Categories
ଆଜିର ଖବର ଜାତୀୟ ଖବର

ଭାଇଜାଗ୍‌ ଗ୍ୟାସ୍‌ ଟ୍ରାଜେଡୀ : କମ୍ପାନୀ ମାଲିକଙ୍କ ବିଦେଶ ଗସ୍ତ ଉପରେ ହାଇକୋର୍ଟଙ୍କ ରୋକ୍‌

ବିଶାଖାପଟ୍ଟନମ୍‌ : ବିଶାଖାପଟ୍ଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ଏକ ବଡ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଏଲ୍‌ଜି ପଲିମର ପରିସରକୁ ସମ୍ପୂର୍ଣ୍ଣ ଭାବରେ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ମାଲିକ ମାନଙ୍କର ବିଦେଶ ଗସ୍ତ ଉପରେ ରୋକ୍‌ ଲଗାଇଛନ୍ତି ହାଇକୋର୍ଟ । ଘଟଣାର ତଦନ୍ତ ପାଇଁ ନିଯୁକ୍ତ କମିଟି ବ୍ୟତିତ ଅନ୍ୟ କେହି ବି କମ୍ପାନୀ ପରିସରକୁ ପ୍ରବେଶ କରିପାରିବେ ନାହିଁ । ଏହା ସହିତ କମ୍ପାନୀର ମାଲିକ ମାନଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି ।

ସୋମବାର ହାଇକୋର୍ଟଙ୍କ ରାୟରେ ସମସ୍ତ ନିର୍ଦ୍ଦେଶକ ଏବଂ ପ୍ରମୋଟର ନିଜର ପାସପୋର୍ଟ କୋର୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, 7 ତାରିଖରେ ଘଟିଥିବା ଏହି ଭୟାବହ ଦୁର୍ଘଟଣାରେ ଜଣେ ନାବାଳକଙ୍କ ସମେତ 12 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହି ଘଟଣାରେ ଶତାଧିକ ବ୍ୟକ୍ତି ଅସୁସ୍ଥ ହୋଇଥିବା ବେଳେ କମ୍ପାନୀ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ 1 କୋଟି ଟଙ୍କା ପ୍ରଦାନ କରାଯାଇଥିଲା । (ଏଜେନ୍ସି)