Categories
ଆଜିର ଖବର ଜାତୀୟ ଖବର

ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’

ମୁମ୍ବାଇ: ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’। ଘଣ୍ଟାକୁ 13 କି.ମି. ବେଗରେ ଏହା ଗତି କରୁଛି। ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ଆଲିବାଗ ନିକଟରେ ଲ୍ୟାଣ୍ଡ୍‌ଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଦେଇଛି।

ଯେଉଁ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେହି ସମୟରେ ମୁମ୍ବାଇ ସହ ଥାଣେ, ପାଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି 100ରୁ 110 କିଲୋମିଟର ବେଗରେ ପବନ ବହିପାରେ।

ଉତ୍ତର ମହାରାଷ୍ଟ୍ର ଭଳି ଦକ୍ଷିଣ ଗୁଜରାଟ ଉପକୂଳରେ ବି ପ୍ରକୋପ ଦେଖାଇପାରେ ‘ନିସର୍ଗ’। ନଭସାରୀ, ଡାଙ୍ଗ, ଡାମନ, ଦାଦରା ଓ ନଗର ହାଭେଲି ଏବଂ ସୁରତ ଆଦି ଜିଲ୍ଲାରେ ଘଣ୍ଟାପ୍ରତି 100ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯିବା ସହ ଆଲର୍ଟ ଜାରି କରାଯାଇଛି।

ବାତ୍ୟା ‘ନିସର୍ଗ’ର ମୁକାବିଲା ଲାଗି ଏନ୍‌ଡିଆରଏଫ୍‌, କୋଷ୍ଟ୍‌ଗାର୍ଡ, ଅଗ୍ନିଶମ ବିଭାଗ ସଜାଗ ରହିଛି। ମହାରାଷ୍ଟ୍ର ଓ ଗୁଜରାଟରେ ରେଡ୍ ଆଲର୍ଟ ଜାରି କରାଯାଇଛି। ମହାରାଷ୍ଟ୍ରରେ ଏନ୍‌ଡିଆରଏଫ୍‌ର 20ଟି ଟିମ୍‌ ମୂତୟନ ରହିଛନ୍ତି । ସେହିପରି ଗୁଜୁରାଟରେ ହାଇ ଆଲର୍ଟ ଜାରି କରାଯାଇଛି । (ଏଜେନ୍ସି)