Categories
ଆଜିର ଖବର ଜାତୀୟ ଖବର

ପ୍ରାଣ ପ୍ରତିଷ୍ଠାର ସିଧାପ୍ରସାରଣ ଉପରେ ପ୍ରତିବନ୍ଧକ, ଷ୍ଟାଲିନ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷ୍ଟାଲିନ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁ ସରକାର ଜାନୁୟାରୀ ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ତାମିଲ ଖବରକାଗଜ ରିପୋର୍ଟକୁ ଦର୍ଶାଇ ସେ କହିଛନ୍ତି ଯେ ତାମିଲନାଡୁ ସରକାରଙ୍କ ଦ୍ୱାରା ପରିଚାଳିତ ମନ୍ଦିରଗୁଡିକ ମଧ୍ୟ ଅଯୋଧ୍ୟାର ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଭଗବାନ ରାମଙ୍କ ପୂଜା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟମେଣ୍ଟ ବିଭାଗ (HR&CE) ଦ୍ୱାରା ପରିଚାଳିତ ମନ୍ଦିରଗୁଡ଼ିକରେ ଶ୍ରୀ ରାମଙ୍କ ନାମରେ କୌଣସି ପୂଜା / ଭଜନ / ପ୍ରସାଦ / ଅନ୍ନ ଦାନକୁ ଅନୁମତି ନାହିଁ। ବ୍ୟକ୍ତିଗତ ଭାବେ ଚାଲୁଥିବା ମନ୍ଦିରରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ପୋଲିସ ପ୍ରତିରୋଧ କରୁଛି। ସେମାନେ ମଣ୍ଡପକୁ ଭାଙ୍ଗିବା ପାଇଁ ଆୟୋଜକମାନଙ୍କୁ ଧମକ ଦେଉଛନ୍ତି।

ତାମିଲ ଖବରକାଗଜର ରିପୋର୍ଟକୁ ଟ୍ୟାଗ୍ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୁ ବିରୋଧୀ ତଥା ଘୃଣ୍ୟ କାର୍ଯ୍ୟକୁ ସେ ଦୃଢ ନିନ୍ଦା କରୁଛନ୍ତି।

ଏହି ଅଭିଯୋଗର ଜବାବରେ ତାମିଲନାଡୁର ମନ୍ତ୍ରୀ ପି.କେ ଶେଖର ବାବୁ କହିଛନ୍ତି ଯେ, ଏଭଳି ପ୍ରତିବନ୍ଧକ ଲଗାଯାଇ ନାହିଁ କିମ୍ବା ପ୍ରଭୁ ରାମଙ୍କ ପୂଜା ଆୟୋଜନ ଉପରେ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ। ଖାଦ୍ୟ ଦାନ ଏବଂ ପ୍ରସାଦ ବଣ୍ଟନ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

ସେ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି ଯେ, ସଲେମରେ ଚାଲିଥିବା ଡିଏମକେ ଯୁବ ଶାଖା ସମ୍ମିଳନୀରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ ହଟାଇବା ପାଇଁ ଏହି ଗୁଜବ ପ୍ରଚାର କରାଯାଉଛି।