି ବିଶ୍ୱର ଅନ୍ୟତମ ଅଗ୍ରଣୀ ଓ ସମ୍ମାନସ୍ପଦ ଆର୍ଥିକ ନିବେଶକାରୀ କେକେଆର୍‌କୁ ଅଂଶୀଦାର ଭାବେ ସ୍ୱାଗତ କରି ମୁଁ ଆନନ୍ଦିତ । ଭାରତରେ ଏକ ପ୍ରିମିୟର୍ ଡିଜିଟାଲ୍ ସୋସାଇଟି ଗଠନ କରିବାର ଆମର ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ସାଧନରେ କେକେଆର୍ ଅଂଶ ବିଶେଷ ହୋଇପାରିଛି । ଅଗ୍ରଣୀ ଉଦ୍ୟୋଗଗୁଡିକ ପାଇଁ ମୂଲ୍ୟବାନ ଅଂଶୀଦାର ହେବାରେ କେକେଆର୍‌ର ଏକ ପ୍ରମାଣିତ ଟ୍ରାକ୍ ରେକର୍ଡ ରହିଛି ଏବଂ ବହୁ ବର୍ଷ ଧରି ଭାରତ ପ୍ରତି ଏହାର ପ୍ରତିବଦ୍ଧତା ରହିଆସିଛି । ଜିଓକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଆମେ କେକେଆର୍‌ର ବିଶ୍ୱସ୍ତରୀୟ ପ୍ଲାଟଫର୍ମ, ଉଦ୍ୟୋଗଭିତ୍ତକ ଜ୍ଞାନ ଏବଂ ପରିଚାଳନା ଅଭିଜ୍ଞତାର ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛୁ ।”

କେକେଆରର ସହ-ପ୍ରତିଷ୍ଠାତା ତଥା ସହ-ସିଇଓ ହେନେରୀ କ୍ରାଭିସ୍ କହିଛନ୍ତି, “ଜିଓ ପ୍ଲାଟଫର୍ମ୍‌ସ ଭାରତରେ ଡିଜିଟାଲ୍ ଇକୋସିଷ୍ଟମରେ ଆଣୁଥିବା ବୈପ୍ଳବିକ ପରିବର୍ତ୍ତନ ସାରା ବିଶ୍ୱରେ ଅନନ୍ୟ ଏବଂ ବିଶ୍ୱସ୍ତରରେ ଗୋଟିଏ ଦେଶର ଡିଜିଟାଲ୍ ବ୍ୟବସ୍ଥାରେ ଏଭଳି ପୁନର୍ବିନ୍ୟାସ କ୍ଷମତା ଖୁବ୍ କମ୍ କମ୍ପାନୀଙ୍କ ପାଖରେ ରହିଛି । ଜିଓ ପ୍ଲାଟଫର୍ମ୍‌ସ ହେଉଛି ଭାରତର ଏକ ପ୍ରକୃତ  ସ୍ୱଦେଶୀ ତଥା ପରବର୍ତୀ ପିିଢ଼ିର ଅଗ୍ରଣୀ ଟେକ୍ନୋଲୋଜି ଉଦ୍ୟୋଗ ଯାହା ଦେଶରେ ଚାଲିଥିବା ଡିଜିଟାଲ୍ ବିପ୍ଳବ ମଧ୍ୟରେ ସାରା ଦେଶରେ ବୈଷୟିକ ସମାଧାନ ଏବଂ ସେବା ପ୍ରଦାନ କରିବାର ଅନନ୍ୟ କ୍ଷମତା ରଖିଛି । ଆମେ ଜିଓ ପ୍ଲାଟଫର୍ମର ଉତ୍ସାହଜନକ ଓ ପ୍ରଭାବଶୀଳ ଗତି, ବିଶ୍ୱସ୍ତରୀୟ ନବସୃଜନ (ଇନୋଭେସନ୍‌) ଏବଂ ଦୃଢୃ ନେତୃତ୍ୱ ଟିମ୍‌କୁ ଦୃଷ୍ଟିରେ ରଖି ନିବେଶ କରୁଛୁ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଭାରତ ଏବଂ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀଗୁଡିକୁ ସମର୍ଥନ କରିବା ନେଇ କେକେଆର୍‌ର ପ୍ରତିବଦ୍ଧତାର ପରିଚାୟକ ଭାବରେ ଆମେ ଦେଖୁଛୁ ।”

କେକେଆର୍ ଏହାର ଏସିଆ ଘରୋଇ ଇକ୍ୱିଟି ଏବଂ ଅଭିବୃଦ୍ଧି ଟେକ୍ନୋଲୋଜି ପାଣ୍ଠିରୁ ଏହି ନିବେଶ କରୁଛି । ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ରକୀୟ ଅନୁମୋଦନ ପ୍ରକ୍ରିୟା ଅଧୀନ ଅଟେ ।

ମୋର୍ଗାନ୍ ଷ୍ଟାନ୍‌ଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଆର୍ଥିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିବା ବେଳେ ଏଜେଡ୍‌ବି ଆଣ୍ଡ ପାର୍ଟନର୍ସ ଓ ଡେଭିସ୍ ପୋଲ୍‌କ ଆଣ୍ଡ ୱାର୍ଡୱେଲ ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି । ସେହିଭଳି ଡେଲଏଟ୍ ଟସେ ତୋମାସୁ ଇଣ୍ଡିଆ ଏଲ୍‌ଏଲ୍‌ପି କେକେଆରର ଆର୍ଥିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛି । ସାର୍ଦ୍ଦୁଲ ଅମରଚାନ୍ଦ ମଙ୍ଗଲଦାସ ଆଣ୍ଡ କୋ ଏବଂ ସିମ୍ପସନ୍ ଥାଚର ଏବଂ ବାର୍ଟଲେଟ୍ ଏଲ୍‌ଏଲ୍‌ପି କେକେଆରର ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି ।

Categories
ଆଜିର ଖବର

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା କେକେଆର

ଚଳିତ ଆଇପିଏଲରେ ରବିବାର ଦୁଇଟି ହାଇଭୋଲଟେଜ ମ୍ୟାଚ ଖେଳାଯିବ। ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦିବସର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ କେକେଆର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହାଇଦ୍ରାବାଦର ନିୟମିତ ଅଧିନାୟକ କେନ ଓ୍ବିଲିୟମସନ ଆହତ ଥିବାରୁ ଭୁବନେଶ୍ବର କୁମାର ପ୍ରଥମଥର ନେତୃତ୍ବ ନେଇଛନ୍ତି। ଡେଭିଡ ଓ୍ବାର୍ଣ୍ଣର ଆଇପିଏଲ ଦ୍ବାରା କ୍ରିକେଟକୁ ଫେରିଛନ୍ତି। ବଲ ଟ୍ୟାମ୍ପରିଂ ଅଭିଯୋଗରେ ବର୍ଷକ ପାଇଁ ବାସନ୍ଦ ହୋଇଥିବା ଓ୍ବାର୍ଣ୍ଣରଙ୍କ ଦଣ୍ଡୋଦେଶ ଚଳିତମାସ ଶେଷଭାଗରେ ଶେଷ ହେବ। ଏହା ପରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିପାରିବେ। ହାଇଦ୍ରାବାଦ (ଚୂଡ଼ାନ୍ତ ଏକାଦଶ): ଡେଭିଡ ଓ୍ବାର୍ଣ୍ଣର, ଜନି ବାୟାରଷ୍ଟୋ (ଓ୍ବିକେଟକିପର), ମନିଷ ପାଣ୍ଡେ, ଦୀପକ ହୁଡା, ସାକିବ ଅଲ ହାସନ, ବିଜୟ ଶଙ୍କର, ୟୁସୁଫ ପଠାନ, ରଶିଦ ଖାନ, ଭୁବନେଶ୍ବର କୁମାର (ଅଧିନାୟକ), ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା। କେକେଆର (ଚୂଡ଼ାନ୍ତ ଏକାଦଶ): କ୍ରିସ ଲିନ, ସୁନୀଲ ନରିନ, ରବିନ ଉଥାପ୍ପା, ଶୁଭମାନ ଗିଲ, ନୀତୀଶ ରାଣା, ଦିନେଶ କାର୍ତ୍ତିକ (ଅଧିନାୟକ), ଆନ୍ଦ୍ରେ ରସେଲ, ପୀୟୂଷ ଚାଓ୍ବଲା, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ପ୍ରସିଦ୍ଧ କ୍ରିଷ୍ଣା।