Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ବୈଠକ, ଅପରାହ୍ନ ୩.୩୦ରେ ରଥଟଣା

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଚଳିତ ବର୍ଷ ଶୃଙ୍ଖଳିତ ଭାବରେ ଜାଗରଯାତ୍ରା ଅନୁଷ୍ଠିତ ହୋଇଥିବାରୁ ସେବାୟତ ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ରାଣା ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଆସନ୍ତା ମାସ ୧୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦିନ ଭୋର ୫ ଘଟିକା ସମୟରେ ମଙ୍ଗଳ ଆଳତି ଓ ଅବକାଶ, ସମୟାନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ନ ୩.୩୦ ସମୟରେ ରଥଟଣା ହେବ। ସେହିଭଳି ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଉକ୍ତ ରଥଯାତ୍ରା ସମୟରେ ସଂପୃକ୍ତ ବିଭାଗଗୁଡ଼ିକ ନିଜ ନିଜର ଦାୟିତ୍ୱ ସଂପନ୍ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ଦିର ଆଲୋକ ସଜ୍ଜା, ପରିଷ୍କାର ପରିଚ୍ଛନ୍ନତା, ଆଲୋକୀକରଣ, ଜଳଯୋଗାଣ, ଅଗ୍ନିଶମ ବାହିନୀ ମୁତୟନ, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲିବା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ। ଏଥି ସହ ପାନୀୟ ଜଳଯୋଗାଣ ଓ ଜଳସିଂଚନ ନିମନ୍ତେ ବିଭିନ୍ନ ବେସରକାରୀ ସଂଗଠନଗୁଡ଼ିକର ମଧ୍ୟ ସହଯୋଗ ଲୋଡ଼ା ଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଦେବୋତ୍ତର ବିଭାଗର ଆସିଷ୍ଟାଣ୍ଟ କମିଶନର, ଭୁବନେଶ୍ୱର ତହସିଲଦାର, ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ସେବାୟତ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ମହାପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା, ଅପରାହ୍ନ ୩ଟା ୩୦ରେ ରଥଟଣା

ଭୁବନେଶ୍ବର: ଆଜି ବୁଧବାରରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ବୈଠକରେ ନୀତି ନିର୍ଘଣ୍ଟ ହୋଇଯାଇଛି। ସେହି ଅନୁସାରେ ଭୋର ୫ଟାରେ ଠାକୁରଙ୍କ ଆଳତି, ଅବକାଶ ନୀତି ସମ୍ପନ୍ନ ହୋଇ ୫ଟା ୩୦ରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ରହିବ।

ସକାଳ ୭ଟାରୁ ୮ଟା ମଧ୍ୟରେ ସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣୀ ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହୋଇ ଘଣ୍ଟାକ ଭିତରେ ସରିବ।

ଏହାପରେ ଅନ୍ୟାନ୍ୟ ପୂଜାନୀତି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ଅପରାହ୍ନ ୩ଟା ୩୦ରେ ରଥଟଣା ହୋଇ ସାଢ଼େ ୭ଟା ମଧ୍ୟରେ ପ୍ରଭୃ ରାମେଶ୍ବର ମନ୍ଦିରକୁ ବିଜେ କରିବେ ବୋଲି ନିଷ୍ପତ୍ତି ହୋଇଛି।