Categories
ଆଜିର ଖବର ଜାତୀୟ ଖବର

ଲକ୍ ଡାଉନ୍‌ 3.0.: ମଦ ଓ ପାନ ଦୋକାନ ଖୋଲିବାକୁ ମିଳିଲା ସର୍ତ୍ତମୂଳକ ଅନୁମତି

ନୂଆଦିଲ୍ଲୀ : କରୋନା ସଂକଟ ସହ ଲଢିବା ପାଇଁ ଦେଶର ଲକ୍‌ଡାଉନ୍‌ ଜାରି ରହିଛି । ଏବେ ଲକ୍‌ଡାଉନର ଅବଧିକୁ ଦୁଇ ସପ୍ତାହକୁ ବୃଦ୍ଧି କରାଯାଇଛି । ଏହା ଏବେ ମେ 17ପର୍ଯ୍ୟନ୍ତ ଲାଗୁ ହେବ । ତେବେ ଏହି ଲକ୍‌ ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି ।

ଲକ୍‌ଡାଉନ୍‌ 3.0ରେ ମଦ ବିକ୍ରିକୁ ଅନୁମତି ଦିଆଯାଇଛି । ଏହା ସହିତ ପାନ ମସଲା, ଗୁଟ୍‌ଖା ଓ ତମାଖୁ ଆଦି ବିକ୍ରିକୁ ଅନୁମତି ଦିଆଯାଇଛି । ଗ୍ରୀନ୍‌ ଜୋନ୍‌ରେ ଏହି ମଦ ଦୋକାନ ଖୋଲା ଯାଇପାରିବ ।  ତେବେ କଣ୍ଟନମେଣ୍ଟ ଜୋନ୍‌ରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି କେବଳ ଏକକ ଦୋକାନରେ ମଦ ବିକ୍ରି କରାଯାଇ ପାରିବ ବୋଲି ସୂଚନା ରହିଛି।

ମଲ୍‌ କିମ୍ବା ମାର୍କେଟିଂ କମ୍ପ୍ଲେକ୍ସରେ ମଦ ବିକ୍ରି କରାଯାଇପାରିବ ନାହିଁ । ସେହିପରି ସାର୍ବଜନିକ ସ୍ଥାନରେ ଏହାର ସେବନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ସାର୍ବଜନିକ ସ୍ଥାନରେ  ପାନ ମସଲା, ମଦ, ଗୁଟ୍‌ଖା ଓ ତମାଖୁ ଆଦିର ସେବନ କରିପାରିବେ ନାହିଁ ।

ସେହିପରି ମଦ ଦୋକାନରେ ଅତି କମ୍‌ରେ ଛଅ ଫିଟ୍‌ ଦୂରତା ରଖାଯିବା ସହିତ ସାମାଜିକ ଦୂରତ୍ବକୁ ପାଳନ କରିବାକୁ ବାଧ୍ୟ କରାଯାଇଛି । ସେହିପରି ଗୋଟେ ଦୋକାନରେ ପାଞ୍ଚରୁ ଅଧିକ ଗ୍ରାହକ ଯାଇପାରିବେ ନାହିଁ ବୋଲି ନିୟମ କରାଯାଇଛି ।

ପ୍ରଥମେ ଦେଶରେ 21 ଦିନ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଥିବାବେଳେ ଦ୍ବିତୀୟ ଥର ପାଇଁ 19 ଦିନ ଓ ତୃତୀୟ ଥର ପାଇଁ 14 ଦିନ ପର୍ଯ୍ୟନ୍ତ ଏହି ଲକ୍‌ ଡାଉନ୍‌ ଜାରି ରହିବ । (ଏଜେନ୍ସି)