Categories
ବିଶେଷ ଖବର

‘ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଉଦ୍‌ଘାଟନ କରିଛନ୍ତି। ଏହି ଜିଲ୍ଲା ଗୁଡିକ ହେଲା- ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁର।

ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର। ଏହା ହେଉଛି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି। ଗାଁଠୁ ସହର ସବୁଆଡେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ ରହିଛି। ୫-ଟି ଉପକ୍ରମରେ ଆମର ଯୋଗାଯୋଗ ଭିତ୍ତିଭୂମି ଓ ସାଧାରଣ ପରିବହନର ବ୍ୟବସ୍ଥାର ବିକାଶ କରାଯାଉଛି। ଗାଁକୁ ଲକ୍ଷ୍ମୀ ଯୋଜନାରେ ବ୍ଲକ ସହ ଯୋଡା ଯାଉଛି। ଭୁବନେଶ୍ୱରରେ ମେଟ୍ରୋ ରେଳ ଯୋଜନା ଆରମ୍ଭ ହୋଇଛି ବୋଲି କହି ଯୋଗାଯୋଗରେ ଉନ୍ନତି ହେଲେ ଲୋକଙ୍କ ରୋଜଗାର ବଢିବା ସହ ଚାଷୀ ଭାଇ ଭଉଣୀମାନେ ଲାଭବାନ ହେବେ ଓ ପିଲାଙ୍କ ପାଠପଢାରେ ସୁବିଧା ହେବ ବୋଲି ସେ କହିଥିଲେ।

‘ଆମ ବସ୍‌ ଷ୍ଟାଣ୍ଡ’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ବସ୍‌ ଷ୍ଟାଣ୍ଡଗୁଡିକ ବ୍ୟବସାୟ କେନ୍ଦ୍ର ଭାବେ ଧିରେ ଧିରେ ବିକଶିତ ହେବ ଏବଂ ଏହା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ। ସେ ଆହୁରି ମଧ୍ୟ କହିଥିଲେ ଯେ ସାଧାରଣ ପରିବହନ ଭିତ୍ତିଭୂମିକୁ ମଜବୁତ୍‌ କରିବା ସହିତ ଲୋକମାନେ ଯେପରି ଏହି ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବେ ସେଥିପାଇଁ ସମସ୍ତଙ୍କୁ ସଚେତନ କରିବା ଆବଶ୍ୟକ। ନୂଆ ବସ୍‌ ଷ୍ଟାଣ୍ଡରେ ଲୋକମାନଙ୍କର ସୁରକ୍ଷା ସହିତ ସେଠାରେ ଉପଲବ୍ଧ ସାଧାରଣ ସୁବିଧା ସୁଯୋଗର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଭାଗ ନେଇ ତୃତୀୟ ମହଲା କନଫରେନ୍‌ସ ହଲରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ନୂଆପଡାଠାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ମୁନିଗୁଡାଠାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ହରଭଙ୍ଗାଠାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ୍‌ ନୂଆ ବସ୍‌ ଷ୍ଟାଣ୍ଡ ମାଧ୍ୟମରେ ଜନସାଧାରଣଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରାଯାଇଛି ଏବଂ ଏହି ବସ୍‌ ଷ୍ଟାଣ୍ଡଗୁଡିକ ରାଜ୍ୟର ପରିବହନ ସେବା କ୍ଷେତ୍ରରେ ମାଇଲଖୁଣ୍ଟ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମକୁ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଗୋଟିଏ ସହରର ପରିଚୟ ସୃଷ୍ଟି ପାଇଁ ବସ୍‌ ଷ୍ଟାଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଏହି ବସ୍‌ ଷ୍ଟାଣ୍ଡ ଗୁଡିକ ଆପଣମାନଙ୍କର ସମ୍ପତ୍ତି । ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏଥି ସହିତ ବିଭିନ୍ନ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ଉପକ୍ରମରେ ନିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଭୋଗରାଇଠାରେ ବିଧାୟକ ଅନନ୍ତ ଦାସ, ସିମିଳିଗୁଡାଠାରେ ବିଧାୟକ ରଘୁରାମ ପଡାଲ, ବିରମହାରାଜପୁରଠାରେ ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ କହିଥିଲେ ଯେ ନୂଆ ବସ୍‌ ଷ୍ଟାଣ୍ଡ ଦ୍ୱାରା ସାଧାରଣ ଲୋକଙ୍କର ଗମନାଗମନ ବ୍ୟବସ୍ଥାରେ ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇଛି। ଜନସାଧାରଣଙ୍କ ପାଇଁ ଏଭଳି ସୁବିଧା ସୁଯୋଗ ଆଣିଦେଇଥିବା ହେତୁ ମୁଖ୍ୟମନ୍ତ୍ରୀ ଓ ୫-ଟି, ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ନୂଆଗଡ ‘ଆମ ବସ୍‌ ଷ୍ଟାଣ୍ଡ’ରୁ ସ୍ଥାନୀୟ ବାସିନ୍ଦା ଆର୍ମିଏଲ ଏଡ୍‌ଲା ଏବଂ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଯୁକ୍ତ ୩ ଛାତ୍ରୀ ଲକି ସାହୁ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଏଭଳି ଆମ ପାଇଁ ବସ୍‌ ଷ୍ଟାଣ୍ଡ କରିଛନ୍ତି ଯାହା ବଡ ବଡ ସହରରେ ଦେଖିବାକୁ ମିଳିଥାଏ। ଏଥିପାଇଁ ଆମେ ବହୁତ ଖୁସୀ ଓ କୃତଜ୍ଞ। ଲକି ସାହୁ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଜରିଆରେ ମୋ ଭଳି ଅନେକ ଛାତ୍ରଛାତ୍ରୀଙ୍କର ସ୍କୁଲ କଲେଜ ଯିବା ଆସିବା ସମସ୍ୟା ଦୂର ହୋଇଛି ଏବଂ ଗରୀବ ଘରର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବହୁତ ବଡ ଉପହାର ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ OSRTCର CMD ଦିପ୍ତେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ଲକ୍ଷ୍ମୀ ବସରେ’ କ୍ୟାସଲେସ୍ ଯାତ୍ରା ପାଇଁ ‘ୟୁପିଆଇ କ୍ୟୁଆର କୋଡ୍’ର ଶୁଭାରମ୍ଭ

ଭୁବନେଶ୍ୱର: “ଲକ୍ଷ୍ମୀ” ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ।

ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଓଏସ୍ଆରଟିସିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ‘୫-ଟି’ ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର ଯାତ୍ରୀମାନଙ୍କ ଯାତାୟତକୁ ସୁଗମ କରିବ ବୋଲି ପ୍ରକାଶ କରିଥିଲେ। ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବା ସଂପର୍କରେ ଆଲୋକପାତ କରି ସେ ‘ଲକ୍ଷ୍ମୀ ବସ’ରେ କ୍ୟୁଆର କୋଡର ସୁବିଧା କିପରି ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ସେ ସଂପର୍କରେ ଆଲୋଚନା କରିଥିଲେ।

ଓଏସଆରଟିସିରମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦିପ୍ତେଶ ପଟ୍ଟନାୟକ କହିଛନ୍ତି, “ଏହି ବୈଷୟିକ ପ୍ରଗତିକୁ ନେଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ। ‘ଲକ୍ଷ୍ମୀ କ୍ୟୁଆର କୋଡ’ର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି”। ଜନସାଧାରଣଙ୍କୁ ସହଜ ଯାତ୍ରା ଅନୁଭୂତି ପାଇଁ ଡିଜିଟାଲ୍ ସମାଧାନ ପଦ୍ଧତି ଗ୍ରହଣ ସହ ଏହା ଓଡ଼ିଶା ସରକାରଙ୍କ ୫- ଟି ରୂପାନ୍ତରଣ ଉପକ୍ରମ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡିହୋଇଛି ବୋଲି ସେ ପ୍ରକାଶ କରିଥିଲେ।

ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଏହି ଅଭିନବ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ଲକ୍ଷ୍ମୀ କ୍ୟୁଆର କୋଡ୍ ସାହାଯ୍ୟରେ ଲୋକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରାଯାଇଛି ଏବଂ ଏହାଦ୍ୱାରା ଯାତାୟତ ଆହୁରି ସରଳ ହେବ।”

ପ୍ରକାଶ ଥାଉକି, ସହଜ ବ୍ୟବହାର ଯୋଗ୍ୟ(ୟୁଜର ଫ୍ରେଣ୍ଡଲି) ‘ଲକ୍ଷ୍ମୀ’ କ୍ୟୁଆର୍ କୋଡ୍ ଉପଭୋକ୍ତାମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦକ୍ଷ ଦେୟ ବିକଳ୍ପ ହୋଇଥିବା ବେଳେ ଏବା କାରବାର ସମୟ ହ୍ରାସ କରେ ଏବଂ ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି କରେ। କାର୍ଯ୍ୟକ୍ରମ ପରିଶେଷରେ ଓଏସ୍ଆରଟିସିର ସାଧାରଣ ସମ୍ପାକକ ଶ୍ରୀ ବିଶିକେଷନ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲକ୍ଷ୍ମୀ ପରିବହନ କୁଇଜ୍‌ କାର୍ଯ୍ୟକ୍ରମ, ୫୦୦ରୁ ଅଧିକ ଛାତ୍ରଛାତ୍ରୀ ନେଲେ ଭାଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ନିରନ୍ତର ପରିବହନ ସେବା ମାଧ୍ୟମରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ ମଧ୍ୟରେ ଥିବା ପରିବହନ ବ୍ୟବଧାନକୁ ଦୂର କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସାର୍ବଜନୀନ ପରିବହନ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଭୁବନେଶ୍ୱରରେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଜ୍ଞାନର ଆଦାନ ପ୍ରଦାନର ଏକ ଉତ୍ସବ। ନିରନ୍ତର ପରିବହନ ସମ୍ବନ୍ଧୀୟ ସମାଧାନ ବିଷୟରେ ବାର୍ତ୍ତାଳାପରେ ଯୁବ ପିଢ଼ିକୁ ସାମିଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଯୁବପିଢ଼ିମାନଙ୍କ ମଧ୍ୟରେ ପରିବହନ ସମ୍ପର୍କିତ ସଚେତନତା ସୃଷ୍ଟି କରିବାର ଏହା ଏକ ଉତ୍ତମ ମାଧ୍ୟମ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପରିବହନ ସମ୍ପର୍କିତ ବିଷୟବସ୍ତୁ ଉପରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବାର ସୁଯୋଗ ମଧ୍ୟ ପାଇବେ।

ସେ ଲକ୍ଷ୍ମୀ ବସର ଉପକାରିତା ବିଷୟରେ ଆଲୋକପାତ କରିଥିଲେ ଓ ସାର୍ବଜନୀନ ପରିବହନ ବ୍ୟବହାର କରି ଏକ ସବୁଜ ପରିବେଶ ଗଠନ କରିବାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ବହୁ ଛାତ୍ରଛାତ୍ରୀମାନେ କୁଇଜ୍‌ ପ୍ରତିଯୋଗିତାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ କହିଲେ ଯେ ପରିବହନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ଏକ ପରିବର୍ତ୍ତନକାରୀ ପଦକ୍ଷେପ ଏବଂ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଲକ୍ଷ୍ମୀ ବସ୍‌ ଯୋଜନା ସକାରାତ୍ମକ ପ୍ରଭାବ ପକାଉଛି। ପ୍ରଖ୍ୟାତ କୁଇଜ୍‌ ମାଷ୍ଟର ବିଭାସ ରଥ ଦକ୍ଷତାର ସହ ଏହି କୁଇଜ୍‌ ପରିଚାଳନା କରିଥିଲେ।

କୁଇଜ୍‌ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା -ପ୍ରିଲିମ୍‌ ଏବଂ ଫାଇନାଲ୍‌। କୁଇଜ ପ୍ରତିଯୋଗିତା ବ୍ୟତୀତ ଏକ ଆକର୍ଷଣୀୟ ନୁକଡ ନାଟକ ପରିବେଷିତ ହୋଇଥିଲା, ଯାହା ସାର୍ବଜନୀନ ପରିବହନ ଏବଂ ସମାଜରେ ଲକ୍ଷ୍ମୀ ବସ ଯୋଜନାର ପ୍ରଭାବକୁ ଜୀବନ୍ତ କରିଥିଲା। ଏଥିସହ ଲକ୍ଷ୍ମୀ ଯୋଜନାର ବୈପ୍ଳବିକ ଆଭିମୁଖ୍ୟ ଏବଂ ଉପକାରିତାକୁ ଦର୍ଶାଯାଇ, ଏହାର ଗୁରୁତ୍ୱ ବିଷୟରେ ଉପସ୍ଥିତ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନିରନ୍ତର ପରିବହନ କ୍ଷେତ୍ରରେ ସଚେତନତା ଏବଂ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ସମ୍ବନ୍ଧୀୟ ସମସ୍ୟା ଠାରୁ ଆରମ୍ଭ କରି ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ଶେଷରେ କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ପ୍ରଥମେଶ୍‌ ଗୌରବ ଓ ସ୍ନେହାଂଶ ଦାସ୍‌ ପ୍ରଥମ ହୋଇଥିବାବେଳେ ଡିଏଭି ୟୁନିଟ୍‌ ୮ର ଦିବ୍ୟଜ୍ୟୋତି ସେନାପତି ଓ ଆୟନ୍‌ ସେନାପତି ଦ୍ୱିତୀୟ ହୋଇଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ରାଜଧାନୀକୁ ପ୍ରତି ପଞ୍ଚାୟତ ଯୋଡିବ ବସ

ଭୁବନେଶ୍ବର: ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ ଗ୍ରାମାଞ୍ଚଳକୁ ବସ ସେବା ଦ୍ବାରା ସଂଯୋଗ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ଜିଲ୍ଲାରୁ ଆରମ୍ଭ ହେବ ଏହି ଲକ୍ଷ୍ମୀ ବସ୍ ସେବା। କେବଳ ମାଲକାନଗିରି ଜିଲ୍ଲାରୁ ଗଡ଼ିବ ୩୬ଟି ବସ୍ ଚଳାଚଳ କରିବ ବୋଲ ନିଷ୍ପତି ନିଆୟାଇଛି।

ଲକ୍ଷ୍ମୀ ଯୋଜନା ଅଧୀନରେ ବସ ସେବା ମାଧ୍ୟମରେ ବ୍ଲକ ମୁଖ୍ୟାଳୟ , ପଞ୍ଚାୟତ ପଞ୍ଚାୟତ ମୁଖ୍ୟାଳୟ ସହିତ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରାଯିବ। ସେହିପରି ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ।

ଏହି ଯୋଜନା ମାଧ୍ୟମରେ ପ୍ରାୟ ଏକ ହଜାରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଅବଧି ୧୦ ବର୍ଷ ପର୍ଯ୍ୟୟନ୍ତ ରହିଥିବାବେଳେ ପ୍ରଦର୍ଶନ ଆଧାରରେ ଆଉ ୨ ବର୍ଷ ବୃଦ୍ଧି କରାଯାଇ ପାରିବ । ଏହାଦ୍ବାରା ଗ୍ରାମାଞ୍ଚଳର ଜନସାଧାରଣ ରାଜଧାନୀକୁ ଆସିବା ସହିତ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୀ କରିବା ସୁବିଧା ପାଇପାରିବେ।